ଧାମରା ବନ୍ଦର ସଂପ୍ରସାରଣ ଉଦଘାଟିତ

News Story - Posted on 2018-04-07

ଭାରତର ବୃହତମ ବନ୍ଦର ବିକାଶ ଏବଂ ଆଦାନୀ ଗୋଷ୍ଠୀର ଅଂଶ ଆଦାନୀ ପୋର୍ଟସ୍ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର (ଏପିଏସଇଜେଡ଼୍) ଅଧୀନସ୍ତ ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ କାର୍ଯ୍ୟ ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ପ୍ରକଳ୍ପ ଉଦଘାଟନ କରି କହିଛନ୍ତି ଯେ ଧାମରା ବନ୍ଦର ଓଡ଼ିଶାର ଆଧୁନିକ ନୌବାଣିଜ୍ୟ କ୍ଷେତ୍ରରେ ଏକ ପ୍ରତୀକ ଏବଂ ସରକାର ଓ ଘରୋଇ ଭାଗିଦାରୀର ଏକ ସଫଳ ଉଦାହରଣ । ଆଦାନୀ ଦ୍ୱାରା ସ୍ଥାପନା କରାଯାଇଥିବା ଶିଳ୍ପ ଉଦ୍ୟାନ ଏହି ଅଂଚଳରେ ବୃହତ୍ ଉଦ୍ୟୋଗିକରଣ ସୃଷ୍ଟି କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଶେଷ ଭୂମିକା ଗ୍ରହଣ କରିବ ।

 

ଓଡ଼ିଶା ତଥା ସମଗ୍ର ଦେଶରେ ଏହା ଏକ ଗର୍ବ ଓ ଗୌରବର ବିଷୟ । ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ଦ୍ୱାରା ଧାମରା କେବଳ ଭାରତର ସର୍ବବୃହତ୍ତମ ବନ୍ଦର ଭାବେ ପରିଣତ ହେବ ତାହା ନୁହେଁ, ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ସହିତ ବାଣିଜ୍ୟ କାରବାର ପାଇଁ ଏହା ଭାରତର ଏକ ପ୍ରମୁଖ ପ୍ରବେଶ ପଥ ଭାବେ ମଧ୍ୟ ପରିଗଣିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

ସେହିପରି ଆଦାନୀ ଗୋଷ୍ଠୀର ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି ଯେ, ଆମେ ଏହି ସଂପ୍ରସାରଣ କାର୍ଯ୍ୟ ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ସହାୟତା ନିମନ୍ତେ ନିଜର କୃତଜ୍ଞତା ଜଣାଉଛୁ । ଏହି ବନ୍ଦର ଓଡ଼ିଶା ଏବଂ ଭାରତ ପାଇଁ ବିକାଶ, ବାଣିଜ୍ୟ ବୃଦ୍ଧି ପାଇଁ ସହାୟକ ହେବ ।

 

ଆଦାନୀ ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣର ଶୁଭ ଉଦଘାଟନ ଅବସରରେ ଏପିଏସଇଜେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କରନ୍ ଆଦାନୀ କହିଛନ୍ତି ଯେ, ଧାର୍ଯ୍ୟ ସମୟ ପୂର୍ବରୁ ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ କାର୍ଯ୍ୟ ଦ୍ରୁତ ଗତିରେ ସଂପାଦନ କରିପାରିଥିବାରୁ ଆମେ ବହୁତ ଖୁସି । ୨୦୨୦ ସୁଦ୍ଧା ୨୦୦ ଏମଏମଟି ପଣ୍ୟ କାରବାରର ଲକ୍ଷ୍ୟ ହାସଲ କରିବାରେ ଏହି ସଂପ୍ରସାରଣ ଆମକୁ ସାହାଯ୍ୟ କରିବ । ଏବେ ଆମେ ୨୦୨୫ ସୁଦ୍ଧା ୫୦୦ ଏମଏମଟି ପଣ୍ୟ କାରବାର କରିବା ନିମନ୍ତେ ଲକ୍ଷ୍ୟ ରଖିଛୁ । ଆମେ ରାଜ୍ୟ ସରକାରଙ୍କ ସମର୍ଥନ ପାଇଁ କୃତଜ୍ଞତା ଜ୍ଞାପନ କରୁଛୁ ଯାହାଦ୍ୱାରା ଆମେ ଏହି ଉପଲବ୍ଧି ପାଇବାରେ ସକ୍ଷମ ହେବା ସହ ଆଦାନୀ ଧାମରା ବନ୍ଦରକୁ କେବଳ ଓଡ଼ିଶା ନୁହେଁ ଭାରତର ଏକ ଉକ୍ରୃଷ୍ଟ ଦ୍ୱୀପରେ ପରିଣତ କରିବୁ ।

