ମୋଦିଙ୍କ ପାଇଁ ବିପଦ ହିନ୍ଦୁତ୍ୱ!

News Story - Posted on 2018-04-16

ସୂର୍ଯ୍ୟମଣି ମିଶ୍ର

 

କି ଦୋଷ କରିଥିଲେ ଆଫଜଲ, ଜୁନେଦ, ଗୌରୀ ଲଙ୍କେଶ, ଜାମ୍ମୁ କାଶ୍ମୀରର ୮ ବର୍ଷର ନିଷ୍ପାପ ଶିଶୁ ଆସିଫାବାନୁ ଅବା ଉତ୍ତର ପ୍ରଦେଶର ଉନ୍ନାଓ ଯୁବତୀ? ହତ୍ୟା, ବିରଳ ବର୍ବର ହତ୍ୟା ଏବଂ ବଳାକ୍ରାର । ଗୋ’ମାତାର ସୁରକ୍ଷା, ଧର୍ମରକ୍ଷା ମମ ଦୀକ୍ଷା ଧ୍ୱନି ଦେଇ ହିନ୍ଦୁତ୍ୱବାଦୀ ଗେରୁଆ ବାହିନୀର ସଦସ୍ୟ ଗୋଟିଏ ପରେ ଗୋଟିଏ ଅପରାଧ-ସଂଗଠିତ, ଷଡ଼ଯନ୍ତ୍ରମୂଳକ ହତ୍ୟା କରିଚାଲିଛନ୍ତି । ହତ୍ୟା, ବଳାକ୍ରାର ଘଟଣା ସହ ସଂପୃକ୍ତ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଜେପି ସାଂସଦ-ବିଧାୟକଙ୍କର ଏହି ଅପରାଧୀତତ୍ତ୍ୱଙ୍କ ପ୍ରତି ନରମଭାବ ପୁନଶ୍ଚ ସମର୍ଥନ ଦେଉଥିବା ଦେଖିବାକୁ ମିଳୁଛି । ଏହା ମାଟିକାମୁଡ଼ି ଧରାଶାୟୀ ଅବସ୍ଥାରେ ଥିବା କଂଗ୍ରେସ ଦଳକୁ ଉଠି ଠିଆହେବାର ଶକ୍ତି ପ୍ରଦାନ କରୁଛି ।

 

ପରିବର୍ତ୍ତନ ଓ ବିକାଶର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ନିଜ ରାଜନୈତିକ-ସାଂସ୍କୃତିକ ବିଚାରର ସହଯୋଗୀ-ସମର୍ଥକଙ୍କୁ ହଠାତ୍ ବିରୋଧ କରିପାରୁନାହାନ୍ତି । ଅପରାଧ ଘଟଣାକୁ ଯଦିଓ ବିଳମ୍ବରେ ନିନ୍ଦା କରୁଛନ୍ତି; କିନ୍ତୁ ଅପରାଧ ଘଟାଉଥିବା ହିନ୍ଦୁତ୍ୱବାଦୀ ଅପରାଧ ରାସ୍ତାରୁ ପଛକୁ ଫେରୁନାହାନ୍ତି । ‘ଡେଙ୍ଗା ମୁଣ୍ଡରେ ଠେଙ୍ଗା’ ପ୍ରବାଦ ଅନୁଯାୟୀ ସବୁ ଦୋଷ ‘ମୋଦି’ଙ୍କ ଉପରେ କଂଗ୍ରେସ, ବାମଦଳ ସମେତ ଏସପି, ବିଏସପି, ଟିଏମସି, ଆରଜେଡି ପକ୍ଷରୁ ଲଦି ଦିଆଯାଉଛି । ଦେଶବ୍ୟାପି ମୋଦିଜୀଙ୍କ ପ୍ରତି ୨୦୧୪ ପୂର୍ବର ବିଶ୍ୱାସ ଭାଙ୍ଗିବାର ଲାଗିଛି ।

