ଜଟିଆର ସୂତ୍ର

News Story - Posted on 2016-03-04

ସୁରଜିତ ଦାଶ

ପୂଜା ଆଉ ଦଶ ଦିନ ରହିଲା । ପିଲାଙ୍କ ମନ ରେ ଆନନ୍ଦ, ଚାନ୍ଦା ଆଦାୟ ହେବ, କଲେକ୍ସନ ଦେଖି ମୁର୍ତ୍ତି କିଣା ହେବ, ପେଣ୍ଡାଲ୍ ତିଆରି ହେବ, ଏ ବର୍ଷ ପୁଜା ଗଲା ବର୍ଷ ଠାରୁ କେମିତି ଭଲ ହେବ ।

କାହା ବାରିରୁ ଫୁଲ ଚୋରି ହେବ, କାହା ବାରିରୁ କୁଣ୍ଡ, ଗଲା ପୂଜାରେ କିଏ କେତେ ଦେଇ ଥିଲା - ସେ ସବୁ ହିସାବ ଜଟିଆ ଭାଇ ମୁଣ୍ଡରେ ରେକର୍ଡ । ଚାନ୍ଦା ଆଦାୟରେ ଜଟିଆ ଭାଇ ପାରଙ୍ଗମ .. କଥା କହି ଜଖଠାରୁ ମଧ୍ୟ ଦଶ କୋଡିଏ ଟଙ୍କା ଝାଡି ପାରେ ସିଏ । ଯିଏ ନଦେଲା, ପୂଜା ପୁର୍ବ ରାତିରେ ତା ଫୁଲଗଚ୍ଛ ଲଣ୍ଡା, ଇଲେକ୍ଟ୍ରି ବଲ୍ବ୍ ଗାଏବ;  କିଛି ନହେଲେ ବାହାଦୂର୍‌ ଭଳି ହୁଇସିଲ୍ ମାରି, ରାସ୍ତାରେ ଠେଙ୍ଗା ଠୁକୁ ଠୁକୁ କରି ନିଦ୍ରା ଉପରେ ପ୍ରହାର । ଜଟିଆ, ‘ଭାଇ’ କାରଣ ଆମ ସମସ୍ତଙ୍କଠାରୁ ବୟସରେ ତିନି-ଚାରି ବର୍ଷ ବଡ, ଆଉ କ୍ଲବର ସିଏ ସେକ୍ରେଟେରି ।

xxxxxxxxxxxx

ଏଇ କଥାଟା ସେଇ ସମୟରେ ଯେତେବେଳେ ସହରଟା ଏତେ ବଡ ନ ଥିଲା । ଆଜିକାଲି ଭଳି ରୋଜଗାର ମଧ୍ୟ ନଥିଲା ସମସ୍ତଙ୍କର୤ । ଆଜିକାଲି ଭଳି ସମସ୍ତେ ବଡ/ଧନୀ ଲୋକ ହେଇ ନଥିଲେ .. ଧନୀ କହିଲେ ହାତ ଗଣତି ... ଠିକଣା କହିବାକୁ ଏମିତି କିଛି ଲୋକ ଙ୍କ ନାଁ କହି ଦେଲେ ରିକ୍ସାବାଲା ଠିକ୍ ଜାଗାକୁ ନେଇ ପହଞ୍ଛାଉ ଥିଲା ।
ସହର ବାସିନ୍ଦାମାନେ ପ୍ରାୟତଃ ଗାଁ ଗଣ୍ଡାରୁ ଚାକିରୀ ପଇଁ ଆସି ସହରରେ ରହିବା କଥା, ତେଣୁ ସମସ୍ତଙ୍କ ମଧ୍ୟରେ ଏକ ପ୍ରକାରର ନିହାତି ଭଲ ନହେଲେ ବି ଭଲ ସମ୍ପର୍କ ଥାଏ.। ତାପରେ ପାଖାପାଖି ଘରର ପିଲା ତ, ସମସ୍ତ ପରିବାର ମଧ୍ୟ ପରିଚିତ ତେଣୁ ମଉସା-ମାଉସୀ କହି ଚାନ୍ଦା ମାଗିବାରେ ସଙ୍କୋଚ ନ ଥାଏ ।

xxxxxxxxxxxx

ଖେଳ ସମୟରେ ବାହାରି ପଡିଲେ ରସିଦ୍ ବହି ଧରି କଲେକ୍ସନରେ । ଆଜିର ଆଦାୟ ଆରମ୍ଭ ହେବ ପ୍ରମୋଦ ମଉସାଙ୍କ ଘରୁ । ମଉସା ଲୋକ ହିସାବରେ ଭଲ, ଖାଲି ଟିକେ ଚିଡା ।

ଗେଟ୍ ଖୋଲି ପଲ୍ଟନ ପଶିଲେ ବାରି ଭିତରେ... ମଉସା ଶବ୍ଦ ଶୁଣି, ଲୁଙ୍ଗିର ଗଣ୍ଠି ସଜାଡି ଆସିଲେ ।

କିଏ ଗୋଟେ ମୁଣ୍ଡା ରସିଦ୍ ସଜକରି ରଖିଚି – (ମୁଣ୍ଡା ରସିଦ୍ – ପୁର୍ବ ବର୍ଷର ବ୍ୟବହୃତ ରସିଦ୍ ବହି, ମଉସା କମ ଚାନ୍ଦା ଦେଲେ ଏଇଟା ବ୍ରହ୍ମାସ୍ତ୍ର; ମନେ ପକାଇ ହେବ ଗଲା ପୂଜାରେ କେତେ ଚାନ୍ଦା ଦେଇଥିଲେ)। ମଉସାଙ୍କୁ କହିବା ଦରକାର ପଡିଲାନି, ଆମକୁ ଦେଖି ସେ ବୁଝି ଗଲେ, କହିଲେ.. “କଣ କିରେ – ଆସିଗଲ?” କାନ ପଛକୁ କୁଣ୍ଡେଇ କୁଣ୍ଡେଇ, ମୁଚୁକୁନ୍ଦି ହସ ଗୋଟେ ଦେଇ ବୁଲୁ କହିଲା – “ହଁ ମଉସା .. ଏଥର ଆପଣଙ୍କଠୁ ପଚାଶ ଟଙ୍କା ନେବୁ”।

