ଆଖି ବନ୍ଦ ଓ ଆଖି ଖୋଲା

News Story - Posted on 2018-04-13

ସମରେନ୍ଦ୍ର ବଳିଆରସିଂହ

 

ଗୋଟିଏ ସମାଜ ବା ଜନଜୀବନ ସହ ତା’ର ସାମାଜିକ ଚଳଣି, ଭାଷା, ସାହିତ୍ୟ, ସଂସ୍କୃତି ସବୁକିଛି ଜଡ଼ିତ ହୋଇ ରହିଥାଏ । ଖାଦ୍ୟ, ବସ୍ତ୍ର, ବାସଗୃହ ବ୍ୟତୀତ ଏଇସବୁ ଉପାଦାନଗୁଡ଼ିକ ସେଇ ସମାଜ ବା ଜନଜୀବନକୁ ସମୃଦ୍ଧ କରିଥାଏ । ଏଇ ପରିପ୍ରେକ୍ଷୀରେ ସମଗ୍ର ବିଶ୍ୱରେ ଆମ ଦେଶ ଭାରତବର୍ଷର ସ୍ଥାନ ବେଶ୍ ଉଚ୍ଚରେ । ଏ ଦେଶ ବିଭିନ୍ନ ଯୁଗରେ, ବିଭିନ୍ନ ସମୟରେ କଳା, ସାହିତ୍ୟ, ସଂସ୍କୃତି, ଜ୍ଞାନଗାରିମା, ସାମାଜିକ ସଣ୍ଠଣା, ଅତିଥି ପରାୟଣତା ଆଦି ବିଷୟଗୁଡ଼ାକୁ ଗୁରୁତ୍ୱ ଦେଇଆସିଛି । ବିଶ୍ୱର ଅନ୍ୟାନ୍ୟ ଦେଶମାନଙ୍କରେ ଯେ ଏସବୁ ଦେଖିବାକୁ ମିଳେନାହିଁ, ତାହା ନୁହେଁ । ତେବେ କେଉଁ କାରଣରୁ ଆମ ଦେଶ ପୃଥିବୀର ଅନ୍ୟ ସମସ୍ତ ରାଷ୍ଟ୍ରଠାରୁ ଭିନ୍ନ ବୋଲି ଯଦି ପ୍ରଶ୍ନ ହୁଏ, ତେବେ ତାହାର ଏକମାତ୍ର ଉଲୟଲର ହେଉଚି ଏଠି ବସ୍ତୁବାଦର ପ୍ରାବଲ୍ୟ ନାହିଁ । ସ୍ନେହ, ସଂପର୍କ ଆଗରେ ଅର୍ଥ ଊଣା..ଟଂକା ଦ୍ୱାରା ସବୁ କିଛି କିଣିହେବନାହିଁ..ଏ ଶିକ୍ଷା ଅନ୍ୟ ଦେଶ ବିଶେଷ କରି ପାଶ୍ଚାତ୍ୟ ଦେଶଗୁଡ଼ିକୁ ଆମ ଦେଶ ଦେଇ ଆସିଛି ବିଭିନ୍ନ ସମୟରେ ।

 

ଆଖି ବନ୍ଦ କଲେ ଭାରତୀୟ(ପ୍ରାଚ୍ୟ) ଦର୍ଶନ, ଆଖି ଖୋଲିଲେ ପାଶ୍ଚାତ୍ୟ ଦର୍ଶନ । ଅର୍ଥାତ୍ ଭାରତୀୟ ଦର୍ଶନ କୁହେ ଯୋଗର କଥା, ଅଧ୍ୟାତ୍ମବାଦର କଥା, ମାନବତାର କଥା, ଶାଳୀନତା ଓ ନମ୍ରତାର କଥା । ଯୋଗ ବା ଧ୍ୟାନ ବଳରେ ତପସ୍ୟା ବଳରେ, ପୂଜା, ଆରାଧନା ବଳରେ ଆମ ଋଷି, ମୁନୀମାନେ ଆତ୍ମା, ପରମାତ୍ମା, ଏ ଜଗତର ସ୍ଥିତି, ସୃଷ୍ଟିର ରହସ୍ୟ ସଂପର୍କରେ ବେଶ୍ କିଛି ଜ୍ଞାନ ଦେଇପାରନ୍ତି । ସେପଟେ ପାଶ୍ଚାତ୍ୟ ଦର୍ଶନ ବେଶୀ କୁହେ ଭୋଗର କଥା, ପାର୍ଥିବ ସୁଖ ସ୍ୱାଚ୍ଛନ୍ଦ୍ୟର କଥା । ଆଖି ବନ୍ଦ କରି ନୁହେଁ ଆଖି ଖୋଲି ନଗ୍ନତା, ଖୋଲାମେଲା ସଂସ୍କୃତି(ଅପସଂସ୍କୃତି)ର ବୃନ୍ଦଗାନ କର । ଏସବୁ ଦୃଷ୍ଟିରୁ ଆମ ଭାରତୀୟମାନେ ଯେ ବୌଦ୍ଧିକ ଭାବେ ଅନ୍ୟମାନଂକଠାରୁ ସମୃଦ୍ଧ, ସେ କଥା ଆମେ ଜୋର ଦେଇ କହିପାରିବା ।