 

ଜାମ୍ମୁ-କାଶ୍ମୀରର କଠୁଆ-ଆଠବର୍ଷର ଶିଶୁ ଆସିଫାବାନୁଙ୍କୁ ୭ ଦିନ ଧରି ଗୋଟିଏ ମନ୍ଦିର ଭିତରେ ରଖି ଜଣଙ୍କ ପରେ ଜଣେ ୭ ଜଣ ଦୁଷ୍କର୍ମ କଲେ । ଶେଷରେ ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ । ପୁଲିସ୍ ତଦନ୍ତକାରୀ ସଂସ୍ଥା ବିଳମ୍ବରେ ହେଲେ ମଧ୍ୟ ଅପରାଧୀଙ୍କୁ ଚିହ୍ନଟ କଲା । ଅଭିଯୁକ୍ତଙ୍କୁ ସମର୍ଥନ କରି ହିନ୍ଦୁ ଏକତା ମଂଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଗଲା । ହାତରେ ଜାତୀୟ ପତାକା ତ୍ରିରଙ୍ଗା ଧରି-ଜୟ ଶ୍ରୀରାମ ଧ୍ୱନି ଦେଇ ଅଭିଯୁକ୍ତ ନିର୍ଦ୍ଦୋଷ ବୋଲି ଦାବି କଲା ହିନ୍ଦୁ ଏକତା ମଂଚ ।

 

ଜାମ୍ମୁ-କାଶ୍ମୀରର ବିଜେପି ମନ୍ତ୍ରୀ ଓ ସଦସ୍ୟ ଖୋଲାଖୋଲି ମଂଚର ଶୋଭାଯାତ୍ରାକୁ ସମର୍ଥନ ଜଣାଇଲେ । ସମଗ୍ର ଦେଶରେ ଏହି ବିରଳ ବର୍ବରତମ ଘଟଣାକୁ ନେଇ ପ୍ରତିକ୍ରିୟା ଦେଖାଦେଉଥିଲେ ହେଁ ବିଜେପି ପକ୍ଷରୁ ଅଭିଯୁକ୍ତ ଅପରାଧୀଙ୍କ ପ୍ରତି ସମର୍ଥନ ନାହିଁ ବୋଲି କୁହାଯାଇ ପାରିଲା ନାହିଁ ।

 

ଏହିପରି ଅନ୍ୟ ଏକ ନାରକୀୟ ଘଟଣା ଉତ୍ତରପ୍ରଦେଶର ଉନ୍ନାଓରେ ଘଟିଛି । ବିଜେପି ବିଧାୟକ କୁଲଦୀପ ସିଂହ ସେନଗର ଏବଂ ତାଙ୍କ ଭାଇ ଚାକିରି ଦେବାର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କଲେ । ପୀଡ଼ିତାଙ୍କ ବାପା ଏ ସଂପର୍କରେ ପ୍ରତିିବାଦ ଏବଂ ଅଭିଯୋଗ କରି ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ଦାବି ଜଣାଇବାରୁ ଥାନା ହାଜତରେ ବିଧାୟକ, ତାଙ୍କ ଭାଇ ଏବଂ ପୁଲିସ୍ ମିଶି ମାଡ଼ ମାରିଲେ । ଶେଷରେ ଅଭିଯୋଗ କରିବା, ନ୍ୟାୟ ମାଗିବାର ପରିଣାମ ମୃତ୍ୟୁଦଣ୍ଡ ହେଲା । ଏହି ଘଟଣାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିବା ପରେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ଏହି ବିଜେପି ବିଧାୟକ ।

 

ଏହା ହେଉଛି ହତ୍ୟା, ବଳାକ୍ରାର ଭଳି ଜଘନ୍ୟ ଅପରାଧର ୨ଟି ସଦ୍ୟତମ ଉଦାହରଣ ।

 

