ସ୍ୱଚ୍ଛାଗ୍ରହ- ବାଟରେ ଅନେକ ବନ୍ଧ!

News Story - Posted on 2018-04-13

ରୁୁଦ୍ର ପ୍ରସନ୍ନ ରଥ

 

୧୯୧୭ରେ ବିହାରର ଚମ୍ପାରଣରେ ଜାତିର ପିତା ମହାତ୍ମା ଗାନ୍ଧୀ ବ୍ରିଟିଶ୍ ସରକାର ବିରୋଧରେ ସତ୍ୟାଗ୍ରହର ଡାକରା ଦେଇଥିଲେ । ଆଉ ଏବେ ୧୦୦ ବର୍ଷ ପରେ ସେହି ଜାଗାରୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ସ୍ୱଚ୍ଛାଗ୍ରହର ଡାକରା ଦେଇ ଭାରତକୁ ବାହ୍ୟ ମଳମୁକ୍ତ ଦେଶ କରିବାକୁ ଦେଶବାସୀଙ୍କୁ ଡାକରା ଦେଇଛନ୍ତି । ଦେଶ ରାଜନୈତିକ ସ୍ୱାଧୀନତା ପାଇବାର ୭୦ ବର୍ଷ ପରେ ଏବେ ବି ପ୍ରତି ଘରେ ଶୌଚାଳୟ ତିଆରି କରି ଲୋକଙ୍କୁ ବାହ୍ୟ ମଳତ୍ୟାଗ କରିବାର ଘୃଣ୍ୟ ପରମ୍ପରାରୁ ମୁକ୍ତି ଦେବା ପାଇଁ ଉଦ୍ୟମ ଜାରୀ ରଖିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମାନ୍ୟବର ମୋଦୀଙ୍କର ସ୍ୱଚ୍ଛାଗ୍ରହ ପାଇଁ ଡାକରା ସତରେ ସମୀକ୍ଷାର ଅବକାଶ ରଖେ ।

 

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ସରକାର ସ୍ୱଚ୍ଛ ଭାରତ ମିଶନ୍ ପାଇଁ ଗତ ଚାରି ବର୍ଷ ଭିତରେ ଅନେକ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ସମୟ ସମୟରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରୁଥିଲା ବେଳେ ରାଜ୍ୟମାନଙ୍କୁ ବିପୁଳ ପାଣ୍ଠି ଯୋଗାଇ ଦିଆଯାଇଛି । ପୁଣି ଦେଶରେ ଶୌଚାଳୟ ନିର୍ମାଣର ଗତି ଯେପରି ବଢ଼ି ପାରିବ ସେଥିନେଇ ରାଜ୍ୟମାନଙ୍କ ବଜେଟ ବଢ଼ାଯିବା ସହ ଯୋଜନା ପ୍ରଣୟନ କଲାବେଳେ ଏମାନଙ୍କୁ ସ୍ୱାଧୀନତା ଦିଆ ଯାଇଛି । ଏହାର ସୁଦୁର ପ୍ରସାରୀ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ୨ ଅକ୍ଟୋବର ୨୦୧୪ରୁ ଆରମ୍ଭ ହୋଇଥିବା ଏହି ସ୍ୱଚ୍ଛ ଭାରତ ମିଶନ୍ ଏବେ ଏକ ଆନ୍ଦୋଳନର ରୂପ ନେଇଛି । ଏଯାଏ ସମଗ୍ର ଭାରତରେ ୧୫ଟି ରାଜ୍ୟ, ୩୭୦ଟି ଜିଲା, ୪୪୬୫ ଗ୍ରାମ ପଂଚାୟତ ଏବଂ ୩,୪୭,୭୬୮ ଗାଁ ବାହ୍ୟ ମଳମୁକ୍ତ ଅଂଚଳ ରୂପେ ଘୋଷିତ ହେଲାଣି । ସେହିପରି ଦେଶରେ ପ୍ରାୟ ୭ କୋଟି ଘରେ ନୂଆ କରି ଶୌଚାଳୟ ନିର୍ମାଣ କରାଯାଇଛି । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ମୋଦୀ ସରକାରଙ୍କର ଏହା ଯେ ସର୍ବାଧିକ ସଫଳ ଏବଂ ସବୁଠାରୁ ବଡ଼ କାର୍ଯ୍ୟକ୍ରମ ତାହା ଅନାୟାସରେ କହିହେବ । ତେବେ ଏହା କେବଳ ଗୋଟିଏ ପାଖର କାହାଣୀ । ଅନ୍ୟ ପାଖରେ ଏହି ଯୋଜନାର ଅନ୍ଧାର ଦିଗ ମଧ୍ୟ ବେଶ୍ ବ୍ୟାପକ ।

