ଓଟ ବାହାଘରେ ଗଧ ମେଲୋଡ଼ି!

News Story - Posted on 2018-04-10

ସୂର୍ଯ୍ୟମଣି ମିଶ୍ର

 

ବିଧାୟକଙ୍କ ଦରମା ଭତ୍ତା ମିଶି ମାସିକ ୬୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି। ଆଉ ରାଜ୍ୟର ଅସହାୟଙ୍କ ପାଇଁ ଦିଆଯାଉଥିବା ଭତ୍ତା ମାସିକ ୩୦୦ ଟଙ୍କାରେ ସୀମିତ। ଅର୍ଥାତ୍ ଦିନକୁ ୧୦ ଟଙ୍କା। ୧୦ ଟଙ୍କାରେ ଏହି ଅସହାୟ ଓଡ଼ିଆ କ’ଣ ଖାଉଥିବ, କିପରି ରହୁଥିବ, ଥରେ ସମୀକ୍ଷା କରୁନାହାନ୍ତି ସରକାର। କେନ୍ଦ୍ର ସରକାର ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ଆୟର ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି- ଗ୍ରାମାଞ୍ଚଳରେ ୩୨ ଟଙ୍କା ଏବଂ ସହରାଞ୍ଚଳରେ ଦିନକୁ ୪୭ ଟଙ୍କାରେ ଭିତରେ ଖର୍ଚ୍ଚ କରୁଥିବା ଲୋକଟି ହିଁ ଗରିବ। ନେତାଙ୍କ ସୁଟ‍୍‌-ବୁଟ‍୍‌, ସ୍ଥଳପଥ ଏବଂ ଆକାଶ ମାର୍ଗର ଯାତ୍ରା, ଫୋନ‍୍‌ - ପିଅନ, ଗୁଣ୍ଡା - ହୁଣ୍ଡା, ଗାଡ଼ି - ବାଡ଼ି ଖର୍ଚ୍ଚ କାହିଁରେ କେତେ କିଏ ବା ହିସାବ କରୁଛି? ଲୋକ ଗରିବ, ଲୋକସେବକ ଧନୀ। ପ୍ରାଚୁର୍ଯ୍ୟ ମଧ୍ୟରେ ଓଡ଼ିଶା ଗରିବ। ଗରିବ ଓଡ଼ିଆଙ୍କ ପାଇଁ ସରକାର ତ ଟଙ୍କିକିଆ ଚାଉଳ ଯୋଗାଇ ଦେଉଛନ୍ତି। ରାଜ୍ୟର ପାଖାପାଖି ୮୦ ଭାଗ ଲୋକ ଟଙ୍କିକିଆ ଚାଉଳ ପାଇ ନିଜର ଖାଦ୍ୟ ଚାହିଦା ପୂରଣ କରୁଛନ୍ତି। ପରିବା, ଫଳ, କ୍ଷୀର, ମାଛ, ମାଂସ ଆବଶ୍ୟକ ପଡ଼ୁନି। ନେତା ସୁଖରେ-ଜନତା ଦୁଃଖରେ। ଏନେଇ ବିତର୍କ ନାହିଁ। ପ୍ରତିବାଦର ସ୍ୱର ମଧ୍ୟ କ୍ଷୀଣ।

 

