ତୁଚ୍ଛା ରାଜନୀତି ସ୍ୱତନ୍ତ୍ର ପାହ୍ୟା

News Story - Posted on 2018-04-12

ଦେବେନ୍ଦ୍ର ପୃଷ୍ଟି

 

ଏହାକୁ କହନ୍ତି ତୁଚ୍ଛା କଥାରେ ରାଜନୀତି । ଓଡ଼ିଶାର ଅଧିକ ଲୋକ ବୋକା ନହେଲେ ଅଚେତନ । ସେଥିପାଇଁ ତୁଚ୍ଛା କଥାରେ ଓଡ଼ିଆ ଭାବାବେଗ ଜାଗ୍ରତ କରି ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ଏହାକୁ ଏକ ଚାଲ୍ ଭାବେ ଖେଳି ଚାଲିଛନ୍ତି ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଥାଟି ହେଉଛି ସ୍ୱତନ୍ତ୍ର ପାହ୍ୟା ମାନ୍ୟତା । ଓଡ଼ିଶା ଏହି ପାହ୍ୟା ପାଇବାକୁ ଯୋଗ୍ୟ ନୁହେଁ । ଏକଥା କ’ଣ ନବୀନବାବୁ ଜାଣି ନାହାନ୍ତି? ଯଦି ଜାଣିଛନ୍ତି ତେବେ ସେ ବାରମ୍ବାର ଏହି ଦାବି କରୁଛନ୍ତି କାହିଁକି? ଲୋକଙ୍କୁ ଅଧିକ ଅଜ୍ଞ କରିବା ପାଇଁ ନୁହେଁ ତ?

 

ଯୋଉ କଥା ଯୋଜନା ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରୀ ଉଷା ଦେବୀ ଜାଣିଛନ୍ତି ସେ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେମିତି ଜାଣି ନାହାନ୍ତି? ଯଦି ଜାଣିଛନ୍ତି ତେବେ ସେ କଥା ନକହି ମିଛୁଟାରେ କାହିଁକି କେନ୍ଦ୍ର ବିରୋଧରେ ଗପୁଛନ୍ତି?

 

ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପାଇବା ପାଇଁ ବହୁ ପୂର୍ବରୁ ମାନକ ସ୍ଥିର କରିଛନ୍ତି କେନ୍ଦ୍ର ସରକାର । ମାନକଗୁଡ଼ିକ ହେଲା (୧) ପାର୍ବତ୍ୟ ଓ ଅପହଂଚ ରାଜ୍ୟ, (୨) ରାଜ୍ୟ ଜନସଂଖ୍ୟାରେ ଆଦିବାସୀଙ୍କ ଅନୁପାତ ଅଧିକ, (୩) ପଡ଼ୋଶୀ ଦେଶ ସହିତ ସୀମା, (୪) ଆର୍ଥନୀତିକ ଓ ଭିତ୍ତିଭୂମି ଦୃଷ୍ଟିରୁ ପଛୁଆ ଏବଂ (୫) ଆର୍ଥନୀତିକ ଦେବାଳିଆ ଅବସ୍ଥା ।

 

ଏହି ପାଂଚୋଟି ଯୋଗ୍ୟତା ଥିଲେ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦେବା ପାଇଁ କେନ୍ଦ୍ର ସରକାର ବିଚାର କରିପାରନ୍ତି । ଏହି ସର୍ତ୍ତ ବା ଯୋଗ୍ୟତାଗୁଡ଼ିକ ଜାତୀୟ ବିକାଶ ପରିଷଦ ତରଫରୁ କାହିଁ କେତେ ବର୍ଷ ତଳୁ ଧାର୍ଯ୍ୟ ହୋଇଛି । ନବୀନବାବୁ ମୁଖ୍ୟମନ୍ତ୍ରୀ ହେବାର ବହୁ ପୂର୍ବରୁ ଏହି ସର୍ତ୍ତ ରହିଛି ।

 

