ଭଗବାନଙ୍କ ସହ ଆଳାପ

News Story - Posted on 2018-04-14

ଚାରୁ ଚନ୍ଦନ ଦାଶ

 

ହେ ଭଗବାନ, ଆପଣ ଦେଖୁଛନ୍ତି ତ ! ଆପଣଙ୍କ ବା ଏଡ଼େ ବଡ଼ ବଡ଼ ଆଖି ଅଛି, କ’ଣ ସେଇ ବିରାଟ ନୟନରେ କିଛି ଦେଖି ପାରୁନାହାନ୍ତି? ନା ଦେଖି ବି ନଦେଖିବାର ଅଭିନୟ କରୁଛନ୍ତି! ସେଦିନ ବି ଆପଣ ଚୁପ୍ ଥିଲେ, ଆଉ ଆଜି ବି।

 

ରକ୍ଷା କର ପ୍ରଭୁ, ନହେଲେ ଏଇ ପାପୀମାନେ ମୋତେ ଟୁକୁଡ଼ା ଟୁକୁଡ଼ା କରି ଖାଇଯିବେ। ରକ୍ତମାଂସ ଭରା ଶରୀରକୁ ମୋର କ୍ଷତାକ୍ତ କରିଦେବେ। ଭାରି କଷ୍ଟ ହେଉଛି ମୋତେ। ଆପଣ ତ ନାରାୟଣ, ସର୍ବଜ୍ଞ। ଆପଣଙ୍କ ବିନା ଇଙ୍ଗିତରେ ତ ଏଇ ସୃଷ୍ଟି ଅସମ୍ଭବ। ମା’ କହୁଥିଲା ତମେ କାଳେ ନଚାହିଁଲେ, ପତ୍ରଟିଏ ବି ହଲେନି। ହେଲେ କାହିଁକି, ହେ ପତିତପାବନ, ତମେ ଆଜି ପଥର ପାଲଟି ଯାଇଛ?

 

ଓଃ, ଭାରି କଷ୍ଟ ହେଉଛି ମୋତେ। ଦରକାର ନାହିଁ ମୋର ଏଭଳି ଜୀବନ। ଦେଖୁଛନ୍ତି ତ, ଏଇ ପାପୀମାନେ କିଭଳି ମୋତେ ଖାଇ ଯାଉଛନ୍ତି! ଯେତେ କାକୁତି ବିନତି ହେଲେ ବି ଶୁଣୁ ନାହାନ୍ତି। ବୋଉ ମୋର ସିଆଡ଼େ ମୋତେ ଖୋଜୁଥିବ। ହେ ଭଗବାନ, ଆପଣ କିଛି କରନ୍ତୁ। ଆପଣଙ୍କ ନୀରବତା ଭଙ୍ଗ କରି ସେମାନଙ୍କୁ ପାପର ସଜ୍ଜା ଦେଇ ଦିଅନ୍ତୁ ପ୍ରଭୁ। ଉଠାନ୍ତୁ ଆପଣଙ୍କ ସୁଦର୍ଶନ, ବିନାଶ କରି ଦିଅନ୍ତୁ ଏମାନଙ୍କୁ, ଅଲଗା କରି ଦିଅନ୍ତୁ ସେମାନଙ୍କ ମୁଣ୍ଡ ଆଉ ଗଣ୍ଡି। ଆଉ ସହି ପାରୁନି ମୁଁ ପ୍ରଭୁ। ଦେଖୁଛନ୍ତି ତ କେତେ ରକ୍ତ ବାହାରୁଛି ମୋ ଦେହରୁ  ଲୁହ ଆଉ ଲହୁର ଯନ୍ତ୍ରଣାରୁ ମୁକ୍ତି କରନ୍ତୁ ମୋତେ, ପ୍ଲିଜ୍।

 

ଆପଣ ପରା ଅର୍ଜୁନଙ୍କୁ କହିଥିଲେ, କ୍ଳୈବଂ ମା ସ୍ମଗମଃ ପାର୍ଥ ନୈତତ୍ତ୍ୟୁପପଦ୍ୟତେ/ କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତୋତ୍ତିଷ୍ଠ ପରଂତପ।

 

ହେଲେ ଏବେ ଆପଣ ସତରେ କ’ଣ ନିଜେ ଭୀରୁ ହୋଇ ଯାଇଛନ୍ତି! ନା ସମାଜରେ ଆପଣଙ୍କ ପ୍ରତି ଥିବା ଭକ୍ତି ଓ ଭଲପାଇବାକୁ ଭୁଲ୍ ସାବ୍ୟସ୍ତ କରିବାକୁ ବସିଛନ୍ତି! ମୁଁ କ’ଣ ଆପଣଙ୍କ ସଖା ଦ୍ରୌପଦୀ ନୁହେଁ? ମୋରି ଭିତରେ କ’ଣ ଆପଣ ଯାଜ୍ଞସେନୀଙ୍କୁ ଦେଖି ପାରୁନାହାନ୍ତି? କାହିଁକି ପ୍ରଭୁ, କାହିଁକି ଆପଣ ଏତେ ନିଷ୍ଠୁର ହୋଇ ଯାଇଛନ୍ତି?

 

ଶେଷରେ ସେଇଆ ହେଲା। ବୋଧହୁଏ ଆପଣ ଏହା ଚାହୁଁଥିଲେ। ଦେଖିପାରୁଛନ୍ତି, ମୋ ମା’ ଆଖିର ଲୁହ ମୋ ବାପାଙ୍କ ଛାତିର କୋହ ଓ ଯନ୍ତ୍ରଣା, ଭାଇର ଲୁହ ଭରା ଆଖି ଆଉ ଜେଜେ ମା’ର ନିସ୍ତବ୍ଧତା। ଯେଉଁ ଲୋକ ମୋ, ସାର୍ଟ ଚିରି, କ୍ଷତାକ୍ତ କରି ରକ୍ତ, ମାଂସ ଭରା ଶରୀରକୁ ଜୀଅନ୍ତା ଖାଇଗଲା, ସିଏ ବି ଅଛି ଆଉ ତା’ ସାଙ୍ଗରେ ସେଇ ପାପୀ ଅଫିସର ବି ଅଛି।  ଦେଖିପାରୁଛନ୍ତି, କେମିତି ମୋ ମୃତ୍ୟୁକୁ ନେଇ ରାଜନୀତିର ରୁଟି ସେକା ହେଉଛି!  କ’ଣ ଦୋଷ କରିଥିଲି ମୁଁ? ଝିଅ ହେଇ ଜନ୍ମ ନେବା କ’ଣ ମୋର ଭୁଲ୍? ଆପଣ ତ ମୋତେ ଝିଅ କରି ଜନ୍ମ କରିଛନ୍ତି। ଆପଣଙ୍କୁ ଦେବାକୁ ପଡ଼ିବ ଏଇ ସମସ୍ତ ପ୍ରଶ୍ନର ଉତ୍ତର। କାରଣ, ଆପଣ ହିଁ ତ ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଆଉ ସଂହାରକର୍ତ୍ତା।

 

ବୀରମହାରାଜପୁର, ସୁବର୍ଣ୍ଣପୁର, ଫୋ-9658263285


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top