ତପସ୍ୟାର ପାର୍ବଣ

News Story - Posted on 2018-04-13

ସତ୍ୟବାଦୀ ବଳିଆରସିଂହ

 

ଓଡ଼ିଆ ନବବର୍ଷ/ମହାବିଷୁବ ସଂକ୍ରାନ୍ତି/ପଣା ସଂକ୍ରାନ୍ତିଠାରୁ ଆମ ଓଡ଼ିଶାରେ ନୂତନ ବର୍ଷର ଆରମ୍ଭ, ବାର୍ଷିକ ପଞ୍ଜିକାର ଆରମ୍ଭ । ଆମ ପାଇଁ ଏହି ପବିତ୍ର ତିଥିଟି ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜନଜୀବନରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

 

କାହିଁ କେଉଁ କାଳରୁ ବିଷୁବ ସଂକ୍ରାନ୍ତିରେ ମଠ ମନ୍ଦିର ତଥା ସମସ୍ତ ଦେବ ପୀଠ ଭଜନ, ପାରାୟଣ ତଥା ପୂଜାପାଠରେ ଭକ୍ତିପ୍ଲାବିତ ହୋଇଉଠେ । ତା’ ସାଙ୍ଗକୁ ସାଂସ୍କୃତିକ ମହୋତ୍ସବ, ସାରସ୍ୱତ ସମାରୋହ ଆଉ ବନ୍ଧୁମିଳନ । ଓଡ଼ିଆ ସଂସ୍କୃତିର ଆବେଗମୟ ଉଚ୍ଛ୍ୱାସ ପ୍ରତିଫଳିତ ହୁଏ ବିଷୁବର ଏହି ମାହେନ୍ଦ୍ର ବେଳାରେ । ବିଷୁବ ସଂକ୍ରାନ୍ତି ଠାରୁ ସୌରମାସ ଆରମ୍ଭ । ବାର ରାଶିର ପ୍ରଥମ ରାଶି ମେଷରାଶିରୁ ଶୁଭାରମ୍ଭ । ଏହା ଓଡ଼ିଆ ନବବର୍ଷର ଆରମ୍ଭ ଦିନ ।

 

ଶାସ୍ତ୍ରୀୟ ମାନ୍ୟତାରେ ଓଡ଼ିଶା ବା କଳିଙ୍ଗ ହେଉଛି ସୂର୍ଯ୍ୟଦେବଙ୍କ ଜନ୍ମପୀଠ । ଏଣୁ ଓଡ଼ିଆମାନେ ଏହି ଦିନଠାରୁ ବର୍ଷାରମ୍ଭ ଗଣନା କରି ପୂଜା ପାର୍ବଣରେ ମାତି ଯାଆନ୍ତି । ଓଡ଼ିଆମାନଙ୍କର ବିଶ୍ୱାସ ସୂର୍ଯ୍ୟଦେବ ବିଷୁବ ମେଳାରେ ପ୍ରଥମ ସୂର୍ଯ୍ୟରଶ୍ମୀ ଉର୍ଜା ସ୍ୱରୂପରେ ଓଡ଼ିଶା ଭୂଖଣ୍ଡରେ ବିକିରଣ କରିଥାନ୍ତି । ସେହି ଶକ୍ତି ହିଁ ସମଗ୍ର ବର୍ଷର ସାଫଲ୍ୟ ପ୍ରଦାନ କରିଥାଏ ।

 