 

ମୋଦୀ ସରକାରଙ୍କ ସମୟସୀମା ସରି ସରି ଆସୁଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଦ୍ରୁତ ଗତିରେ ଆଗେଇ ନେବା ସହ ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ସବୁ ଘରେ ଶୌଚାଳୟ ନିର୍ମାଣ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେତେକ ରାଜ୍ୟ କେନ୍ଦ୍ରର ସମୟସୀମାକୁ ଦେଖି ନିଜ ପାଇଁ ଏହି ଅବଧିକୁ କମାଇଦେଇ ଡିସେମ୍ବର ୨୦୧୮ ସୁଦ୍ଧା ସାରିବାକୁ ଚେଷ୍ଟା ଚଳାଇଛନ୍ତି । ମାତ୍ର ଆଗକୁ ତିନି ମାସିଆ ବର୍ଷାଋତୁ ଆସୁଥିବାରୁ ଏ କାମ ଏତେ ସହଜରେ ସରିଯିବ ବୋଲି ଆଶା କରିବା ହିଁ ବୋକାମୀ ହେବ । ଏବେ ବି ଓଡ଼ିଶା, ବିହାର, ପୁଡୁଚେରୀ, ଉତ୍ତର ପ୍ରଦେଶ ଏବଂ ଜାମ୍ମୁକାଶ୍ମୀର ଆଦି ରାଜ୍ୟରେ ୪୦-୫୦% ଶୌଚାଳୟ ନିର୍ମାଣ ବାକି ଅଛି ଏବଂ ରାଜ୍ୟମାନଙ୍କର ସମସ୍ତ ଚେଷ୍ଟା ସତ୍ତେ୍ୱ ଏହି ସବୁ ରାଜ୍ୟରେ ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଶୌଚାଳୟ ନିର୍ମାଣ ହେବା ପରି ଲାଗୁନାହିଁ । ଏଣୁ ଏହି ରାଜ୍ୟ ସବୁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ନକରି ପାରିଲେ ଦେଶର ଲକ୍ଷ୍ୟ ପୂରଣ ହୋଇ ପାରିବନାହିଁ । ଆଉ ମୋଦୀଙ୍କୁ ତାଙ୍କ ବିରୋଧୀମାନେ ଛାଡ଼ିବେ ନାହିଁ । ସାରା ଦେଶର ତିନି ଚତୁର୍ଥାଂଶ ରାଜ୍ୟରେ ତାଙ୍କ ଦଳର ଶାସନ ଥିଲେ ବି ସେ ଏହି ଯୋଜନାକୁ ସଫଳ କରିପାରିଲେ ନାହିଁ ବୋଲି ତାଙ୍କ ନାମରେ ଅପବାଦ ଲାଗିବ ।

 