ଏହା ପୂର୍ବରୁ ଉତ୍ତର ପ୍ରଦେଶର ଦାଦ୍ରୀ, ରାଜସ୍ଥାନ, ଗୁଜରାଟ, ମଧ୍ୟ ପ୍ରଦେଶର କେତେକ ମୁସଲିମ୍, ଦଳିତଙ୍କୁ ନିର୍ଯାତନା, ହତ୍ୟା କରିବା ଭଳି ଜଘନ୍ୟ ଘଟଣା ଏହି ହିନ୍ଦୁତ୍ୱବାହିନୀ ସଦସ୍ୟଙ୍କ ଦ୍ୱାରା ଘଟିଥିଲା । ଗୋ’ରକ୍ଷକ ବାହିନୀ, ଲଭ୍ ଜିହାଦ ବିରୋଧୀ ବାହିନୀ ଭଳି ସଂଗଠନ ନାମରେ ଜଣଙ୍କ ପରେ ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣା ନେଇ ମୋଦିଜୀଙ୍କୁ ଟାର୍ଗେଟ୍‍ କରିଆସିଛନ୍ତି ଦଳିତ, ମୁସଲିମ୍‍ ସଂଗଠନ ।

 

ଜନ ସଂଘର ୧୦ ସଦସ୍ୟରୁ ବିଜେପିର ୧୧ କୋଟି ସଦସ୍ୟ, ୨ ସାଂସଦରୁ ୨୮୨, ଅଟଳବିହାରୀ ବାଜପାୟୀଙ୍କଠାରୁ ନରେନ୍ଦ୍ର ମୋଦି ଭାୟା ଲାଲକୃଷ୍ଣ ଆଡ଼ଭାନୀ-୩୮ ବର୍ଷରେ ବିଜେପି । ଏକାଧିକ ସର୍ବେକ୍ଷଣ ସଂସ୍ଥା ଆକଳନ କରି କହିସାରିଛନ୍ତି ଯେ, ୨୦୧୯ରେ ପୁଣି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପ୍ରତିଷ୍ଠା ହେବ । କିନ୍ତୁ ହିନ୍ଦୁତ୍ୱବାହିନୀ ସଦସ୍ୟଙ୍କ ଉନ୍ମାଦ ଆଚରଣ ସହ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଭଳି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ହିନ୍ଦୁତ୍ୱ ନାମରେ ଅପରାଧ ଘଟାଉଥିବା ବ୍ୟକ୍ତି ଏବଂ ସଂଗଠନ ପ୍ରତି ନରମଭାବ ପରୋକ୍ଷରେ ସମର୍ଥନ ଦେଉଥିବା ଅଭିଯୋଗ ୨୦୧୯ରେ ମୋଦି ଏବଂ ବିଜେପି ଆଉଥରେ କ୍ଷମତାକୁ ଆସିବା ନେଇ ପ୍ରଶ୍ନ ଉଠିଛି ।

 