କୃଷକ ପରିବାରର ମାସିକ ଆୟ ୧୪୦୭ ଟଙ୍କା। ଅର୍ଥାତ୍ ୪୬ ଟଙ୍କା ୯୦ ପଇସାରେ ରାଜ୍ୟର କୃଷକ ପରିବାର ଚଳୁଛି। ଏହା ମଧ୍ୟରେ ପରିସଂଖ୍ୟାନ ପ୍ରକାଶ ପାଇଛି ଯେ, ଆମ ସରକାର ଓଡ଼ିଶାର ଗତକାଲି ଏବଂ ଆଜି ଦିନରେ ଜନ୍ମ ନେଇଥିବା ପ୍ରତିଟି ଶିଶୁ ଠାରୁ ମୃତ୍ୟୁ ଅପେକ୍ଷାରେ ଥିବା ବରିଷ୍ଠଙ୍କ ମୁଣ୍ଡ ଉପରେ ୨୨ ହଜାର ଟଙ୍କାର ଋଣର ବୋଝ ଲଦି ଦେଇଛନ୍ତି। ଏହା ହେଉଛି ଓଡ଼ିଆ ସ୍ୱାଭିମାନ ଓ ସ୍ୱାବଲମ୍ୱନଶୀଳତାର ବାର୍ତ୍ତା। ଏଥିରେ ଖୁସି ନହୋଇ ପ୍ରତିବାଦର କରିବାର ଯୁ ଆସିବା ବା କେଉଁଠି? ସଦ୍ୟତମ ଓଡ଼ିଶା ସରକାରଙ୍କ ଅର୍ଥନୀତି ଓ ପରିସଂଖ୍ୟାନର ରିପୋର୍ଟରୁ ଜଣାଯାଇଛି ୨୦୦୪ରେ ରାଜ୍ୟର ସଂଗଠିତ କ୍ଷେତ୍ରରେ ୭ ଲକ୍ଷ ୪୬ ହଜାର ଶ୍ରମିକଙ୍କୁ ନିଯୁକ୍ତି ମିଳିଥିଲା। ୨୦୧୫ ବେଳକୁ ଏହି ନିଯୁକ୍ତି ସଂଖ୍ୟା ୫,୯୩,୦୦୦କୁ ହ୍ରାସ ପାଇଥିଲା। ୧୧ ବର୍ଷ ମଧ୍ୟରେ ୧ ଲକ୍ଷ ୫୩ ହଜାର କର୍ମନିଯୁକ୍ତି ହ୍ରାସ। ଏହି ସଂଖ୍ୟକ ଶ୍ରମିକଙ୍କ ପରିବାର କିପରି ଓ କେଉଁ ସ୍ଥିତିରେ ବଞ୍ଚୁଛନ୍ତି, ଏ ସଂପର୍କରେ ଅନୁଧ୍ୟାନ କରିବା ପାଇଁ ସରକାର ଯେ କ୍ରିୟାଶୀଳ, ତାହାର ସୂଚନା ମିଳିନାହିଁ। ୨୦୧୭ ଫେବୃୟାରୀ, ୨୭ ତାରିଖରେ ବିଧାନସଭାରେ ତତ୍କାଳୀନ ଅର୍ଥମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ରାଜ୍ୟରେ ୧ ଲକ୍ଷ ୩୮ ହଜାର ପଦବୀ ଖାଲି ପଡ଼ିଛି। ୪୪,୧୯୭ ପଦବୀ ଉଚ୍ଛେଦ କରାଯାଇଛି।

 

ରାଜ୍ୟର ଅଶାକର୍ମୀ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କାର୍ଯ୍ୟରତ ପାଚିକା-ସହାୟିକାଙ୍କ ଦୟନୀୟ ଜୀବନର ଚିତ୍ର ସଂପର୍କରେ ସରକାର ଅବଗତ ନିଶ୍ଚୟ। କିନ୍ତୁ ସର୍ବନିମ୍ନ ମଜୁରି ପ୍ରଦାନ କରିବାରେ ସରକାର ବିଫଳ। ଏହିପରି ଠିକାରେ ନିଯୁକ୍ତ ଶିକ୍ଷକ, ଶ୍ରମିକଙ୍କ ସାମାଜିକ ନିରାପତ୍ତା ଆଦୌ ନଥିଲେ ହେଁ, ସରକାରଙ୍କର ସମୟ ନାହିଁ ଏ ସଂପର୍କରେ ଚିନ୍ତା କରିବା ଏବଂ ପ୍ରତିକାର କରିବା। ଚଳିତ ବର୍ଷର ରାଜ୍ୟ ବଜେଟ‍୍‌ ଉପରେ ଆଖି ପକାଇଲେ ଶିକ୍ଷା ପାଇଁ ମୋଟ ବଜେଟ‍୍‌ରୁ ୧୭.୪୯ ପ୍ରତିଶତ ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୬.୩୯ ପ୍ରତିଶତ ଅର୍ଥ ବ୍ୟୟବରାଦ କରାଯାଇଛି। ଅର୍ଥାତ୍ ଶିକ୍ଷାକ୍ଷେତ୍ର ପାଇଁ ଅର୍ଥବରାଦ ହ୍ରାସ। ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଅଭାବ। ପୂରଣ ହେବ ବା କିପରି? ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଥିବା କହୁଛନ୍ତି। କିନ୍ତୁ ବାସ୍ତବତା ହେଲା ଶିକ୍ଷା କ୍ଷେତ୍ର ଅବହେଳାରେ। ଏହିପରି ସ୍ୱାସ୍ଥ୍ୟ କ୍ଷେତ୍ରର ଅବସ୍ଥା ମଧ୍ୟ ଅତୀବ ଶୋଚନୀୟ। ୨୦୧୮ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୯୧ ପ୍ରତିଶତ ରାଜ୍ୟବାସୀ ରୋଗାକ୍ରାନ୍ତ। ରାଜ୍ୟର ୧୧୨ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି। ୧୨୩୯ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ନିଜସ୍ୱ ଘର ନାହିଁ। ୯୭ ପ୍ରତିଶତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଡାକ୍ତର ନାହାନ୍ତି। ୮୭ ପ୍ରତିଶତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି। ୧ ଲକ୍ଷ ଲୋକଙ୍କ ପାଇଁ ଜଣେ ଡାକ୍ତର। ୧୦ ହଜାର ଲୋକଙ୍କ ପାଇଁ ୪ଟି ଶଯ୍ୟା। ଆଦିବାସୀ ଅଞ୍ଚଳରେ ୪୮ ଭାଗ ଡାକ୍ତରୀ ପଦବୀ ଖାଲି ପଡ଼ିଛି। ଆବଶ୍ୟକତା ଅନୁଯାୟୀ ୭୭ ଭାଗ ଡାକ୍ତର ଏବଂ ପାରା ମେଡିକାଲ‍୍‌ ଷ୍ଟାଫ୍ ନାହାନ୍ତି।

