ବରକୁ କନିଆ ମିଳିବେ ନାହିଁ!

News Story - Posted on 2018-04-05

ଦିଲୀପ କୁମାର ଦାସ

 

ଯୁଗେ ଯୁଗେ ନାରୀ ଆମର ପୂଜନୀୟା । ନାରୀକୁ ଶକ୍ତି ରୂପରେ ପୂଜା କରାଯାଏ । କିନ୍ତୁ ଆଜିର ସମାଜରେ ନାରୀକୁ ନାନା ପ୍ରକାର ନିର୍ଯ୍ୟାତନାର ଶିକାର ହେବାକୁ ପଡ଼ୁଛି । ମୁକ୍ତ ବଜାର ବ୍ୟବସ୍ଥା ହେବା ଦ୍ୱାରା ନାରୀକୁ ଆଜି ଏକ ପଣ୍ୟ ଦ୍ରବ୍ୟ ଭାବରେ ବ୍ୟବହାର କରାଯାଉଛି । ନାରୀକୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଲାଂଛନା ମିଳୁଛି । ମାତୃଗର୍ଭରୁ ଲିଙ୍ଗ ନିରୂପଣ କରି ଝିଅ ହେବାର ଥିଲେ ଭୃଣହତ୍ୟା କରିବାକୁ ଆଜିର ସମାଜ ପଛାଉ ନାହିଁ । ଯଦି ଜନ୍ମ ହୋଇଗଲା ତେବେ ପରିବାରରେ ପୁଅ ଅପେକ୍ଷା ଝିଅକୁ କମ୍ ସ୍ନେହ ଆଦର ମିଳୁଛି, ସତେ ଯେମିତି ଝିଅର କୌଣସି ମୂଲ୍ୟ ନାହିଁ । ଏପରିକି ଝିଅମାନଙ୍କୁ ଜନ୍ମ ହେବା ସଙ୍ଗେ ସଙ୍ଗେ କେଉଁ ପରିବାର ଡାକ୍ତରଖାନାରେ ଛାଡ଼ି ପଳେଇ ଗଲେଣି ତ କେଉଁ ପରିବାର ରେଳଷ୍ଟେସନ, ବସ୍ ଷ୍ଟାଣ୍ଡ ଅପନ୍ତରାରେ କନ୍ୟା ଶିଶୁକୁ ପକେଇ ଦେଲେଣି ଅବା ଆଉ କେଉଁଠାରେ କନ୍ୟାଟିକୁ ରାସ୍ତାକଡ଼ର କ୍ୟାବିନ ତଳେ ଗଡ଼ାଇ ଦେଇ ଚାଲିଗଲେଣି । ଏଭଳି ଖବର ଗତ କିଛି ଦିନ ହେବ ବହୁଳ ଭାବରେ ଶୁଣିବାକୁ ମିଳୁଛି ।

 

ଅବସ୍ଥା ଏପରି ହେଲାଣି ଦେଶର ଜନସଂଖ୍ୟାରେ ଦିନକୁ ଦିନ ନାରୀ ପୁରୁଷ ଅନୁପାତ କମି କମି ଗଲାଣି । ୨୦୧୧ ଜନଗଣନା ଅନୁଯାୟୀ ଆମ ଦେଶର ପ୍ରତି ୧୦୦୦ ପୁରୁଷରେ ୯୩୩ ଜଣ ମହିଳା ଅଛନ୍ତି । ଏହି ସଂଖ୍ୟା ଆମ ରାଜ୍ୟ ଓଡ଼ିଶାରେ ୯୭୨ । ଏପରି ଲାଗି ରହିଲେ ଆମେ କିଛି ବର୍ଷ ପରେ ସଙ୍କଟରେ ପଡ଼ିବା ଯେତେବେଳେ ବରକୁ କନ୍ୟା ମିଳିବେ ନାହିଁ । ଏଭଳି ଅବସ୍ଥା ଆମ ଦେଶର ହରିଆଣା ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଏବେଠାରୁ ଦେଖିବାକୁ ମିଳିଲାଣି । ଏଭଳି ପରିସ୍ଥିତି ହେଲାଣି ଯେ ସେସବୁ ରାଜ୍ୟରୁ କିଛି ଦଲାଲ ଆସି ଆମ ରାଜ୍ୟର କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଭଳି ଜିଲ୍ଲାମାନଙ୍କରୁ ଲୋକଙ୍କ ଦାରିଦ୍ର୍ୟର ସୁଯୋଗ ନେଇ ଝିଅମାନଙ୍କୁ ତାଙ୍କ ରାଜ୍ୟକୁ ଚାଲାଣ କରୁଛନ୍ତି । କନ୍ୟାଭୃଣ ହତ୍ୟା କରିବାର ପରିଣାମ ଏବେ ଭୋଗିବାକୁ ପଡୁଛି ।

