ସ୍ମୃତି

News Story - Posted on 2016-03-23

ରବି ନାରାୟଣ ସେନାପତି

 

ସ୍ମୃତି ଏକ ପାଉଁଶ ତଳର ନିଆଁ,

ଜୀବନ୍ତର ପ୍ରଭାସ ପ୍ରତୀକ,

ସମୟର ସ୍ମିତହାସ୍ୟ ଅବା କ୍ରମଶଃ ଆଚ୍ଛାଦିତ ଅଂଧକାରେ,

ତଥାପି ପ୍ରଜ୍ଜ୍ୱଳିତ ସ୍ନେହଶିକ୍ତ ସଳିତାର ଅବଶିଷ୍ଟ ଶିଖା,

ପ୍ରତୀକ୍ଷମାଣ କେଉଁ ଏକ କଣ୍ଟକର ମୃଦୁସ୍ପର୍ଶେ ତେଜିବାର ସମ୍ଭାବନା ଟିଏ॥

 

ସ୍ମୃତି ଏକ ଆଶାର ଅତୀତ!!

ଅତୀତର ଆଶା ବରଂ, କିଛି ପ୍ରାପ୍ତ ମିଷ୍ଟ ଗଳ୍ପ, କିଂଚିତ ପରାହତ,

ସମୟର ପ୍ରତିଘାତେ ଭୂଲୁଣ୍ଠିତ,

କଦାଚିତ ଉତ୍ତୁଂଗ ଏକ ଭଗ୍ନ ଇମାରତ॥

 

ବିଲୀନ ପଦ ଓ ସହ ପଦଚିହ୍ନ ମାନ,

ମହାକାଳ ସମୁଦ୍ରର ମୁହୁର୍ମୁହୁ ଚୁମ୍ବନରେ ଶତଧୌତ,

ସଲ୍ଲଜ ଭୁଲା’ର ଅଭିମାନ, ଅଭୁଲା’ର ଏତେ ଯତ୍ନ ଏତେ ସମାଦର,

କଂଦାଇଲା ଅବା ଆନଂଦର ପସରା ମେଲିଲା,

ସେ ପାଇଁ ସାଥି ହେଲା ସର୍ବକାଳ,

ଅଥଚ ଏ ରାଜଦାଣ୍ଡେ ସଦର୍ପେ ଯେ ଚଲାଇଲା ସେ ପୁଣି ‘ଭୁଲା’॥

 

ଆଜି ସ୍ମୃତିର ଦିହୁଡି ଲମ୍ବିଛି, ସାମାଜିକ ଗଣବାର୍ତ୍ତା ଅତ୍ୟନ୍ତ ସୁଲଭ,

ଦୂର ଦୂରାନ୍ତର ଅପହଂଚ ମୂଲକର ବ୍ୟବଧାନ ମିଳାଇ ଯାଏ,

ସ୍ମୃତିମାନେ ମୋଲାୟମ ଅଂଗୁଳିରେ କଅଁଳେଇ ସାଉଁଳି ଦିଅନ୍ତି,

ମେଘାବିଷ୍ଟ ପର୍ବତ ଶିଖରେ, ଅବା ପ୍ରେୟସୀର ନରମ ଓଠରେ,

ଝଲକାଏ ବିଦ୍ୟୁତଲତା ମୃଦୁମଂଦେ ପ୍ରତିତନ୍ତ୍ରୀ ଶିହରାଇ ଦିଏ॥

 

ସ୍ମୃତିର ପ୍ରାବଲ୍ୟର ଭୟ, ଏହି ଦେଖ ଅଚଳ ଶିଳାର ଚୂଡା,

କଳା ବାଦଲରେ ଘନକ୍ଳୀଷ୍ଟ, ବଜ୍ରର ନିର୍ଘୋଷରେ ଭୟଂକର ବିଜୁଳିର ଲାଭା,

ସ୍ମରଣର ଦିଗ୍-ବଳୟର ସୀମାରେଖା ମଧ୍ୟେ ପ୍ରବେଶି ଆସନ୍ତି,

ଅନ୍ୟଥା ନିର୍ବାସିତ ଆତ୍ମଗ୍ଲାନି, କ୍ରୁର ଯେତେ ବାରମ୍ବାର ଆତଂକର ହେତୁ,

ସ୍ମୃତିର ସେ ରୋମନ୍ଥନୁ ଅମୃତ’ତ ସଭିଏଁ ବାଣ୍ଟନ୍ତି,

ଆହା’କି ଆନଂଦ ବନ୍ଧୁ, କିନ୍ତୁ ସାବଧାନ,

କାଲି ଯଦି ଲୋଡା ହୁଏ, ବିଷପାୟୀ ପ୍ରଳୟର କର୍ତ୍ତା ନୀଳକଣ୍ଠର ସନ୍ଧାନ॥

 

ମୁଁ ସ୍ମୃତି ମୋର ଘର, ପରସ୍ତ ପରସ୍ତ ପାଉଁଶ ଆସ୍ତର,

ଜାଳି ପୋଡି ଛାରଖାର କରିବାର ସ୍ୱଧର୍ମ, ତପସ୍ୟାରେ କରି ଦୂର,

ଦେଖ ବନ୍ଧୁ ସେ ଭସ୍ମର ଆସ୍ତରଣେ, ବିସ୍ମରଣର ମାଳା ଜପି,

ମୁଁ ସ୍ମୃତ୍ତି, ସ୍ଥିତପ୍ରଜ୍ଂୟ ଋଷି ପ୍ରାୟ ଆନନ୍ଦ ବିଭୋର,

ତପଭଗ୍ନ ହୋଇପାରେ ଭୟଂକର କ୍ରୁର॥


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top