 

ଏହା ସତ୍ତ୍ବେ ଓଡ଼ିଶା ବିକାଶକୁ ନେଇ ସୁନେଲି ସ୍ୱପ୍ନ ଦେଖାଇବାରେ ସରକାର ପଛାଉନାହାନ୍ତି। କିନ୍ତୁ ସ୍ୱପ୍ନ ଅଧୁରା। ୩ କୋଟି ୫୦ ଲକ୍ଷରୁ ଅଧିକ ଓଡ଼ିଆଙ୍କ ପାଇଁ ଟଙ୍କିକିଆ ଚାଉଳ ହିଁ ଭରସା। ଏହା ତ ସୂଚାଉଛି ଓଡ଼ିଶା କେତେ ସମୃଦ୍ଧ? ସତ କଥା ହେଲା ଏହି ଟଙ୍କିକିଆ ଚାଉଳ ପାଉଥିବା ଗରିବ ଓଡ଼ିଆ ନିଜ ନିଜ ସୌଭାଗ୍ୟକୁ ଅଣ୍ଡାଳୁଛନ୍ତି। ୨୦ ଲକ୍ଷରୁ ଅଧିକ ଓଡ଼ିଆ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ଓଡ଼ିଶା ବିକାଶ ସଂପର୍କରେ ଆଲୋଚନା କଲାବେଳେ ମନେପଡ଼ୁଛି, ଓଟ ବାହାଘରରେ ଗଧ ସଂଗୀତ ଗାନର କଥା। ‘ଉଷ୍ଟ୍ରାଣାଂ ବିବାହହେତୁ ଗୀତଂ ଗାୟନ୍ତି ଗର୍ଦଭାଃ’, ପରସ୍ପର ପ୍ରଶଂସତି- ଅହୋ ରୂପଂ ଅହୋ ଧ୍ୱନି।’ ଅର୍ଥାତ୍ ଓଟର ବାହାଘରରେ ଗଧ ଗୀତ ଗାଉଛି। ଜଣେ ଆଉ ଜଣଙ୍କୁ ମହାନ ବୋଲି ପ୍ରଶଂସା କରୁଛି। ବାଃ କି ସୁନ୍ଦର, କି ସୁଲଳିତ ସ୍ୱର ମ! ଓଡ଼ିଶା ରାଜନୀତିର ଅବସ୍ଥା ଆଜିଦିନରେ ଓଟ ବାହାଘରରେ ଗଧ-ଓଟର ପରସ୍ପରର ପ୍ରଶଂସା ଭଳି।

 

