ବିିମାନ ଧ୍ୱଂସ, ୨୫୭ ମୃତ

News Story - Posted on 2018-04-11

ଆଲଜେରିଆ ରାଜଧାନୀ ଆଲଜିଅର୍ସ ନିକଟରେ ଏକ ସାମରିକ ବିମାନ ଖସିପଡ଼ିବା ଫଳରେ ଅନ୍ୟୁନ ୨୫୭ ଜଣଙ୍କର ପ୍ରାଣହାନୀ ଘଟିଛି । ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ଆଲଜେରିଆର ସାମରିକ କର୍ମଚାରୀ ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରୁ କେତେ ଜଣ ବର୍ତ୍ତି ଯାଇଛନ୍ତି ସେନେଇ କିଛି ସୂଚନା ଜାରି ହୋଇନାହିଁ । ତେବେ କେତେ ଜଣ ଆହତଙ୍କୁ ସାମରିକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ବୋଲି ଆଲଜେରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ।

 

ଆଲଜେରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଆଲଜିଅର୍ସର ଦକ୍ଷିଣପଶ୍ଚିମରେ ଥିôବା ବୋଉଫାରିକ ବିମାନ ବନ୍ଦର ନିକଟସ୍ଥ ଏକ ପଡ଼ିଆରେ ବିମାନଟି ଖସି ପଡ଼ି ଧ୍ୱଂସ ପାଇଯାଇଛି । ଏଥିରେ ସାମରିକ କର୍ମଚାରୀମାନେ ପଶ୍ଚିମ ସାହାରା ସୀମାନ୍ତରେ ଥିବା ଆଲଜେରିଆର ଟିଣ୍ଡୋଫକୁ ଯାଉଥିଲେ । କିନ୍ତୁ ବିମାନଟି ବୋଉଫାରିକ ବିମାନ ବନ୍ଦର ନିକଟରେ ଖସି ପଡ଼ି ଜଳି ଯାଇଛି । ବିମାନଟି ରୁଷିଆ ନିର୍ମିତ ଇଲୁସିନ ପରିବହନ ବିମାନ ବୋଲି ଆଲଜେରିଆର କେତେକ ଟିଭି ଚାନେଲରେ ଚିହ୍ନଟ ହୋଇଛି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅନେକ ସାମରିକ କର୍ମଚାରୀଙ୍କ ପରିବାର ସଦସ୍ୟ ଥିôବା ମଧ୍ୟ ଜଣାପଡ଼ିଛି ।

 

ଦୁର୍ଘଟଣାର ଖବର ପାଇ ତୁରନ୍ତ ସେଠାରେ ଆମ୍ବୁଲାନ୍ସ, ଦମକଳ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ପହଂଚିଥିଲେ । ବିମାନର ନିଆଁ ଲିଭାଇ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି । ଅଳ୍ପ କେତେ ଜଣ ଆହତଙ୍କୁ ଜୀବିତାବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ସାମରିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଟିଣ୍ଡୋଫରେ ପଶ୍ଚିମ ସାହାରରୁ ପଳାଇ ଆସିଥିବା ଅନେକ ଶରଣାର୍ଥୀ ବସବାସ କରୁଛନ୍ତି । ଆଲଜେରିଆର ଶାସକ ଏଫଏଲଏନ ପାର୍ଟିର ଜଣେ ମୁଖପାତ୍ର କହିଛନ୍ତି ଯେ ମୃତ ଲୋକଙ୍କ ମଧ୍ୟରେ ପୋଲିସାରିଓର ୨୦ ଜଣ ସମର୍ଥକ ଅଛନ୍ତି । ପଶ୍ଚିମ ସାହାରାର ସ୍ୱାଧୀନତା ପାଇଁ ଲଢ଼େଇ କରୁଥିôବା ଏକ ସଂଗଠନ ହେଉଛି ପୋଲିସାରିଓ । ଏହି ସଂଗଠନକୁ ଆଲଜେରିଆ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ପଶ୍ଚିମ ସାହାରା ଉପରେ ମରକ୍କୋ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି । ଟିଣ୍ଡୋଫରେ ଯେଉଁ ଶରଣାର୍ଥୀମାନେ ବସବାସ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲେ ପୋଲିସାରିଓ ସମର୍ଥକ ।

 

ପଶ୍ଚିମ ସାହାରା ଏକଦା ସ୍ପେନର ଶାସନାଧୀନ ଥିଲା । କିନ୍ତୁ ୧୯୭୫ ମସିହାରେ ସ୍ପେନ ଶାସନ ଛାଡ଼ି ପଳାଇବା ପରେ ଏହାକୁ ମରକ୍କୋ ମାଡ଼ି ବସିଥିଲା । କିନ୍ତୁ ପୋଲିସାରିଓ ସମର୍ଥକମାନେ ପଶ୍ଚିମ ସାହାରାର ସ୍ୱାଧୀନତା ଘୋଷଣା କରି ସ୍ୱତନ୍ତ୍ର ଭାବେ ସାହାରାବି ଆରବ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ପ୍ରତିଷ୍ଠା କରିଥିଲେ । ସେହିଦିନଠାରୁ ମରକ୍କୋ ଓ ପୋଲିସାରିଓ ମଧ୍ୟରେ ଲଢ଼େଇ ଅବ୍ୟାହତ ରହିଛି । ଏହି ଲଢ଼େଇର ଅବସାନ ପାଇଁ ମିଳିତ ଜାତିସଂଘ ତରଫରୁ ଅନେକ ବାର ଉଦ୍ୟମ ହୋଇଥିଲେ ମଧ୍ୟ କୌଣସି ସଫଳତା ମିଳିନାହିଁ ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୪ ଜୁଲାଇ ମାସରେ ବୁର୍କିନା ଫାସୋରୁ ଆଲଜିଅର୍ସ ଆସୁଥିôବା ଏଆର ଆଲଜିଅର୍ସର ଏକ ବିମାନ ଉତ୍ତର ମାଲିରେ ଖସିପଡ଼ି ଧ୍ୱଂସ ପାଇବା କାରଣରୁ ୧୧୬ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହି ବର୍ଷ ଫେବୃଆରୀ ମାସରେ ପୂର୍ବ ଆଲଜେରିଆର ପାର୍ବତ୍ୟାଂଚଳରେ ଆଲଜେରିଆ ବାୟୁସେନାର ଏକ ବିମାନ ଧ୍ୱଂସ ପାଇବା ଫଳରେ ୭୭ ଜଣଙ୍କର ମୃତ୍ୟୁ ହୋଇଥିଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top