ବ୍ରହ୍ମପୁରରେ ଶତାବ୍ଦୀର ଶୋଷ

News Story - Posted on 2018-04-06

ହେମାଙ୍ଗ ପ୍ରସାଦ ରାଉଳ

 

ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବା ବେଳେ ଖରାଦିନ ହେଲେ ଏହି ସମସ୍ୟା ଏଠାରେ ଉଗ୍ର ରୂପେ ଧାରଣ କରିଥାଏ । ପାଣି ଟୋପାଏ ପାଇଁ ଲୋକଙ୍କ ମଧ୍ୟରେ ହାହାକାର ପଡ଼ୁଥିବା ବେଳେ ଏଥିପାଇଁ ବହୁ ସମୟରେ ଗଣ୍ଡଗୋଳରୁ ହତ୍ୟା ପର୍ଯ୍ୟନ୍ତ ଘଟଣା ଘଟିଥିବା ନଜିର ରହିଛି । ତେବେ ପିଏଚଡ଼ି କାର୍ଯ୍ୟାଳୟକୁ ଲୋକେ ବାରମ୍ବାର ପାନୀୟ ଜଳ ସମସ୍ୟା ନେଇ ଯାଉଥିବା ବେଳେ ବିଭାଗର ଖାମଖିଆଲି, ବେପରବାୟ ନୀତି ଯୋଗୁଁ ଲୋକେ ନୟାନ୍ତ ହୋଇ ଫେରୁଥିବା ଅଭିଯୋଗ ହେଉଛି ।

 

ଋଷିକୁଲ୍ୟା, ଦକ୍ଷିଣପୁରରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ କେତେବେଳେ କେଉଁଦିନ ଛଡ଼ା ଯାଉଛି ତ ପୁଣି କିଛି ଦିନ ଯୋଗାଣ ବନ୍ଦ ରହୁଛି । ତେବେ ଏ ସମ୍ପର୍କରେ ବିଭାଗ ପକ୍ଷରୁ କୌଣସି ପୂର୍ବ ସୂଚନା ଦିଆଯାଉନଥିବା ସାଧାରଣରେ ଅଭିଯୋଗ ହେଉଛି । ସେହିଭଳି ଅଧୀକ୍ଷଣ ଯନ୍ତ୍ରୀ ମାସର ଅଧିକାଂଶ ଦିନ ଅନୁପସ୍ଥିତ ରହୁଥିବା ବେଳେ ଏ ସଂପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନନେବା ପଛରେ ଉଦ୍ଦେଶ୍ୟ କ’ଣ ତାହା ତଦନ୍ତ ସାପେକ୍ଷ । ଏଣେ ସହରରେ ବିଭିନ୍ନ ସ୍ଥାନରେ ନଳକୂପ ପାଇଁ ଗାତ ଖୋଳାଯାଇଛି । କିନ୍ତୁ ସେଥିରେ ଆବଶ୍ୟକ ସାମଗ୍ରୀ ସଂଯୋଗ କରାଯାଇନାହିଁ । ଏଥିରେ ନିୟୋଜିତ ଠିକାଦାର୍ମାନେ ସେଠାରେ ଥିବା ଲୋକଙ୍କଠାରୁ ଲାଂଚ ନେଇ ସଂଯୋଗ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି ।

 