ବିମୁଦ୍ରାକରଣ, ଜିଏସଟି ଭଳି ଲୋକବିରୋଧୀ ପଦକ୍ଷେପ ଯେତେ ମୋଦି ଏବଂ ତାଙ୍କ ନେତୃତ୍ୱାଧୀନ ସରକାର ପ୍ରତି ପ୍ରତିକୂଳ ପ୍ରଭାବ ପକାଇ ନଥିଲା ବା ପକାଇ ନାହିଁ, ଡିଜେଲ୍‍-ପେଟ୍ରୋଲ୍‍ ଦର ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ସେତିକି ମୋଦି ଏବଂ ବିଜେପି ନେତୃତ୍ୱାଧୀନ ସରକାର ପ୍ରତି ଲୋକଙ୍କ ପକ୍ଷରୁ ଅନାସ୍ଥାଭାବ ସୃଷ୍ଟି କରିପାରିନଥିଲା କି ନାହିଁ । ହିନ୍ଦୁତ୍ୱବାହିନୀ ସଦସ୍ୟଙ୍କ ଅପରାଧ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ସାକ୍ଷୀ ମହାରାଜ, ବିନୟ କଟିଆରଙ୍କ ଭଳି ବିଜେପି ନେତା ତଥା ମୋଦିଜୀଙ୍କ ସହଯୋଗୀଙ୍କ ପକ୍ଷରୁ ହିନ୍ଦୁତ୍ୱ ବାହିନୀର ସଦସ୍ୟଙ୍କ ଅପରାଧକୁ ଘଣ୍ଟ ଘୋଡ଼ାଇବା ଉଦ୍ୟମ ଏବଂ ବିବୃତ୍ତି ଦେଶର ସାଧାରଣ ନାଗରିକଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । ତିନି ଦଶନ୍ଧି ମଧ୍ୟରେ ବିଜେପିର ଯେଭଳି ଉତ୍ଥାନ ଘଟି ୧୩୩ ବର୍ଷର ସର୍ବପୁରାତନ କଂଗ୍ରେସ ଦଳକୁ ଧରାଶାୟୀ କରିଛି, କିନ୍ତୁ ହିନ୍ଦୁତ୍ୱବାଦୀ ସଂଗଠନର କେତେକ ସଦସ୍ୟ ଯେଭଳି ଧର୍ମ-ସଂପ୍ରଦାୟ ନାମରେ ଘୃଣା ପ୍ରସାର କରୁଛନ୍ତି, ହିଂସା ଭିଆଉଛନ୍ତି, ହତ୍ୟା କରୁଛନ୍ତି, ବଳାକ୍ରାର ଭଳି ଅପରାଧରେ ଜଡ଼ିତ ଅଭିଯୁକ୍ତଙ୍କୁ ସମର୍ଥନ ଦେଉଛନ୍ତି ତାହା ମୋଦି ଏବଂ ବିଜେପି ପାଇଁ ଆଉଥରେ କ୍ଷମତାକୁ ଫେରିବା ନେଇଥିବା ନିଶ୍ଚିତତାରେ ଅନିଶ୍ଚିତତାର ବାର୍ତ୍ତା ଦେଇଛି ।

 

କାରଣ ମୋଦିଙ୍କର ଦେଶବାସୀଙ୍କ ପାଇଁ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଥିଲା ‘ପରିବର୍ତ୍ତନ-ବିକାଶ’ । ଦେଶର ସାଧାରଣ ନାଗରିକ ନିର୍ବାଚିତ କରିନଥିଲେ ଗୁଜରାଟର ଉନ୍ନାରେ ଜଣେ ଦଳିତ ଯୁବକଙ୍କୁ ଗାଡ଼ିପଛରେ ବାନ୍ଧି ଲୁହା ରଡ଼ରେ ପିଟିବା-ଏହି ଯୁବକଙ୍କର ଅପରାଧ ଥିଲା ମୃତ ଗୋରୁର ଚମଡ଼ା ନେଇଯାଉଥିଲେ । ଏତାଦୃଶ ଅପରାଧ ଘଟାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ହଠାତ୍‍ ମୁହଁ ଖୋଲିନଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଦଳିତ ନିର୍ଯାତନା ଜନିତ ପରିଣାମ ଏପରି ହେଲା ଯେ ହାରୁ-ହାରୁ ଗୁଜରାଟରେ ବିଜେପି ଜିତିଗଲା ସତ କିନ୍ତୁ ଭୋଟ ହାର ଏବଂ ପ୍ରତିନିଧି ସଂଖ୍ୟା କମିଗଲା ।

 

