ଶ୍ରୀରାଧା

News Story - Posted on 2016-03-11

ଗିରିଜା କୁମାର ବଳୀୟାରସିଂହ

 

ଆଜି ବୋଧେ ମେଘମାନେ ନାଚିଯିବେ ମଲ୍ଲାର ରାଗରେ

ଗୋଧୂଳିର ଗଳି ମୋଡ଼େ ଦିଶିବନି ଗୋକୁଳର ଗାଁ...

ଆଜି ବୋଧେ ସବୁ ନଈ ହାରିଯିବେ ଯମୁନା ଆଗରେ

ବଇଁଶୀ ମୋ ଭୁଲିଯିବ ମୋ ନିଜସ୍ବ ନକ୍ଷତ୍ରର ନାଁଆ !

 

ଆଜି ବୋଧେ କୁଞ୍ଜବନ ତୋଳିବନି ଗୁଞ୍ଜନ କଦାପି

ଶୁଣିବନି ଗୋପଦାଣ୍ଡ ଗୁଜବର ନିଷ୍ଣୁର ନାଗରା...

ଆଜି ବୋଧେ ସବୁ ଫୁଲ କଦଂବଠୁ ମାଗିନେବେ ମାଫି

ଯାବଦ ଯୁବତୀବୃନ୍ଦ ବୃନ୍ଦାବନେ ଛୁଇଁବେନି ଗରା !

 

ଆଜି ବୋଧେ ବର୍ଷା ହେବ ସର୍ବାଧିକ ବାତ୍ୟାର ବେଗରେ

ଅଷ୍ଟପାଟବଂଶୀ ମୋର ଚାହିଁଥିବେ ସଜଳ ସତୃଷ୍ଣ...

ଆଜି ବୋଧେ ସବୁ ନାରୀ ରାଧା ହୋଇ ରହିଯିବେ ଘରେ

ତୁମେ କିନ୍ତୁ ନାରୀ ହୋଇ ଉଚ୍ଚାରିବ: ଆସିଚି ମୁଁ କୃଷ୍ଣ !

 

ହେ ରାଧା, ରମଣ ଆମ- ମରଣକୁ କରିବ ମିଳନ...

ଶିଆଳୀ ଶଯ୍ୟାରେ ମୋର ଶେଷ ଦିନ..ହେବ ଶ୍ରେଷ୍ଠ ଦିନ !!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top