 

ଏବେ ଆମ ରାଜ୍ୟ କଥା ଚିନ୍ତାକୁ ଅଣାଯାଉ । ଉଡ୍ର, କଳିଙ୍ଗ, ଉକ୍ରଳ ଆଉ ଏବେ ଓଡ଼ିଶା ନାମରେ ପରିଚିତ ଆମର ଏଇ ରାଜ୍ୟ ଯେ ଆମ ଭାରତବର୍ଷରେ ଏକ ନିଆରା ରାଜ୍ୟ, ସେକଥା ମଧ୍ୟ ଆମେ ଜୋର୍ ଦେଇ କହିପାରିବା । କଳା, ସଂସ୍କୃତିର ରାଜ୍ୟ । ସର୍ବୋପରି ଜଗନ୍ନାଥ ସଂସ୍କୃତିର ଦେଶ ଭାବେ ଆମର ପରିଚୟକୁ ନେଇ ଆମେ ନିଶ୍ଚିତ ରୂପେ ଗର୍ବିତ ନୁହଁ କି? ଏକଦା ଏଇ ରାଜ୍ୟର ଶାସକ ଏବର ଭାରତବର୍ଷର ଏକ ଚତୁର୍ଥାଂଶରୁ ଊଦ୍ଧ୍ୱର୍ ଅଂଚଳରେ ଶାସନ କରୁଥିଲେ । ଗଂଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ଆମ ସୀମା, ସରହଦ । ଏ କ’ଣ କମ୍ ଗୌରବର କଥା! ମହାପ୍ରତାପୀ ସମ୍ରାଟ ଅଶୋକ ମଧ୍ୟ ଏଇଠୁ ପଢ଼ିଥିଲେ ଶାନ୍ତିର ପାଠ । କେବଳ ବୌଦ୍ଧ ଧର୍ମ ପୁହେଁ, ଅନ୍ୟାନ୍ୟ ଧର୍ମର ଭାବଧାରା ଓ ଭାଇଚାରା ଏ ରାଜ୍ୟରେ ପ୍ରଚାରିତ, ପ୍ରସାରିତ ହୋଇଛି, ଯାହା ଫଳରେ ବିଭିନ୍ନ ଧର୍ମାବଲମ୍ବୀଙ୍କ ଭିତରେ (ଅଳ୍ପ କେତେକ ଘଟଣାକୁ ଛାଡ଼ିଦେଲେ) ଶାନ୍ତପୂର୍ଣ୍ଣ ସହାବସ୍ଥାନ ସଂଭବ ହୋଇଛି । କେବଳ ବୌଦ୍ଧିକ ଦୃଷ୍ଟିକୋଣରୁ ନୁହେ. ବେପାର, ବଣିଜରେ ମଧ୍ୟ ଆମେ ଥିଲୁ ଆଗୁଆ । ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଆଦିକୁ ଆମ ସାଧବ ପୁଅମାନେ ବଣିଜ କରିବାକୁ ଯାଉଥିଲେ । ଅତଏବ ଧନଧାନ୍ୟରେ ବି ଆମେ ଥିଲେ ସମୃଦ୍ଧ । ଆମ ଭାଷା ଓଡ଼ିଆ ବି ଏକ ସମୃଦ୍ଧ ଭାଷା । ବାର ମାସରେ ତେର ପର୍ବ-ଏଇ କଥାଟିର ମହତ୍ୱ ବି ସବୁଠାରୁ ଅଧିକ ପ୍ରତିପାଦିତ୍ୱ ହେଇଥାଏ ଆମ ଓଡ଼ିଶାରେ ।

 