ଏହା ସତ୍ୟ ଯେ, ପ୍ରତିଟି ବର୍ତ୍ତମାନର ସରକାର ନିଜ ପୂର୍ବ ସରକାରର ପ୍ରତିକୃତି। ବିକାଶର ବିଜ୍ଞାପନ-ସରକାରଙ୍କ ପରିସଂଖ୍ୟାନ ଉପରେ ଆଖି ପକାଇଲେ ଓଡ଼ିଶାବାସୀ ଘିଅ-ମହୁରେ ଭାସିବାର ଦିନ ଆଉ ବେଶିଡେରି ନାହିଁ ବୋଲି ଜଣାପଡେ଼। ଆଜିଦିନରେ ନୁହେଁ, ୧୮ ବର୍ଷ ତଳେ ଏଭଳି ବିକାଶ ସଂପର୍କିତ ବିଜ୍ଞାପନ ଦେଖି ମୋ ଭଳି ଓଡ଼ିଆ ଅନେକ ଦୁଃଖ ଦୂର ହେବାର ଦିନ ଏବଂ ସମୃଦ୍ଧି ଆସିବାର ଦିନ ପାଖେଇ ଆସୁଥିବା ଆଶଭରସା ରଖିଥିଲା। କିନ୍ତୁ ସରକାରର ପରିବର୍ତ୍ତନରେ ଯେ ଗରିବ ଓଡ଼ିଆଙ୍କ ଭାଗ୍ୟ ବଦଳିଯିବ, ଏପରି ଭାବନା ଭୁଲ ବୋଲି ପ୍ରମାଣିତ ହୋଇଛି। କାରଣ ଅସହାୟଙ୍କ ପାଇଁ ସରକାରଙ୍କ ଭତ୍ତା ବ୍ୟବସ୍ଥା ଦିନକୁ ୧୦ଟଙ୍କାରେ ସୀମିତ ରହିଛି ଏବଂ ଅନ୍ନଦାତା ଚାଷୀ ୪୬ ଟଙ୍କା ୯୦ ପଇସାରେ ଚଳୁଛନ୍ତି।

 

ଆଜିର ଶାସକଦଳ ଏବଂ ଶାସନ କ୍ଷମତାରେ ଥିବା ଅଂଶୀଦାର ଦଳ ଯଥା-ବିଜେଡି, କଂଗ୍ରେସ, ବିଜେପିର ନେତା ତ ଅନେକ। ପତିଆରା ପ୍ରଦର୍ଶନ କରୁଥିବା ନେତାଙ୍କ ସଂଖ୍ୟା ମଧ୍ୟ କମ‍୍‌ ନୁହେଁ। କୋଟିପତି ନେତାଙ୍କ ସଂଖ୍ୟା ତ ବୃଦ୍ଧି ପାଉଛି। ୫ ବର୍ଷରେ ନେତାଙ୍କ ସମ୍ପତ୍ତି ପରିମାଣ ୧୦୦ରୁ ୧୦୦୦ ଗୁଣକୁ ବୃଦ୍ଧି ପାଇବା ଓଡ଼ିଶା ସମୃଦ୍ଧିର ବାର୍ତ୍ତା ନିଶ୍ଚୟ। କିନ୍ତୁ ସରକାରୀ କଳରେ ସ୍ୱଚ୍ଛତା-ଦକ୍ଷତା ଦେଖିବାକୁ ମିଳୁନି। ସରକାର ଜନଗଣଙ୍କ ପାଇଁ ଏକ ଉତ୍ତରଦାୟୀ ଶାସନ ପ୍ରତିଷ୍ଠା କରିବାରେ ଯେ ସମର୍ଥ ହୋଇପାରୁନାହାନ୍ତି। ପୂର୍ବ ସରକାର ଭଳି ପ୍ରଚାରରେ ବିକାଶର ରୋଚକ ତଥ୍ୟ ଦେଇଚାଲିଛନ୍ତି ଆଜିର ସରକାର। କିନ୍ତୁ ବାସ୍ତବତା କ’ଣ? ପ୍ରତିବର୍ଷ ତ ମହାଲେଖାକାର (ସିଏଜି) ରିପୋର୍ଟରେ ସୂଚାଉଛନ୍ତି, ସରକାରୀ କଳର ଅପାରଗତା ଏବଂ ଦୁର୍ନୀତିର ଗନ୍ଧକୁ ନେଇ। ଗରିବଙ୍କୁ ପକ୍କାଘର ଦେବାର ସ୍ୱପ୍ନ ଦେଖାଇ ବିସ୍ଥାପିତ କରିବା ପରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥରେ ମାର୍କେଟ କମ୍ପ୍ଲେକ୍ସ ତିଆରି ହେଲା। ଏ ସଂପର୍କରେ ସୂଚନା ଦେଇଛନ୍ତି ସିଏଜି, ଯାହା ବିଧାନସଭାରେ ନିକଟରେ ଉପସ୍ଥାପିତ ହୋଇଛି। ଏପରି ଘଟଣା ଯେଉଁଠି ଘଟିଛି, ସେଇଠି ଶାସକଦଳ ବିକାଶର ମହୋତ୍ସବ ପାଳନ କରିବା ସମୟରେ ଆକାଶମାର୍ଗରୁ ବିମାନରୁ ପୁଷ୍ପ ବୃଷ୍ଟିକରି ନିଜର ସାଆନ୍ତିଆ ଏବଂ ଜମିଦାରୀ ଚରିତ୍ରକୁ ପ୍ରକାଶ କରିଛନ୍ତି।