ଯେହେତୁ ଶୌଚାଳୟ ନିର୍ମାଣ, ବ୍ୟବହାର ଏବଂ ରକ୍ଷଣାବେକ୍ଷଣକୁ ନେଇ ଅନେକ ନିଷ୍ପତ୍ତି ଲୋକଙ୍କୁ ନେବାକୁ ହୁଏ, ଏ ନେଇ ସରକାର ଏକ ଗୁରୁତର ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ଯୋଜନାରେ ପାଇଖାନା ନିର୍ମାଣ ଜନିତ ଅଟକଳ ସରକାର ବଢାଇ ଚାଲିଥିଲେ ବି ଲୋକ ନିଜ ତରଫରୁ ଏଥିନେଇ ଆଗ୍ରହ ଦେଖାଇନାହାନ୍ତି । ପୁଣି ଶୌଚାଳୟ ନିର୍ମାଣ କରିବା ପାଇଁ ସ୍ଥାନର ଅଭାବ, ପାଇଖାନାକୁ ପାଣି ସୁବିଧା ନହେବା, ବିଜୁଳି ସୁବିଧା ନ ହେବା, ଅନେକ ବ୍ୟବହାରଗତ ବାରଣ ( ଯଥା ଦେଢ଼ଶୂର ଭାଇବୋହୁ ଗୋଟିଏ ପାଇଖାନା ବ୍ୟବହାର ନ କରିବା) ଆଦି କାରଣରୁ ଦେଶରେ ଶୌଚାଳୟର ନିର୍ମାଣ ସହ ସମତାଳରେ ବ୍ୟବହାରକାରୀ ବଢ଼ି ପାରୁ ନାହାନ୍ତି । ଏ ସମସ୍ୟାର ଅନେକ ସମାଧାନ ସ୍ୱେଚ୍ଛାଗ୍ରହରେ ରହିଛି । ଏଣୁ ମୋଦୀଜୀଙ୍କ ମତରେ ସମସ୍ତେ ଏଥିପାଇଁ ଜଣେ ଜଣେ ସ୍ୱେଚ୍ଛାଗ୍ରହୀ ହେବା ଦରକାର । ସରକାରୀ ନୀତିନିୟମ, ଅର୍ଥ ହୁଏତ ଶୌଚାଳୟ ନିର୍ମାଣ କରାଇଦେବ । ମାତ୍ର ଏହାର ବ୍ୟବହାରକାରୀଙ୍କୁ ଜବରଦସ୍ତି ଶୌଚାଳୟ ମଧ୍ୟରେ ପୂରାଇ ପାରିବ ନାହିଁ । ଏଯାଏ ଆମେ କେବଳ ଶୌଚାଳୟ ତିଆରି କରିବା ଦିଗରେ ଯେତେ ଧ୍ୟାନ ଦେଇଛେ ଲୋକମାନେ କିପରି ଏହାକୁ ନିରନ୍ତର ଭାବରେ ବ୍ୟବହାର କରିବେ ତାକୁ ନେଇ ଏ ଯାଏ ବିଶେଷ କିଛି କରାଯାଇନାହିଁ । ଯଦିଓ ସ୍ୱଚ୍ଛ ଭାରତ ମିଶନର ଲକ୍ଷ୍ୟ କେବଳ ଶୌଚାଳୟ ତିଆରି କରିବା ନୁହେଁ ବରଂ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ପାଇଁ ଜାଗରଣ କରିବା । ମାତ୍ର ଏଯାଏ ଏହି ମିଶନ କେବଳ ଶୌଚାଳୟ ତିଆରି କରିବାରେ ଲାଗିଛି ।

 

