ବିପଦରେ ବାଲୁଖଣ୍ଡ ବନ୍ୟପ୍ରାଣୀ

News Story - Posted on 2018-04-10

ପୁରୀ ଜିଲ୍ଲାର କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଝାଉଁ ଓ କାଜୁ ଜଙ୍ଗଲ ପରିବେଷ୍ଟିତ। ଗତ ୧୯୯୯ ମସିହା ମହାବାତ୍ୟା ଓ ୨୦୧୩ରେ ହୋଇଥିବା ଫାଇଲିନରେ ଏହି ବାଲୁଖଣ୍ଡ ଅଭୟାରଣ୍ୟରେ ବ୍ୟାପକ ଝାଉଁ ଓ କାଜୁ ଜଙ୍ଗଲ ଧ୍ୱଂସ ହୋଇଥିଲା। ଦୁଇ ମହାବିପତ୍ତିର ସମ୍ମୁଖୀନ ହୋଇ ବର୍ତ୍ତି ଯାଇଥିବା ଗଛଗୁଡିକ ଏବେ ମନୁଷ୍ୟକୃତ ଧ୍ୱଂସାଭିମୁଖି ହେବାରେ ଲାଗିଥିବାବେଳେ ଅବାଧରେ ବନ୍ୟପ୍ରାଣୀ ଶିକାର ହେଉଥିବାରୁ ପରିବେଶବିତମାନେ ଉଦବେଗ ପ୍ରକାଶ କରିଛନ୍ତି।

 

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ରହିଛି କୋଣାର୍କ ରେଞ୍ଜ। ବିଭିନ୍ନ ସମୟରେ ଏହି ରେଞ୍ଜ ଅନ୍ତର୍ଗତ କପିଳେଶ୍ୱର ବିଟ‌୍‍, ରାମଚଣ୍ଡୀ ବିଟ‌୍‍, କୁରୁଜଙ୍ଗ ବିଟ‌୍‍, ଚିତ୍ରେଶ୍ୱରୀ ବିଟ‌୍‍ ଓ ଗୋଲରା ଗଡରେ ଥିବା ସଂରକ୍ଷିତ ଜଙ୍ଗଲରୁ ଦଲାଲଙ୍କ ସହାୟତାରେ ପ୍ରତ୍ୟହ ମୂଲ୍ୟବାନ ଚୋରାକାଠ, କାଜୁମଞ୍ଜି  ବିକ୍ରୀ ହେଉଥିବା ବେଳେ ଅବାଧରେ ବନ୍ୟପ୍ରାଣୀ ଶିକାର ହେଉଛନ୍ତି। ବନବିଭାଗର ନିଷ୍କ୍ରିୟତା ଏମାନଙ୍କୁ ଉତ୍ସାହିତ କରୁଥିବା ବେଳେ ଏହି ବିଟ‌୍‍ଗୁଡିକ ଏବେ ବ୍ୟବସାୟୀମାନଙ୍କ ପାଇଁ ଚରାଭୂଇଁ ପାଲଟିଛି। ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଜଙ୍ଗଲ ସଂପଦ ଚୋରାଚାଲଣ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟରେ ଲିପ୍ତ ଦଲାଲ ଓ ବ୍ୟବସାୟୀଙ୍କ ବିରୁଦ୍ଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ପରୋକ୍ଷରେ ଏମାନଙ୍କୁ ଉତ୍ସାହିତ କରାଯାଉଛି। କାଠ ମାଫିଆ ଜଙ୍ଗଲ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା ପାଇଁ ଜଙ୍ଗଲ ବିଭାଗର ସଂପଦ ହରିଲୁଟ ହେବାରେ ଲାଗିଛି। 

 