 

କେବଳ ବାହାର ରାଜ୍ୟକୁ ଚାଲାଣ ହେବା କ୍ଷେତ୍ରରେ ମହିଳାମାନେ ଶୋଷିତ ହେଉନାହାନ୍ତି । ଆମ ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ଶୋଷଣ କରିବାର ଘଟଣା ପ୍ରତ୍ୟେକ ଦିନ ଦେଖୁବାକୁ ମିଳେ । ଶିକ୍ଷା କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ, ମଜୁରୀ ପ୍ରଦାନ କ୍ଷେତ୍ରରେ, ଜମିଜମାର ମାଲିକାନା ଦେବା କ୍ଷେତ୍ରରେ, ଏପରିକି ରାଜନୀତି କ୍ଷେତ୍ରରେ ମହିଳାମାନଙ୍କୁ ପୁରୁଷମାନଙ୍କ ସହିତ ସମାନ ଅଧିକାର ମିଳୁନାହିଁ । ସରକାରୀ ସ୍ତରରେ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ଦେବାକଥା କୁହାଯାଉଥିଲେ ମଧ୍ୟ ଏହା କେବଳ କାଗଜ କଲମରେ ଓ ଭାଷଣରେ ରହିଯାଉଛି । ପଂଚାୟତ ସ୍ତରରେ ମହିଳାମାନଙ୍କ ପାଇଁ ୫୦ ଭାଗ ସ୍ଥାନ ସଂରକ୍ଷଣ କରିବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବିଧାନସଭା ଓ ସଂସଦୀୟ ନିର୍ବାଚନ ପାଇଁ ମହିଳାମାନଙ୍କୁ ସମାନ ଅଧିକାର ଦିଆଯାଉନାହିଁ । ପଂଚାୟତ ସ୍ତରରେ ୫୦ ଭାଗ ମହିଳା ନିର୍ବାଚିତ ହେବାର ନିୟମ କରାଯାଇଛି, କିନ୍ତୁ ପ୍ରକୃତ ପକ୍ଷରେ ମହିଳାମାନେ ଶାସନ ଡୋରି ନଧରି ତାଙ୍କ ସ୍ୱାମୀ/ ପିତା/ଭାଇ/ଦିଅରମାନେ ପ୍ରକୃତ ଶାସନକର୍ତ୍ତାର ଭୂମିକା ଗ୍ରହଣ କରୁଛନ୍ତି ।

 

