୯ ଜଣଙ୍କୁ ମୃତ୍ୟୁଦଣ୍ଡ

News Story - Posted on 2018-04-13

ଡାହାଣୀ ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ୯ ଜଣଙ୍କ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ରାୟଗଡ଼ା ଜିଲ୍ଲା ଗୁଣୁପୁରର ଏକ ଅଦାଲତ । ମାମଲାରେ ୧୧ ଜଣ ସାକ୍ଷୀଙ୍କ ବୟାନ ତର୍ଜମା କରିବା ପରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶୁଭେନ୍ଦୁ କୁମାର ପତି ଏହି ରାୟ ଶୁଣାଇଛନ୍ତି ।

 

ଗୁଣୁପୁର ବ୍ଲକର ତଲନା ପଂଚାୟତ ଅନ୍ତର୍ଗତ କିଟୁଙ୍ଗ ଗାଁରେ ୨୦୧୬ ସେପ୍ଟେମ୍ବର ୯ ତାରିଖରେ କେତେକ ଲୋକ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରି ପୋଡ଼ି ଦେଇଥିଲେ । ଏହି ଘଟଣାରେ ପୁଲିସ ତଦନ୍ତ କରି ଜଷର ନାବାଳକ ସମେତ ୧୦ ଜଣଙ୍କୁ ଗିରଫ କରିଥିଲା । ନାବାଳକର ବିଚାର ଏବେ ବି ଚାଲିଛି ।

 

ପୁଲିସ ସୂଚନା ଅନୁସାରେ ଗୁଣିଗାରେଡି ସନ୍ଦେହରେ ଗ୍ରାମର ଦଳେ ଲୋକ ଆସିନ ଶବର (୫୫), ତା୍କ ପତ୍ନୀ ଆମ୍ବାଇ ଶବର(୫୦), ଝିଅ ଆଶାମଣି ଶବର(୨୫) ଏବଂ ମିଲେତା ଶବରଙ୍କୁ ଅପହରଣ କରି ଏକ ଗୁହାଳରେ ଅକଥନୀୟ ନିର୍ଯାତନା ଦେଇଥିଲେ । ମିଲେତାର ଆଖି ସାମ୍ନାରେ ସେମାନେ ତାଙ୍କ ବାପା, ମା’ ଓ ଭଉଣୀଙ୍କ ଦେହରେ କୀଟନାଶକ ବିଷ ଇଂଜେକ୍ସନ ଦେଇଥିଲେ । ସେମାନେ ଅଚେତ ହୋଇଯିବାରୁ ତିନି ଜଣଙ୍କୁ ଜୀଅନ୍ତା ଅବସ୍ଥାରେ ମାଟିରେ ପୋତି ଦେଇଥିଲେ । ପରଦିନ ସେମାନେ ପ୍ରମାଣ ନଷ୍ଟ କରିବା ପାଇଁ ମାଟିଖୋଳି ମୃତଦେହଗୁଡ଼ିକୁ ବାହାର କରି କିରୋସିନ ଢାଳି ପୋଡ଼ି ଦେଇଥିଲେ ।

 

ଏ ବିଷୟରେ କାହାକୁ କହିଲେ ତା’ର ଅନ୍ୟ ତିନି ଭାଇଙ୍କ ସହିତ ତାଙ୍କୁ ମଧ୍ୟ ଏହିପରି ଦଣ୍ଡ ମିଳିବ ବୋଲି ସେହି ଲୋକମାନେ ମେଲିତାଙ୍କୁ ଧମକ୍ ଦେଇଥିଲେ । ସେମାନେ ତାଙ୍କୁ ଗାଁରେ ବନ୍ଦୀ କରି ରଖିଥିଲେ । ତେବେ କୌଣସି ମତେ ମେଲିତା ଗ୍ରାମବାସୀଙ୍କ ନଜର ଏଡ଼ାଇ ପୁଟାସିଂହ ଥାନାରେ ଯାଇଁ ଏହି ବୀଭତ୍ସ ଗଣହତ୍ୟା ସଂପର୍କରେ ଅଭିଯୋଗ କରିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top