ବିଷୁବ ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଯୋଗୁଁ ଯେଉଁ ଉତ୍ତାପ ପୃଥିବୀବାସୀ ପାଇବେ ତାହାକୁ ସ୍ୱାଗତ କରିବାର ଏକ ପର୍ବ ଏହିଠାରୁ ଆରମ୍ଭ ହୁଏ । ତେଣୁ ଓଡ଼ିଆମାନେ ଉକ୍ତ ଦିନକୁ ତପସ୍ୟା ଭାବରେ ଗ୍ରହଣ କରିଥାନ୍ତି । ଏ ତପସ୍ୟା ବା ଦଣ୍ଡ ଭୋଗକୁ ଓଡ଼ିଆମାନେ ଗ୍ରହଣ କରିବାର ପ୍ରଥା ବହୁ ପୁରାତନ, ଯାହା ଏକ ସାଂସ୍କୃତିକ ନାଟ୍ୟରୂପ ନେଇ ଓଡ଼ିଶାର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳେ । ସାଧାରଣରେ ଏହାକୁ ଦଣ୍ଡନାଚ କୁହାଯାଏ । ସ୍ୱଇଚ୍ଛାରେ ନିଜ ଶରୀରକୁ କଷ୍ଟ ଦେଇ ନିଜ ଭବିଷ୍ୟତ ବଂଶଧରମାନଙ୍କୁ କିପରି ଶକ୍ତିଶାଳୀ ଓ ବଳଶାଳୀ କରାଯାଇପାରିବ -ଏହା ଥିଲା ଏଭଳି ନାଚର ଉଦ୍ଦେଶ୍ୟ, ସେଥିପାଇଁ ଏଇ ଦିନଟି ଓଡ଼ିଆମାନଙ୍କ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ ।

 

ଦଣ୍ଡନାଚ ଭାରତର ଏକ ବହୁ ପୁରାତନ ଲୋକନାଟ । ଆମର ଏ ମାଟି ମା’, ଧରିତ୍ରୀ ମାତା ଏ ଦିବସଟିକୁ ଏକ ଅଗ୍ନି ତପସ୍ୟାର ସଂକଳ୍ପ ଗ୍ରହଣ କରିଥାଏ । ଉଦ୍ଦେଶ୍ୟ, ଏକ ପୁରୁଷାକାର ସୌରଶକ୍ତିର ଉପାସନା ଯାହା ଜଗତର ଜୀବନ ଚକ୍ରକୁ ପୁନର୍ଜୀବିତ କରିବ । ଓଡ଼ିଆମାନେ ଏଇ ଦିନରେ ଆନୁଷ୍ଠାନିକ ଭାବରେ ନିଜର ବୈଭବଶାଳୀ ଅତୀତକୁ ସ୍ମରଣ କରି ଏକ ସୁମିଷ୍ଟ ପାନୀୟର ବ୍ୟବସ୍ଥା କରିଥାନ୍ତି । ଗ୍ରୀଷ୍ମ କାଳକୁ ସୁହାଇଲା ଭଳି ନିଜ ଚାରିପାଖରେ ଥିବା ପ୍ରାକୃତିକ ଶୀତଳକାରକ ଯାହା କିଛି ମନୋରମ ଓ ଆବହମାନ କାଳରୁ ପ୍ରାପ୍ତ ହେଉଛି ତାକୁ ଉପଯୋଗ କରି ପ୍ରସ୍ତୁତ କରିଥାନ୍ତ ପଣା । ମୁଖ୍ୟତଃ କଂଚା ଆମ୍ବ ପୋଡ଼ା, ପାଚିଲା ଆମ୍ବରସ, ପାଚିଲା ବେଲର ରସ, ଛେନା, ଖିର, ରାବିଡ଼ି, ନବାତ, ଗୁଡ଼, ଆଖୁରସ, ଦହି, ନଡ଼ିଆ, ଗୋଲମରିଚ, କୋରା, କିସମିସ୍, କାଜୁ ଆଦି ପକାଇ ଅଲଗା ଅଲଗା ପ୍ରକାରର ପଣା ପ୍ରସ୍ତୁତ ହୋଇଥାଏ । କେତେକ ସ୍ଥାନରେ ଭାଙ୍ଗ ମିଶାଇ ପଣା କରିଥାନ୍ତି ।

 