ଏସବୁ ସର୍ତ୍ତ ମଧ୍ୟରୁ ଓଡ଼ିଶା ମାତ୍ର ଗୋଟିଏ ସର୍ତ୍ତ ପୂରଣ କରୁଛି । ଯଦିଓ ଏପ୍ରିଲ ୧୨ ତାରିଖ ଦିନ ରାଜ୍ୟର ଯୋଜନା ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରୀ ଉଷା ଦେବୀ ବିଧାନସଭାରେ କହିଛନ୍ତି ଯେ ଓଡ଼ିଶା ଦୁଇଟି ସର୍ତ୍ତ ପୂରଣ କରୁ ନାହିଁ । କଂଗ୍ରେସ ବିଧାୟକ କୈଳାସ କୁଳେସିକାଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଓଡ଼ିଶାର ଅନ୍ତର୍ଜାତୀୟ ସୀମା ନାହିଁ କି ଏହାର ଅର୍ଥନୀତି ଦେବାଳିଆ ହୋଇଯାଇ ନାହିଁ । ତେବେ, ବାସ୍ତବରେ ଅନୁଶୀଳନ କଲେ ଓଡ଼ିଶା ପ୍ରତି ପ୍ରଥମ ସର୍ତ୍ତ ପାର୍ବତ୍ୟ ଓ ଅପହଂଚ ଅଂଚଳ ଏବଂ ଚତୁର୍ଥ ସର୍ତ୍ତ ଆର୍ଥନୀତିକ ଓ ଭିତ୍ତିଭୂମି ଦୃଷ୍ଟିରୁ ଅନୁନ୍ନତ ଅବସ୍ଥା ପ୍ରଯୁଜ୍ୟ ନୁହେଁ । ଓଡ଼ିଶାର ଆଦିବାସୀ ସଂଖ୍ୟା ଅଧିକ- ରାଜ୍ୟ ଜନସଂଖ୍ୟାର ୨୨ ପ୍ରତିଶତ ହେଲେ ଆଦିବାସୀ । ତେବେ କେବଳ ଏଇ ସର୍ତ୍ତକୁ ବିଚାର କରି କ’ଣ କେନ୍ଦ୍ର ସରକାର ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରିବେ?

 

ଓଡ଼ିଶାରେ ଆଦିବାସୀ ଅଧିକ ଅଛନ୍ତି ବୋଲି ତ ଏହି ରାଜ୍ୟର ଅଧେ ଅଂଚଳ ପ୍ରତି କେନ୍ଦ୍ର ସରକାରଙ୍କ ପେସା ବା ପଂଚାୟତିରାଜ ଏକ୍ସଟେନସନ ଇନ ସିଡିଲ ଏରିଆ ବା ତଫସିଲଭୁକ୍ତ ଅଂଚଳରେ ପଂଚାୟତିରାଜ ସଂପ୍ରସାରଣ ଆଇନ ଲାଗୁ ହେବା କଥା । ଓଡ଼ିଶା ସରକାର ଏହି ଆଇନକୁ ଏଯାଏଁ ପୂର୍ଣ୍ଣ ରୂପେ ଲାଗୁ କରି ନାହାନ୍ତି । ଓଲଟି ଏହି ଆଇନ ଉଲ୍ଲଙ୍ଘନ କରି ରାଜ୍ୟ ସରକାର ନିୟମଗିରି ପାହାଡ଼କୁ ବେଦାନ୍ତ ହାତରେ ଟେକି ଦେବା ପାଇଁ କେତେ ନାହି କେତେ ଅପକୌଶଳ କରିଛନ୍ତି । ଶେଷରେ ସୁପ୍ରିମ କୋର୍ଟଙ୍କ ବାରମ୍ବାର ପ୍ରତ୍ୟାଖ୍ୟାନ ପରେ ସରକାର ଏନେଇ କିଛି ମାସ ହେଲା ଚୁପ ବସିଛନ୍ତି । ନହେଲେ ପେସା ଆଇନକୁ ଡିନାମାଇଟ ବିସ୍ଫୋରଣରେ ଉଡ଼େଇ ଦେଇ ନବୀନବାବୁଙ୍କ ସରକାର ନିୟମଗିରିକୁ କେଉଁ କାଳୁ ବେଦାନ୍ତ ହାତରେ ଟେକି ଦେଇ ସାରିନ୍ତେଣି ।

 