ନିକଟରେ ଅନୁଷ୍ଠିତ ଉତ୍ତର ପ୍ରଦେଶ ଗୋରଖପୁର, ଫୁଲପୁରଠାରୁ ରାଜସ୍ଥାନ ଭଳି କେତେକ ରାଜ୍ୟର ସଂସଦୀୟ ଏବଂ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନ ଫଳାଫଳ ବିଜେପି ବିରୁଦ୍ଧରେ ଯାଇଛି । ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଯେଉଁ ହିନ୍ଦୁତ୍ୱ ଭୋଟ ସଂଗଠିତ ହୋଇଥିଲା, ତାହା କ୍ରମଶଃ ଭାଙ୍ଗି ଯାଉଥିବା ସ୍ପଷ୍ଟ ହୋଇଛି । ଦଳିତ ଆନ୍ଦୋଳନ ଯେପରି ବିସ୍ଫୋରକ ରୂପ ନେବାରେ ଲାଗିଛି ତାହା ସଂଗଠିତ ହିନ୍ଦୁ ଭୋଟ ବିଭାଜନର ସୂଚନା ଦିଏ ।

 

ଗୋରକ୍ଷା ନାମରେ ହିନ୍ଦୁତ୍ୱବାଦୀଙ୍କ ଉନ୍ମାଦ-ଉପଦ୍ରବ ଥରକୁ ଥର ଜାଣିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏପରି ହିଂସାତ୍ମକ କାର୍ଯ୍ୟକୁ ନିନ୍ଦା କରିବା ସହ ଗୋରକ୍ଷକଙ୍କ ବିରୁଦ୍ଧରେ କଡ଼ା ଭାଷାରେ କହିଲେ; କିନ୍ତୁ ଉପଦ୍ରବ କମିଲା ନାହିଁ । ମଥାରେ ତିଳକ, କାନ୍ଧରେ ଗେରୁଆ ଗାମୁଛା ପକାଇ ଜଣେ ପରେ ଜଣେ ମୁସଲମାନ ଓ ଦଳିତଙ୍କୁ ହତ୍ୟା କରିଚାଲିଲେ । ଏପରି ଉନ୍ମାଦ ଆକ୍ରମଣ ଯୋଗୁଁ ହଜାର ହଜାର କୃଷକ ପରିବାର ଗୋପାଳନ ଛାଡ଼ିଦେଲେ । ଏବେ ଅସହାୟ ଭାବରେ ବୃଦ୍ଧା ଗାଈ ରାସ୍ତାରେ ବୁଲୁଛନ୍ତି । ଗୋରକ୍ଷା ନାମରେ ମୁସଲମାନମାନଙ୍କୁ ଟାର୍ଗେଟ କଲେ । କିନ୍ତୁ ଭୁଲିଗଲେ ଗୋରୁ ଚମଡ଼ା କାରବାର ଏକ ଶିଳ୍ପ । ଏହି କାରବାର ବା ଶିଳ୍ପ ସହ ଦଳିତ ଏବଂ ଅନ୍ୟ ପଛୁଆ ଜାତିର ଲୋକଙ୍କ ରୋଜଗାର ଜଡ଼ିତ । ଚମଡ଼ା ଦୋକାନ, ଚମଡ଼ା କାରବାର ଏବଂ ଶିଳ୍ପ ବନ୍ଦ ହେଲା । ଏହାଯୋଗୁଁ ବହୁ ସଂଖ୍ୟକ ଦଳିତ-ପଛୁଆ ଜାତିର ଲୋକ ବେକାର ହୋଇଛନ୍ତି ।

 

ନିକଟରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ୯୦ ହଜାର ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା । କିନ୍ତୁ ଆବେଦନକାରୀଙ୍କ ସଂଖ୍ୟା ଥିଲା ୨ କୋଟି । ମୁଦ୍ରା ଯୋଜନାର ବେପାରକରି ରୋଜଗାରକ୍ଷମ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ପକୋଡ଼ା ବେପାର ଏକ ନିଯୁକ୍ତି ବୋଲି କହିବା ଦ୍ୱାରା ସରକାର ସମାଲୋଚିତ ହେଲେ ।

 

