ଏନଆରଇଜିଏ ମିମାଂସା ବ୍ୟବସ୍ଥା ଫେଲ‌୍‍

News Story - Posted on 2018-04-10

ପ୍ରଦୀପ ପ୍ରଧାନ

 

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ କର୍ମନିଯୁକ୍ତି ଗ୍ୟାରେଣ୍ଟି ଆଇନ‌୍‍ ଅଧୀନରେ ବିଭିନ୍ନ କାର୍ଯ୍ୟରେ ହେଉଥିବା ଦୁର୍ନୀତି, ଅନିୟମିତତା ସମ୍ପର୍କିତ ଅଭିଯୋଗର ଶୁଣାଣୀ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭିନ୍ନ ଜିଲ୍ଲାରେ ଗଠିତ ଅମ୍ବୁଦସମ୍ୟାନ ବା ମିମାଂସା ସଂସ୍ଥା କିପରି କାମ କରୁଛି, ଏ ସମ୍ପର୍କରେ ଜାଣିବା ପାଇଁ ସୂଚନା ଅଧିକାର ଆଇନ‌୍‍ ବନଳରେ ପଞ୍ଚାୟତିରାଜ ବିଭାଗକୁ ତଥ୍ୟ ମଗାଯାଇଥିଲା। ତା ୧୭.୨.୨୦୧୮ରିଖରେ ଉକ୍ତ ବିଭାଗ ତରଫରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ରାଜ୍ୟ ସରକାର ଏପର୍ଯ୍ୟନ୍ତ ୧୯ଟି ଜିଲ୍ଲାରେ ଅମ୍ୱୁଦସମ୍ୟାନ‌୍‍ ବା ମିମାଂସା ନିଯୁକ୍ତି କରିନାହାଁନ୍ତି। ଅମ୍ୱୁଦସମ୍ୟାନ ନିଯୁକ୍ତ ୧୧ଟି ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗୀର, ବରଗଡ଼, ଭଦ୍ରକ, ଝାରସୁଗୁଡ଼ା, ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ଏବଂ ସୁନ୍ଦରଗଡ଼। କେନ୍ଦ୍ରାପଡ଼ା ଜିଲ୍ଲାରେ ଅମ୍ୱୁଦସମ୍ୟାନ ନିଯୁକ୍ତି ସମ୍ପର୍କିତ ଅଭିଯୋଗ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି।

 

ଯେଉଁ ଜିଲ୍ଲା ଗୁଡ଼ିକରେ ଅମ୍ୱୁଦସମ୍ୟାନ ନିଯୁକ୍ତି ହୋଇଛି, ସେଠାରେ ଉକ୍ତ ସଂସ୍ଥା କାମ କରୁନାହିଁ। ଜିଲ୍ଲା ପ୍ରଶାସନର ଅସହଯୋଗ, ଆନୁସଙ୍ଗିକ ଭିତ୍ତିଭୂମିର ଅଭାବ ଯୋଗୁଁ ଅମ୍ୱୁଦସମ୍ୟାନ ପଦବୀରେ ନିଯୁକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟନିର୍ବାହ କରିପାରୁନଥିବାର ଅଭିଯୋଗ ହେଉଛି। ମନରେ ସ୍ୱତଃପ୍ରଶ୍ନ ଉଠେ, ରାଜ୍ୟରେ ଅମ୍ୱୁଦସମ୍ୟାନ ସଂସ୍ଥାକୁ ଏପରି ଅକାମୀ କରି ଦିଆଯାଇଛି କାହିଁକି?

 

ବାସ୍ତବରେ ରାଜ୍ୟରେ ଗ୍ରାମାଞ୍ଚଳ ଜନସାଧାରଣଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ଏବଂ ସେମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଗ୍ୟାରେଣ୍ଟି ଆଇନ‌୍‍ କାର୍ଯ୍ୟକାରୀ ହୋଇଆସୁଅଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଆଇନ‌୍‍ର ଅଧୀନରେ କାର୍ଯ୍ୟକାରୀ ହେଉଥିବା ସ୍କିମ‌୍‍ଗୁଡିକରେ ବ୍ୟାପକ ଦୁର୍ନୀତି, ଅର୍ଥ ହରିଲୁଟ‌୍‍, ମଷ୍ଟର ରୋଲ‌୍‍ ଜାଲିଆତି, ମିଥ୍ୟା ବିଲ‌୍‍ କରି ଅର୍ଥ ହଡ଼ପ ଯୋଗୁଁ ଉକ୍ତ ଆଇନ‌୍‍ ଠିକ‌୍‍ ଭାବେ କାର୍ଯ୍ୟକାରୀ ହୋଇପାରିଲା ନାହିଁ କି ଶ୍ରମିକମାନେ କାମ ପାଇଲେ ନାହିଁ। ଯେଉଁମାନେ କାମ କଲେ, ସେମାନଙ୍କୁ ମାସ ମାସ ଧରି ମଜୁରୀ ଦିଆଗଲା ନାହିଁ।