ପଣା ସଂକ୍ରାନ୍ତିର ନାମକରଣ ପଛରେ କୁହାଯାଏ ଯେ, ପୁରୀ ଶ୍ରୀମନ୍ଦିରରେ ଆନୁଷ୍ଠାନିକ ଭାବେ ଠାକୁରଙ୍କ ଲାଗି ଉକ୍ତ ଦିନ ପଣା ଭୋଗ ହୋଇଥାଏ । ପୁନଶ୍ଚ ଶ୍ରୀଜଗନ୍ନାଥଙ୍କ ପାଖରେ ଯେଉଁ ଭୋଗ ଲାଗେ, ସେହିଭଳି ଓଡ଼ିଶାର ସର୍ବତ୍ର ଅନ୍ୟ ଦେବାଦେବୀଙ୍କ ପାଖରେ ମଧ୍ୟ ଭୋଗଲାଗି ହୁଏ । ପ୍ରତ୍ୟେକ ଶକ୍ତିପୀଠ ଓ ଶୈବପୀଠରେ ଏହି ଦିନ ପଣା ଭୋଗ ଲାଗି ହୋଇ ବଣ୍ଟନ ହୁଏ । ଅନେକ ପୀଠରେ ପଣାପର୍ବ ସହିତ ବାର୍ଷିକ ମହୋତ୍ସବ, ଯଜ୍ଞାଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ । କେତେକ ପୀଠରେ ଓଡ଼ିଆ ତାନ୍ତ୍ରିକ ବୃନ୍ଦ ତନ୍ତ୍ର ପୂଜାର ଅୟମାରମ୍ଭ ପଣାସଂକ୍ରାନ୍ତିରେ କରିଥାନ୍ତି ।

 

ଓଡ଼ିଶାର ଶାବର ତନ୍ତ୍ର ପରମ୍ପରାରେ ପଣା ସଂକ୍ରାନ୍ତି ପୂର୍ବରୁ ଦଣ୍ଡଯାତ୍ରା, ଝାମୁ ଯାତ୍ରା, ପିଠି ଫୋଡ଼ା ଯାତ୍ରା, ମେରୁ ଯାତ୍ରା ପ୍ରଭୃତି ଆରମ୍ଭ ହୋଇ ପଣା ସଂକ୍ରାନ୍ତିରେ ଉଦଯାପିତ ହୋଇଥାଏ । ମାନସିକ ରଖିଥିବା ଉପାସକଗଣ ବିଷୁବରେ ବ୍ରତ ଉଦଯାପନ କରିଥାନ୍ତି । ଏହି ଅବସରରେ ଓଡ଼ିଶାର ପୁରପଲ୍ଲୀ ସର୍ବତ୍ର ଯାତ୍ରା ଅନୁଷ୍ଠିତ ହୋଇଥାଏ । ବ୍ୟକ୍ତିଗତ, ପାରିବାରିକ ଓ ସାମୂହିକ ମଙ୍ଗଳ କାମନାରେ ବ୍ରତଧାରୀଗଣ ପଣାସଂକ୍ରାନ୍ତିରେ ଠାକୁରାଣୀଙ୍କ ନିକଟରେ ବଳି ପ୍ରଦାନ କରିଥାନ୍ତି । ଗ୍ରାମପୀଠମାନଙ୍କରେ ଶାବର ତନ୍ତ୍ରରେ ପଣାପୂଜା ହେଉଥିଲେ ହେଁ କେତେକ ପୀଠରେ ଏହା ସହିତ ବୈଦିକ ପୂଜା ଓ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଓଡ଼ିଆମାନେ ଶାବର ତନ୍ତ୍ର ସହିତ ବୈଦିକ ପୂଜା କରି ସାର୍ବଜନୀନ ମଙ୍ଗଳ କାମନା କରିଥାନ୍ତି । ଅନ୍ୟତ୍ର ଏହା ପରିଦୃଷ୍ଟ ହୁଏ ନାହିଁ । ବିଷୁବ ସଂକ୍ରାନ୍ତିଠାରୁ ପ୍ରତ୍ୟେକ ଓଡ଼ିଆ ତୁଳସୀ ଚଉରାରେ ଛାୟାମଣ୍ଡପ ନିର୍ମାଣ କରି ଜଳଧାରା ଅର୍ପଣର ବ୍ୟବସ୍ଥା କରିଥାନ୍ତି । ଏହି ଦିନ ଗୃହ ଦେବତାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ । ଶିବ ମନ୍ଦିରରେ ଜଳାଭିଷେକ ବିଷୁବ ସଂକ୍ରାନ୍ତିର ବିଶେଷ ବିଧି । ବୈଦିକ ପୁରାଣ ସଂସ୍କୃତିରେ ଅନୁପ୍ରାଣିତ ହୋଇ ଅନେକ ବଦାନ୍ୟ ବ୍ୟକ୍ତି ବିଷୁବ ସଂକ୍ରାନ୍ତିରୁ ଅନ୍ନ, ଜଳ, ବସ୍ତ୍ର, ଆଦି ଦାନ କରିଥାନ୍ତି । ଆଧ୍ୟାତ୍ମିକ, ଆଧିବୈଦିକ ଓ ଆଧିଭୌତିକ ତ୍ରିତାପ ନିବାରଣ ନିମିତ୍ତ ବିଷୁବରେ ଅନେକ ବ୍ୟକ୍ତି ଗ୍ରହପୂଜା କରିଥାନ୍ତି ।

