ବିଜେଡିର ତୈଳଦର ଚେତନା

News Story - Posted on 2018-04-07

ତୈଳର ଅହେତୁକ ଦରବୃଦ୍ଧି ସାଧାରଣ ଖାଉଟିଙ୍କ ଠାରୁ ଆରମ୍ଭ କରି ଅର୍ଥନୀତିର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଛି । ସାଧାରଣ ଜନତା କେନ୍ଦ୍ର ସରକାରଙ୍କ ଆନୁଷ୍ଠାନିକ ଷଡ଼ଯନ୍ତ୍ର ଓ ଶୋଷଣର ଶିକାର ହେଉଛନ୍ତି । ତୈଳ କ୍ଷେତ୍ରର କୁପରିଚାଳନାଗତ ଅପାରଗତା ପାଇଁ ଅର୍ଥନୀତି ବିକୃତ ଓ ଚାପଗ୍ରସ୍ତ ହୋଇଛି । ବାରମ୍ବାର ତୈଳ ଦର ବୃଦ୍ଧି ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି । ଖାଉଟିମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାର ଯେଉଁ ଅପରାଧ କରୁଛନ୍ତି, ତା’ର ବିରୋଧରେ ପୁଞ୍ଜିଭୂତ ଅସନ୍ତୋଷ ତୀବ୍ର ରୂପ ଧାରଣ କରିବାକୁ ଯାଉଛି । ଭାରତ ବର୍ଷରେ ପେଟ୍ରୋଲ ମୂଲ୍ୟ ୪ବର୍ଷରେ ସର୍ବାଧିକ, ଡିଜେଲ୍‍ ମୂଲ୍ୟ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । କେନ୍ଦ୍ର ସରକାର ତୈଳ ଦର ବୃଦ୍ଧିକୁ ନେଇ ସ୍ପଷ୍ଟ ମତ ରଖିନାହାନ୍ତି, ବରଂ ନିଜ ଅପାରଗତାକୁ ଲୁଚେଇବାକୁ ବିଭିନ୍ନ ବାହାନା ନେଉଛନ୍ତି ।

 

ତୈଳ ଦର ବୃଦ୍ଧିକୁ ଦୃଢ଼ ବିରୋଧ କରି ଆଜି ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଜନସାଧାରଣଙ୍କୁ ସଚେତନ କରିବା ସହିତ କେନ୍ଦ୍ର ସରକାର କିଭଳି ସାଧାରଣ ଖାଉଟିଙ୍କୁ ଲୁଟ୍‍ କରୁଛନ୍ତି, ସେ ସଂପର୍କରେ ଲିଫଲେଟ୍‍ ବଣ୍ଟନ ଦ୍ୱାରା ଅବଗତ କରାଯାଇଥିଲା । ଏଥିରେ ସ୍ୱତଃସ୍ଫୂର୍ତ୍ତ ଜନସମର୍ଥନ ବ୍ୟାପକ ଭାବେ ମିଳିଥିଲା । ଭୁବନେଶ୍ୱରର ପ୍ରମୁଖ ପେଟ୍ରୋଲ ପମ୍ପ ସମ୍ମୁଖରେ ହୋଇଥିବା ଏହି ଶାନ୍ତିପୂର୍ଣ୍ଣ ଜନସେଚତନତା କାର୍ଯ୍ୟକ୍ରମର ନେତୃତ୍ୱ ନେଇ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଓ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର କହିଥିଲେ ଯେ ୨୦୧୪ ମସିହାରେ କେନ୍ଦ୍ରରେ ଏନଡିଏ ସରକାର ଶାସନ ଭାର ନେଲାବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଆଶାତୀତ ଭାବରେ କମୁଥିଲା । ସେତେବେଳେ ଆଶା କରାଯାଉଥିଲା ଯେ ଏହି ସ୍ଥିତିର ଫାଇଦା ସାଧାରଣ ଖାଉଟିଙ୍କ ପାଖରେ ପହଞ୍ôଚବ । କିନ୍ତୁ ଏହା ହେଲା ନାହିଁ । ଓଲଟା କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବୃଦ୍ଧି କରି ଲୋକମାନଙ୍କୁ ନ୍ୟାଯ୍ୟ ସୁବିଧାରୁ ବଞ୍ôଚତ କଲେ । ଏହି ଅପରାଧିକ ମାନସିକତା ଏବେ ମଧ୍ୟ ବଳବତ୍ତର ରହିଛି ଏବଂ ସାଧାରଣ ଲୋକଙ୍କ ତଣ୍ଟି ଚିପି କେନ୍ଦ୍ର ସରକାର ଏହି କ୍ଷେତ୍ରକୁ ଆୟର ପ୍ରମୁଖ ଉତ୍ସ ଭାବରେ ବ୍ୟବହାର କରିବା ଅର୍ଥନୀତିକ ଦୂରଦୃଷ୍ଟିହୀନତାର ପରିଚାୟକ । ତୈଳ ଦରର ଯୁକ୍ତିପୂର୍ଣ୍ଣ ଦର ଲାଗୁ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପତ୍ରୀ ଓ ଶ୍ରୀ ପାତ୍ର କହିଥିଲେ ।

