ବିଧାନସଭା କ’ଣ ମୋଦିଙ୍କ ଅଫିସ?

News Story - Posted on 2018-04-11

ଓଡ଼ିଶା ବିଧାନସଭା କ’ଣ ପ୍ରଧାନମନ୍ତ୍ରୀଙ୍କ ଅଫିସ ନା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ? ମହାନଦୀ ନେଇ ଓଡ଼ିଶାର ହକ୍ ହାସଲ କରିବାକୁ ବିଜେଡି ବିଧାୟକ ଓ ସାଂସଦମାନେ ସେଠି ଆନ୍ଦୋଳନ ନକରି ରାଜ୍ୟ ବିଧାନସଭାକୁ ଅଚଳ କରି କି ସ୍ୱାର୍ଥ ହାସଲ କରିବାକୁ ଚାହୁଁଛନ୍ତି? ନିଜ ଲୋକଙ୍କ ବିରୋଧରେ ଲଢ଼େଇ କରି କେନ୍ଦ୍ର ଓ ଛତିଶଗଡ଼ରୁ କି ସ୍ୱାର୍ଥ ହାସଲ କରିବ ବିଜେଡି?

 

ମହାନଦୀ ପ୍ରସଙ୍ଗରେ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ସମସ୍ତ ଅଭିଯୋଗ ହେଉଛି କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାର ବିରୋଧରେ । ବିଜେଡି ନେତାମାନଙ୍କ ମତରେ ଛତିଶଗଡ଼ ଓଡ଼ିଶା ଭାଗର ମହାନଦୀ ଜଳ ହଡ଼ପ କରୁଛି ଏବଂ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରୁ ନାହିଁ । ତେଣୁ, ରାଜ୍ୟର ଦାବି ହାସଲ ପାଇଁ ବିଜେଡି ନେତାମାନେ ଏହି ପ୍ରସଙ୍ଗରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ଜଳସଂପଦ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେବା କଥା । କିନ୍ତୁ ସେମାନେ ତାହା ନକରି ଓଡ଼ିଶାବାସୀଙ୍କ ସମସ୍ୟାର ଆଲୋଚନା ପାଇଁ ବସିଥିବା ବିଧାନସଭା ଅଧିବେଶନକୁ ଭଣ୍ଡୁର କରୁଛନ୍ତି ।

 

ଓଡ଼ିଶାର ବିଜେଡି ବିଧାୟକମାନେ ସଂଖ୍ୟାରେ ଆଦୌ କମ୍ ନୁହନ୍ତି । ବିଧାନସଭାର ୧୪୭ରୁ ୧୧୮ ଆସନ ଏହି ଦଳର କବ୍ଚାରେ । ୨୦୦୦ ମସିହାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ କେନ୍ଦ୍ର ଅବହେଳା ତାଙ୍କ ଦଳର ଏକ ସ୍ଲୋଗାନ ହୋଇଯାଇଛି । ତାଙ୍କ ସରକାର ମଧ୍ୟ ସେହି ସ୍ଲୋଗାନ ଦେଉଛି । ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ହେଉ ତ ଧାନର ସହାୟକ ମୂଲ୍ୟ ବୃଦ୍ଧି, କୋଇଲା ରାଜଭାଗ ହେଉ ତ ମହାନଦୀ ଜଳ ବଣ୍ଟନ ପ୍ରସଙ୍ଗ, ପ୍ରତ୍ୟେକ କଥାରେ ବିଜେଡି ନେତାମାନେ ସବୁବେଳେ କେନ୍ଦ୍ର ସରକାର ଉପରେ ଦୋଷ ଢାଳିଥାନ୍ତି । ଦୀର୍ଘ ୧୮ ବର୍ଷ ହେଲା ଏମିତି ଦୋଷ ଲଦିବା ବିଜେଡିର ଏକ ରାଜନୀତିକ କୌଶଳ ହୋଇଯାଇଛି । କିନ୍ତୁ କେବେ ବି ଏସବୁ ଦାବିରେ ଦଳର ନେତାମାନେ ଦିଲ୍ଲୀରେ ଯାଇଁ ପ୍ରଧାନମନ୍ତ୍ରୀଙ୍କ ଘର ବା ଦପ୍ତର ଆଗରେ ଧାରଣା ଦେଇନାହାନ୍ତି କି ସଂସଦରେ ଅଚଳାବସ୍ଥା ସୃଷ୍ଟି କରି ନାହାନ୍ତି । ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ ମଧ୍ୟ ବିଜେଡି ସାଂସଦମାନେ କେବେ ସଂସଦରୁ ଇସ୍ତଫା ଦେଇନାହାନ୍ତି କି ସେପରି ଧମକ୍ ବି ଦେଇନାହାନ୍ତି । ଏଇ ନିକଟରେ ଆନ୍ଧ୍ରର ୱାଇଏସଆର କଂଗ୍ରେସର ସାଂସଦମାନେ ସେହି ରାଜ୍ୟ ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି କରି ସଂସଦରୁ ସମୂହେ ଇସ୍ତଫା ଦେଇଛନ୍ତି । ଏଥିରୁ ସେମାନଙ୍କର ରାଜ୍ୟପ୍ରୀତି ବେଶ ସ୍ପଷ୍ଟ ।

