କଲେଜ କୋଣାର୍କରେ, ଟଙ୍କା ନିମାପଡ଼ାରେ!

News Story - Posted on 2018-04-05

ଉଚ୍ଚ ଶିକ୍ଷାର ଉନ୍ନତି ପାଇଁ ୧୯୭୮ ମସିହାରେ କୋଣାର୍କରେ ସ୍ଥାପିତ ହୋଇଥିଲା କୋଣାର୍କ ଭଗବତୀ ମହାବିଦ୍ୟାଳୟ । ଇତି ମଧ୍ୟରେ ଏହି ମହାବିଦ୍ୟାଳୟକୁ ୪୦ ବର୍ଷ ବିତିଗଲାଣି । ହେଲେ ଉଚ୍ଚ ଶିକ୍ଷାର ବିକାଶ ତ ଦୂରର କଥା ଏହି ମହାବିଦ୍ୟାଳୟ କବ୍ଚାରେ ଥିବା ଜମି ଏଯାବତ ମହାବିଦ୍ୟାଳୟ ନାମରେ ହୋଇ ନାହିଁ । ଗୋଷ୍ଠୀ ବିବାଦ ଯୋଗୁଁ ମହାବିଦ୍ୟାଳଟି ବହୁମୁଖୀ ପ୍ରତିଭା ଦିଗରେ ଅଗ୍ରସର ହେବା ପରିବର୍ତ୍ତେ ଅବନତି ହେବାରେ ଲାଗିଛି ।

 

ମହାବିଦ୍ୟାଳୟ ଆରମ୍ଭରୁ ନିର୍ମାଣ ହୋଇଥିବା ଗୃହ ଏବେ ପରିତ୍ୟକ୍ତ । ଏହି ମହାବିଦ୍ୟାଳୟରେ ଆଭ୍ୟନ୍ତରଣ ସମସ୍ୟା ଓ ଗୋଷ୍ଠୀ ବିବାଦ ଯୋଗୁଁ କଲେଜର ବିକାଶ ପଥରେ ଅନ୍ତରାୟ ସୃଷ୍ଟି ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି । ଦୀର୍ଘ ଦିନ ଧରୀ କେତେକ ଅଧ୍ୟାପକ ଓ କର୍ମଚାରୀଙ୍କ ବଦଳି ନ ହେବା ଯୋଗୁଁ ସେମାନେ ବିଭିନ୍ନ ସମୟରେ ଅଧ୍ୟାପନା ଓ ନିଜ କାର୍ଯ୍ୟରେ ଅନୁପସ୍ଥିତ ରହି ରାଜନୀତି ଓ ଠିକାଦାରିରେ ଲିପ୍ତ ରହୁଥିବାରୁ କଲେଜରେ ଶିକ୍ଷା ଦାନ ଓ ବିକାଶରେ ଅନ୍ତରାୟ ସୃଷ୍ଟି ହୋଇଛି ।

 

ମହାବିଦ୍ୟାଳୟର ବିପଦସଂକୁଳ ପୁରୁଣା ନୁଆଣିଆଁ ଆଜବେଷ୍ଟ ଘରେ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଯାଉଛି । ଉନ୍ନୟନ ମୂଳକ କାର୍ଯ୍ୟ ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କର ସମନ୍ୱୟ ଓ ଆନ୍ତରିକତାର ଅଭାବ ଯୋଗୁଁ ମହାବିଦ୍ୟାଳୟର ଏପରି ଦୟନୀୟ ଅବସ୍ଥା ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା । ମହାବିଦ୍ୟାଳୟରେ ସ୍ଥାନୀୟ ଅଂଚଳର ବେକାର ଯୁବକଯୁବତୀଙ୍କୁ ଉପେକ୍ଷା କରାଯାଇ ବାହାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇ ବିପୁଳ ଅର୍ଥ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି ।

 

କୋଣାର୍କରେ ୪ଟି ଜାତୀୟକରଣ ବ୍ୟାଙ୍କ ଥିବା ବେଳେ କେଉଁ ସ୍ୱାର୍ଥ ସାଧନ ପାଇଁ କଲେଜ କର୍ତ୍ତୃପକ୍ଷ ଗତ ଫେବୃୟାରୀ ମାସରେ ