ଚାଲ, ଓଡ଼ିଆ ହବା!

News Story - Posted on 2018-04-14

ଶିବାଶିଷ ମହାପାତ୍ର

 

ଆଜି ପଣା ସଂକ୍ରାନ୍ତି। ଓଡିଆ ନୁଆ ବର୍ଷ। ସକାଳୁ ସକାଳୁ କେତେ ଅଭିନନ୍ଦନ ବାର୍ତ୍ତା ମିଳିଛି।

 

ସତରେ କ’ଣ ଆମେ ଓଡିଶାକୁ ଭଲ ପାଆନ୍ତି? ଓଡିଆ ଭାଷାକୁ ବି ଭଲ ପାଆନ୍ତି? ନାଁ। କେବେ ନୁହେଁ।

 

ଖାଲି ମିଛି ମିଛିକା ଭାଷଣ ମାରନ୍ତି। ଆମେ ଓଡିଆ ଭାଷାକୁ ଘୃଣା କରନ୍ତି। ଓଡିଆ କହୁଥିବା ଲୋକଗୁଡାଙ୍କୁ ଆମେ ଗାଉଁଲିଆ ବୋଲି ଭାବନ୍ତି। ସେମାନଙ୍କୁ ଦେଖିଲେ ଆମେ ଖାଲି ଖଣ୍ଡି ଇଂଗ୍ରାଜୀ ଚୋବାନ୍ତି। ଅବଶ୍ୟ ସେ ଭାଷାରେ ଆମର ପାଣ୍ଡିତ୍ୟ ବିଶେଷ ସେମିତି କିଛି ନାହିଁ କହିଲେ ଚଳେ।

 

କାହାର କ’ଣ ଥିବ ମୁଁ ଜାଣେନା। ମୁଁ ମୋ କଥା କହିବି। ବି.ଜେ.ବି. କଲେଜ ଛାତ୍ର। ମନରେ ବି ବହୁତ ଫୁଟାଣି ଥାଏ। ବେଳେ ବେଳେ ତ କଲେଜ କ୍ୟାଣ୍ଟିନ ପିଲାଟାକୁ ବରା ଦବାକୁ ବି ଇଂଗ୍ରାଜୀରେ କହିଦିଏ। ବେଶି ଇଂଗ୍ରାଜୀ ପାଟିରୁ ବାହାରେ ସାଇନ୍ସ ଝିଅଙ୍କୁ ଦେଖିଲେ।

 

୯୨ ମସିହାର କଥା। ମୁଁ ବମ୍ବେ ନରିମାନ ପଏଣ୍ଟରେ ଚାକିରୀ କରୁଥାଏ। ଇଂଗ୍ରାଜୀ ଦି’ ପଦ କହିପାରେ ବୋଲି ମନରେ ବହୁତ ଗର୍ବ। ହେଲେ ମୋ ଇଂଗ୍ରାଜୀ ପୁରା ମାଡ଼ ଖାଇଗଲା ଯେତେବେଳେ ସେ ଠେଲାବାଲାଟା ମୋତେ ଇଂଗ୍ରାଜୀରେ କ’ଣ ଖାଇବ ବୋଲି ପଚାରିଦେଲା। ମୁଁ ସିନା ଏ ଫର ଆପୁଲ ବି ଫର ବୟ ଶିଖିଥିଲି, ହେଲେ ଚଣା ମସଲା କି ବୁଟ ତରକାରୀ ପରଟାକୁ କ’ଣ କୁହାଯାଏ ସେ କଥା କ’ଣ ଶିଖିଥିଲି ! ସଜନା ଛୁଇଁ ଆଚାରକୁ ଅନେଇ ଅନେଇ ଖାଇଦିଏ ସିନା ମାଗିପାରେନା।

 