ଗାଁର ଖଟିଖିଆ ଗରୀବ ଶ୍ରେଣୀର ମହିଳାମାନେ କେବେହେଲେ ନିୟମ ଅନୁଯାୟୀ ସମାନ ମଜୁରୀ ପାଇପାରନ୍ତି ନାହିଁ । ଯେତେ ପ୍ରକାର କଠୋର ନିୟମ ପ୍ରଚଳନ ହେଲେ ମଧ୍ୟ ଆଜି ବି ଗାଁର ମହିଳାଟିଏ ସମାନ କାମ ପାଇଁ ପୁରୁଷଠାରୁ କମ୍ ମଜୁରୀ ପାଏ । ଯେଉଁ ଜମିରେ ଅଧିକ ପରିଶ୍ରମ କରି ମହିଳାଟିଏ ଫସଲ ଉତ୍ôପାଦନ କରେ ସେହି ଜମି ଉପରେ ତା’ର ମାଲିକାନା ନଥାଏ । ଅବଶ୍ୟ ଏବେ ଯେଉଁଁ ସରକାରୀ ଜମି ଲିଜ୍ ଆକାରରେ ଦିଆଯାଉଛି ଅଥବା ଜଙ୍ଗଲ ଅଧିକାର ଆଇନ ବଳରେ ଜଙ୍ଗଲ ଜମି ଦିଆଯାଉଛି ସେସବୁରେ ମହିଳାମାନଙ୍କ ନାମ ଯୁଗ୍ମ ଭାବରେ ଲେଖାଯାଉଛି, ତଥାପି ପୁରୁଣା ମାଲିକାନା ପଟ୍ଟାରେ ମହିଳାମାନଙ୍କ ନାମ ରହୁନାହିଁ ।

 

ଏହା ସହିତ ବଢ଼ି ଚାଲିଛି ପରିବାର ଭିତରେ ହିଂସା ଓ ଯୌତୁକ ସମସ୍ୟା । ଏହି ଦୁଇଟି ସମସ୍ୟା ପରସ୍ପର ପରିପୂରକ । ଯୌତୁକକୁ ନେଇ ପରିବାର ଭିତରେ ମହିଳାମାନଙ୍କୁ ସବୁବେଳେ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି ।

 

ଏଠାରେ ପ୍ରଶ୍ନ ଆସୁଛି ଯେ ମହିଳାମାନେ ନ୍ୟାୟ ପାଇବେ କିପରି? ଆମ ଦେଶର ତଥା ରାଜ୍ୟରେ ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ବହୁତ ଗୁଡ଼ିଏ ଆଇନ ପ୍ରଚଳନ କରାଯାଇଛି । ସେସବୁ ମଧ୍ୟରେ ରହିଛି ଯୌତୁକ ନିବାରଣ ଆଇନ, ପାରିବାରିକ ହିଂସା ନିରୋଧ ଆଇନ, ବରିଷ୍ଠ ନାଗରିକଙ୍କ ସୁରକ୍ଷା ଆଇନ, ଲିଙ୍ଗ ନିରୂପଣ ନିଷେଧ ଆଇନ, ଆଦିବାସୀ ଓ ହରିଜନ ନିର୍ଯାତନା ନିବାରଣ ଆଇନ, ହିନ୍ଦୁ ବିବାହ ଆଇନ, ଭରଣପୋଷଣ ଆଇନ, ଶ୍ରମ ଆଇନ ଇତ୍ୟାଦି ଇତ୍ୟାଦି । ପ୍ରତ୍ୟେକ ନାରୀ ପାଇଁ ଏସବୁ ଆଇନ ବଳରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ରହିଥିଲେ ମଧ୍ୟ ସେସବୁକୁ ଠିକ୍ ଭାବରେ କାମରେ ଲଗାଇବା ପାଇଁ ସରକାରୀ କଳରେ ଥିବା ବାବୁମାନେ ସଠିକ୍ ଢଙ୍ଗରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁନାହାନ୍ତି । ଗାଁ ଗହଳର ମା’ମାନେ ନିରକ୍ଷରତା ଯୋଗୁଁ ଏ ସବୁ ଆଇନ ବିଷୟରେ ଜାଣି ପାରୁନାହାନ୍ତି । ବର୍ତ୍ତମାନ ସମୟ ଆସିଛି ଗାଁର ଶିକ୍ଷିତ ଯୁବକଯୁବତୀମାନେ, ସମାଜ କର୍ମୀମାନେ, ସଚେତନ ନାଗରିକମାନେ ଏ ଦିଗରେ ଯତ୍ନବାନ ହୋଇ ନିଜ ଅଂଚଳର ମହିଳାମାନଙ୍କୁ ତାଙ୍କର ଅଧିକାର ବିଷୟରେ, ଆଇନଗୁଡ଼ିକରେ ଥିବା ନାରୀ ସୁରକ୍ଷା ବିଷୟରେ ସଚେତନ କରାଇ ସୁସ୍ଥ ସମାଜ ଗଠନ କରିବା ଦିଗରେ ପଦକ୍ଷେପ ନିଅନ୍ତୁ ।

