ବିଜେପିର ୮୧% ଆୟବୃଦ୍ଧି

News Story - Posted on 2018-04-10

କ୍ଷମତା ପାଇବା ପରେ ବିଜେପିର ଆୟ ପରିମାଣ ଅସ୍ୱାଭାବିକ ହାରରେ ବୃଦ୍ଧି ପାଇଛି । ୨୦୧୫-୧୬ରୁ ୨୦୧୬-୧୭ ମଧ୍ୟରେ ଦଳର ଆୟ ୮୧.୧୮ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଆୟ ୧୪ ପ୍ରତିଶତ ହ୍ରାସ ପାଇଛି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ତରଫରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି ।

 

ରାଜନୀତିକ ଓ ନିର୍ବାଚନ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ଏଡିଆର ରିପୋର୍ଟ ଅନୁସାରେ ୨୦୧୬-୧୭ ବର୍ଷରେ ବିଜେପି ମୋଯ ୧,୦୩୪.୨୭ କୋଟି ଟଙ୍କାର ଆୟ କରିଛି । ରାଜନୀତିକ ଦଳଗୁଡ଼ିକର ଆୟ କହିଲେ ଚାନ୍ଦା । ୨୦୧୫-୧୬ ବର୍ଷ ତୁଳନାରେ ବିଜେପି ଆୟରେ ୪୬୩.୪୧ କୋଟି ଟଙ୍କାର ବୃଦ୍ଧି ଘଟିଛି । ସେହିପରି ୨୦୧୬-୧୭ ବର୍ଷରେ ଦଳ ୭୧୦.୦୫୭ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ନିର୍ବାଚନ କମିଶନଙ୍କୁ ରିପୋର୍ଟ କରିଛି । ଏହି ବର୍ଷ କଂଗ୍ରେସ ଖର୍ଚ୍ଚ କରିଛି ୩୨୧.୬୬ କୋଟି ଟଙ୍କା । କିନ୍ତୁ ଏହି ବର୍ଷ କଂଗ୍ରେସର ଆୟଠାରୁ ବ୍ୟୟ ୯୬.୩୦ କୋଟି ଟଙ୍କା ଅଧିକ ଥିଲା ।

 

ଏଡିଆର ରିପୋର୍ଟ ଅନୁସାରେ ୨୦୧୬-୧୭ ବର୍ଷରେ ଦେଶର ପ୍ରମୁଖ ୭ଟି ଜାତୀୟ ସ୍ତରର ଦଳ ମୋଟ ଉପରେ ୧,୫୫୯.୧୭ କୋଟି ଟଙ୍କାର ଚାନ୍ଦା ସଂଗ୍ରହ କରିଛନ୍ତି । ଏହି ବର୍ଷ ସେମାନଙ୍କର ଖର୍ଚ୍ଚ ପରିମାଣ ହେଉଛି ମୋଟ ଉପରେ ୧,୨୨୮.୨୬ କୋଟି ଟଙ୍କା । ଏହି ଦଳଗୁଡ଼ିକର ଆୟର ୭୪.୯୮ ପ୍ରତିଶତ ହେଉଛି ସ୍ୱେଚ୍ଛାକୃତ ଦାନ । ଦାନ ବା ଚାନ୍ଦା ହିଁ ଦଳଗୁଡ଼ିକର ଆୟର ମୁଖ୍ୟ ସୂତ୍ର । ଦେଶର ୭ଟି ମୁଖ୍ୟ ଜାତୀୟ ଦଳ ହେଲେ ଭାରତୀୟ ଜନତା ପାର୍ଟି, କଂଗ୍ରେସ, ବହୁଜନ ସମାଜ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସିପିଏମ, ସିପିଆଇ ଓ ତୃଣମୂଳ କଂଗ୍ରେସ ।

 

ତେବେ ଏଡିଆର କହିଛି ଯେ ରାଜନୀତିକ ଦଳଗୁଡ଼ିକର ଆୟ ସୂତ୍ର ନେଇ ଏଣିକି ଅନେକ ତଥ୍ୟ ମିଳିବ ନାହିଁ । କାରଣ ଗତ ମାସରେ ସଂସଦରେ ଗୃହୀତ ହୋଇଥିବା ଏକ ସଂକଳ୍ପ ଅନୁସାରେ ରାଜନୀତିକ ଦଳଗୁଡ଼ିକ ୧୯୭୬ ମସିହାରୁ ଏ ପର୍ଯ୍ୟନ୍ତ ବିଦେଶୀ ସୂତ୍ରରୁ ଯେତେ ଟଙ୍କାର ଚାନ୍ଦା ପାଇଛନ୍ତି ତାହା ପ୍ରଘଟ କରିବେ ନାହିଁ । ସେହିପରି ୨୦୧୮ ଅର୍ଥ ବିଲ୍ ରେ ୨୧ଟି ସଂଶୋଧନ ପ୍ରସ୍ତାବ ଲୋକସଭାରେ ଗୃହୀତ ହୋଇଛି । ଏହା ମଧ୍ୟରେ ବିଦେଶୀ ଚାନ୍ଦା ନିୟନ୍ତ୍ରଣ ଆଇନ ୨୦୧୦ ମଧ୍ୟ ଅନ୍ତର୍ଭୁକ୍ତ । ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ବିଦେଶୀ କମ୍ପାନୀଗୁଡ଼ିକ ଭାରତର ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଦେଇପାରିବେ ନାହିଁ । କିନ୍ତୁ ଏଥିରେ ହୋଇଥିôବା ସଂଶୋଧନ ଅନୁସାରେ ଯଦି କୌଣସି ଦଳ ବିଦେଶୀ ସୂତ୍ରରୁ ଚାନ୍ଦା ଗ୍ରହଣ କରିଛନ୍ତି ତାହା ଆଉ ପ୍ରଘଟ କରିବେ ନାହିଁ । ଅର୍ଥାତ ସେମାନଙ୍କର ବିଦେଶୀ ଚାନ୍ଦା ଗ୍ରହଣ ଆଉ ବେଆଇନ ବିବେଚିତ ହେବ ନାହିଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top