କିଛି ଦିନ ରହିଲା ପରେ ମୋତେ ଲାଗିଲା ମୁଁ ଇଂଗ୍ରାଜୀରେ ପୁରା ପୋକ ହେଇଗଲିଣି। ପୁଣି ମୋ ଇଂଗ୍ରାଜୀ ମାଡ଼ ଖାଇଲା ଯେବେ ମୁଁ ବିଦେଶ ଚାକିରୀରେ ଯୋଗଦେଲି। ସେଠି ତ କୋଟ୍ ଟାଇ ଗରମକୁ ତାଙ୍କ ଇଂଗ୍ରାଜୀ। ଛାଡ଼ନ୍ତୁ ଖୋଲିକି କ’ଣ ଆଉ କହିବି? ସେହି ଦିନଠୁ ଶପଥ ନେଲି ନାଁ ୟେ ପୁର୍ବ ପୁରୁଷଙ୍କ ଭାଷା ପଛରେ ନ ପଡି ତାଙ୍କ ପୁର୍ବ ପୁରୁଷଙ୍କ ଭାଷା ଓଡିଆ ପଛରେ ପଡିବାଟା ବୁଦ୍ଧିମାନର କାମ।

 

୮୩ ମସିହା (ମ୍ୟାଟ୍ରିକ) ପରଠୁ ଓଡିଆ ପାଠ ସହିତ ଆଉ ସମ୍ପର୍କ ନାହିଁ। କମର୍ସରେ ତ ଆଖୁ ଚାଷଠୁ ଗହମ ଚାଷ ସବୁ ଇଂଗ୍ରାଜୀ। ଯାହା ହଉ ଏବେ ପୁଣି ଓଡିଆ ଶିଖୁଛି ଓ ଓଡିଆରେ କିଛି ଲେଖୁଛି। କିନ୍ତୁ ସତରେ କ’ଣ ଆମେ ଆମ ମାଟି ମା’କୁ ଭଲ ପାଆନ୍ତି! ସତରେ କ’ଣ ଆମେ ଓଡିଆ ଭାଷାର ଉନ୍ନତି ଚାହାଁନ୍ତି! ମୋର ଗୋଟିଏ ନିଜ ଅନୁଭୁତିର କଥା ଆଜି ଲେଖିବି। କିଛି ମିଛ ଲେଖିବିନି।

 

ବହୁତ ଦିନ ତଳେ ରବୀନ୍ଦ୍ର ମଣ୍ଡପରେ ଭଦ୍ରିକିଆଙ୍କର ଗୋଟେ ସମ୍ମିଳନୀ ହଉଥିଲା। ମନ୍ତ୍ରୀ, ଏମଲଏ, ଅଫିସର, ସାମ୍ବାଦିକ, ଓକିଲ, ଡାକ୍ତର, ଇଂଞିନିୟର କେତେ ଲୋକ ଆସିଥିଲେ। ସଭା ଆରମ୍ଭ ହେଲା। ଆମ ଜିଲ୍ଲାର ଜଣେ ବହୁତ ବଡ ଅଫିସର ତଥା କବିଙ୍କ (ନାଁ ନେବିନି। ଅବସର ପରେ ଏବେ ଠିକା ନିଯୁକ୍ତିରେ।) ଭାଷଣରୁ ସଭା କାର୍ଯ୍ୟ ଆରମ୍ଭ ହେଲା। ବହୁତ ଲୋକ ଭାଷଣ ଦେଲେ। ମନ୍ତ୍ରୀ ତନ୍ତ୍ରୀ ସମସ୍ତେ ବହୁତ କଥା କହିଲେ। ଓଡ଼ିଶା ଆମ ଓଡ଼ିଆ ଭାଷା କେମିତି ଉପରୁକୁ ଉଠିବ ସମସ୍ତେ ସେହି ବିଷୟରେ କହିଲେ। ସଭାରେ ଭଦ୍ରକର ଦୁଇ ଜଣଙ୍କୁ ସମ୍ମାନିତ କରାଗଲା। ସେମାନଙ୍କୁ ଭଦ୍ରକର ଦୁଇ ବରପୁତ୍ର ବୋଲି କୁହାଗଲା। ସେ ଦୁଇ ଜଣ ହେଲେ ସ୍ବର୍ଗତ ନିତ୍ୟାନନ୍ଦ ମହାପାତ୍ର ଓ ସ୍ବର୍ଗତ ଶତୃଘ୍ନ ନାଥ। ସେମାନଙ୍କର ସାହିତ୍ୟ ପ୍ରତି ଅବଦାନ ବିଷୟରେ ବହୁତ କଥା ଆଲୋଚନା ହେଲା। ସେମାନେ କେମିତି ଓଡିଆ ଭାଷା ସାହିତ୍ୟର ପୂଜାରୀ ସବୁ ଗୋଟି ଗୋଟି କରି ବଖାଣିଲେ। ଫୁଲମାଳ ପିନ୍ଧେଇଲେ। ଗୋଟେ ଗୋଟେ ଶାଲ ଘୋଡେଇଦେଲେ। ସଭାର ଅତିଥିମାନେ ଜଣଙ୍କ ପରେ ଜଣେ ଆସି ସେ ଦି’ ଜଣଙ୍କୁ ମୁଣ୍ଡିଆ  ମାଇଲେ।