 

ଉକ୍ତ ଆଇନ‌୍‍ର କାର୍ଯ୍ୟକାରିତାର ଦୁଇବର୍ଷ ମଧ୍ୟରେ ନୂଆଦିଲ୍ଲୀସ୍ଥିତ ସେଣ୍ଟର ଫର‌୍‍ ଏନ‌୍‍ଭରମେଣ୍ଟ ଏବଂ ଫୁଡ‌୍‍ ସିକ୍ୟୁରିଟି ନାମକ ଏକ ସଂସ୍ଥା ରାଜ୍ୟରେ ଏନ‌୍‍ଆରଆଇଜିଏ କାମରେ ୫୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ଆଣିଲା। ୨୦୦୮ ମସିହାରେ ଉକ୍ତ ସଂସ୍ଥା ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା କରି ଏହି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଅନୁରୋଧ କଲେ। ମାନ୍ୟବର ସୁପ୍ରିମ କୋର୍ଟ ଏହି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଏନ‌୍‍.ଆର.ଇ.ଜି.ଏ. କାମରେ ହେଉଥିବା ଦୁର୍ନୀତି ଏବଂ ଅନିୟମିତତାର ପ୍ରତିକାର ପାଇଁ ଏକ ସ୍ୱାଧୀନ ଏବଂ ସଶକ୍ତ ଅଭିଯୋଗ ମିମାଂସା ବ୍ୟବସ୍ଥା ପ୍ରବର୍ତ୍ତନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ।

 

ଏଠାରେ ସୂଚନାଯୋଗ୍ୟ ଯେ, ଆଇନ‌୍‍ର ଧାରା ୨୩ (୫) ଏବଂ ଅନୁସୂଚୀ-୨ର ପାରା ୩୬ (ଜେ) ଅନୁଯାୟୀ, ଉକ୍ତ ଆଇନ‌୍‍ ଅଧୀନରେ ଗ୍ରାମ ପଞ୍ଚାୟତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା କାର୍ଯ୍ୟନ୍ୱୟନରେ ହେଉଥିବା ବିଭ୍ରାଟ, ଅନିୟମିତତା ସମ୍ପର୍କିତ ଅଭିଯୋଗ ଗ୍ରାମ ପଞ୍ଚାୟତ ବିରୁଦ୍ଧରେ ବ୍ଲକର ପ୍ରୋଗ୍ରାମ ଅଫିସରଙ୍କ ନିକଟରେ କରାଯିବ ଏବଂ ପ୍ରୋଗ୍ରାମ ଅଫିସରଙ୍କ ବରୁଦ୍ଧରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯିବାର ବ୍ୟବସ୍ଥା ରହିଛି। ଏହି ଅଭିଯୋଗ ମିମାଂସା ବ୍ୟବସ୍ଥା ବିଶେଷ ଫଳ ପ୍ରଦାନ ହେଲା ନାହିଁ। ଲୋକମାନଙ୍କର କୌଣସି ସମସ୍ୟା ସମାଧାନ ହେଲା ନାହିଁ। ତେଣୁ କେନ୍ଦ୍ର ସରକାର ଏନ‌୍‍.ଆର‌୍‍.ଇ.ଜି.ଏ. ଆଇନ‌୍‍ର ଧାରା ୨୭(୧)ରେ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ତା ୭.୯.୨୦୦୯ରିଖରେ ଜିଲ୍ଲା ସ୍ତରରେ ଅମ୍ୱୁସମ୍ୟାନ ଗଠନ ପାଇଁ ନିର୍ଦ୍ଦେଶ ଦେବା ସହ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ଏକ ଗାଇଡ‌୍‍ଲାଇନ‌୍‍ ଜାରି କଲେ। ଏହି ନିର୍ଦ୍ଦେଶନାମା ଅନୁଯାୟୀ ଅମ୍ୱୁଦସମ୍ୟାନ‌୍‍ ବା ମିମାଂସା ସଂସ୍ଥା ଏକ ସ୍ୱାଧୀନ ସଂସ୍ଥାଭାବେ କାମ କରିବା ସହ ଲୋକମାନଙ୍କ ଠାରୁ ସିଧାସଳଖ ଅଭିଯୋଗ ଗ୍ରହଣ କରିବ ଏବଂ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଅମ୍ୱୁଦସମ୍ୟାନ ବା ମିମାଂସାକ ମଧ୍ୟ ନିଜ ଆଡୁ କୌଣସି କାମ ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ଯାହା ଦ୍ୱାରା ଲୋକମାନେ ନ୍ୟାୟ ପାଇପାରିବେ।