“ନାଃ .. ଅସମ୍ଭବ !! ଦଶ ଟଙ୍କା ରୁ ଗୋଟେ ନୂଆ ପଇସା ଅଧିକ ଦେବିନି”, ପାନ ଛେପ ଢୋକି କହିଲେ ମଉସା ।

ଯେତେ ନେହୁରା ହେଇ କହିଲେ, ମଉସା ବୁଝିବା ଲୋକ ନୁହଁନ୍ତି ।

“ଆହେ ମଉସା, ସବୁ ଜିନିଷର ଦରଦାମ କେମିତି ବଢ଼ିଛି ଆପଣ ତ ଜାଣିଛନ୍ତି.. ଆଉ ଦୁଇ-ତିନିଶ ଟଙ୍କାରେ ପୂଜା ହେଇ ପାରୁନି”; କୁନିଆ କହିଲା । ମଉସା କହିଲେ, “ମୁଁ ବି ସେଇଆ କହୁଛି, ଟଙ୍କାର ମୂଲ୍ୟ ଦିନକୁ ଦିନ କମି ଯାଉଚିରେ ପିଲେ.. ସବୁ ଜିନିଷ ମହରଗ, ଖର୍ଚ୍ଚ ବହୁତ.... ପଚାଶ ଟଙ୍କା ଚାନ୍ଦା ଦେଇ ହବନି” ।

ଜଟିଆ ଭାଇ କୋଉ ଛାଡେ ! ଡାକିଲା – “ମାଉସୀ.. ମାଉସୀ.. ଶୁଣୁଛନ୍ତି ? ସାହିରେ ଏକମାତ୍ର ଫଟଫଟିଆ (ମଟରସାଇକଲ) ଚଲେଇବା ଲୋକ ମଉସା.... ଜାଫ୍ରାନି ଜର୍ଦ୍ଦା ପାନ ଖାଇବା ଲୋକ ମଉସା .. ଚିଣ୍ଟୁ-ପିଣ୍ଟୁଙ୍କୁ ଇଁରେଜୀ ସ୍କୁଲରେ ପଢେଇଲେ ମଉସା... ସବୁ ପାଇଁ ପଇସା ରଖିଛନ୍ତି.. ଖାଲି ଆମକୁ ଚାନ୍ଦା ଦେବାକୁ ପଚାଶ ଟଙ୍କା ନାହିଁ.. ଯଦି ପୂଜା ନହୁଏ, ଗରିବ ମୁର୍ତ୍ତି କାରିଗର, ଫୁଲ ବାଲା, ତମ୍ବୁ ବାଲା ବଂଚିବେ କେମିତି କହିଲ.... ତମେ ଟିକେ ମଉସାଙ୍କୁ କୁହ  ନା !”
ମଉସା ସଙ୍ଗେ ସଙ୍ଗେ ହସି ଦେଲେ, ଫଟ୍ କରି ପଚାଶ ଟଙ୍କା ନୋଟ୍ଟେ ବାହାର କରି ଦେଇ ଦେଲେ... ରସିଦ୍ ନେବାକୁ ମନା କଲେ ।

ଆମେ ସମସ୍ତେ ବାହାରକୁ ଚାଲି ଆସିଲୁ. ମୁଁ ଜଟିଆ ଭାଇକୁ ପଚାରିଲି.. “ହଇରେ ଜଟିଆ’ଇ, ଏଇଟା କୋଉ ସୂତ୍ର କିରେ? ତୁ କ’ଣ ଏମିତି କହିଲୁ ଯେ ମଉସା ହସି ହସି ଚାନ୍ଦାଟା ଦେଇ ଦେଲେ?”. ଜଟିଆ ଭାଇ ହସିଲା.. କହିଲା – “ନିର୍ଲ୍ଲଜୀ ଲାଉ, ଟେକିଟାକି ଦେଲେ ପିଢାକୁ ଯାଉ‘ ...ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କର ଆତ୍ମସମ୍ମାନ ଜ୍ଞାନ ଜୋର । ଆଉ ସେମାନେ ଦରକାରଠାରୁ ଅଧିକ ଆଦର୍ଶବାଦୀ... ଆରେ, ଠିକ୍ ନାଡୀକୁ ଚିପିଲେ ଚାନ୍ଦା ଦେବେନି ଯିବେ କୁଆଡେ ?”

ମୁଁ କହିଲି, “ରେ ଜଟିଆ’ଇ, ତୋ ପାଦ ଧୂଳିରୁ ଟିକେ ଦିଅନ୍ତୁନି? ତୁ ଆମ ଦେଶର ବିତ୍ତ ମନ୍ତ୍ରୀ ହେବା ଯୋଗ୍ୟ  ରେ !!”

ଆଦମ୍ବକ୍କମ, ଚେନ୍ନାଇ (୯୮୮୪୪୪୬୫୯୫)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top