ସ୍ୱଚ୍ଛ ଭାରତ ଏବଂ ସ୍ୱଚ୍ଛାଗ୍ରହୀଙ୍କ ବିଷୟରେ କହିଲାବେଳେ ଦୁଇଟି ଦିଗ ସ୍ୱଷ୍ଟଭାବେ ମନକୁ ଆସେ । ପ୍ରଥମତଃ ଭାରତର ସବୁ ରାଜ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବଶ୍ୟକ ଶୌଚାଳୟ ତିଆରି କରିପାରିବେ ନାହିଁ । ଏହା ଖୁବ୍ ନିରାଶାଜନକ କଥା । ତେବେ ଦ୍ୱିତୀୟ ଦିଗଟି ହେଉଛି ଯେ ଏହି ସମୟ ମଧ୍ୟରେ ଭାରତର ବିଭିନ୍ନ ବୟସ ବର୍ଗ ଯଥା ସ୍କୁଲ ଛାତ୍ର, କଲେଜ ଛାତ୍ର, କର୍ପୋରେଟ ଅଫିସ୍ , ଭାରତୀୟ ରେଳ ଏପରିକି ଉଠା ଦୋକାନୀଙ୍କ ମଧ୍ୟରେ ସ୍ୱଚ୍ଛତାକୁ ନେଇ ସଚେତନତା ସୃଷ୍ଟି କରାଯାଇ ପାରିଛି । ରାସ୍ତାକଡ଼ରେ ପାନ ଦୋକନଠୁ ଆରମ୍ଭ କରି ପାର୍ଲିଆମେଣ୍ଟ ଯାଏ ସମସ୍ତେ ଏବେ ସ୍ୱଚ୍ଛତା ଏବଂ ପରିମଳକୁ ନେଇ ଚର୍ଚ୍ଚା କରୁଛନ୍ତି । ପୁଣି ସାମାଜିକ ଗଣମାଧ୍ୟମରେ ମଧ୍ୟ ସ୍ୱଚ୍ଛତାକୁ ନେଇ ଲୋକମାନଙ୍କ ମଧ୍ୟରେ ଆଲୋଚନା ହେଉଛି । ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ ନିର୍ମାଣଠୁ ବୋଧହୁଏ ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ସଚେତନତା ସୃଷ୍ଟି କରିବା ସବୁଠାରୁ ବଡ଼ ଉପଲବ୍ଧି ବୋଲି ବିବେଚିତ ହେଉଛି ।

 

ସ୍ୱଚ୍ଛ ଭାରତ ମିଶନର ତମାମ ଉପଲବ୍ଧି ସତ୍ତେ୍ୱ ଏହି ଯୋଜନା ସମାଲୋଚନାରୁ ମୁକ୍ତ ନୁହେଁ । ପୁରୁଣା ଶୌଚଳାୟକୁ ରଂଗ କରି ନୂଆ ଦେଖାଇ ବିଲ୍ ବନାଇନେବା, ଶୌଚାଳୟ ନିର୍ମାଣ ସତ୍ତେ୍ୱ ଲୋକ ତାକୁ ବ୍ୟବହାର ନ କରିବା, ବିଲ୍ ପାସ କରିବା ପାଇଁ ହିତାଧିକାରୀମାନେ ଲାଂଚ ଦେବା ସହ ବିଭିନ୍ନ ସ୍ଥାନରେ ଶୌଚାଳୟ ନିର୍ମାଣର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଅନେକ ସ୍ଥାନରେ ସରକାରୀ ଅଫିସରମାନଙ୍କର ଅପାରଗତା ଯୋଗୁଁ ହିତାଧିକାରୀମାନେ କାମ କରିସାରିବା ପରେ ମଧ୍ୟ ମାସ ମାସ ଧରି ପଇସା ପାଇବା ପାଇଁ ସରକାରୀ ଅଫିସକୁ ଦୌଡ଼ିବାର ଖବର ମଧ୍ୟ ବିଭିନ୍ନ ସମୟରେ ଗଣମାଧ୍ୟମରେ ଆସିଛି । ଏ ସବୁ କ୍ଷେତ୍ରରେ ସ୍ୱଚ୍ଛାଗ୍ରହୀମାନେ ବିଶେଷ କିଛି କରିବାର ନଥିଲା ବେଳେ ସରକାରୀ ବିଧି ବ୍ୟବସ୍ଥାକୁ ଏଥିପାଇଁ ଦୃଢ଼, ପାରଦର୍ଶୀ କରିବାରେ ମୋଦୀଜୀ ନିଜେ କାମ କରିବାର ଆବଶ୍ୟକତା ରହିଛି । ଅନ୍ୟମାନଙ୍କୁ ସ୍ୱଚ୍ଛାଗ୍ରହୀ ହେବାର ଯେଉଁ ଡାକରା ଚମ୍ପାରଣଠାରେ ଦେଇଛନ୍ତି ତାର ପ୍ରତିଧ୍ୱନି ସରକାରୀ ବାବୁମାନେ ପ୍ରଥମେ ଶୁଣିବା ଦରକାର । ସରକାରୀ ବ୍ୟବସ୍ଥା ଯେତେ ଅଧିକ ସମ୍ବେଦନଶୀଳଭାବେ ଏ ସମସ୍ତ ବ୍ୟବସ୍ଥାର ସମାଧାନ କରିବ ଏ ମିଶନରେ ଭାଗ ନେଉଥିବା ସ୍ୱଚ୍ଛାଗ୍ରହୀମାନେ କାମକରିବାକୁ ସେତେ ଅଧିକ ସୁଯୋଗ ପାଇବେ । ଅନେକ ସରକାରୀ କାର୍ଯ୍ୟକ୍ରମ ପରି ଏ କାର୍ଯ୍ୟକ୍ରମରେ ଅନେକ ଅର୍ଥ, ସ୍ୱଚ୍ଛାଗ୍ରହୀ ଏବଂ ଦେଶର ପ୍ରଧାନମନ୍ତ୍ରୀଙ୍କର ସଂପୂର୍ଣ୍ଣ ସହଯୋଗ ଥିଲେ ମଧ୍ୟ ଏ କାର୍ଯ୍ୟକ୍ରମ ନିଜ ଲକ୍ଷ୍ୟସ୍ଥଳରେ ପହଁଚି ନପାରିଲେ କେବଳ ଲୋକଙ୍କ ମାନସିକତା ଏବଂ ସରକାରୀକଳର ଅପାରଗତା ହିଁ ଦାୟୀ ହେବ ।