ତେବେ ଅତୀତକୁ ନେଇ ତ ଖାଲି ଗର୍ବ କରିଦେଲେ ହବନାହିଁ । ବର୍ତ୍ତମାନର କଥା ମଧ୍ୟ ଚିନ୍ତା କରିବାକୁ ପଡ଼ିବ । ଭବିଷ୍ୟତର ପନ୍ଥା ସ୍ଥିର କରିବାକୁ ପଡ଼ିବ । ଅତଏବ ଭାବନ୍ତୁ ତ ଆମ ବର୍ତ୍ତମାନର ସ୍ଥିତି କ’ଣ? ଆପଣ ତ ନିହାତି ଶହେରୁ ଅଧିକ ପ୍ରତିଶତ ଏକମତ ହେବେ ଯେ ପୂର୍ବର କଳିଙ୍ଗ, ଉକ୍ରଳ ବା ଉଡ୍ରଦେଶ ନୁହେଁ ଏବର ଓଡ଼ିଶା । ଓଡ଼ିଆମାନେ ଯେ ବୀର, ମରିଯିବେ ପଛେ ନଇଁବେ ନାହିଁ, ଶଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ସଂଗ୍ରାମ କରିବେ; ଏବର ସ୍ଥିତିରେ ଏସବୁ କଥା କେବଳ ନାଟକର ସଂଳାପ ଭଳି ଲାଗୁଚି । ପିଢ଼ି ପରେ ପିଢ଼ି..ପିଢ଼ି ପରେ ପିଢ଼ି...ବୀର ଓଡ଼ିଆମାନଙ୍କର ରକ୍ତ ଆମ ଦେହରେ ପ୍ରବାହିତ ହେଉଛି, କିନ୍ତୁ ପୂର୍ବର ସେ ଜୋସ୍ ଆଉ କ’ଣ ଆମ ପାଖରେ ଅଛି! ସେ ସଂକଳ୍ପ ନାହିଁ କି ସେ ସାଧନା ନାହିଁ । ନା ଅଛି ମାତୃଭୂମି ପାଇଁ ତ୍ୟାଗ ଆଉ ବଳିଦାନ ।

 

ଆମ ନିକଟରେ ଖଣି, ପାଣି...ସବୁ ଅଛି, ମାତ୍ର ଆମେ ଗରିବ । ଆମ ଏଠି କାରଖାନା ହବ, ଉପକୃତ ହେବେ ବାହାର ଲୋକେ । ଶାଗ, ମାଛ ମୂଲରେ ଆମେ ଆମ ମାତୃଭୂମିର ଖଣି, ଖାଦାନ, ଜଳସଂପଦ ଆଉ ଭୂଖଣ୍ଡମାନ ବିକି ଚାଲିବୁ । ଠାକୁରଙ୍କ ସଂପତ୍ତି ବି ଚଳୁ କରିଦବୁ, କିଛି ଅସୁବିଧା ନାହିଁ । କେନ୍ଦ୍ର ଆଗରେ ଆମର କାଟତି ବି ସେଭଳି ନାହିଁ । ଯେ କୌଣସି ଦଳ କେନ୍ଦ୍ରରେ ଶାସନଗାଦି ଅକ୍ତିଆର କଲେବି ଓଡ଼ିଶାର ସ୍ୱାର୍ଥ ପ୍ରତି, ଓଡ଼ିଶାର ହକ୍ ପ୍ରତି କେହି ବିଶେଷ ସମ୍ବେଦନଶୀଳ ନୁହନ୍ତି । ଆମକୁ ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ନେତୃବୃନ୍ଦଙ୍କ ମଧ୍ୟରୁ ୯୦ ପ୍ରତିଶତ ଏ ଦିଗରେ ବିଫଳ । ତେଣୁ ଆଉ ଥରେ ଭାବନ୍ତୁ ଏବର ଓଡ଼ିଶାରେ ଆମର ସ୍ଥିତି କ’ଣ? ଆଉ ଏସବୁର ମୂଳରେ ଆମର କାପୁରୁଷପଣିଆ ବା ଭୀରୁ ମାନସିକତା, ସ୍ୱାର୍ଥପରତା ହିଁ ରହୁଚି । ସମୂହ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥ ଆମ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ । ଅର୍ଥ ନିଶା ସାଂଗକୁ କ୍ଷମତାର ନିଶା ଆମକୁ ଅଂଧ କରଦଉଚି । ସତରେ ଆମ ପୂର୍ବପିଢି କ’ଣ ସ୍ୱପ୍ନରେ ଭାବିଥିବେ ଯେ ସେମାନଙ୍କ ପରପିଢ଼ି ଏଭଳି ଅଧୋପତିତ ହେଇଯିବେ!

