ରତ୍ନ ବିଦାରି ରତ୍ନ ଖୋଜୁ !

News Story - Posted on 2018-04-06

ମୀନକେତନ ମିଶ୍ର

 

ଚର୍ଚ୍ଚାରେ ଶ୍ରୀଜଗନ୍ନାଥ। ବର୍ଷ ସାରା ମହାପ୍ରଭୁଙ୍କୁ ନେଇ କେତେ କେତେ ଚର୍ଚ୍ଚା। କେତେବେଳେ ବଡ଼ ଦେଉଳର ସ୍ଥିତିକୁ ନେଇ ତ କେବେ ପୁଣି ଠାକୁରଙ୍କ ରୀତିନୀତିକୁ ନେଇ। ପୁଣି ମନ୍ଦିରରେ ସଂସ୍କାରକୁ ନେଇ ନାନା ତର୍କବିତର୍କ। ମନ୍ଦିର ବେଢ଼ାରେ କାହାର ଗୋଡ଼ ଖସିଗଲେ ତାହା ହୁଏ ପ୍ରଥମ ପୃଷ୍ଠାର ଖବର। ସିଂହଦ୍ବାର ଆଗରୁ ବୈଦ୍ୟୁତିକ ଗଣମାଧ୍ୟମର ଲାଇଭ‍୍‌ ଟେଲିକାଷ୍ଟ। ଯଦି ଶ୍ରୀମନ୍ଦିର ଭିତରେ ଗୋଟେ ଘଟଣା ଘଟେ, ଲୋକମୁଖରେ ତାହାର ନାନା ଖିଅ ବାହାରେ। ଶ୍ରୀମନ୍ଦିରରେ ଛୋଟବଡ଼ ଅଘଟଣ ସବୁ ସମୟରେ ଗୁରୁତ୍ବ ରଖେ, ରଖିବା ମଧ୍ୟ ଉଚିତ‍୍‌। କାରଣ ଏହି ମନ୍ଦିର ହିଁ ଆମର ପରିଚୟ। ଓଡ଼ିଆ ଜାତିର ଗର୍ବ। ଓଡ଼ିଶାର ସଂସ୍କୃତି, ଐତିହ୍ୟ ସବୁ କିଛି ଶ୍ରୀଜଗନ୍ନାଥ ଏବଂ ଶ୍ରୀମନ୍ଦିର ସହିତ ଜଡ଼ିତ। ତେଣୁ ତ ଆମ ସଂସ୍କୃତିକୁ କୁହାଯାଏ ଜଗନ୍ନାଥ ସଂସ୍କୃତି ଆଉ ଓଡ଼ିଶାକୁ ବାହାର ଲୋକେ ଜଗନ୍ନାଥ ଦେଶ ବୋଲି ଜାଣନ୍ତି।

 

ସଂପ୍ରତି ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ନେଇ ନାନା ଆଲୋଚନା। ପ୍ରଥମ କଥାଟି ହେଉଛି ରତ୍ନଭଣ୍ଡାରର ସୁରକ୍ଷା ଯାଞ୍ଚ। ତିନି ଦଶନ୍ଧି ଧରି ଏହା ଖୋଲା ହୋଇ ନଥିବାରୁ ଏହି ଭଣ୍ଡାର ଘରଗୁଡ଼ିକ କିପରି ଅଛି ତାହା ଜାଣିବାର ଅବକାଶ ଦେଖାଦେଇଛି। ହେଲେ ମଣିଷ ତୁଣ୍ଡଠାରୁ ଆରମ୍ଭ କରି ମିଡିଆ ଯାଏ ସବୁଠି ରତ୍ନଭଣ୍ଡାର ସ୍ଥିତି କମ‍୍‌, ବରଂ ଠାକୁରଙ୍କର ଅଳଙ୍କାର କେତେ, କେଉଁ କେଉଁ ଅଳଙ୍କାର କେଉଁ ରଜା ଅର୍ପଣ କରିଥିଲେ, ଯଦି ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରାଯାଏ ତେବେ ଅଘଟଣ ଘଟିବ ଇତ୍ୟାଦିକୁ ନେଇ ଅନେକ ଆଲୋଚନା। ରତ୍ନଭଣ୍ଡାର ଯାଞ୍ଚ ସରିବା ପରେ ଯେ ଏହି ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିବ ତାହା ନୁହେଁ। ରତ୍ନଭଣ୍ଡାରକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଶ୍ରୀଜଗନ୍ନାଥଙ୍କ ପ୍ରତି ରହିଥିବା ଭକ୍ତି ଓ ଭାବାବେଗର ପ୍ରତୀକ। ଏଥିରେ ଟିକେ ଏପଟ ସେପଟ ହେଲେ ପରିସ୍ଥିତି ଅସମ୍ଭାଳ ହୋଇଯିବ। ସରକାରଙ୍କ ଉପରକୁ ବି ଅଙ୍ଗୁଳି ଉଠିବ। ଏ କଥା ସରକାର ବି ଭଲ ରୂପେ ଜାଣନ୍ତି। ବ୍ରହ୍ମବିଭ୍ରାଟ ହେଉ କିମ୍ବା ସଂସ୍କାର ପ୍ରସଙ୍ଗ, ପୂର୍ବରୁ ସରକାର ନିଜର ଅପାରଗତା ପାଇଁ ସମାଲୋଚିତ ହୋଇଛନ୍ତି। ତେଣୁ ବଡ଼ ବଡ଼ ଘଟଣାରେ ବାହାବା ନେବାକୁ ପ୍ରୟାସ କରୁଛନ୍ତି। କିନ୍ତୁ ଛୋଟ ଛୋଟ ଏବଂ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗକୁ ଆଖି ବୁଜି ଦେଉଛନ୍ତି।