 

ଏସବୁ ଆଇନର ସୁବିଧା ହାସଲ କରିବା ସହିତ ମହିଳା ଆହୁରି ମଧ୍ୟ ଜାଣିବା ଦରକାର ଯେ ଆମ ଦେଶର ପ୍ରତ୍ୟେକ ମହିଳା, ସେ ଧନୀ ହୁଅନ୍ତୁ କି ଗରୀବ, ଆଦିବାସୀ ହୁଅନ୍ତୁ ବା ଦଳିତ ଅଥବା ଉଚ୍ଚ ଜାତିର, ସେ ଶିକ୍ଷିତା ହୁଅନ୍ତୁ କି ନିରକ୍ଷର ସମସ୍ତେ ଆଇନ ସେବା ପ୍ରାଧିକରଣ ଆଇନ ବଳରେ ମାଗଣା ଆଇନ ସେବା ପାଇବା ପାଇଁ ହକଦାର୍ । ଦେଶର ରାଜଧାନୀଠାରୁ ଆରମ୍ଭ କରି ରାଜ୍ୟ ସ୍ତର, ଜିଲ୍ଲା ସ୍ତର ଏପରିକି ତାଲୁକ ସ୍ତର ପର୍ଯ୍ୟନ୍ତ ଯେଉଁଠାରେ ଆଇନ ଅଦାଲତ ରହିଛି ସେ ସମସ୍ତ ସ୍ତରରେ ଆଇନ ସେବା ପ୍ରାଧିକରଣ ଓ ସମିତିମାନ ଆଇନ ବିଭାଗ ତରଫରୁ ସ୍ଥାପନ କରାଯାଇଛି ଏବଂ ଏହି ସବୁ ଆଇନ ସେବା ପ୍ରାଧିକରଣ ଓ ଆଇନ ସେବା ସମିତିମାନଙ୍କର କାର୍ଯ୍ୟ ହେଉଛି ସମାଜରେ ତଳ ସ୍ତରରେ ଉପେକ୍ଷିତ ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ମାଗଣାରେ ଆଇନ ସେବା ଯୋଗାଇ ଦେବା । ଆଇନ ସେବା ପ୍ରାଧିକରଣ ଆଇନ ଅନୁଯାୟୀ ଦେଶର ପ୍ରତ୍ୟେକ ମହିଳା ମାଗଣା ଆଇନ ସେବା ପାଇପାରିବେ । ଏବକୁ ଆହିରୁ ମଧ୍ୟ ପ୍ରତ୍ୟେକ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ ଏକ ସମ୍ମୁଖ କାର୍ଯ୍ୟାଳୟ ଖୋଲାଯାଇଛି ଯେଉଁଠାରେ ୨ ଜଣ ଲେଖାଏଁ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ସେମାନେ ମାଗଣାରେ ଆଇନ ପରାମର୍ଶ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ତା ସହିତ ଆଦିବାସୀ ଅଧ୍ୟ୍ୟୁଷିତ ବ୍ଲକମାନଙ୍କରେ ମଧ୍ୟ ୨ ଜଣ ଲେଖାଁଏ ଓକିଲ ଆଇନ ପରାମର୍ଶଦାତା ଭାବରେ ନିଯୁକ୍ତି ପାଇବା ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା ହୋଇସାରିଛି । ଏ ସବୁ ସୁବିଧା ସୁଯୋଗକୁ ବିନିଯୋଗ କରି ଗାଁ ଗହଳର ମା’ ଭଉଣୀମାନେ ନିଜର ଅଧିକାର ସାବ୍ୟସ୍ତ କରିପାରିବେ ବୋଲି ଆଶା ଓ ବିଶ୍ୱାସ ।

 

ଅନ୍ତୋଦୟ, କଳାହାଣ୍ଡି
ଫୋନ-୯୪୩୭୦୭୦୦୩୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top