 

ଆମେ ଅଜିକାଲି ଦଶହରା, ଗଜଲକ୍ଷ୍ମୀ ପୂଜା, ଦୀପାବଳି, କାଳିପୂଜା, କାର୍ତ୍ତିକ ପୂର୍ଣ୍ଣମୀ, ଗଣେଶ ପୂଜା, ରଜ, ଖୁଦୁରୁକୁଣୀ ବା ଭାଲୁକୁଣୀ ଆଦି ପର୍ବକୁ ଜୋରଦାରିଆ ପାଳନ କରୁଚୁ । ସ୍ଥୂଳତଃ ଦେଖିବାକୁ ଗଲେ ଆମେ ଆମର ପରମ୍ପରା, କଳା, ସଂସ୍କୃତିକୁ ବଜାୟ ରଖିବା ପାଇଁ ଯତପରୋନାସ୍ତି ଉଦ୍ୟମ କରୁଛୁ । ତେବେ ବାସ୍ତବ କଥାଟା କ’ଣ ସେୟା? ଆମ ପିଲାଙ୍କୁ ଦୀପାବଳି କ’ଣ ବୋଲି ପଚାରିଲେ, ଆଜିକାଲି ଉତ୍ତର ମିଳୁଚି ଦୀପାବଳିରେ ବାଣ ଫୁଟାଯାଏ । ଆମ ପିଲେ ବଡ଼ ବଡ଼ୁଆ ହୋ...ଅନ୍ଧାରେ ଆସି ଆଲୁଅରେ ଯା, ବାଇଶି ପାହାଚେ ଗଡ଼ ଗଡ଼ଉଥା କଥା ଜାଣନ୍ତି ନାହିଁ । ଯଦିବା କେତେବେଳେ କେମିତି ଜାଣିଲେ କି ଶୁଣିଲେ ତା’ ହେଲେ କହୁଛନ୍ତି, ସେଗୁଡ଼ା ସବୁ ପୁରୁଣାକାଳିଆ । ଚିନ୍ତା କଲେ, ଦୀପାବଳି କ’ଣ ଏୟା? ଆମେ ଭାବୁଚୁ, ଦୀପାବଳିର ନାଁଟା ପରିବର୍ତ୍ତନ କରି ବାଣାବଳି କରିଦବାଟା ଭଲ ହବ । ବଂଧୁ, ପ୍ରତିବର୍ଷ ଏଇ ବାଣାବଳିରେ କୋଟି କୋଟି ଲୋକଙ୍କ ପେଟର ଦାନା ଜଳିଯାଉଚି । ବାଣ ଫୁଟିବାର ଯେଉଁ ଉଲ୍ଳାସ ଭାବରେ ଆମେ କୋଟି କୋଟି ଟଂକା ବରବାଦ କରୁଚି, ସେଇ ଟଂକାରେ କେତେ କୋଟି ଭୋକିଲା ଲୋକଙ୍କର ଯେ ପେଟ ପୂରିଥାନ୍ତା ସେକଥା ଟିକେ ଭାବନ୍ତୁ ତ!

 

ସେହିପରି ଦଶହରା କ’ଣ ବୋଲି ପଚାରିଲେ, ଆମ ପିଲାଏ କହୁଛନ୍ତି, ଦଶହରାରେ ରାବଣପୋଡି ହୁଏ । ଏଥର ଦଶହରାରେ ବଡ଼ ରାବଣ ହବ ଆଉ ତାକୁ ନିଆଁ ଲଗାହବ । ବହୁତ ବାଣ ଫୁଟା ହବ, ବଢ଼ିଆ ମଜା ହବ । କି ଅବସ୍ଥା । ଅବଶ୍ୟ ରାବଣପୋଡ଼ି କାହିଁକି? ତା’ର ଉତ୍ତର ଆମ ପିଲାଂକ ପାଖରେ ଅଛି । ଅନ୍ୟାୟ, ଅନୀତି, ଦୁରାଚାର ଭଳି ଯାବତୀୟ ପ୍ରକାରର କୁପ୍ରବୃତ୍ତିର ପ୍ରତୀକ ହେଉଚି ରାବଣ । ତେଣୁ ତାକୁ ପୋଡ଼ିଲେ ସେସବୁ କୁପ୍ରବୃତ୍ତି ହଟିଯିବ । ହେଲେ ହଉଚି କ’ଣ? ପ୍ରତିବର୍ଷ ଅଧିକରୁ ଅଧିକ ରାବଣ ତିଆରି ହେଇ ପୋଡ଼ା ହଉଛନ୍ତି; ସେପଟେ ଅନ୍ୟାୟ, ଅନୀତି ବଢ଼ିଚାଲିଚି ଆଉ ଏବର ଜୀବନ୍ତ ରାବଣମାନେ ମଧ୍ୟ ବଢ଼ିଚାଲିଛନ୍ତି । ଇଏ ହଉଚି ଆମ ସଂସ୍କୃତି ଆଉ ପରମ୍ପରା! ପ୍ରଭୁ, ରକ୍ଷା କର ।