 

ଅଥଚ ବିଜେଡି ସାଂସଦ ଓ ବିଧାୟକମାନେ ଖାଲି କେନ୍ଦ୍ର ଅବହେଳା କଥା ଉଠାଉଥିଲେ ମଧ୍ୟ କେବେ ବ୍ୟକ୍ତିଗତ ସ୍ୱାର୍ଥତ୍ୟାଗ କରିବାକୁ ପ୍ରସ୍ତୁତ ନାହାନ୍ତି । ଏମାନଙ୍କର ଭୂମିକା କେବଳ ଗଣମାଧ୍ୟମ ଆଗରେ ଅଭିଯୋଗରେ ସୀମୀତ ରହିଯାଇଛି । ଏପରି କୌଶଳ ପ୍ରଚାର ପାଇଁ ଉଦ୍ଦିଷ୍ଟ, ରାଜ୍ୟ ସ୍ୱାର୍ଥ ପାଇଁ ନୁହେଁ ।

 

ମହାନଦୀ ପ୍ରସଙ୍ଗରେ ବିଜେଡିର ଦାବି ଥିଲା ଟ୍ରିବ୍ୟୁନାଲ । ବିଳମ୍ବରେ ହେଲେ ମଧ୍ୟ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ମହାନଦୀ ଟ୍ରିବ୍ୟୁନାଲ ଗଠନ କରିଛନ୍ତି । ଏବେ ରାଜ୍ୟ ସରକାର ବଳିଷ୍ଠ ତଥ୍ୟ ପ୍ରମାଣ ସହକାରେ ଟ୍ରିବ୍ୟୁନାଲରେ ମାମଲା ଲଢ଼ିବା କଥା । ଖଣି ଓ ଚିଟ ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତକୁ ବିରୋଧ କରିବା ପାଇଁ ରାଜ୍ୟ ସରକାର ଯେପରି ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ନାମୀଦାମୀ ଓକିଲ ନିଯୁକ୍ତ କରିଥିଲେ ସେହିପରି ମହାନଦୀ ପ୍ରସଙ୍ଗରେ ବରିଷ୍ଠ ଓ ବଳିଷ୍ଠ ଓକିଲ ଦେଇ ଛତିଶଗଡ଼ ଓ କେନ୍ଦ୍ର ସରକାରଠାରୁ ଓଡ଼ିଶାର ଜଳ ଛଡ଼େଇ ଆଣିବା କଥା ।

 

ମାତ୍ର, ସେମାନେ ତାହା ନକରି ଓଡ଼ିଶା ବିଧାନସଭାକୁ ଅଚଳ କରୁଛନ୍ତି । ବିଜେଡିର କ’ଣ ମହାନଦୀ ଟ୍ରିବ୍ୟୁନାଲ ଉପରେ ଭରସା ନାହିଁ? ଯଦି ନାହିଁ, ତେବେ ସେମିତି ଦାବି କରୁଥିଲେ କାହିଁକି ରାଜ୍ୟ ସରକାର? ଏଥିରେ କାହାର ଲାଭ ଆଉ କାହାର କ୍ଷତି ହେଉଛି? ଯେକୌଣସି ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ବିରୋଧୀ ଦଳ ହୋହାଲ୍ଲା କଲେ ବିଜେଡି ନେତାମାନେ ସେମାନଙ୍କୁ ସମାଲୋଚନା କରି କହିଥାନ୍ତି କୋଟିକୋଟି ଜନତା ବିଧାନସଭାରେ ସେମାନଙ୍କର ସମସ୍ୟା ଆଲୋଚନା ହେବ ବୋଲି ଅପେକ୍ଷା କରି ରହିଥାନ୍ତି । କିନ୍ତୁ ବିରୋଧୀ ଦଳ ବିଧାନସଭା ଚଳେଇ ଦେଉନାହାନ୍ତି । ଏବେ ସେମାନେ ବିଧାନସଭା ଅଚଳ କରିବା ସମୟରେ କି ଯୁକ୍ତି ରଖିବେ? ଏଥିରେ ରାଜ୍ୟର ଜନତା କାହାକୁ ଦୋଷ ଦେବେ?

 

ବିଧାନସଭା ଅଚଳ କଲେ କ’ଣ ଛତିଶଗଡ଼ କଲମା ବ୍ୟାରେଜର ଗେଟ୍ ଖୋଲିଦେବ ନା ନିର୍ମାଣ କାମ ବନ୍ଦ କରିଦେବ? ଟ୍ରିବ୍ୟୁନାଲ ପାଇଁ ଯେମିତି ସରକାର ସୁପ୍ରିମ କୋର୍ଟ ଯାଇଥିଲେ ସେହିପରି ନିର୍ମାଣ ବନ୍ଦ କରିବାକୁ ଓ ଗେଟ୍ ଖୋଲିବାକୁ ସୁପ୍ରିମ କୋର୍ଟ ଯାଉ ନାହାନ୍ତି?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top