 

କେନ୍ଦ୍ର ସରକାରଙ୍କଠାରୁ ନିର୍ଦ୍ଦେଶନାମା ପାଇଲା ପରେ, ରାଜ୍ୟ ସରକାର ୨୦୧୦ ମସିହାରୁ ବିଭିନ୍ନ ଜିଲ୍ଲାରେ ଅମ୍ୱୁସମ୍ୟାନ‌୍‍ ଗଠନ ପ୍ରକ୍ରିୟା ଆରମ୍ଭ କଲେ। ୨୦୧୦ ଏବଂ ୨୦୧୧ ମସିହାରେ ପ୍ରାୟ ସମସ୍ତ ଜିଲ୍ଲାରେ ଅମ୍ୱୁଦସମ୍ୟାନ ଗଠିତ ହୋଇଥିଲା। ନବନିଯୁକ୍ତ ଅମ୍ୱୁଦସମ୍ୟାନମାନେ ସିଧାସଳଖ ଶ୍ରମିକମାନଙ୍କ ଠାରୁ ଅଭିଯୋଗ ଶୁଣିବା ସହ କ୍ଷେତ୍ର ପରିଦର୍ଶନ କରି ଏନଆରଇଜିଏ କାମ ସମ୍ପର୍କିତ ଦୁର୍ନୀତି ଏବଂ ଅନିୟମିତାର ତଦନ୍ତ କରି ସମ୍ପୃକ୍ତ ଅଫିସରମାନଙ୍କ ବିରୁଦ୍ଧରେ କାଯ୍ୟାନୁ।ନ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କଲେ। ଅନେକ ଜିଲ୍ଲାରେ ଅମ୍ୱୁସମ୍ୟାନ ବ୍ୟବସ୍ଥା ଲୋକମାନଙ୍କ ଦ୍ୱାରା ଆଦୃତ ହେଲା। ବହୁ ଦୁର୍ନୀତି ଏବଂ ଅନିୟମିତତା ଲୋକଲୋଚନକୁ ଆସିପାରିଲା ଏବଂ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଗଲା।

 

କିନ୍ତୁ ରାଜ୍ୟ ଅମଲାମାନେ ଏହି ବ୍ୟବସ୍ଥାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ। ଏହି ବ୍ୟବସ୍ଥାକୁ କିପରି ଅକାମୀ କରି ଦିଆଯିବ, ଏଥିପାଇଁ ପ୍ରଶାସନିକ ଅଧିକାରୀମାନେ ଚକ୍ରାନ୍ତ କଲେ। ୨୦୧୦ ଏବଂ ୨୦୧୧ରେ ଦୁଇ ବର୍ଷ ପାଇଁ ନିଯୁକ୍ତି ପାଇଥିବା ଅମ୍ୱୁସମ୍ୟାନ‌୍‍ମାନଙ୍କର  କାର୍ଯ୍ୟକଳାପ ୨୦୧୩ ମସିହାରେ ସରିଗଲା। ଏହାପରେ ରାଜ୍ୟ ସରକାର ଆଉ ଅମ୍ୱୁଦସ‌୍‍ମ୍ୟାନ ନିଯୁକ୍ତି କଲେ ନାହିଁ। ଫଳରେ ସାରା ରାଜ୍ୟରେ ଅମ୍ୱୁଦସମ୍ୟାନ ପଦବୀ ଖାଲି ପଡ଼ିଲା। ଲୋକମାନେ ମଧ୍ୟ ଅଭିଯୋଗ କରିପାରିଲେ ନାହିଁ। ଦୁର୍ନୀତି, ଅନିୟମିତତା ସମ୍ପର୍କିତ ଅଭିଯୋଗର ଶୁଣାଣୀ  ବା ତଦନ୍ତ ମଧ୍ୟ ହେଲା ନାହିଁ। ଯେତେବେଳେ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ନ ଆସିଲା, ରାଜ୍ୟ ଅମଲାମାନେ ପ୍ରଚାର କଲେ ଯେ ଏନ‌୍‍ଆରଇଜିଏ କାମରେ ଆଉ ଦୁର୍ନୀତି ହେଉନାହିଁ, ଯେହେତୁ ଅଭିଯୋଗ ନାହିଁ। ଏହିଭଳି ମିଥ୍ୟା ପ୍ରଚାର କରାଯାଇ ଅଭିଯୋଗ ମିମାଂସା ବ୍ୟବସ୍ଥାକୁ ରାଜ୍ୟରେ ପଙ୍ଗୁ କରିଦିଆଗଲା। ସରକାରୀ ଅମଲାଙ୍କ ଚକ୍ରାନ୍ତରେ ଜଣେ ଅମ୍ୱୁଦସମ୍ୟାନ‌୍‍କୁ କିପରି ହଇରାଣ କରାଗଲା ଏବଂ ତାଙ୍କୁ କାମ କରାଇକ ଦିଆଗଲା ନାହିଁ, ଏହାର ଏକ ଉଦାହରଣ ଏଠାରେ ଅବତାରଣା କରାଯାଇପାରେ।

 

୨୦୧୩ ମସିହାରେ ଜଣେ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଏ. ସଦାନନ୍ଦ ରାଓଙ୍କୁ ଗଞ୍ଜାମ ଜିଲ୍ଲାର ଅମ୍ୱୁଦସମ୍ୟାନ‌୍‍ ଭାବବେ ନିଯକ୍ତି ଦିଆଗଲା। ସେ ଜଣେ ଅତ୍ୟନ୍ତ ନିଷ୍ଠାପର ଏବଂ କର୍ମଠ ବ୍ୟକ୍ତି। ସେ ଦାୟିତ୍ୱ ଗ୍ରହଣ କଲା ପରେ ଅମଲାମାନେ ତାଙ୍କୁ ନିଷ୍ଠାର ସହ କାମ କରେଇ ଦେଲେ ନାହିଁ। ତାଙ୍କୁ ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟ ଦିଆଗଲା ନାହିଁ। ଚେୟାର, ଟେବୁଲ‌୍‍, ଫୋନ‌୍‍ ଇତ୍ୟାଦି ଦିଆଗଲା ନାହିଁ। କ୍ଷେତ୍ର ପରିଦର୍ଶନ ପାଇଁ ଗାଡ଼ିର ବ୍ୟବସ୍ଥା କରାଗଲା ନାହିଁ। ସେ ତାଙ୍କ ନିକଟକୁ ଆସୁଥିବା ବିଭିନ୍ନ ଅଭିଯୋଗର ତଦନ୍ତ ମଧ୍ୟ କରିପାରିଲେ ନାହିଁ। ତାଙ୍କୁ ମଧ୍ୟ ପାଉଣା ପ୍ରଦାନ କରାଗଲା ନାହିଁ। ଉପରୋକ୍ତ ଅସୁବିଧା ସମ୍ପର୍କରେ ତତ୍କାଳୀନ ଜିଲ୍ଲାପାଳ, ଡ଼ିଆରଡ଼ିଏର ପ୍ରକଳ୍ପ ନିର୍ଦ୍ଦେଶକକଙ୍କୁ ବାରମ୍ୱାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶ୍ରୀ ରାଓ ୨୦୧୫ ମସିହାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ୨୭.୧୧.୨୦୧୫ରିଖରେ କମିଶନ ଉକ୍ତ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ୪ ଥର ଚିଠି ଲେଖି ରିପୋର୍ଟ ମାଗିଲା ପରେ ପଞ୍ଚାୟତିରାଜ ବିଭାଗ ଏକ ରିପୋର୍ଟ ଦେଇଥିଲା।