 

ସେହିପରି ଗଣେଶ ପୂଜା, ଖୁଦୁରୁକୁଣୀ ପୂଜା, ଗଜଲକ୍ଷ୍ମୀ ପୂଜା ଆଦି ବିଭିନ୍ନ ପୂଜା ଆମେ ଧୁମଧାମରେ କରୁଛେ । ଆଜିକାଲି ପୂଜାଗୁଡ଼ିକରେ ତ ଯାହା ହଉଚି, ଆପଣ ଜାଣିଥିବେ, ଅଙ୍ଗେ ନିଭେଇଥିବେ । ଇଏ ଆଜ୍ଞା ପୂଜା ନୁହଁ, ସାଂସ୍କୃତିକ ପ୍ରଦୂଷଣ । ଏଭଳିଆ ପ୍ରଦୂଷଣରେ ଆପଣଙ୍କ ଦିହ, ମନ ସବୁ ପ୍ରଦୂଷିତ ହେଇଯାଉଥିବ ନିଶ୍ଚୟ । ଆପଣ ନୟାନ୍ତ ହେଇଯାଉଥିବେ । ଜୋରଜୁଲମରେ ଚାନ୍ଦା ଆଦାୟ ଠୁ ଆରଂଭ କରି ପୂଜାମଣ୍ଡପରେ ଅଶ୍ମୀଳ ନାଚ, ଗୀତ କାନଫଟା ଶବ୍ଦ, ଝିଅବୋହୁଙ୍କୁ ଅଶାଳୀନ ମନ୍ତବ୍ୟ ତଥା ଦୁର୍ବ୍ୟବହାର । ଏସବୁ ହେଉଚି ଆମ ପୂଜା, ଆମ ପରମ୍ପରା, ଆମ ସଂସ୍କୃତି । ପର୍ବପର୍ବାଣୀ ପାଳନରେ ଭକ୍ତିଭାବ ଅପେକ୍ଷା ମନୋରଂଜନ ରହୁଚି ପୁରୋଭାଗରେ । ମନୋରଂଜନ ପାଇଁ ବିଭିନ୍ନ ମାଧ୍ୟମ ଅଛି, ତାକୁ ଧର୍ମ ସହ କାହିଁକି ଏଭଳି ଉଚ୍ଛୃଂଖଳ ଭାବେ ସାମିଲ କରୁଚ?

 

ଆମ ସାଂସ୍କୃତିକ ପୋଖରୀରେ ଏତେ ଗୋଳିଆ ପାଣି ପଶିଗଲାଣି ଯେ, ପୋଖରୀ ସାରା ଦୂଷିତ ହେଇଗଲାଣି । ସେଇ ପୋଖରୀରେ ଗାଧେଇଲେ ଯାବତୀୟ ପ୍ରକାର ରୋଗ ଆମକୁ ଆକ୍ରାନ୍ତ କରିପକଉଚି । ତେଣୁ ଏ ସଂପର୍କରେ ଗଭୀର ଭାବେ ଚିନ୍ତା କରି କିଛି ପଦକ୍ଷେପ ନେବାର ସମୟ ଆସିନି କି? ସମୟ ସହ ତାଳ ଦେଇ ଆମ ରୁଚି ବଦଳୁଛି । କିନ୍ତୁ ଆମ ଧର୍ମ, ସଂସ୍କୃତି ଆଉ ପରମ୍ପରା କ’ଣ ଏମିତି ବଦଳିଯିବ, ବିବର୍ତ୍ତିତ ହେଉଯାଉଥିବ ତା’ର ମୂଳ ସ୍ୱରୂପକୁ ଛାଡ଼ି, ବର୍ଜିତ ହେଇଯାଉଥିବ ମୂଳଭିତ୍ତି?

 

ବରିଷ୍ଠ ସାମ୍ବାଦିକ
ନ୍ୟୁଜ୍ ୭, ଖଣ୍ଡଗିରି, ଭୁବନେଶ୍ୱର
ଶୂନ୍ୟଭାଷ: ୭୦୭୭୭୦୫୩୮୯


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top