ପେସା ଆଇନ ଅନୁସାରେ ତଫସିଲଭୁକ୍ତ ଅଂଚଳରେ ଜମି, ଜଳ, ଜଙ୍ଗଲ, ଜଙ୍ଗଲଜାତ ଦ୍ରବ୍ୟ, ପ୍ରାକୃତିକ ସଂପଦ ଆଦି ପ୍ରାୟ ସମସ୍ତ କ୍ଷେତ୍ରରେ ଆଦିବାସୀମାନଙ୍କର ସମ୍ମତି ବିନା ସରକାର କିଛି କରିପାରିବେ ନାହିଁ । ସରକାର ଯଦି ବି ଏହି ଅଂଚଳରେ କିଛି ତଥାକଥିତ ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିବାକୁ ଚାହାନ୍ତି ତେବେ ସେଥିପାଇଁ ଆଦିବାସୀ ଗ୍ରାମସଭାର ଆଗୁଆ ଅନୁମତି ଦରକାର । ସେମାନଙ୍କ ବିନାନୁମତିରେ ସରକାର ଜମି ଅଧିଗ୍ରହଣ କରିପାରିବେ ନାହିଁ, ଖଣି ଖୋଳି ପାରିବେ ନାହିଁ, ଜଙ୍ଗଲ ଲିଜ୍ ଦେଇପାରିବେ ନାହିଁ, ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ, ପରିବହନ ଓ ବିପଣନ କରିପାରିବେ ନାହିଁ । ଏହି ଆଇନ ଅନୁସାରେ ଆଦିବାସୀଙ୍କ ସାମାଜିକ, ସାଂସ୍କୃତି ଓ ଧାର୍ମିକ ଅଧିକାର କ୍ଷୁଣ୍ଣ କଲା ଭଳି କୌଣସି କାର୍ଯ୍ୟ ସରକାର କରିପାରିବେ ନାହିଁ । ଏହିପରି ଅନେକ ବିଷୟରେ ନିଷ୍ପତ୍ତି ଗ୍ରହଣ କରିବାପକୁ ଆଦିବାସୀଙ୍କର ପୂର୍ଣ୍ଣ ଅଧିକାର ଓ କ୍ଷମତା ରହିଛି । ନବୀନବାବୁଙ୍କ ସରକାର ଓଡ଼ିଶାର ଆଦିବାସୀ ଅଂଚଳରେ ଏହି ଆଇନକୁ ମାନି ବାଟ ଚାଲୁଛନ୍ତି ତ?

 

କଳାହାଣ୍ଡିର ଲାଞ୍ଜିଗଡ଼ରେ କ’ଣ ଆଦିବାସୀଙ୍କୁ ପଚାରିକି ବେଦାନ୍ତ କାରଖାନା ହୋଇଛି? କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଆଦିବାସୀଙ୍କୁ ପଚାରିକି କ’ଣ ଖଣି ପଟ୍ଟା ପ୍ରଦାନ କରାଯାଇଛି? ରାୟଗଡ଼ା କାଶୀପୁରରେ କ’ଣ ଆଦିବାସୀଙ୍କ ଅନୁମତି ନେଇ ଉକ୍ରଳ ଆଲୁମିନା କାରଖାନା ଖୋଲିଛି? ଏମିତି ଅନେକ ପ୍ରଶ୍ନ ଅଛି । ଆଦିବାସୀଙ୍କୁ ପଚାରିବେ କ’ଣ ଓଲଟି ସେମାନେ ଅଧିକାର ମାଗିବାରୁ କଳିଙ୍ଗନଗର ଓ ମାଇକଂଚ ଆଦି ସ୍ଥାନରେ ସେମାନଙ୍କୁ ଗୁଳିକରି ହତ୍ୟା କରାଯାଇଛି ।

 

ତେବେ, କାହା ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି କରୁଛନ୍ତି ସରକାର? ନେତା, ବାବୁ ଓ ଠିକାଦାରମାନଙ୍କ ପାଇଁ? ଏ ପାହ୍ୟା ପାଇଲେ କେନ୍ଦ୍ରରୁ ଅଧିକ ଅନୁଦାନ ଆସିବ, ଆଉ ତାକୁ ଏଠି ବିକାଶ ଆଳରେ ହଡ଼ପ କରାଯିବ?

 

ନବୀନବାବୁଙ୍କୁ ତ ବିକାଶ ପୁରୁଷ କୁହାଯାଉଛି । ତାଙ୍କ ଶାସନରେ ଓଡ଼ିଶାବାସୀ କାଳେ ଘିଅମହୁରେ ଭାସିଲେଣି! ଅବଶ୍ୟ ଟଙ୍କିକିଆ ଚାଉଳ ଓ ଆହାର କେନ୍ଦ୍ରର ଭାତଡାଲମାରେ କେତେ ଗୁଆଘିଅ ମିଶିଛି ତାହା ଖାଇଲାବାଲା ଜାଣିଥିବେ । ନହେଲେ ରାଜ୍ୟ ଫୋରେନ୍ସିକ ଲାବୋରେଟୋରିରେ ପରୀକ୍ଷା ହେଲେ ସେଥିରେ ଘିଅ ଦାଗ ଲାଗିଛି କି ତେଲ ଦାଗ ତାହା ଠଉରେଇ ହୁଅନ୍ତା! ସେମିତି ସରକାର ତ ଟିକେ ଟିକେ କଥାରେ କହୁଛନ୍ତି ନବୀନ ଶାସନରେ ଓଡ଼ିଶା ଆର୍ଥିକ ସଂକଟରୁ ଉଦ୍ଧାର ପାଇଯାଇଛି । ୟାଙ୍କ ଅମଳରେ ମୁଣ୍ଡ ପିଛା ଆୟ ବଢ଼ିଛି, ଚାଷୀଙ୍କ ଆୟ ଦୁଇ ଗୁଣ ହୋଇଛି, ରାଜ୍ୟରେ ପ୍ରତି ବର୍ଷ ବଳକା ବଜେଟ ହେଉଛି, ଜିଏସଡିପି ବଢ଼ିଛି, କର୍ମଚାରୀମାନେ ଠିକ ସମୟରେ ଦରମା ଓ ଭତ୍ତା ପାଉଛନ୍ତି-ଏମିତି କେତେ ସ୍ୱର୍ଣ୍ଣିମ ଚିତ୍ରର ଅବତାରଣା କରାଯାଉଛି ।