 

ଗୋଟିଏ ଛୋଟ ଉଦାହରଣକୁ ନିଆଯାଉ। ୨୧୪ ଫୁଟିଆ ମନ୍ଦିରର ଆର୍ଥିଂ ବା ବଜ୍ରପାତ ନିରୋଧୀ ବ୍ୟବସ୍ଥା ବହୁ ଦିନ ଧରି ଦୁର୍ବଳ ରହିଲା। ଏ ବାବଦରେ କି ଶକ୍ତିଶାଳୀ ପଦକ୍ଷେପ ନିଆଯିବ ସେଥିଲାଗି ପାଞ୍ଚ ପାଞ୍ଚ ଥର ମିଟିଂ ହେଲା। ଶେଷରେ ଆର୍ଥିଂ ପାଇଁ କାମ ଆରମ୍ଭ ହେଲା। ବାବୁମାନେ  କାମ କରିବାକୁ ନିର୍ଦ୍ଦେଶ ଦେଇ ଦାୟିତ୍ବ ସାରିଦେଲେ। ଆର୍ଥିଂ ପାଇଁ ଶକ୍ତିଶାଳୀ ଡ୍ରିଲ‍୍‌ ମେସିନ‍୍‌ ଲଗାଇ କୋଉ କାଳୁ ବେଢ଼ାରେ ପଡ଼ିଥିବା ପଥରକୁ କାଟି ଖଣ୍ଡ ଖଣ୍ଡ କରାଗଲା। ଡ୍ରିଲ‍୍‌ କରିବା ସମୟରେ ଶକ୍ତିଶାଳୀ କମ୍ପନ ମନ୍ଦିରକୁ ଥରାଇ ଦେଲା। ତାହା ସାମାନ୍ୟ ସଚେତନ ଭକ୍ତଙ୍କୁ ବି କଷ୍ଟ ଦେଲା। ସେମିତି ବେଢ଼ା ଭିତରେ ଦେଢ଼ ଫୁଟିଆ ଗାତ କରି କେବୁଲ ବିଛା ଯାଇଛି। କଟା ଯାଇଥିବା ପଥର ସ୍ଥାନରେ ବାଲିସିମେଣ୍ଟ ଭରି ଦିଆଯାଇଛି। ସେମିତି ସୁଦୃଶ୍ୟ ମନ୍ଦିର କାନ୍ଥ ସାରାÿବିଦ୍ୟୁତ‍୍‌ କେବୁଲ ପାଇଁ ମୋଟା ମୋଟା କଣ୍ଟା ପିଟାଯାଇଛି।

 

