୧୨୦ରୁ ଅଧିକ ପାଇବୁ: ଶାହ

News Story - Posted on 2018-04-05

ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ତ୍ରିପୁରାରେ ନିର୍ବାଚନ ପ୍ରଚାର ସମୟରେ ଯେଉଁ ଜନଭାବନା ଦେଖିଥିଲି ଓଡ଼ିଶାରେ ତା’ଠାରୁ ଅଧିକ ତୀବ୍ର ସରକାର ବିରୋଧୀ ଜନଭାବନା ଦେଖୁଛି ବୋଲି ବଲାଙ୍ଗୀରଠାରେ ବିଜେପି ଯୁବ ମୋର୍ଚ୍ଚା ଦ୍ୱାରା ଆୟୋଜିତ ଯୁବ ସମାବେଶରେ ଉଦବୋଧନ ଦେଇ କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ତେଣୁ ବିଜେପିକୁ ଓଡ଼ିଶାରେ ୧୨୦ ଆସନ ନୁହେଁ ତା’ଠାରୁ ଅଧିକ ଆସନ ମିଳିବ ବୋଲି ଏହି ସଭାରେ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ପଶ୍ଚିମ ବଙ୍ଗ ଓ ଓଡ଼ିଶାରେ ବିଜେପି ଶାସନ ପ୍ରତିଷ୍ଠିତ ନ ହୋଇଛି ଦଳ ପାଇଁ ସେହି ପର୍ଯ୍ୟନ୍ତ ସୁବର୍ଣ୍ଣ ଯୁଗ ଆସିବ ନାହିଁ ।

 

ବିଭିନ୍ନ ଯୋଜନା ପ୍ରସଙ୍ଗକୁ ନେଇ ସେ କହିଛନ୍ତି ଯେ, ମୋଦି ସରକାର ହେଉଛନ୍ତି ଏକ ବଡ଼ ବିଜୁଳି ଉତ୍ପାଦନ କେନ୍ଦ୍ର । କିନ୍ତୁ ଓଡ଼ିଶା ସରକାର ହେଉଛି ପୋଡ଼ା ଟ୍ରାନସଫର୍ମର । କେନ୍ଦ୍ରରେ ସରକାର ୧୧୬ ଯୋଜନା କରିଥିଲେ ମଧ୍ୟ ରାଜ୍ୟ ସରକାର ସେହି ଯୋଜନାଗୁଡିକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇ ପାରିନାହାଁନ୍ତି । ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ବଦ୍ଧ ପରିକର । ମାତ୍ର ରାଜ୍ୟରେ ଥିବା ସରକାର ପୋଡ଼ା ଟ୍ରାନସଫରମର ଭଳି କାର୍ଯ୍ୟ କରୁଛି । ଟ୍ରାନସଫରମର ବଦଳାଇବା ପରିବର୍ତ୍ତେ ଏହାକୁ ଓପାଡ଼ି ଫିଙ୍ଗିବାକୁ ସେ ଆହ୍ୱାନ ଦେଇଛନ୍ତି । କିଏ ବିଧାୟକ ଅବା ମୁଖ୍ୟମନ୍ତ୍ରୀ ହେବ ସେଥିପାଇଁ ବିଜେପି ନିର୍ବାଚନ ଲଢ଼େ ନାହିଁ, କେବଳ ଗରୀବ ଲୋକଙ୍କ ଉନ୍ନତି ପାଇଁ ବିଜେପି ନିର୍ବାଚନ ଲଢ଼େ ବୋଲି ଶ୍ରୀ ଶାହା କହିଛନ୍ତି ।

 

ଆଜି ବି ଓଡିଶାର ୫୦ ଲକ୍ଷ ଲୋକ କଚ୍ଚା ଘରେ ରହୁଛନ୍ତି । ସେହିପରି ରାଜ୍ୟରେ ୩୬ ପ୍ରତିଶତ ଘରେ ବିଜୁଳି ପଂହଚି ନାହିଁ । କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ଅନୁସାରେ ୨୦୨୧ ପୂର୍ବରୁ ରାଜ୍ୟର ପ୍ରତି ଘରେ ବିଜୁଳି ପହଂଚାଇବା ଏବଂ ୨୦୨୨ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ଓଡ଼ିଶାରେ ସମସ୍ତ ପରିବାରକୁୁ ପକ୍କା ଘର ଯୋଗାଇଦେବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଛନ୍ତି ବୋଲି ସେ କହିଛନ୍ତି ।

 

ରାଜ୍ୟରେ ଶାସକ ବିଜେଡିର ନେତାମାନେ ହିଂସା ପରାୟଣ ହୋଇ ଉଠିଛନ୍ତି । ଗତ ପଂଚାୟତ ନିର୍ବାଚନ ପରେ ୧୪ ଜଣ ବିଜେପି କର୍ମୀଙ୍କୁ ଶାସକ ଦଳର କର୍ମୀମାନେ ରାଜନୈତିକ ହତ୍ୟା କରିଛନ୍ତି । ମାତ୍ର ରାଜ୍ୟ ସରକାର ଅପରାଧୀମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ସୁରକ୍ଷା ଦେଇଆସୁଛି । ଆଗାମୀ ଦିନରେ ରାଜ୍ୟରେ ବିଜେପି ସରକାର ଆସିଲେ ଅପରାଧୀମାନେ ପାତାଳରେ ରହିଲେ ମଧ୍ୟ ସେମାନଙ୍କୁ ଗିରଫ କରି ଜେଲ ପଠାଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କହିଛନ୍ତି । ସେ କହିଛନ୍ତି ଯେ ବିଜେପି କଦାପି ହିଂସାରେ ବିଶ୍ୱାସ କରେ ନାହିଁ । ମାତ୍ର ହିଂସାକାରୀଙ୍କ ବିରୁଦ୍ଧରେ ରାଜନୈତିକ ଆନ୍ଦୋଳନ ଗଢି ତୋଳିବାକୁ ସେ ଦଳର ଯୁବ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