ପ୍ରକାଶଥାଉକି, ବ୍ରହ୍ମପୁର ସହରରେ ଦୀର୍ଘଦିନ ଧରି ପାଣି ସମସ୍ୟା ଲାଗି ରହିଥିବା ବେଳେ ଗତ ୨୦୦୪-୦୯ ମଧ୍ୟରେ କେନ୍ଦ୍ରରେ ଯୋଜନା ଏୟୁଆଇଡ଼ିଏସଏମଟିରେ ବ୍ରହ୍ମପୁରକୁ ଅନ୍ତର୍ଭକ୍ତ କରାଯାଇଥିଲା । ଯାହାଫଳରେ ବ୍ରହ୍ମପୁର ସହରରେ ରାସ୍ତାଘାଟ, ଆଲୋକ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ । ଏହି ଯୋଜନା ଅନୁଯାୟୀ କେନ୍ଦ୍ର ୮୦ ଶତକଡ଼ା ଅନୁଦାନ, ରାଜ୍ୟ ୧୦ ଶତକଡ଼ା ଏବଂ ଏନଏସି ତଥା ପୌରପାଳିକା ୧୦ ଶତକଡ଼ା ଅର୍ଥ ବହନ କରିବେ । ଏଥିରେ ପ୍ରଥମ ଦଫାରେ ପୋଖରୀଗୁଡ଼ିକର ପୁନରୁଦ୍ଧାର ପାଇଁ ୩୦ କୋଟି ଟଙ୍କା ଅନୁଦାନ କେନ୍ଦ୍ରରୁ ଆସିଥିଲା । ଏଥିମଧ୍ୟରୁ ୨୩ କୋଟି ଟଙ୍କାରେ ବ୍ରହ୍ମପୁର ସହର ଏବଂ ଏହାର ଆଖପାଖ ଅଂଚଳ ତଥା ବିଜିପୁର, ଫାଷ୍ଟଗେଟ୍, ହରିଡ଼ାଖଣ୍ଡି, ଗୋଷାଣି ନୂଆଗାଁ, ଆମ୍ବ ମାର୍କେଟ ପ୍ରଭୃତି ଅଂଚଳରେ ବିଭିନ୍ନ ପୋଖରୀର ପୁନରୁଉଦ୍ଧାର କାର୍ଯ୍ୟ ହୋଇଥିଲା । ଏଥିମଧ୍ୟରୁ କିଛି ପୋଖରୀର ଭଲ କାମ ହୋଇଥିବା ବେଳେ ଅନ୍ୟ କିଛି ପୋଖରୀର କାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ିରହିଥିଲା ଏବଂ ଉକ୍ତ ଟଙ୍କାରେ ମଧ୍ୟ ଦୁର୍ନୀତି ହୋଇଥିବା ଶୁଣିବାକୁ ମିଳିଥିଲା । ଏଥିସହ ବଳକା ଟଙ୍କା ମଧ୍ୟରୁ ୫ କୋଟି ଟଙ୍କା ବ୍ୟୟରେ ଦ୍ୱିତୀୟ ଟ୍ରିଟମେଣ୍ଟ ପ୍ଲାନ୍ କାମ ଏବଂ ୩ କୋଟି ଟଙ୍କା ବ୍ୟୟରେ ଦକ୍ଷିଣପୁର ଜଳ ଭଣ୍ଡାରର କ୍ଷମତା ଦୁଇଗୁଣ କରିବା ପାଇଁ ପୁନରୁଦ୍ଧାର କାର୍ଯ୍ୟ ହୋଇଥିଲା ।

 

ଏହାପରେ ଦ୍ୱିତୀୟ ଦଫାରେ କେନାଲ୍ ମାଧ୍ୟମରେ ଆସୁଥିବା ପାଣିକୁ ସିଧାସଳଖ ସୋରଡ଼ା ଜାନିବାଲିଠାରୁ ପାଇପ୍ ଲାଇନ୍ ସାହାଯ୍ୟରେ ପାନୀୟ ଜଳ ଯୋଗାଣ ଏବଂ ମାଟି ତଳ ଦେଇ ଯାଇଥିବା ପାଇପ୍ ଲାଇନ୍ ଗୁଡ଼ିକ ୫ ଇଂଚରୁ ୨୦ ଇଂଚ ବଢ଼ାଇବା(ଇଣ୍ଟରନାଲ୍ ଡ଼ିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍)କୁ ମଜବୁତ୍ କରିବା ପାଇଁ ସ୍ୱଳ୍ପମିଆଦି ଯୋଜନା ଭାବେ କାର୍ଯ୍ୟକାରୀ କରିବା ପାଇଁ ବୈଠକ ବସିଥିଲା । ଏଥିରେ ପିଏଚଡ଼ି ବିଭାଗ ଏବଂ କେନ୍ଦ୍ରରୁ ବିଭାଗୀୟ ଟିମଙ୍କ ଉପସ୍ଥିତିରେ ଏହି ଯୋଜନାକୁ କାର୍ଯ୍ୟକାରୀ ପାଇଁ ଚେଷ୍ଟା ହୋଇଥିଲା । ଆଗାମୀ ୨୦୨୫ ମସିହା ପର୍ଯ୍ୟନ୍ତ ବ୍ରହ୍ମପୁର ପାଣି ସମସ୍ୟାର ସମାଧାନ ହୋଇ ପାରିଥାନ୍ତା । କିନ୍ତୁ ୭ ବର୍ଷ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ଉକ୍ତ କାମ ବେସରକାରୀ ସଂସ୍ଥା ଦ୍ୱାରା କରାଯିବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ରାଜ୍ୟ ସରକାର ଉକ୍ତ କାମ ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ୨/୩ ବର୍ଷ ନେଇଥିଲେ । ଶେଷ ମୁହୂର୍ତ୍ତରେ ୩୨ କୋଟି ଟଙ୍କା ପାଇଁ ରିପୋର୍ଟ ପ୍ରଦାନ କରିଥିଲେ । ପୁଣି ୨୩ କୋଟି ଟଙ୍କାର ରିପୋର୍ଟ ଦେଲେ । ଯାହାଫଳରେ ଏହି କାମ ସ୍ଥଗିତ ରହିଥିଲା ।