ଏଠି ସୌନ୍ଦର୍ଯ୍ୟକରଣ କଥା କହୁଥିବା ବାବୁମାନଙ୍କ ମଗଜକୁ ସୌନ୍ଦର୍ଯ୍ୟହାନୀ ଦିଶିଲା ନାହିଁ। ସମସ୍ତେ ଜାଣିଲେ ଅନଭିଜ୍ଞ ମିସ୍ତ୍ରୀଙ୍କ ହାତରେ କାମ କରାଯାଉଛି। ହଜାର ହଜାର ବର୍ଷର ଐତିହ୍ୟ ସହ ସାଂଘାତିକ ଖେଳ ଖେଳାଯାଉଛି। ସେମିତି ପ୍ରାୟ ବର୍ଷେ ତଳେ ଷ୍ଟିଲ‍୍‌ ବିମ‍୍‌କୁ ଯେଉଁଭଳି ବେପରୁଆ ଢଙ୍ଗରେ ମନ୍ଦିର ଭିତରକୁ ଅଣାଯାଉଥିଲା, ତାହା ଅନେକ ଜାଗାରେ ପଥରକୁ ଦବେଇ ଦେଇଥିବା କୁହାଯାଏ। ଆଧୁନିକ କାରିଗରି କୌଶଳ ସାଙ୍ଗକୁ ଦକ୍ଷ କାରିଗରଙ୍କୁ ନେଇ ଯେଉଁଠି କାମ କରିବା କଥା ସେଥିରେ ସାଲିସ‍୍‌ କାହିଁକି ବୋଲି ପ୍ରଶ୍ନ ଉଠେ।

 

ଗୋଟେ ପଟେ ରତ୍ନ ଭଣ୍ଡାର ପାଇଁ ବ୍ୟାକୁଳ, ସେପଟେ ମନ୍ଦିର ସାରା ସମସ୍ୟା। ସେମିତି ପରିଚ୍ଛନ୍ନତାରେ ବି ଉନ୍ନତି ଆଣିବାର ଆବଶ୍ୟକତା ରହିଛି। ପାନଛେପ ନ ପକାଇବାକୁ ସହସ୍ର ବାର କହିଲେ ବି ଥୁକିବା ଲୋକ ଥୁକୁଛନ୍ତି। ମୋବାଇଲ‍୍‌ ନ ଧରିବାକୁ କୁହାଯାଉଛି, ଧରିବା ଲୋକ ଧରି ଆନନ୍ଦ ବଜାରରୁ ଆରମ୍ଭ କରି ନିର୍ମାଲ୍ୟ ଖଳା ପର୍ଯ୍ୟନ୍ତ ଅହର୍ନିଶ ଗପରେ ମାତୁଛନ୍ତି। ଏହାର ଫଳ ହେଉଛି ମଝିରେ ମଝିରେ ଶ୍ରୀମନ୍ଦିରର ଭିତର ଚିତ୍ର ଭାଇରାଲ। ଏ ବସ୍ତୁବାଦୀ ଦୁନିଆରେ କେତେବେଳେ କିଏ କ’ଣ ଯେ ନ କରିବ କିଛି ଭାବି ହେଉନାହିଁ।

ସବୁଠୁ ବଡ଼ କଥା ହେଉଛି ଶ୍ରୀଜୀଉଙ୍କ ଦର୍ଶନ। ଯେତେବେଳେ ଯାଅ, ଏମିତି ଠେଲାପେଲା ଯେ ନ କହିଲେ ଭଲ। ଭକ୍ତ ଭଗବାନଙ୍କୁ ଅନିଷା କଲା ବେଳକୁ କିଏ ପାଦ ଦଳି ଦେବଣି ତ ପଛପଟୁ ଧକ୍କା ଲାଗିବଣି। ପୃଥିବୀରେ ଏମିତି କୌଣସି ଧାର୍ମିକ ସ୍ଥାନ ନ ଥିବ ଯେଉଁଠି ଦର୍ଶନରେ ଯାବତୀୟ ବିଶୃଙ୍ଖଳା ହେଉଥିବ।

 

