କାହିଁକି ଲୋପ ହେଲା ସିନ୍ଧୁ ସଭ୍ୟତା?

News Story - Posted on 2018-04-16

ନଅ ଶହ ବର୍ଷର ମରୁଡ଼ି ପରି ସ୍ଥିତି ଯୋଗୁଁ ଧ୍ୱଂସ ପାଇଥିଲା ସିନ୍ଧୁ ଉପତ୍ୟକାର ସଭ୍ୟତା । ଏହା ସାବ୍ୟସ୍ତ କରିଛନ୍ତି ଆଇଆଇଟି ଖଡ଼ଗପୁରର କେତେକ ଗବେଷକ । ଏହି ସଂସ୍ଥାର ଭୂତତ୍ତ୍ୱ ଏବଂ ଭୂପଦାର୍ଥ ବିଜ୍ଞାନ ବିଭାଗର କେତେକ ଗବେଷକ ସାବ୍ୟସ୍ତ କରିଛନ୍ତି ଯେ ୪୩୫୦ ବର୍ଷ ତଳେ ୯୦୦ ବର୍ଷର କ୍ରମାଗତ ମରୁଡ଼ି ଯୋଗୁଁ ସିନ୍ଧୁ ଉପତ୍ୟକାର ସଭ୍ୟତା ଧ୍ୱଂସ ପାଇଯାଇଥିଲା ।

 

ଏହି ବୈଜ୍ଞାନିକ ଦଳ ୫୦୦୦ ବର୍ଷର ମୌସୁମୀ ନେଇ ଗବେଷଣା କରୁଥିଲେ । ସେମାନେ ଜାଣିବାକୁ ପାଇଛନ୍ତି ଯେ ଉତ୍ତରପଶ୍ଚିମ ହିମାଳୟରେ ଖ୍ରୀଷ୍ଟପୂର୍ବ ୨୩୫୦ରୁ ଖ୍ରୀଷ୍ଟପୂର୍ବ ୧୪୫୦ ମଧ୍ୟରେ ମୌସୁମୀ ଦୁର୍ବଳ ରହିଥିଲା । ଏହି କାରଣରୁ ହିମାଳୟରୁ ସୃଷ୍ଟି ହୋଇଥିବା ଜଳସୂତ୍ରଗୁଡ଼ିକ ଶୁଷ୍କ ହୋଇଯାଇଥିଲା । ଏହି ଗବେଷକ ଦଳ ଲେହ-ଲାଦାଖ ଅଂଚଳର ସୋ ମୋରିରି ହ୍ରଦର ଜଳଧାରଣ ସ୍ଥିତି ଉପରେ ମଧ୍ୟ ଗବେଷଣା କରିଥିଲେ । ସେଥିରୁ ମଧ୍ୟ ଏହି ଅଂଚଳରେ ୯୦୦ ବର୍ଷ ଧରି ମୌସୁମୀ ବିଭ୍ରାଟ ଘଟିଥିବା ଜଣାପଡ଼ିଛି ।

 

ସିନ୍ଧୁ ନଦୀ ଉପତ୍ୟକାରେ ଆରମ୍ଭ ହୋଇଥିବା ସଭ୍ୟତାର ଲୋକମାନେ ମୁଖ୍ୟତଃ ମୌସୁମୀ ବୃଷ୍ଟିପାତ ଓ ହିମାଳୟରୁ ସୃଷ୍ଟି ହୋଇଥିବା ନଦୀଗୁଡ଼ିକର ଜଳ ଉପରେ ନିର୍ଭର କରି କୃଷିକାର୍ଯ୍ୟ କରୁଥିଲେ । କିନ୍ତୁ କ୍ରମାଗତ ଭାବେ ମରୁଡ଼ି ପଡ଼ିବାରୁ ସେମାନେ ଶ୍ୟାମଳିମା ସନ୍ଧାନରେ ପୂର୍ବ ଓ କେନ୍ଦ୍ରୀୟ ଉତ୍ତର ପ୍ରଦେଶ, ବିହାର ଏବଂ ପୂର୍ବ ବଙ୍ଗ, ମଧ୍ୟ ପ୍ରଦେଶ, ଦକ୍ଷିଣ ବିନ୍ଧ୍ୟାଞ୍ଚଳ, ଦକ୍ଷିଣ ଗୁଜରାଟ ଆଦି ଅଂଚଳକୁ ପଳାଇଥିଲେ ।

 

ଏହି ଗବେଷକ ଦଳର ତଥ୍ୟ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇଆଇଟି ଖଡ଼ଗପୁର ଭୂତତ୍ତ୍ୱ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ତଥା ଗବେଷଣା ପ୍ରମୁଖ ଅନୀଲ କୁମାର ଗୁପ୍ତା । ସେ କହିଛନ୍ତି ଯେ ସିନ୍ଧୁ ଉପତ୍ୟକାର ଲୋକମାନେ ପୂର୍ବ ଓ ଦକ୍ଷିଣର ଗଙ୍ଗା-ଯମୁନା ଅବବାହିକାକୁ ସ୍ଥାନାନ୍ତର ହୋଇଯିବାରୁ ସେହି ସଭ୍ୟତା ଧ୍ୱସ ପାଇଥିଲା । କିନ୍ତୁ ସେହି ଲୋକମାନଙ୍କ ଯୋଗୁଁ ନୂଆ ଅଂଚଳରେ ନୂତନ ସଭ୍ୟତା ଗଢ଼ି ଉଠିଥିଲା । ଏହି କାରଣରୁ ଭାରତର ଏହି ସଭ୍ୟତା ସଂପୂର୍ଣ୍ଣ ନିଶ୍ଚିହ୍ନ ନହୋଇ ବ୍ୟାପ୍ତି ଲାଭ କରିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top