 

ମହାବିଷୁବ ସଂକ୍ରାନ୍ତି ହେଉଛି ଭକ୍ତ ପ୍ରବର ଶ୍ରୀ ହନୁମାନଙ୍କର ଜନ୍ମଦିନ । ଏହି ଅବସରରେ ଶ୍ରୀ ହନୁମାନଙ୍କର ବିଶେଷ ପୂଜାର୍ଚ୍ଚନା, ମାଜଣା, ଚାଳିଶା ପାଠ ଓ ହୋମ ପ୍ରଭୃତି ଅନୁଷ୍ଠିତ ହୁଏ । ଅନେକ ଓଡ଼ିଆ ଏହିଦିନ ୧୦୮ ଥର ହନୁମାନ ଚାଳିଶା ପାଠ କରିଥାନ୍ତି ଓ ଅନେକ ସ୍ଥାନରେ ରାମାୟଣ ପାଠ, ଶ୍ରୀରାମ ଚରିତ ମାନସ, ନବାନ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ ଓଡ଼ିଶାର ଗ୍ରହବିପ୍ରମାନେ ବିଷୁବ ସଂକ୍ରାନ୍ତିଠାରୁ ଗ୍ରହ ପୂଜା ଓ ଗ୍ରହ ଯଜ୍ଞ ଆରମ୍ଭ କରିଥାନ୍ତି । ସେମାନେ ବିଶ୍ୱ ମଙ୍ଗଳ କାମନାରେ ପୂଜାର୍ଚ୍ଚନା କରିବା ସହିତ ପଣାପର୍ବ ଓ ସମ୍ମିଳନୀ ମଧ୍ୟ କରିଥାନ୍ତି । ଅର୍କକ୍ଷେତ୍ର କୋଣାର୍କରେ ସ୍ୱତନ୍ତ୍ର ପୂଜାନୀତି ନବଗ୍ରହଙ୍କ ଠାରେ ଅନୁଷ୍ଠିତ ହୋଇଥାଏ ।

 