 

ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ବୈମାତୃକ ଦୃଷ୍ଟିକୋଣରେ ଦେଖୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟରେ ଜଳସେଚନ ବ୍ୟବସ୍ଥା କରାଯାଇ ନାହିଁ । ରାଜ୍ୟରେ ମାତ୍ର ୩୩ ପ୍ରତିଶତ ଜମିକୁ ଜଳସେଚନର ବ୍ୟବସ୍ଥା ହେଇଛି । ସେହିପରି ରାଜ୍ୟର ପଶ୍ଚିମାଂଚଳରେ ମାତ୍ର ୧୧ ପ୍ରତିଶତ ଜମିକୁ ଜଳସେଚିତ କରାଯାଇଛି । ରାଜ୍ୟ ସରକାର କାହିଁକି ସବୁବେଳେ ପଶ୍ଚିମ ଓଡ଼ିଶାକୁ ଅଣଦେଖା କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡିଆ ଯୁବକମାନେ ରାୟପୁର, ଗୁଡଗାଓଁ, ଦିଲ୍ଲୀ, ବେଙ୍ଗଲୁରୁ, ଅହମଦାବାଦରେ କଠିନ ପରିଶ୍ରମ କରି ଦେଶର ବିକାଶ କ୍ଷେତ୍ରରେ ନିଜର ଶ୍ରମଦାନ କରୁଛନ୍ତି । ମାତ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା କାରଣକୁ ଓଡିଆ ଯୁବକମାନେ ନିଜ ଅଂଚଳରେ କାମ ପାଉନାହାଁନ୍ତି । ବିଜେପି ‘ସବକା ସାଥ ସବକା ବିକାଶ’ରେ ବିଶ୍ୱାସ କରେ । ଏହି କାରଣରୁ ରାଜ୍ୟରେ ବିଜେପି ସରକାର ଆସିଲେ ଓଡିଶାର ସମସ୍ତ ଜିଲ୍ଲାର ସମାନ ବିକାଶ ହେବ ବୋଲି ସେ କହିଛନ୍ତି ।

 

ମୋଦି ସରକାର ଚତୁର୍ଦ୍ଦଶ ଅର୍ଥ କମିଶନରେ ଓଡ଼ିଶାର ବିକାଶ ପାଇଁ ୨ ଲକ୍ଷ ୧୧ ହଜାର ୫୧୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ପାଖାପାଖି ୪୫ ହଜାର କୋଟି ଟଙ୍କା ଅଲଗା ଭାବେ ଦିଆଯାଇଛି ।

 

ସମାବେଶକୁ ଆସିବା ପୂର୍ବରୁ ସଇଁତଳା ଗାଁରେ ଫ୍ଲୋରାଇଡ ପ୍ରଭାବିତ ଲୋକଙ୍କ ସହ ଶ୍ରୀ ଶାହା ସାକ୍ଷାତ କରି ପାନୀୟ ଜଳ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏବେ ବି ସଇଁତଲା ଗାଁର ଲୋକମାନେ ଫ୍ଲୋରାଇଡ ମିଶା ପାଣି ପିଉଛନ୍ତି । ଏହି ପାଣି ପିଇବା ଦ୍ୱାରା ବିଭିନ୍ନ ରୋଗ ସୃଷ୍ଟି ହେବା ସହ ଅକାଳରେ ବାର୍ଦ୍ଧକ୍ୟ ଆସିଥାଏ । ପାଖରେ ନଦୀ ଥିବା ସତ୍ତେ୍ୱ ଗାଁ ଲୋକମାନଙ୍କୁ ସ୍ୱଚ୍ଛ ପାଣି ମିଳୁନାହିଁ । ସ୍ୱଚ୍ଛ ପାନୀୟ ଜଳ ପାଇଁ ତୁରନ୍ତ ନଦୀରେ ଛୋଟ ଚେକ ଡ୍ୟାମ କରି ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଦାୟିତ୍ୱ ଦେଇଛନ୍ତି ।

 

ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବିଧାୟକ ଦଳ ନେତା କେ.ଭି ସିଂହ ଦେଓ ଏବଂ ପୂର୍ବତନ ସାସଂଦ ସଙ୍ଗୀତା ସିହଂଦେଓ ଅତିଥୀମାନଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଦେଇଥିଲେ । ଏହି ଅବସରରେ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂହ , ଡ. ଅନୀଲ ଜୈ÷ନ, ସୌଦାନ ସିଂହ, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୁଜାରୀ, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ମନମୋହନ ସାମଲ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ଠାକୁର ରଂଜିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ପ୍ରଭାରୀ କାଳନ୍ଦୀ ସାମଲଙ୍କ ସମେତ ବହୁ ଯୁବମୋର୍ଚ୍ଚା ନେତୃବୃନ୍ଦ ମଂଚରେ ଉପସ୍ଥିତ ଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top