 

ଭାରତୀୟ ରାଜନୈତିକ ଏବଂ ସାମାଜିକ ବ୍ୟବସ୍ଥାରେ ପ୍ରତୀକର ଅନେକ ଗୁରୁତ୍ୱ ଥିଲେ ମଧ୍ୟ ଚମ୍ପାରଣରେ ମୋଦୀଙ୍କର ସ୍ୱଚ୍ଛାଗ୍ରହ କରିବାର ଆବଶ୍ୟକତାକୁ ଆଦୌ ପ୍ରତୀକାତ୍ମକ ଭାବେ ନିଆଯାଇପାରିବ ନାହିଁ । ବରଂ ସ୍ୱଚ୍ଛତା ପାଇଁ ଆମର ମାନସିକତାରେ ପରିବର୍ତ୍ତନ ଆସିବା ଦରକାର । ଆମମାନଙ୍କ ମଧ୍ୟରୁ ଏବେ ବି ଅନେକ ପ୍ରତୀକାତ୍ମକ ଭାବେ ସ୍ୱଚ୍ଛତାକୁ ସମର୍ଥନ କଲାବେଳେ ପ୍ରକୃତ ପକ୍ଷେ ଅନେକ ଏହାଠାରୁ ମାଇଲମାଇଲ ଦୂରରେ ଥାନ୍ତି । ନିଜ ଘରକୁ ସ୍ୱଚ୍ଛ ରଖି ଅଳିଆକୁ ରାସ୍ତାରେ ପକାଇଦେବାର ମାନସିକତା ଯୋଗୁଁ ଆମମାନଙ୍କ ମଧ୍ୟରୁ ଅନେକ ନକଲି ସ୍ୱଚ୍ଛାଗ୍ରହୀ ସାଜିଛନ୍ତି । ଏମାନଙ୍କ ସଂଖ୍ୟା ବଢ଼ିଚାଲିଲେ ଚମ୍ପାରଣର ଡାକ ଅର୍ଥହୀନ ହେବା ସାର ହେବ ।

 

