୩୦ ଦିନରୁ ୨୩ ଦିନ ମୁଲତବୀ

News Story - Posted on 2018-04-06

ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ବଜେଟ ଅଧିବେଶନ ଆଜି ଶେଷ ହୋଇଛି । ସଂସଦ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରହିଛି । ଅଧିବେଶନର ଦୁଇ ପର୍ଯ୍ୟାୟ ମଧ୍ୟରେ ଅର୍ଥାତ୍ ୨୦୧୮ ଫେବ୍ରୁଆରୀ ୯ ତାରିଖରୁ ୨୦୧୮ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ୨୩ ଦିନ ଗୃହ ମୁଲତବୀ ରହିଥିଲା । ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ଖର୍ଚ୍ଚ ଦାବିକୁ ଷ୍ଟାଣ୍ଡିଂ କମିଟି ଦ୍ୱାରା ଅନୁଧ୍ୟାନ ପାଇଁ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ।

 

କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ରସାୟନ ଓ ସାର ମନ୍ତ୍ରୀ ଅନନ୍ତ କୁମାର, ସଂସଦୀୟ ବ୍ୟାପାର, ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ରାଷ୍ଟ୍ର ମନ୍ତ୍ରୀ ବିଜୟ ଗୋୟଲ ଏବଂ ଜଳସମ୍ବଳ, ନଦୀ ବିକାଶ ଓ ଗଙ୍ଗା ନବୀକରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଲୋକସଭାର ୭ ଏବଂ ରାଜ୍ୟସଭାର ୮ଟି ଦିବସରେ କାର୍ଯ୍ୟ ହୋଇଥିଲା । ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଲୋକସଭା ଏବଂ ରାଜ୍ୟସଭାର ମୋଟ ୨୨ଟି କାର୍ଯ୍ୟ ଦିବସ ଥିଲା । ସମ୍ପୂର୍ଣ୍ଣ ବଜେଟ ଅଧିବେଶନରେ ଲୋକସଭାର ୨୯ ଏବଂ ରାଜ୍ୟସଭାର ୩୦ଟି କାର୍ଯ୍ୟ ଦିବସ ଥିଲା ।

 

ଅନନ୍ତ କୁମାର କହିଥିଲେ ଯେ, ବଜେଟ ଅଧିବେଶନରେ ମୋଟ ୫ଟି ବିଲ୍ ଉପସ୍ଥାପିତ (ଲୋକସଭାରେ ୫ଟି ବିଲ୍) ହୋଇପାରିଛି । ଲୋକସଭା ଦ୍ୱାରା ୫ଟି ଏବଂ ରାଜ୍ୟସଭାରେ ଗୋଟିଏ ବିଲ୍ ଗୃହୀତ ହୋଇଛି । ସଂସଦର ଉଭୟ ଗୃହ ଦ୍ୱାରା ଗୃହୀତ ହୋଇଛି/ କିମ୍ବା ଗୃହୀତ ହୋଇଥିବା ବିବେଚନା କରାଯାଇଥିବା ବିଲର ସଂଖ୍ୟା ୪ ।

 

ପ୍ରଥମ ପର୍ଯ୍ୟାୟରେ ଲୋକସଭାରେ କାର୍ଯ୍ୟର ଉତ୍ପାଦକତା ୧୩୪% ଥିବା ବେଳେ ରାଜ୍ୟସଭାର ଥିଲା ୯୬% । ଦ୍ୱିତୀୟ ପର୍ଯ୍ୟୟରେ ଲୋକସଭାରେ କାର୍ଯ୍ୟ ଉତ୍ପାଦକତା ୪% ଥିବା ବେଳେ ରାଜ୍ୟସଭାରେ ୮% । ୨୦୧୮ ବଜେଟ ଅଧିବେଶନରେ ମୋଟ କାର୍ଯ୍ୟ ଉତ୍ପାଦକତା ଲୋକସଭାରେ ୨୩% ଏବଂ ରାଜ୍ୟସଭାରେ ୨୮% ଥିଲା ବୋଲି କହିଛନ୍ତି ଅନନ୍ତ କୁମାର ।

 