 

ଏହା ରାଜ୍ୟ ପାଇଁ ଗର୍ବ କମ‍୍‌, କିନ୍ତୁ ଲଜ୍ଜା ଅଧିକ। କାରଣ ନଗଡ଼ା ଭଳି ହଜାର ଗାଁରେ ଏବେ ବି ଭୋକରେ ଆଉଟୁପାଉଟୁ ହେଉଥିବା ଶିଶୁମାନେ ପୁଷ୍ଟିକର ଖାଦ୍ୟ ଖୋଜି ନିରାଶ ଅବସ୍ଥାରେ ଅଛନ୍ତି। ସିଏଜି ଜଣାଇଛନ୍ତି, ଏପରି କୌଣସି ଗୋଟିଏ ସରକାରୀ ବିଭାଗ ଅଛି - ଯେଉଁ ବିଭାଗରେ ସଂପୂର୍ଣ୍ଣ ସ୍ୱଚ୍ଛତା ଏବଂ ଦକ୍ଷତାର ଉଦାହରଣ ଦେଖିବାକୁ ମିଳିଛି? ସରକାରୀ କଳକୁ ନେଇ ଯେଉଁ ସ୍ୱର ଶୁଣିବାକୁ ମିଳୁଛି, ତାହାହେଲା ପ୍ପସତ୍ୟ ନଗ୍ନ ଅଟେ, ନଗ୍ନତା ଅଶ୍ଳୀଳ, ଅଶ୍ଳୀଳତା ଅନୈତିକ, ଅନୈତିକ ଅସଭ୍ୟ, ଆମେ ସଭ୍ୟ, ଉଦାରବାଦୀ ମୂର୍ଖ, ମୂର୍ଖ ଶୋଷିତ ହୋଇଥାନ୍ତି, ଶୋଷିତ ପଛୁଆ ହୋଇଥାନ୍ତି, ପଛୁଆ ଅଶିକ୍ଷିତ ଅଟନ୍ତି। ଆମେ ଶିକ୍ଷିତ ପୁରୁଷ ବୀରପୁଙ୍ଗବ, ବୀର ନିରଙ୍କୁଶ, ନିରଙ୍କୁଶ ଆତତାୟୀ, ଆତତାୟୀ ଘୃଣିତ। ଆମେ ପବିତ୍ର, ନାସ୍ତିକ ବିଧର୍ମୀ, ବିଧର୍ମୀ କ୍ନର, କ୍ରୂର ହତ୍ୟାକାରୀ ଅଟନ୍ତି। କିନ୍ତୁ ଆମେ ଧାର୍ମିକ, ଶାସନ କଳ ଦ୍ୱାରା ସାଧାରଣ ଜନତାଙ୍କୁ ଶୋଷଣ କରାଯାଉଛି, ଶୋଷଣ ତ ହତ୍ୟା।

 