 

ତେବେ ପୁଣି ସ୍ୱତନ୍ତ୍ର ପାହ୍ୟା ଦାବି କାହିଁକି? ତୋର ଦେଖି ମୋର ଡେଇଁଲା ଡାହାଣ ଆଖି! ତାଙ୍କୁ ଦେବ ତ ଆମକୁ ଦେବ! ତାଙ୍କୁ ଦେଲ ତ ଆମକୁ ଦିଅ! ଭଲା କଥା! ତାଙ୍କର ଗୋଡ଼ କଟିଯାଇଛି ବୋଲି ଆଶାବାଡ଼ି ଧରିବେ । ଆମ ଗୋଡ଼ ଠିକ ଥିଲେ ବି କ’ଣ ଆମେ ଆଶାବାଡ଼ି ଧରି ଚାଲିବୁ?

 

ଓଡ଼ିଶା ପାଇଁ ସରକାର ଯଦି ଚିନ୍ତା କରୁଛନ୍ତି ତେବେ ସ୍ୱତନ୍ତ୍ର ପ୍ରକଳ୍ପ ବା ସ୍ୱତନ୍ତ୍ର ଯୋଜନା ମାଗୁ ନାହାନ୍ତି? ବିଜୁବାବୁ କେବିକେ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲେ ଓ କେନ୍ଦ୍ରରୁ ଆଣିଥିଲେ ବି । ୟାଙ୍କ ସମୟରେ ତାହା ବନ୍ଦ ହୋଇଗଲା । କାରଣ କେବିକେ ଅଂଚଳରେ ସ୍ୱତନ୍ତ୍ର ଭାବେ ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ସତ୍ତେ୍ୱ ଅବସ୍ଥାରେ କିଛି ପରିବର୍ତ୍ତନ ହେଲା ନାହିଁ । ଆଦିବାସୀମାନେ ଯେଉଁ ତିମିରେକୁ ସେଇ ତିମିରେ ।

 

ଆନ୍ଧ୍ରର ପୋଲାଭରମକୁ କେନ୍ଦ୍ର ସରକାର ଜାତୀୟ ପ୍ରକଳ୍ପ ମାନ୍ୟତା ଦେଲେ । ନବୀନ ସରକାର ଓଡ଼ିଶା ପାଇଁ ସେମିତି ଗୋଟେ ପ୍ରକଳ୍ପ କଥା ଚିନ୍ତା କଲେଣି କି? ତା’ ନକରି ତାଙ୍କ ପ୍ରକଳ୍ପ ବନ୍ଦ କରିବାକୁ ଦାବି କରିବା କି ପ୍ରକାର ବୁଦ୍ଧି? ମହାନଦୀ ଉପରେ ଗୋଟେ ବଡ଼ ଧରଣର ଜାତୀୟ ପ୍ରକଳ୍ପ ହେଲେ କ’ଣ ଓଡ଼ିଶାର ଚାଷୀ ଜଳ ପାଇବେନି? ସହରବାସୀ ପାଣି ପାଇବେନି? ତା’ ନକରି ତୁଚ୍ଚାଟାରେ ଛତିଶଗଡ଼ ଆମ ପାଣି ନେଇଗଲା ବୋଲି ଚିକ୍ରାର କଲେ କ’ଣ ହେବ? ଆମ ପାଣିକୁ ତ ଆମେ ରଖିପାରୁନୁ, ସମୁଦ୍ରକୁ ଛାଡ଼ି ଦଉଛୁ । ଯାହା କିଛି ପାଣି ଆସୁଛି ତା’କୁ ଶିଳ୍ପ, ବନ୍ଦର ଓ ସହରକୁ ଦେଇ ଜଳକର ଆଦାୟ କରୁନୁ । ଜୀବନରେଖା ବୋଲି ଚିଲ୍ଲେଇବାର ମତଲବ କ’ଣ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top