 

ଉକ୍ତ ରିପୋର୍ଟରେ ଶ୍ରୀ ରାଓଙ୍କୁ ସମ୍ପୂର୍ଣ୍ଣ ଦୋଷ ଦିଆଯାଇ ସେ କୌଣସି କାମ ନ କରିବାରୁ ତାଙ୍କୁ ପ୍ରାପ୍ୟ ଦିଆଗଲା ନାହିଁ ବୋଲି ଦର୍ଶାଯାଇଥିଲା। ଇତିମଧ୍ୟରେ ଦୁଇବର୍ଷ ବିତିଯିବାରୁ ଶ୍ରୀ ରାଓଙ୍କୁ ଅମ୍ୱୁଦସମ୍ୟାନ ପଦବୀରୁ ବିଦା କରାଯାଇଥିଲା। ଶ୍ରୀ ରାଓଙ୍କୁ ଏପରି ହଇରାଣ କରିବା ପରେ ପ୍ରଶାସନିକ ଷଡ଼ଯନ୍ତ୍ର କାରଣ ଅନୁସନ୍ଧାନ କରିବାରୁ ଜଣାପଡ଼ିଲା ଯେ, ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଜିଲ୍ଲା ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ ନ କରିବା ପାଇଁ ଏବଂ ଏନ‌୍‍ଆରଇଜିଏ କାମ ଠିକ‌୍‍ ଚାଲିଛି ବୋଲି ଦର୍ଶାଇବାକୁ ପ୍ରଶାସନ ଏହା କରିଥିଲା। ଯଦି ଅମ୍ୱୁଦସମ୍ୟାନ ଠିକ‌୍‍ ଭାବେ କାମ କରିଥାନ୍ତା, ତେବେ ଏନ‌୍‍ଆରଇଜିଏ ଦୁର୍ନୀତି ସମ୍ପର୍କିତ ଶହ ଶହ ଅଭିଯୋଗ ଆସିଥାନ୍ତା ଏବଂ ଉକ୍ତ କାମରେ ବ୍ୟାପକ ଦୁର୍ନୀତି ହେଉଛି ବୋଲି ଲୋକମାନେ ଜାଣିପାରିଥାନ୍ତେ। ଜିଲ୍ଲା ପ୍ରଶାସନ ମଧ୍ୟ ବଦନାମ ହୋଇଥାନ୍ତା। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏପରି ଦୁର୍ନୀତି ହେଉଛି ବୋଲି ସର୍ବସାଧାରଣରେ ଚର୍ଚ୍ଚା ହୋଇଥାନ୍ତା। ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତିରେ କଳାଦାଗ ଲାଗିଥାନ୍ତା।

 

ତେଣୁ ଆଇନ‌୍‍ ଅନୁଯାୟୀ ଅମ୍ୱୁସମ୍ୟାନ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଗଲା। କିନ୍ତୁ ଅମ୍ୱୁସମ୍ୟାନଙ୍କୁ କାମ କରାଇ ଦିଆଗଲା ନାହିଁ ଏବଂ ଜିଲ୍ଲା ଏନ‌୍‍ଆରଇଜିଏ କାମ ବିନା ଦୁର୍ନୀତି ଏବଂ ଅନିୟମିତାରେ ଚାଲିଛି ବୋଲି ପ୍ରଚାର କରାଗଲା। ରାଜ୍ୟରେ କିଭଳି ବିଭିନ୍ନ ବିକଳ୍ପ ନ୍ୟାୟିକ ସଂସ୍ଥାମାନଙ୍କୁ ପ୍ରଶାସନିକ ଷଡ଼ଯନ୍ତ୍ର କରାଯାଇ ବରବାଦ କରାଯାଇଛି, ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ। ତେଣୁ ରାଜ୍ୟରେ ଅଭିଯୋଗ ମିମାଂସା ବ୍ୟବସ୍ଥାକୁ ଭାଙ୍ଗି ସବୁ ଠିକ‌୍‍ ଚାଲିଛି ପ୍ରଚାର କରାଯାଇ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ନିର୍ମଳ ଭାବମୂର୍ତ୍ତି ସ୍ପଷ୍ଟ କରାଯାଇଛି।

 

ରାଜ୍ୟ ଆବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ, ମୋ-୯୯୩୭୮୪୩୪୮୨


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top