ବିଳମ୍ବ ହେବ +୨ ପରୀକ୍ଷା ଫଳ!

News Story - Posted on 2018-04-07

ଶିକ୍ଷକଙ୍କ ବର୍ଜନ ହେତୁ ଏଥର ବିଳମ୍ବିତ ହୋଇପାରେ +୨ ପରୀକ୍ଷା ଫଳ ପ୍ରକାଶ । ଏନେଇ ସନ୍ଦେହ ପ୍ରକାଶ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଠିକ ସମୟରେ ଖାତା ଦେଖା ସାରିବା ପାଇଁ ମୂଲ୍ୟାୟନ ବର୍ଜନ କରୁଥିବା ଶିକ୍ଷକମାନଙ୍କ ବିରୋଧରେ ଏତଲା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

ସାମ୍ବାଦିକ ସମ୍ମିଳନୀରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ଦେଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ୩.୬୫ ଲକ୍ଷ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଇଥିଲେ । ଏପ୍ରିଲ ୪ ତାରିଖରୁ ସେମାନଙ୍କର ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି । କିନ୍ତୁ ଏପ୍ରିଲ ୭ ତାରିଖ ସୁଦ୍ଧା ଯେତିକି ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବା କଥା ତାହାର ପ୍ରାୟ ଅଧାଅଧି ଯୋଗ ଦେଇ ନାହାନ୍ତ ।

 

ତାଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଖାତା ମୂଲ୍ୟାୟନ ପାଇଁ ୫୮୦୦ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା । କିନ୍ତୁ ଏଯାଏଁ ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ଏହି କାର୍ଯ୍ୟରେ ଯୋଗ ଦେଇ ନଥିବା ସମୀକ୍ଷାରୁ ଜଣାପଡ଼ିଛି । ସେହିପରି ଏଯାଏଁ ଯେତିକି ଖାତା ଦେଖାଯିବା କଥା ତା’ଠାରୁ ପ୍ରାୟ ୫ ହଜାର ଖାତା କମ୍ ଦେଖାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଏହି ଧାରା ଲାଗି ରହିଲେ ଠିକ ସମୟରେ ଖାତାଦେଖା ସରବ ନାହିଁ । ଠିକ ସମୟରେ ଖାତା ଦେଖା ନସରିଲେ ଠିକ ସମୟରେ ପରୀକ୍ଷା ଫଳ ପ୍ରକାଶ ନପାଇବାର ଆଶଙ୍କା ରହିଛି ।

 

ଏହି ବିଷୟକୁ ସରକାର ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି ବୋଲି ପରିଷଦ ଅଧ୍ୟକ୍ଷ କହିଛନ୍ତି । ତେଣୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଏକ ମିଳିତ ସମୀକ୍ଷା ବୈଠକ ଏପ୍ରିଲ ୭ ତାରିଖରେ ଅନୁଷ୍ଠିତ ହୋଇଥିଲା । ଖାତା ମୂଲ୍ୟାୟନ ଶୃଙ୍ଖଳିତ କରିବା ପାଇଁ ଏହି ବୈଠକରେ କେତେକ କଠୋର ନିଷ୍ପତ୍ତି ନିଆଯାଇଛି ।

 

ଏ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ମୂଲ୍ୟାୟନ ବର୍ଜନ କରିଥିôବା ଶିକ୍ଷକମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଖାତା ମୂଲ୍ୟାୟନରେ ଯୋଗ ଦେଉ ନାହାନ୍ତି ଏବଂ ଯେଉଁମାନେ ଏଥିରେ ବ୍ୟାଘାତ କରୁଛନ୍ତି ସେମାନଙ୍କ ବିରୋଧରେ ପରୀକ୍ଷା ପରିଚାଳନା ଆଇନର ୬, ୭ ଓ ୮ ଦଫା ଅନୁସାରେ ଏତଲା ଦାଏର କରିବାକୁ ମୂଲ୍ୟାୟନ କେନ୍ଦ୍ରର ସୁପରଭାଇଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସ୍ୱାସ୍ଥ୍ୟଗତ କାରଣରୁ ଯେଉଁମାନେ ଖାତା ମୂଲ୍ୟାୟନ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ସେମାନଙ୍କ ବିରୋଧରେ ଏତଲା ଦିଆଯିବ ନାହିଁ ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ଦାବି ହାସଲ କରିବାକୁ ରାଜ୍ୟର ଅନେକ ଶିକ୍ଷକ ଓ ଅଧ୍ୟାପକ ଚଳିତ ବର୍ଷ ଖାତା ମୂଲ୍ୟାୟନ ବର୍ଜନ କରିଛନ୍ତି । ସେମାନେ ପ୍ରଥମେ ପରୀକ୍ଷା ବର୍ଜନ କରିଥିଲେ । କିନ୍ତୁ ସେମାନଙ୍କ ଦାବି ପୂରଣ ହେବ ବୋଲି ସରକାର ପ୍ରତିଶ୍ରୁତି ଦେବା ପରେ ଅଧ୍ୟାପକ ଓ ଶିକ୍ଷକମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ମାତ୍ର ଏହା ପରେ ସରକାର ସେମାନଙ୍କ ଦାବି ପୂରଣ କରିନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଧ୍ୟାପକ ଓ ଶିକ୍ଷକମାନେ ମୂଲ୍ୟାୟନ ବର୍ଜନ କରିଛନ୍ତି ।

 

ସେମାନଙ୍କ ଧର୍ମଘଟ ଓ ଧାରଣାର କୌଣସି ପ୍ରଭାବ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ଉପରେ ପଡ଼ିବ ନାହିଁ ସରକାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ । କିନ୍ତୁ ଏବେ ସରକାରଙ୍କର ଏହି ତୃଢ଼ୋକ୍ତି ପମ୍ପା ଆବାଜ ଥିôବା ପ୍ରମାଣିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କ ଆଜିର ସାମ୍ବାଦିକ ସମ୍ମିଳନୀରେ ପରେ ମୂଲ୍ୟାୟନ ବର୍ଜନ କରିଥିବା ଶିକ୍ଷକମାନେ କହିଛନ୍ତି ଯେ ଏଥିରୁ ସରକାରଙ୍କ ମୁକାବିଲା ମନୋଭାବ ବେଶ ସ୍ପଷ୍ଟ । ଏହା ସମସ୍ୟାର ସମାଧାନ କରିବ ନାହିଁ । ସରକାର ଶିକ୍ଷକମାନଙ୍କୁ ମାଡ଼ ମାରିଛନ୍ତି, ଗିରଫ କରି ଜେଲ୍ ପଠାଇଛନ୍ତି, ବାକି ରହିଛି କେବଳ ଫାଶୀ ଦେବା । ସରକାର ତାହା ବି କରିଦିଅନ୍ତୁ । ତଥାପି ଦାବି ପୂରଣ ହେଲା ଯାଏଁ ସେମାନଙ୍କର ଆନ୍ଦୋଳନ ଅବ୍ୟାହତ ରହିବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top