 

ଏହି ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ. ନୃସିଂହ ଚରଣ ସାହୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ମହିଳା ଓ ଶିଶୁ ବିକାଶ ଏବଂ (ମିଶନ ଶକ୍ତି), ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ଲୋକସଭା ସଦସ୍ୟ ଅର୍ଜୁନ ଚରଣ ସେଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଦାୟକ ଯୁଗଳ କିଶୋର ପଟ୍ଟନାୟକ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଆଦାନୀ ଗୋଷ୍ଠୀର ଅଧ୍ୟକ୍ଷ ଗୌତମ ଆଦାନୀ, ଏପିଏସଇଜେଡ ମୁଖ୍ୟ କାର୍ଯ୍ୟନିର୍ବାହୀ କରନ ଆଦାନୀ, ଧାମରା ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀଙ୍କ ସମେତ ବନ୍ଦରର କର୍ମକର୍ତ୍ତା ପ୍ରମୁଖ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

 

ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ଦ୍ୱାରା ପଣ୍ୟକାରବାର ବର୍ଷକୁ ୧୦୦ ନିୟୁତ ଟନରୁ ଉଦ୍ଧ୍ୱର୍କୁ ବୃଦ୍ଧି ପାଇବ ଯାହାର ବର୍ତ୍ତମାନ କ୍ଷମତା ହେଉଛି ୨୫ ନିୟୁତ ଟନ । ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣରେ କମ୍ପାନୀ ୩୦୦୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ନିଯୁକ୍ତି ଦେଇଛି । ସେମାନଙ୍କ ମଧ୍ୟରୁ ୮୮ ପ୍ରତିଶତ ସ୍ଥାନୀୟ ଲୋକ । ଭୁବନେଶ୍ୱର ଠାରୁ ୨୧୫ କି.ମି. ଦୂରରେ ଏବଂ ପଶ୍ଚିମ ବଙ୍ଗର ହଳଦିଆ ବନ୍ଦର ଏବଂ ଓଡ଼ିଶାର ପାରଦୀପ ବନ୍ଦର ମଧ୍ୟରେ ଏହି ବନ୍ଦର ଅବସ୍ଥିତ । ଏହି ବନ୍ଦର ନେପାଳ, ବାଙ୍ଗଲାଦେଶ, ମିଆଁମାର ସମେତ ସମଗ୍ର ଭୌଗୋଳିକ-ରାଜନୈତିକ କ୍ଷେତ୍ର ସହ ଏସୀୟ ରାଷ୍ଟ୍ରମାନଙ୍କର ପ୍ରବେଶପଥ ରୂପେ କାର୍ଯ୍ୟ କରିବ ।

 

ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନିମନ୍ତେ, ଆଦାନୀ ଫାଉଣ୍ଡେସନ୍ ଭଦ୍ରକ ଜିଲ୍ଲାର କରଣପଲ୍ଲୀ ଗ୍ରାମ ପଂଚାୟତ ସ୍ଥିତ କୁମାମରାଠାରେ ଆଦାନୀ ଡିଏଭି ପବ୍ଲିକ୍ ସ୍କୁଲ୍ ସ୍ଥାପନ କରିଛି । ଏହି ବିଶାଳ ସ୍କୁଲରେ ନିଃଶୁଳ୍କ ଶିକ୍ଷା ପ୍ରଦାନ କରାଯାଉଛି । ଏଠାରେ ଏବେ ଏଲକେଜି ଠାରୁ ଆରମ୍ଭ କରି ନବମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୪୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଆଗାମୀ ଦିନରେ ଏଲକେଜିରୁ ଦଶମ ଶ୍ରେଣୀର ପ୍ରାୟ ୬୪୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ନିମନ୍ତେ ଲକ୍ଷ୍ୟ ରହିଛି । ଧାମରାଠାରେ ଆଦାନୀ ଫାଉଣ୍ଡେସନ ଆଦାନୀ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଯୋଜନା ରଖିଛି ଯାହାକି ରାଜ୍ୟର ଯୁବକ ଏବଂ ଯୁବତୀମାନଙ୍କୁ ସେମାନଙ୍କ ଲକ୍ଷ୍ୟ ହାସଲ କରିବା ନିମନ୍ତେ ସହାୟକ ହେବା ସହ ସେମାନେ ଦକ୍ଷ ସମ୍ପନ୍ନ ହୋଇପାରିବେ ।

 

ଏପିଏସଇଜେଡ ହେଉଛି ଦେଶର ବୃହତ୍ତମ ବନ୍ଦର କମ୍ପାନୀ ଯାହାର ସମଗ୍ର ଭାରତ ଉପକୂଳରେ ପ୍ରାୟ ୧୦ଟି ସ୍ଥାନରେ ଉପସ୍ଥିତି ରହିଛି । ବିଶ୍ୱସ୍ତରୀୟ ବନ୍ଦର ଭିତ୍ତିଭୂମିର ନିର୍ମାଣ, ସଂଚାଳନ ଏବଂ ପରିଚାଳନା କ୍ଷେତ୍ରରେ ଥିବା ଏହାର ନିପୁଣତା ଏହାକୁ ପ୍ରମାଣିତ କରୁଛି । ଏପିଏସଇଜେଡ୍ ମୁନ୍ଦ୍ରା, ହାଜିରା, ଟୁନା ଟେକ୍ରା (କାଣ୍ଡଲା) ଏବଂ ଗୁଜରାଟର ଦହେଜ୍, ଓଡ଼ିଶାର ଧାମରା, ଚେନ୍ନାଇର କଟୁପଲ୍ଲୀ ଆଦି ବନ୍ଦର ପରିଚାଳନା କରିବା ସହିତ ଗୋଆର ମୁର୍ମୁଗାଓ ଏବଂ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ବନ୍ଦରରେ ସ୍ୱତନ୍ତ୍ର କୋଇଲା କାରବାର ବ୍ୟବସ୍ଥା ପରିଚାଳନା କରୁଛି । ଏହା କେରଳର ଭିଜିଞ୍ଜମଠାରେ କଂଟେନର ଟ୍ରାନ୍ସିପମେଂଟ୍ ହବ୍ ନିର୍ମାଣ କରୁଛି ।

 