ସବ୍ କା ସାଥ୍‍ ସବ୍‍ କା ବିକାଶର ନାରାରୁ ଦଳିତ-ଆଦିବାସୀ, ସଂଖ୍ୟାଲଘୁଙ୍କୁ ଅଲଗା କରିବା ଭଳି ପରିବେଶ ତିଆରି କଲେ ହିନ୍ଦୁତ୍ୱବାଦୀ । ନିଯୁକ୍ତହୀନ ବିକାଶକୁ ଦେଶର ୫୦ କୋଟିରୁ ଅଧିକ ୧୮ ରୁ ୩୫ ବର୍ଷ ବୟସର ଯୁବବର୍ଗ ଏବେ ବିମୁଖ । ସରକାରୀ ନିଯୁକ୍ତି ଆଶା ମଉଳିଯାଇଛି । ମୋଦି ଶାସନ କ୍ଷମତାକୁ ଆସିବା ପୂର୍ବରୁ କହିଥିଲେ ପରିବର୍ତ୍ତନ ଓ ବିକାଶ । କିନ୍ତୁ ଏହି ପରିବର୍ତ୍ତନ ଓ ବିକାଶକୁ ଖୋଜୁଥିବା ଦେଶର କୃଷକ, ଶ୍ରମିକ, ଯୁବବର୍ଗ, ମହିଳା ଏବେ ଦେଖୁଛନ୍ତି ହିନ୍ଦୁତ୍ୱବାଦ ନାମରେ ଅପରାଧ । ବଳାକ୍ରାର ଭଳି ଘୃଣ୍ୟ ଅପରାଧରେ ସଂପୃକ୍ତ ହେଉଛନ୍ତି ବିଜେପି ବିଧାୟକ । ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ ସରକାରୀ ଦଳ-କଳ ଏକାଠି ହେଉଛନ୍ତି ।

 

ଦେଶର ୪୩ ନିୟୁତ ପରିବାର ଜିରୋ ଆସେଟ୍‍ ଅର୍ଥାତ୍‍ ସଂପତ୍ତିହୀନ ଅବସ୍ଥାରେ । ସରଳ ଭାବରେ କହିଲେ ୨୧୫ ନିୟୁତ ଭାରତୀୟ ସଂପତ୍ତିହୀନ ଭାବେ ଜୀବନ କାଟୁଛନ୍ତି । ଏହି ସମସ୍ତ ସ୍ଥିତିକୁ ସମୀକ୍ଷା କଲେ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଦେଶର ଶାସନ ବ୍ୟବସ୍ଥାରେ ସଂପ୍ରଦାୟିକତାର ଛବି ଏବଂ ଶାସନ ପରିଚାଳନାରେ ବିଫଳତାକୁ ଆଧାରକରି ମୋଦିଜୀଙ୍କର ୨୦୧୪ ବେଳର ଉଜ୍ଜଳତା ମଳିନ ପଡ଼ିଯାଇଥିବା ଭଳି ମନେହୁଏ । ଆଉ ଗୋଟିଏ ବର୍ଷ ପରେ ନିର୍ବାଚନ । ଶାସନ ପରିଚାଳନାର ଧାରା ନବଦଳିଲେ ହୁଏତ ମୋଦି ୨୦୧୯ରେ ଆଉଥରେ ଶାସନ କ୍ଷମତାକୁ ଫେରିବା କଷ୍ଟ ହେବ । ସର୍ବଶେଷରେ ଏତିକି କହିଲେ ଠିକ୍‍ ହେବ ଯେ, ମୋଦିଜୀଙ୍କ ପାଇଁ ବଡ଼ ବିପଦ ଭାବେ ଠିଆହୋଇଛି ହିନ୍ଦୁତ୍ୱ-ହିନ୍ଦୁତ୍ୱବାଦୀ ଉନ୍ମାଦନା!

 

ସାମ୍ବାଦିକ, ଭୁବନେଶ୍ୱର
ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top