 

ସଭା ଶେଷ ହେଲା। ମନ୍ତ୍ରୀ, ଏମଲଏ ଗାଡି ପାଖକୁ ଚାଲିଲେ। ସବୁ ଭଦ୍ରକିଆ ସେମାନଙ୍କ ପଛରେ ଦୌଡିଲେ। ଗେଟ ପାଖରେ ସମସ୍ତଙ୍କର ଭିଡ। ଆୟୋଜକ ଆଜ୍ଞାମାନେ ବି ସେଇଠି। ଏମିତି ସୁନ୍ଦର ଆୟୋଜନ କରିଥିବାରୁ ମନ୍ତ୍ରୀ ତାଙ୍କର ବହୁତ ତାରିଫ କରୁଥାଆନ୍ତି। କେତେବେଳେ ସମୟ ସୁବିଧା ଦେଖି ଘରଆଡେ ଆସିବାକୁ କହୁଥାଆନ୍ତି। ସେ ପଟେ ଅନେଇଲା ବେଳକୁ ସେ ବୁଢା ଦି’ ଜଣ (ସେମାନଙ୍କ ସହ ଥଟ୍ଟା ମଜାର ସମ୍ପର୍କ) ସଭା ପେଣ୍ଡାଲ ଉପରେ ଠିଆ ହେଇ ବିକଳରେ ଗେଟ ଆଡକୁ ଅନେଇଛନ୍ତି। ସେମାନଙ୍କ  ମୁହଁକୁ ହାଲୋଜେନ ଲାଇଟ ମରା ହେଇଥାଏ। ତଳକୁ ଓହ୍ଲାଇ ପାରୁ ନ ଥାଆନ୍ତି। ମୁଁ ସିଧା ପେଣ୍ଡାଲ ଉପରୁକୁ ଉଠି ଦି’ ଜଣଙ୍କୁ ଦି’ ହାତରେ ଧଇଲି। ଗାଡିରେ ବସେଇ ଜଣଙ୍କୁ ଖାରବେଳ ନଗରରେ ଆଉ ଆର ଜଣଙ୍କୁ  ଶହିଦ ନଗରରେ ଛାଡିଲି।

 

ୟେ ହେଉଛି ଆମର ଓଡିଆ ସାହିତ୍ୟ ପ୍ରୀତି! ଆଉ ଅାମେ ଆଜି ଓଡିଆ ନୂଆ ବରଷ ପାଳୁଛେ। ଆସନ୍ତୁ ପୁଣି ଓଡିଅା ଶିଖିବା। ଓଡିଆରେ କଥା ହବା। ଯମରାଜା ବି ଓଡିଆ ବୁଝିଲେଣି! କିଛି ଅସୁବିଧା ହବନି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top