ଓଡ଼ିଆ ସାହିତ୍ୟ ସହିତ ବିଷୁବ ସଂକ୍ରାନ୍ତି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ବିଷୁବ ସଂକ୍ରାନ୍ତିରେ ବିଭିନ୍ନ ସ୍ଥାନରେ ବିଷୁବ ମିଳନ ଅନୁଷ୍ଠିତ ହୋଇଥାଏ । ଓଡ଼ିଶାର ସାଧୁସନ୍ଥଙ୍କ ଦୃଷ୍ଟିରେ ବିଷୁବ ସଂକ୍ରାନ୍ତି ବୌଦ୍ଧିକ ସାଧନାର ଅୟମାରମ୍ଭ କାଳ ହୋଇଥିବାରୁ ଏହି ଦିନ ଠାରୁ ବୌଦ୍ଧିକ ସାଧନା ଆରମ୍ଭ ହୋଇଥାଏ । ଓଡ଼ିଆଙ୍କ ଜୀବନଧାରାରେ ଆଧ୍ୟାତ୍ମିକ, ଦାର୍ଶନିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ମହା ବିଷୁବ ସଂକ୍ରାନ୍ତି ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ପ୍ରାଚୀନ ଯୁଗରୁ ଓଡ଼ିଆମାନେ ବିଷୁବ ସଂକ୍ରାନ୍ତିକୁ ସଂସ୍କୃତି ବିମଣ୍ଡିତ, ସଂହତି ସୁଶୋଭିତ ଗଣ ମହୋତ୍ସବର ଭବ୍ୟରୂପ ପ୍ରଦାନ କରିଛନ୍ତି । କହିବାକୁ ଗଲେ ଏହା ଓଡ଼ିଶାର ଜାତୀୟ ପର୍ବ ।

 

ଆସନ୍ତୁ ଏହି ଓଡ଼ିଆ ନବ ବର୍ଷରୁ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ପ୍ରତି ବିଶେଷ ଦୃଷ୍ଟି ଦେବା । ବିବାହ, ବ୍ରତ ଆଦିର ନିମନ୍ତ୍ରଣ ପତ୍ର ଓଡ଼ିଆରେ ଲେଖିବା, ଦୋକାନ, ପ୍ରତିଷ୍ଠାନ ଏବଂ ବ୍ୟକ୍ତିଗତ ଭାବେ ନିଜର ନାମଫଳକ ଯେପରି ଓଡ଼ିଆରେ ଲେଖାଯାଏ, ସେଥିପ୍ରତି କଠୋର ଭାବେ ଦୃଷ୍ଟି ଦେବା ସହିତ ଯେଉଁମାନେ ଏଥିରେ ଖିଲାପ କରୁଛଂତି ସେମାନଙ୍କୁ ରୋକଠୋକ୍ ଭାବେ ପ୍ରତିବାଦ କରି ଓଡ଼ିଆତ୍ୱ ବଜାୟ ରଖିବା । ହୀନମନ୍ୟତାର ଶିକାର ହୋଇ ଯେଉଁ ଓଡ଼ିଆମାନେ ମାତୃଭାଷା ପ୍ରତି ଅବଜ୍ଞା କରୁଛନ୍ତି ଚାଲନ୍ତୁ ସେମାନଙ୍କୁ କୁପଥରୁ ଉଦ୍ଧାର କରିବା ଆଉ ଆମେ ପ୍ରତ୍ୟେକ ଓଡ଼ିଆ ସ୍ୱାଭିମାନୀ ହୋଇ ଓଡ଼ିଆତ୍ୱର ଜୟଗାନ କରିବା । କାରଣ ମହାବିଷୁବ ସଂକ୍ରାନ୍ତି ହେଉଛି ଓଡ଼ିଆତ୍ୱର ପାର୍ବଣ, ତପସ୍ୟାର ପାର୍ବଣ ।

 

ସଭାପତି, ଖୋରଧା ଜିଲ୍ଲା ଭାଷା ସୁରକ୍ଷା ସମ୍ମିଳନୀ
ଏମ୍-୨୩, ବିଡିଏ କଲୋନୀ, ଖୋର୍ଦ୍ଧା
ଶୂନ୍ୟଭାଷ: ୯୨୩୭୦୮୯୫୦୯


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top