ଏବର୍ଷ ସ୍ୱାଭାବିକ ବର୍ଷା

News Story - Posted on 2018-04-16

ଆସନ୍ତା ମୌସୁମୀ ଋତୁରେ ହେବ ସ୍ୱାଭାବିକ ବୃଷ୍ଟିପାତ । ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କେଜେ ରମେଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୀର୍ଘକାଳୀନ ହାରାହାରି ହିସାବରେ ଆସନ୍ତା ମୌସୁମୀରେ ସ୍ୱାଭାବିକ ବୃଷ୍ଟପାତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ।

 

ଇଂରାଜୀ କ୍ୟାଲେଣ୍ଡରରେ ଜୁନରୁ ସେପ୍ଟେମ୍ବର ମାସ ବା ଭାରତୀୟ ପାଞ୍ଜି ଅନୁସାରେ ଆଷାଢ଼ରୁ ଆଶ୍ୱିନ ମାସ ମଧ୍ୟରେ ଅନୁଭୂତ ହେଉଥିବା ମୌସୁମୀ ଋତୁରେ ଦୀର୍ଘକାଳୀନ ହାରାହାରି ହିସାବରେ ୫ ପ୍ରତିଶତ କମ୍ ବେଶୀ ସହିତ ୯୭ ପ୍ରତିଶତ ବୃଷ୍ଟିପାତ ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି ରମେଶ । ଏହା ପୂବରୁ ଏପ୍ରିଲ ୪ ତାରିଖରେ ଘରୋଇ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ସ୍କାଇମେଟ ମଧ୍ୟ ଏଭଳି ଏକ ଭବିଷ୍ୟବାଣୀ କରିଥିଲା । ସ୍କାଇମେଟ କହିଥିଲା ଯେ ୫ ପ୍ରତିଶତ କମ୍ ବେଶୀ ସହିତ ଏଥର ଶତ ପ୍ରତିଶତ ବୃଷ୍ଟିପାତ ହେବ । ଏହି ଚାତୁର୍ମାସିଆରେ ଭାରତରେ ୮୮୭ ମିମି ବୃଷ୍ଟିପାତ ହେବ ବୋଲି ସ୍କାଇମେଟ ପୂର୍ବାନୁମାନ କରିଛି ।

 

ଭାରତବର୍ଷରେ ଦୀର୍ଘକାଳୀନ ହାରାହାରିର ୯୬-୧୦୪ ପ୍ରତିଶତ ବୃଷ୍ଟିପାତ ହେଲେ ମୌସୁମୀ ସ୍ୱାଭାବିକ ହେଲା ବୋଲି ଧରାଯାଇଥାଏ । ସେହିପରି ୯୦ ପ୍ରତିଶତରୁ କମ୍ ବୃଷ୍ଟିପାତ ହେଲେ ସ୍ୱଳ୍ପ ବୃଷ୍ଟି ହେଲା ବୋଲି କୁହାଯାଏ । ୧୦୪-୧୧୦ ପ୍ରତିଶତ ବୃଷ୍ଟିପାତ ହେଲେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେଲା ବୋଲି ଧରାଯାଏ । ଦୀର୍ଘକାଳୀନ ହାରାହାରି ହିସାବରୁ ୧୧୦ ପ୍ରତିଶତରୁ ଅଧିକ ବୃଷ୍ଟିପାତ ହେଲେ ଅତିବୃଷ୍ଟି ହେଲା ବୋଲି କୁହାଯାଏ ।

 

ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ରମେଶ କହିଛନ୍ତି ଯେ ଆସନ୍ତା ମୌସୁମୀରେ ସ୍ୱାଭାବିକ ବୃଷ୍ଟିପାତ ହେବାର ୪୨ ପ୍ରତିଶତ ସମ୍ଭାବନା ରହିଛି । ସେହିପରି ସ୍ୱାଭାବିକଠାରୁ ଅଧିକ ବର୍ଷ ହେବାର ୧୨ ପ୍ରତିଶତ ସମ୍ଭାବନା ରହିଛି । ତେଣୁ ମୋଟ ଉପରେ ହିସାବ କରାଗଲେ ଏଥର ସ୍ୱାଭାବିକ ବୃଷ୍ଟିପାତ ହେବାର ଅଧିକ ସମ୍ଭାବନା ରହିଛି । ଏହାକୁ ଲଗାଇ ଲଗାତାର ତୃତୀୟ ବର୍ଷ ପାଇଁ ଭାରତରେ ସ୍ୱାଭାବିକ ବୃଷ୍ଟିପାତ ନେଇ ଭବିଷ୍ୟବାଣୀ କରିଛି ପାଣିପାଗ ବିଭାଗ ।

 

ଦେଶରେ ସାଧାରଣତଃ ମେ ଶେଷ କିମ୍ବା ଜୁନ ପ୍ରଥମ ସପ୍ତାହ ମଧ୍ୟରେ ମୌସୁମୀ ବାୟୁ ପହଂଚିଥାଏ । ମେ ୧୫-ଜୁନ ୧ ମଧ୍ୟରେ କେରଳ ଉପକୂଳରେ ମୌସୁମୀ ବାୟୁ ସ୍ଥଳଭାଗ ଛୁଇଁଥାଏ । ତେବେ ଅନେକ ସମୟରେ ଏଲ ନିନୋ କିମ୍ବା ଲା ନିନା ଯୋଗୁଁ ଏଥିରେ ବ୍ୟତିକ୍ରମ ହୋଇଥାଏ । ଏହି ବ୍ୟତିକ୍ରମ ଯୋଗୁଁ ମଧ୍ୟ ବୃଷ୍ଟିପାତ ହିସାବ ବଦଳିଯାଏ ।

 

କେରଳରେ କେବେ ମୌସୁମୀ ବାୟୁ ସ୍ତଳଭାଗ ଛୁଇଁବ ଏବଂ ଏଥର ମୌସୁମୀର ପ୍ରଥମ ତିନି ମାସ ମଧ୍ୟରେ କେତେ ବୃଷ୍ଟିପାତ ସେନେଇ ଭାରତୀୟ ପାଣିପାଗ ବିଭାଗ ମେ ଦ୍ୱିତୀୟ ସପ୍ତାହରେ ଆଉ ଥରେ ପୂର୍ବାନୁମାନ ପ୍ରକାଶ କରିବେ । ଭାରତର କୃଷିଭିତ୍ତିକ ଅର୍ଥନୀତି ମୁଖ୍ୟତଃ ମୌସୁମୀ ନିର୍ଭରଶୀଳ ଥିବାରୁ ସ୍ୱାଭାବିକ ବୃଷ୍ଟିପାତ କୃଷକମାନଙ୍କ ପାଇଁ ଖୁସିର କାରଣ ହୋଇପାରେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top