ସେହିପରି ବନବିଭାଗ ପକ୍ଷରୁ ଜଙ୍ଗଲକୁ ସଠିକ ରୂପେ ସୁରକ୍ଷା ଓ ସୀମା ନିର୍ଦ୍ଧାରଣ କରାଯାଇପାରୁ ନ ଥିବାରୁ ଅଧିକାଂଶ ଜଙ୍ଗଲର ଜମିକୁ ଏବେ ଜବରଦଖଲକାରୀମାନେ ଚାଷ ଜମି ଓ ଘରବାଡ଼ିରେ ପରିଣତ କରିସାରିଲେଣି। ଏ ବିଷୟରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଅବଗତ ଥିଲେ ମଧ୍ୟ ଜବରଦଖଲକାରୀମାନଙ୍କୁ ଉଚ୍ଛେଦ କରିପାରୁ ନାହାନ୍ତି। ଜଙ୍ଗଲ ଜମିକୁ ନେଇ କିଛି ଜବରଦଖଲ କାରି ସିଭିଲ ଅଦାଲତର ଆଶ୍ରୟ ନେଇ ଉକ୍ତ ସମ୍ପତ୍ତିକୁ କିଭଳି ଜଙ୍ଗଲ ବିଭାଗ ନେଇ ନ ପାରିବ ସେଥିନିମନ୍ତେ ମକଦମା ରୁଜୁ କରିଥିବା ନଜିର ରହିଛି। ବନ ବିଭାଗ ପକ୍ଷରୁ ସଠିକ ଭାବରେ ମକଦ୍ଦମା ପରିଚାଳନା କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନହିଁ।

 

ଫଳରେ ଜବରଦଖଲ ଯୋଗୁଁ ଦିନକୁ ଦିନ ଜଙ୍ଗଲ ଜମି ହ୍ରାସ ପାଇବାରେ ଲାଗିଛି। ଜଙ୍ଗଲରେ ମଧ୍ୟରେ ଲଟା ଜାତୀୟ କାଜୁ ଗଛ ପାଇଁ ହରିଣମାନେ ଅବାଧ ବିଚରଣ କରିବାରେ ଅନ୍ତରାୟ ସୃଷ୍ଟି କରୁଥିବା ବେଳେ ଖାଦ୍ୟ ଓ ପାଣିର ଅଭାବ ଯୋଗୁଁ ବନ୍ୟ ଜନ୍ତୁମାନେ ଗ୍ରାମାଭିମୁଖୀ ହୋଇ ମୃତ୍ୟୁବରଣ କରୁଛନ୍ତି। ଦଲାଲ, କାଠ ମାଫିଆ ଓ ଅସାଧୁ ବନବିଭାଗ କର୍ମଚାରୀଙ୍କ ଯେଗୁଁ ଏହି ସଂରକ୍ଷିତ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଔଷଧୀୟ ବୃକ୍ଷ ବିଲୁପ୍ତ ହେଉଥିବା ବେଳେ ବିରଳ ପ୍ରଜାତିର ବାଲି ହରିଣ, ବଜ୍ରକାପ୍ତା, ଠେକୁଆ, ସାପ, ଗୋଧୀଙ୍କ ସଂଖ୍ୟା କମିବାରେ ଲାଗିଛି।

 

କୋଣାର୍କ ରେଞ୍ଜ ଅଧୀନରେ ଥିବା ବିଟ‌୍‍ଗୁଡିକ ଗ୍ରାମାଞ୍ଚଳ ସଂଲଗ୍ନ ହୋଇଥିବାରୁ ପ୍ରତିଦିନ ଜାଳେଣି ପାଇଁ ଶହ ଶହ କୁଇଣ୍ଟାଲ କାଠ ଦିନ ଦ୍ୱିପ୍ରହରେ ଚାଲାଣ ହେଉଛି। ବନ ବିଭାଗ କର୍ମଚାରୀମାନେ ଜାଣି ସୁଦ୍ଧା ନଜାଣିଲା ପରି ରହୁଛନ୍ତି। ଜିଏ ହାତଗୁଞ୍ଜା ଦେଲା ସିଏ ଖସିଲା ଆଉ ଯିଏ ନ ଦେଲା ସିଏ ଫସିଲା। ତାକୁ ଧରିଆଣି ଧର୍ମକୁ ଆଖିଠାର ସଦୃଶ୍ୟ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଛି ବୋଲି ଦର୍ଶା ଯାଇଥାଏ। ବନ ବିଭାଗ ଏବେଠାରୁ ସଜାଗ ନ ହେଲେ ଜଙ୍ଗଲ ସଂପଦ ଓ ଜଙ୍ଗଲ ଜମି ଓ ବନ୍ୟପ୍ରାଣୀଙ୍କ ପାଇଁ ଅବାଧ ବିଚରଣରେ ବାଧକ ସାଜିବା ସହିତ ଜବରଦଖଲ କାରିଙ୍କ କବଜାକୁ ଚାଲିଯାଇ ଜଙ୍ଗଲ ସଂପଦର ବ୍ୟାକକ କ୍ଷୟକ୍ଷତି ହେବ ବୋଲି ଆଶଙ୍କା ପ୍ରକାଶ କାଇଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top