ଏହା ୨୦୧୮ର ପ୍ରଥମ ଅଧିବେଶନ ହୋଇଥିବାରୁ ସମ୍ବିଧାନର ଧାରା ୮୭(୧) ଅନୁଯାୟୀ ସଂସଦରେ ଉଭୟ ଗୃହର ସଦସ୍ୟଙ୍କୁ ମିଳିତ ଭାବେ ରାଷ୍ଟ୍ରପତି ୨୦୧୮ ଜାନୁଆରୀ ୨୯ ତାରିଖରେ ଅଭିଭାଷଣ ପ୍ରଦାନ କରିଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଲୋକସଭାରେ ରାକେଶ ସିଂଙ୍କ ଦ୍ୱାରା ଆଗତ ହୋଇଥିଲା ଏବଂ ଏହାକୁ ସମର୍ଥନ କରିଥିଲେ ପ୍ରହଲ୍ଲାଦ ଭେଙ୍କଟେଶ ଯୋଶୀ । ଲୋକସଭାରେ ଏହାର ଆଲୋଚନା ପାଇଁ ୧୦ ଘଂଟାର ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏହା ନେଇଥିଲା ୧୦ ଘଂଟା ୪୩ ମିନିଟ । ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ଅମିତ ଶାହ ଏବଂ ସମର୍ଥନ କରିଥିଲେ ଡକ୍ଟର ବିନୟ ପି. ସହସ୍ରବୁଦେ୍ଧ । ଏହାର ଆଲୋଚନା ପାଇଁ ୧୨ ଘଂଟାର ସମୟ ଧାର୍ଯ୍ୟ ଥିଲେ ମଧ୍ୟ ଆଲୋଚନା ହୋଇଥିଲା ୧୨ ଘଂଟା ୪୫ ମିନିଟ । ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଧନ୍ୟବାଦ ପ୍ରସ୍ତାବ ଉଭୟ ଗୃହରେ ଆଲୋଚନା ପରେ ଗୃହୀତ ହୋଇଥିଲା ।

 

ଏହା ବଜେଟ ଅଧିବେଶନ ହୋଇଥିବାରୁ ମୁଖ୍ୟତଃ ଆର୍ଥିକ କାରବାରର ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୨୦୧୮ ଫେବ୍ରୁଆରୀ ୧ ତାରିଖରେ ୨୦୧୮-୧୯ର କେନ୍ଦ୍ର ବଜେଟ ଉପସ୍ଥାପିତ ହୋଇଥିଲା । ଉଭୟ ଗୃହରେ ଏହା ଉପରେ ଆଲୋଚନା ମଧ୍ୟ ହୋଇଥିଲା । ଲୋକସଭାରେ ଏଥିପାଇଁ ୧୨ ଘଂଟା ଏବଂ ରାଜ୍ୟସଭାରେ ୧୨ ଘଂଟା ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଯଥାକ୍ରମେ ୧୨ ଘଂଟା ୧୩ ମିନିଟ ଏବଂ ୯ ଘଂଟା ୩୫ ମିନିଟ ସମୟ ଲାଗିଥିଲା ।

 

ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଷ୍ଟାଣ୍ଡିଂ କମିଟି ଗୁଡ଼ିକ ବିଭିନ୍ନ ବିଭାଗର ଅନୁଦାନ ଦାବି ଉପରେ ରିପୋର୍ଟ ଉପସ୍ଥାପନ କରିଥିଲେ । ୨୦୧୮ ମାର୍ଚ୍ଚ ୧୪ ତାରିଖରେ ଲୋକସଭାରେ ବିଭିନ୍ନ ମନ୍ତ୍ରାଳୟ/ବିଭାଗର ଅନୁଦାନ ଦାବି ଉପସ୍ଥାପିତ ହୋଇ ଭୋଟ୍ରେ ଗୃହୀତ ହୋଇଥିଲା । ଏ ସମ୍ପର୍କିତ ବିନିଯୋଗ ବିଧେୟକ ମଧ୍ୟ ଉପସ୍ଥାପିତ ହୋଇ ଆଲୋଚନା ପରେ ଗୃହୀତ ହୋଇଥିଲା । ୨୦୧୮ ମାର୍ଚ୍ଚ ୧୪ ତାରିଖରେ ଲୋକସଭାରେ ଅର୍ଥ ବିଲ୍-୨୦୧୮ ଗୃହୀତ ହୋଇଥିଲା । ସେହି ଦିନ ଚତୁର୍ଥ ଅତିରିକ୍ତ ଅନୁଦାନ ଦାବି ୨୦୧୭-୧୮ର ବିନିଯୋଗ ବିଲ୍ ମଧ୍ୟ ଉପସ୍ଥାପିତ ହୋଇ ଆଲୋଚନା ପରେ ଗୃହୀତ ହୋଇଥିଲା । ରାଜ୍ୟସଭା ବିନିଯୋଗ ବିଲ୍ ଏବଂ ଅର୍ଥ ବିଲକୁ ଫେରସ୍ତ କରି ନଥିବାରୁ ୨୦୧୮ ମାର୍ଚ୍ଚ ୨୮ ତାରିଖ ପରେ ଏହା ସଂସଦର ଉଭୟ ଗୃହରେ ସ୍ୱୟଂ ଭାବେ ଗୃହୀତ ହୋଇଯାଇଥିବା ବିବେଚନା କରାଯାଇଛି । ବିନିଯୋଗ ଏବଂ ଅର୍ଥ ବିଲରେ ୨୦୧୮ ମାର୍ଚ୍ଚ ୨୯ ତାରିଖରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଆର୍ଥିକ କାରବାରର ସମସ୍ତ ପ୍ରକ୍ରିୟା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଶେଷ ହୋଇପାରିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top