ଆଦାନୀ ଗୋଷ୍ଠୀ ସମ୍ବନ୍ଧରେ
ଆଦାନୀ ଗୋଷ୍ଠୀ ଭାରତର ସବୁଠାରୁ ବୃହତ୍ତମ କମ୍ପାନୀ ଏକତ୍ରୀକରଣ ଯାହା କି ସମସ୍ତ ଉତ୍ସର ବିକାଶ (କୋଇଲା ଖଣି ଏବଂ ବାଣିଜ୍ୟ), ଲଜିଷ୍ଟିକ୍ (ପୋର୍ଟସ, ପଣ୍ୟ, ସିପିଂ ଏବଂ ରେଳ), ଶକ୍ତି (ନବୀକରଣୀୟ ଏବଂ ତାପଜ ବିଦ୍ୟୁତ୍ ଉତ୍ପାଦନ, ସଂଚରଣ ଏବଂ ବିତରଣ) ଏବଂ କୃଷି (ବସ୍ତୁ, ଖାଦ୍ୟ ତେଲ, ଖାଦ୍ୟ ଉତ୍ପାଦ, ଶିତଳୀକରଣ, ଏବଂ ଶସ୍ୟ), ରିଅଲ ଇଷ୍ଟେଟ୍, ଉପଭୋକ୍ତା ବିତୀୟ ଏବଂ ସୁରକ୍ଷା ବିଭାଗ କ୍ଷେତ୍ରରେ ଅନ୍ୟତମ । ଅହମଦାବାଦଠାରେ ଏହାର ମୁଖ୍ୟାଳୟ ରହିଛି । ଏହି ଗୋଷ୍ଠୀ ସମଗ୍ର ବିଶ୍ୱରେ ପ୍ରାୟ ୧୨୦୦ କୋଟି ଡଲାରର ବିଭିନ୍ନ ବ୍ୟବସାୟ ପରିଚାଳନା କରୁଛି । ଆଦାନୀ ନିଜର ମୂଳ ଦର୍ଶନ ‘ରାଷ୍ଟ୍ର ଗଠନ’ ଦ୍ୱାରା ନିଜର ସଫଳତା ଏବଂ ନେତୃତ୍ୱର ସ୍ଥିତି ବଜାୟ ରଖି ପାରିଛି । ସ୍ଥିରତା, ବିବିଧତା ଏବଂ ମାନର ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ ପରିବେଶ ସୁରକ୍ଷା ଏବଂ ନିଜ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ପ୍ରତି ଏହି ଗୋଷ୍ଠୀ ପ୍ରତିଶ୍ରୁତିବଦ୍ଧ । ଭାରତର ତାମିଲନାଡୁଠାରେ ବିଶ୍ୱର ସର୍ବବୃହତ୍ ସୌର ଶକ୍ତି ପ୍ଲାଂଟ୍ୱଧ୍ୟ ଏହି ଗୋଷ୍ଠୀ ସଂଚାଳନ କରୁଛି । ୨୦୨୨ ସୁଦ୍ଧା ଏହି ଗୋଷ୍ଠୀ ୧୦,୦୦୦ ମେଗାୱାଟ ଶକ୍ତି ଉତ୍ପାଦନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

 

ଆଦାନୀ ବନ୍ଦର ଓ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ସମ୍ବନ୍ଧରେ
ଆଦାନୀ ପୋର୍ଟ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର (ଏପିଏସଇଜେଡ) ହେଉଛି ଭାରତର ସର୍ବବୃହତ ବନ୍ଦର ବିକାଶ ଏବଂ ପରିଚାଳନା ସଂସ୍ଥା । ଏପିଏସଇଜେଡର ଭାରତର ଉଭୟ ପଶ୍ଚିମ ଏବଂ ପୂର୍ବ ଉପକୂଳରେ ଅବସ୍ଥିତ ୧୦ଟି ରଣନୈତିକ ବନ୍ଦର ଏବଂ ଟର୍ମିନାଲ ଯଥା ମୁନ୍ଦ୍ରା, ଦହେଜ, କାନ୍ଦଲା ଏବଂ ଗୁଜରାଟର ହାଜିରା, ଓଡ଼ିଶାର ଧାମରା, ଗୋଆର ମୁର୍ମୁୁଗାଓ, ଆନ୍ଧ୍ରପ୍ରଦେଶର ବିିଶାଖାପାଟଣା ଏବଂ କଟ୍ଟୁପଲି ଏବଂ ଚେନ୍ନାଇର ଇନୋର ହେଉଛି ଭାରତର ସମୁଦାୟ ବନ୍ଦର ଅବସ୍ଥିତିର ୨୪ ପ୍ରତିଶତ । ଏପିଏସଇଜେଡ଼ କେରଳର ଭିଜିଞ୍ଜମଠାରେ ଟ୍ରାନ୍ସିପମେଂଟ୍ ହବ୍ ବିକାଶ କରୁଛି । ଗୁଜରାଟର ମୁନ୍ଦ୍ରାଠାରେ ଏପିଏସଇଜେଡ଼୍ ଭାରତର ସର୍ବବୃହତ ବାଣିଜ୍ୟିକ ବନ୍ଦରର ପରିଚାଳନା କରୁଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top