ଏ ମିଶନ୍ ପାଇଁ ଆଗାମୀ କେତେ ମାସ ବେଶ୍ ପରୀକ୍ଷାର ସମୟ ହେବାକୁ ଯାଉଛି । ୨୦୧୯ର ସାଧାରଣ ନିର୍ବାଚନ ହେବାକୁ ମାତ୍ର କିଛି ମାସ ବାକିଥିଲାବେଳେ ଏହି ମିଶନ୍ ଏବେ ଏମିତି ଏକ ପର୍ଯ୍ୟାୟରେ ପହଁଚିଛି ଯେଉଁଠି ଅନେକ କିଛି କରିବାକୁ ଅଛି । ପ୍ରଥମତଃ ଯେଉଁ ସବୁ ଗାଁ, ଗ୍ରାମ ପଂଚାୟତ କିମ୍ବା ଜିଲା ବାହ୍ୟ ମଳମୁକ୍ତ ଅଂଚଳର ମାନ୍ୟତା ପାଇଛି ତାହା କିପରି ବଜାୟ ରହିବ ତାହା ଦେଖିବାର କଥା । କାରଣ ଅତୀତରେ ଏମିତି ବି ହୋଇଛି ଯେ ଥରେ ଗୋଟିଏ ଅଂଚଳ ବାହ୍ୟମଳମୁକ୍ତ ଅଂଚଳ ହେଲା ପରେ ତା ଉପରୁ ଲୋକଙ୍କର ନଜର ହଟିଯାଇଛି ଏବଂ ଏଠାର ଲୋକମାନେ ପୁଣି ବାହାରକୁ ମଳତ୍ୟାଗ କରିବାକୁ ଯାଇଛନ୍ତି । ଏବେ ତରତରରେ ତିଆରି ହେଉଥିବା ଶୌଚାଳୟର ସବୁର ମାନ କ’ଣ ହେବ ଏବଂ ଏହା କେତେଦିନ ଯାଏ ସଂରକ୍ଷିତ ହୋଇ ରହିବ ତାହା ମଧ୍ୟ ଦେଖିବାର ଅଛି । ପୁଣି ଭାରତ ବର୍ଷରେ ପ୍ରତିବର୍ଷ ବନ୍ୟାରେ ହଜାର ହଜାର ଶୌଚାଳୟ ନଷ୍ଟ ହେଉଥିବାରୁ ସେଠି ପରବର୍ତ୍ତି ସମୟରେ ଲୋକଙ୍କୁ ଶୌଚାଳୟ କିପରି ଯୋଗାଇ ଦିଆଯିବ ତାହା ମଧ୍ୟ ଜାଣିବା ଦରକାର । ମୋଟ୍ ଉପରେ ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ ନିର୍ମାଣ ସରିଗଲେ ବି ଏହି ଯୋଜନାର କାମ ଜାରୀ ରହିବ ।

 

ଆଗାମୀ ଦିନରେ ଏହି ଭଙ୍ଗା ଗଢ଼ାର ଦୋଳିରେ ବସି ସ୍ୱଚ୍ଛ ଭାରତ ମିଶନର ପ୍ର୍ରତ୍ୟେକ ଲକ୍ଷ୍ୟ ହାସଲ କଲାବେଳେ ସରକାରୀ ଅଧିକାରୀଙ୍କ ସହିତ ସ୍ୱଚ୍ଛାଗ୍ରହୀଙ୍କର ଏକ ପ୍ରମୁଖ ଭୂମିକା ରହିବ । ବୋଧହୁଏ ମୋଦୀ ନିଜ ଦୂରଦୃଷ୍ଟିରୁ ଏକଥା ଭଲଭାବେ ବୁଝି ପାରିଛନ୍ତି ସେଥିପାଇଁ ସ୍ୱଚ୍ଛାଗ୍ରହୀ ହେବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି । ଆଉ ପ୍ରକୃତରେ ଏହି ସ୍ୱଚ୍ଛାଗ୍ରହୀମାନେ ଆଗାମୀ ଦିନରେ ଏହି ଯୋଜନାକୁ କିପରି ଆଗକୁ ନେଉଛନ୍ତି ତାହା ଦେଖିବାର ଅଛି ।

 

ଧବଳଗିରି, ଯାଜପୁର ରୋଡ଼
ମୋ- ୭୯୭୮୬୭୧୭୭୬


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top