ପଇସା ଓ ଚମକ ଗୋଟାଉଥିବା ସରକାର ନିଜ ବିଫଳତାକୁ-ଅପାରଗତାକୁ ସ୍ୱୀକାର କରିବାକୁ ନାରାଜ। କେବଳ ଅଧୁରା ସ୍ୱପ୍ନ ପୂରଣ ପାଇଁ ସ୍ୱପ୍ନଦ୍ରଷ୍ଟା ଭୂମିକାରେ ସରକାର। ବିରୋଧୀ ଦଳ ପାଖରେ ସଂଖ୍ୟାବଳ ନଥିବାରୁ ସରକାରୀ ଦଳ ପାଖରେ ହାତଟେକି ଓଟ ବାହାଘରରେ ଗଧ ସଙ୍ଗୀତ ଗାନ କଲାଭଳି ସରକାରଙ୍କ ପ୍ରଶଂସା ଗାନ କରିଚାଲିଛନ୍ତି। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ରାଜ୍ୟର ସୀମାବର୍ତ୍ତି ଅଞ୍ଚଳକୁ ଅନ୍ୟ ରାଜ୍ୟ ଦଖଲ କଲାଣି। ମହାନଦୀରେ ୧୫ଟି ବ୍ୟାରେଜ୍‌ ନିର୍ମାଣ କଲାଣି ଛତିଶଗଡ଼ ସରକାର। ରାଜ୍ୟ ବିକାଶର ଧାରା ଏପରି ଆଗକୁ ବଢ଼ୁଛି ଯେ, ଲୋକ ଖୁସିରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ହାତ-ଗୋଡ଼ ହରାଇ ଫେରୁଛନ୍ତି, କିନ୍ତୁ ଏହି ଅସହାୟଙ୍କ ପାଇଁ ସ୍ୱର କେହି ଉତ୍ତୋଳନ କରୁନାହାନ୍ତି। ଶ୍ରମ ଶୋଷଣ, ସରକାରୀ କଳର ଦୁର୍ନୀତି ସହ ଲାଞ୍ଚ ପ୍ରକ୍ରିୟାକୁ କଷଣ ବୋଲି କହିଲେ ସରକାରଙ୍କ ବିରୁଦ୍ଧରେ ସ୍ୱର ଉେତ୍ତାଳନ ବୋଲି ବୁଝାଯିବ। ସତ କହିବାର ହିମ୍ମତ ଅସହାୟ ଓଡ଼ିଆଙ୍କ ପାଖରେ କାହୁଁ ବା ଆସିବ? ୧୦ ଟଙ୍କା ଓ ୪୬ ଟଙ୍କା ୯୦ ପଇସାରେ ଦିନପାତ କରୁଛୁ ସତ, କିନ୍ତୁ ପ୍ରତିବାଦ କରିବାର ପରିଣାମ ନିଶ୍ଚୟ ବିପଦପୂର୍ଣ୍ଣ ବୋଲି ଅସହାୟ ଓଡ଼ିଆ ମୁହଁର ସ୍ୱର।

 

ହଁ, ୧୦ ଲକ୍ଷରୁ ଅଧିକ ଶିକ୍ଷିତ ଯୁବବର୍ଗଙ୍କୁ ନା ମିଳୁଛି ନିଯୁକ୍ତି ନା ଆତ୍ମନିଯୁକ୍ତି? ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ତ ଗାଁ ସାହୁକାର ଭୂମିକା ଭଳି। ଟଙ୍କା ବ୍ୟାଙ୍କରୁ ଆଣିବା, ଋଣ ଦେବା ଓ ସୁଧ ଆଦାୟ କରିବାରରେ ସୀମିତ। ରାଜ୍ୟରେ କେବଳ କ୍ରୋମାଇଟ‍୍‌ ଲୁହାପଥର ନୁହଁ, ପଥର, ମୋରମ‍୍‌, ବାଲି ଚୋରି ପରିମାଣ ମାସକୁ ହଜାର କୋଟିକୁ ଟପିଲାଣି। ଏହି ସମୟରେ ବିକାଶ ମହୋତ୍ସବର ମହାପର୍ବ ପାଳନ କରାଯାଉଛି। ଟିକସଦାତାଙ୍କ ଅର୍ଥରେ ନେତାଙ୍କ ମଉଜ-ମଜ୍‌ଲିସ‍୍‌କୁ ଦେଖିଲା ପରେ ଅସହାୟ ଓଡ଼ିଆ ମୁହଁରୁ ଶୁଭୁଛି-ହେ ସରକାର କିପରି ଆମେ ୧୦ ଟଙ୍କା ଓ ୪୬ ଟଙ୍କା ୯୦ ପଇସାରେ ଚଳୁଛୁ, ସେ ସଂପର୍କରେ ସମୀକ୍ଷା କରିବେ କି? କାରଣ ଆପଣ ପରା ସ୍ୱଚ୍ଛ, ଦକ୍ଷ ତଥା ଉତ୍ତରଦାୟୀ ସରକାର!

 

ସାମ୍ୱାଦିକ, ଭୁବନେଶ୍ୱର

ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top