 

ଇତିମଧ୍ୟରେ ୨୦୦୯ ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା । ନିର୍ବାଚନ ପରେ ଏହାର ବ୍ୟୟବରାଦ ବୃଦ୍ଧି ଘଟିଥିଲା । ଯାହାକି ୫୬ କୋଟି ଏବଂ ପରବର୍ତ୍ତି ସମୟରେ ୬୫ କୋଟିରେ ପହଂଚିଥିଲା । ସରକାରଙ୍କ ଠାରୁ କିଛି ଟଙ୍କା ମଧ୍ୟ ମିଳିଥିଲା । ଯେଉଁ ଟଙ୍କାରେ ସହରରେ କିଛି ଓଭର୍ ହେଡ଼୍ ଟ୍ୟାଙ୍କ ଏବଂ ଜଳ ସଂରକ୍ଷିତ ରଖିବା ପାଇଁ ରିଜର୍ଭୟର୍, ଉତ୍କଳ ଆଶ୍ରମ ରୋଡ଼୍ ପର୍ଯ୍ୟନ୍ତ ପାଇପ୍ ଲାଇନ୍ ପ୍ରଭୃତି କାମ ହୋଇଥିଲା । କିନ୍ତୁ ପରେ ସରକାରଙ୍କ ଆନ୍ତରିକତା ଅଭାବ ଏବଂ ଉଦାସୀନତା ଯୋଗୁଁ ବ୍ରହ୍ମପୁର ଜଳ ସମସ୍ୟା ଶତାଦ୍ଦୀର ଶୋଷ ପାଲଟିଛି । ଇତିମଧ୍ୟରେ ୫ ଥର ନିର୍ବାଚିତ ହୋଇ ସୁଦ୍ଧା ବ୍ରହ୍ମପୁର ବିଧାୟକ ବ୍ରହ୍ମପୁର ସହରର ପାଣି ସମସ୍ୟାର ଏକ ସ୍ଥାୟୀ ବାଟ କାଢ଼ିପାରିଲେ ନାହିଁ । ବର୍ତ୍ତମାନ ଉକ୍ତ ଏୟୁଆଇଡ଼ିଏସଏମଟି ଯୋଜନା ଏନଡ଼ିଏ ସରକାର ବନ୍ଦ କରିଥିବା ଶୁଣିବାକୁ ମିଳୁଛି ।

 

ସେହିଭଳି ୨ ଥର ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ଏଜେଣ୍ଡାର ମୁଖ୍ୟଥିଲା ବ୍ରହ୍ମପୁର ପାଣି ସମସ୍ୟା । କିନ୍ତୁ ଏହାମଧ୍ୟ ତାଙ୍କ ପ୍ରତିଶ୍ରୁତି ପାଣିର ଗାର ଭଳି ଉଭେଇଗଲା । ଏହି ପରିପ୍ରେକ୍ଷୀରେ ଅନେକ ଦିନର ସ୍ୱ୍ପ୍ନକୁ ସାକାର କରିବାକୁ ଯାଇ ଜାନବିଲି ପ୍ରକଳ୍ପ ମାନ୍ୟବର ମୁଖ୍ୟମନ୍ତ୍ରୀ ୪୭୬ କୋଟି ଟଙ୍କା ବ୍ୟୟ ଅଟକଳରେ ଭିତ୍ତି ସ୍ଥାପନ କରିଥିଲେ । ଯାହାକି ଗ୍ଲୋବାଲ୍ ଟେଣ୍ଡର ହୋଇ ଏଲ ଆଣ୍ଡ ଟି ଦ୍ୱାରା ଏହି କାର୍ଯ୍ୟ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଜଗଦଳପୁରଠାରେ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । ୨୦୧୮ ଡ଼ିସେମ୍ବର ସୁଦ୍ଧା ଶେଷ କରିବାକୁ ଏକ ଚୁକ୍ତିନାମା ହୋଇଥିବା ଜଣାପଡ଼ିଛି । ଯାହାବି ହେଉ ଜାନବିଲ ପ୍ରକଳ୍ପ ଦ୍ୱାରା ବ୍ରହ୍ମପୁର ପାନୀୟ ଜଳର ସମସ୍ୟା ଦୂର ହେବାର ବହୁ ସମ୍ଭାବନା ରହିଛି । ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଜଣାପଡ଼ିଛି । ନିର୍ବାଚନ ପୂର୍ବରୁ ବ୍ରହ୍ମପୁରବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏହା ଏକ ଭଲ ଉପହାର ସଦୃଶ ହେବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top