ଏବେ ମୂଳ ପ୍ରସଙ୍ଗକୁ ଫେରିବା- ଶ୍ରୀମନ୍ଦିର ସୁରକ୍ଷା କଥା। ଏଇ ନିକଟରେ ଜଗମୋହନ ମରାମତି ସରିଛି। ଆଉ ଏବେ ରତ୍ନଭଣ୍ଡାର ଯାଞ୍ଚ ବି ହେଲା। ଯାଞ୍ଚ ସଂପର୍କୀତ ରିପୋର୍ଟ, ହାଇକୋର୍ଟରେ ସତ୍ୟପାଠ ପରେ ରତ୍ନଭଣ୍ଡାରର ମରାମତି ଆରମ୍ଭ ହେବା ସୁନିଶ୍ଚିତ। ଏ ମରାମତି କାର୍ଯ୍ୟ କେତେ ଦିନ ଧରି ଚାଲିବ ତାହା ଆଗକୁ ଜଣପାଡ଼ିବ। ଏସବୁ ଭିତରେ ଗୋଟିଏ କଥା ଅନୁମାନ କରି ହେଉଛି ଯେ ଏକାଦଶ ଖ୍ରୀଷ୍ଟାବ୍ଦର ଏହି ଐତିହ୍ୟର ସନ୍ଧିକନ୍ଦି ସବୁ ରୁଗ‍୍‌ଣ ହେଲାଣି। ଏପଟେ ଲୁହାଭାରା ଖୋଲା ହେଲା ବେଳକୁ ସେପଟେ ନୂଆ ଭାରା ବନ୍ଧା ହେବାକୁ ପଡ଼ୁଛି। ଅର୍ଥାତ‌ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ସମସ୍ୟା ଢେର ବଢ଼ି ଯାଇଛି। ଆଉ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଯେଉଁ ଆଗ୍ରହହୀନ ନିଷ୍ଠାର ସହିତ କାମ କରୁଛି ତାହା ଅତ୍ୟନ୍ତ ଦୁଃଖଦାୟକ। ଏହା କାର୍ଯ୍ୟ ନିପୁଣତା ଅପେକ୍ଷା ଏକ ସାଇନବୋର୍ଡମରା ଅନୁଷ୍ଠାନ ଭାବେ ଖ୍ୟାତି ବଢ଼ାଇ ଚାଲିଛି।

 

ଏହି ବିଶ୍ବ କୀର୍ତ୍ତିରାଜିର ସଂପୂର୍ଣ୍ଣ ସୁରକ୍ଷା ଏକ ଚ୍ୟାଲେଞ୍ଜ‍୍‌। ଏହାକୁ କିଏ ମାନୁ ବା ନ ମାନୁ-ଏହା ହିଁ ବାସ୍ତବତା। ଯେମିତି ମଣିଷ ଶରୀରରେ ସଂପୂର୍ଣ୍ଣ ରୋଗର ନିର୍ଣ୍ଣୟ ପାଇଁ ଫୁଲ‍୍‌ ବଡି ସ୍କାନ‍୍‌ କରାଯାଏ, ସେହିପରି ମନ୍ଦିରର ତନ୍ନ ତନ୍ନ ଯାଞ୍ଚ କରାଯିବା ଜରୁରୀ। ଏଥିପାଇଁ ବିଶେଷଜ୍ଞ ଡାକ୍ତର ସାଜନ୍ତୁ ସ୍ବୟଂ ରାଜ୍ୟ ହାଇକୋର୍ଟ। ସବୁ କାମ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ହେଉ। ଆଉ  କେବଳ ଏଏସଆଇକୁ ଅନ୍ଧ ଭଳି କାମ ସବୁ ସମର୍ପିି ଦିଆନଯାଇ ବିଶ୍ବର ଶ୍ରେଷ୍ଠ ସଂସ୍ଥାମାନଙ୍କଠାରୁ ବୈଷୟିକ ପରାମର୍ଶ ନିଆଯାଉ। କାରଣ ଏ ପରିଚୟ, ଏ ଗୌରବ ଆମେ ଥରେ ହରାଇଲେ ଆଉ ଫେରି ପାଇବାନାହିଁ। ଆଉ ଆମେ ସବୁ କଥାରେ କେବଳ ମହାପ୍ରଭୁଙ୍କ ଲୀଳା କହି ଖସିଗଲେ ହେବ ନାହିଁ। ମହାପ୍ରଭୁଙ୍କୁ ନେଇ ଯେତେ ଗର୍ବ କରୁଛେ, ବଡ଼ଦେଉଳର ସୁରକ୍ଷା ପାଇଁ ସେତିକି ଜାଗ୍ରତ ରହିବା ମଧ୍ୟ ଜରୁରୀ। ବଡ଼ଦେଉଳ ଆମ ପାଇଁ ମହାରତ୍ନ। ଆମର ମାନସିକତା କେବଳ ରତ୍ନ ଭଣ୍ଡାରରେ ସୀମିତ ନ ରହୁ।

 

ଝିଣ୍ଟିଶାସନ, ବାଳକାଟି, ଖୋର୍ଦ୍ଧା, ମୋ-୭୩୮୧୦ ୫୯୬୦୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top