 

ଆଜିର ଏହି ଶାନ୍ତିପୂର୍ଣ୍ଣ ଜନଜାଗରଣ ଓ ଲିଫ୍‍ଲେଟ୍‍ ବଣ୍ଟନ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଜୁ ଯୁବ ଓ ଛାତ୍ର କର୍ମୀମାନେ ବ୍ୟାନର, ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ଖାଉଟିମାନଙ୍କୁ ଲିଫଲେଟ୍‍ ପ୍ରଦାନ କରିଥିଲେ । ଏହି ଜନଜାଗରଣ ଅଭିଯାନରେ ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ସଂପାଦକ ବିଜୟ ନାୟକ, ଭୁବନେଶ୍ୱର କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ଉପଦେଷ୍ଟା ଅମରେଶ ଜେନା, ସୁନୀଲ ପ୍ରଧାନ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ଉପ-ସଭାପତି ଦୁର୍ଗା ସାମନ୍ତରାୟ, ସନ୍ତୋଷ ବେଜ, ଭୁବନେଶ୍ୱର ଜିଲ୍ଲା ସଭାପତି ଅମରଜିତ ସେନାପତି, କାର୍ଯ୍ୟକାରୀ ସଭାପତି ସୁଜିତ ସ୍ୱାଇଁ, ଛାତ୍ର ବିଜେଡି ଜିଲ୍ଳା ସଭାପତି କଳ୍ପତରୁ ଓଝାଙ୍କ ସମେତ ବହୁ ଦଳୀୟ କର୍ପୋରେଟର୍‍ ଭୁବନେଶ୍ୱରର ଚନ୍ଦ୍ରଶେଖପୁର ଭାରତ ପେଟ୍ରୋଲ ପମ୍ପ, ଚନ୍ଦ୍ରଶେଖରପୁର ଆଇଓସିଏଲ୍‍ ଅଫିସ୍‍ ନିକଟ, ସିଆରପି ଛକ ନିକଟ ପେଟ୍ରୋଲ ପମ୍ପ, କଳିଙ୍ଗ ଷ୍ଟାଡିୟମ୍‍ ନିକଟ ପେଟ୍ରୋଲ ପମ୍ପ, ରାଜଭବନ ଛକ ନିକଟ ପେଟ୍ରୋଲ ପମ୍ପ, ୟୁନିଟ୍‍-୨ ମାର୍କେଟ୍‍ ବିଲ୍ଡିଂ ଭାରତ ପେଟ୍ରୋଲ ପମ୍ପ, ୟୁନିଟ୍‍-୩ ରାମ ମନ୍ଦିର ସମ୍ମୁଖ ପେଟ୍ରୋଲ ପମ୍ପ, ବାଣୀବିହାର ଛକ ପେଟ୍ରୋଲ ପମ୍ପ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖ ପେଟ୍ରୋଲ ପମ୍ପ, କଳ୍ପନା ଛକ ପେଟ୍ରୋଲ ପମ୍ପ, କଟକ ରୋଡ (ଚିନ୍ତାମଣିଶ୍ୱର ଛକ) ପେଟ୍ରୋଲ ପମ୍ପ, ଗୌତମ ପେଟ୍ରୋଲ ପମ୍ପ (ଲୁଇସ୍‍ ରୋଡ୍‍), ଖଣ୍ଡଗିରି ଛକ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ଉପସ୍ଥିତ ରହି ଜନଜାଗରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଲିଫ୍‍ଲେଟ୍‍ ବଣ୍ଟନ କରିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top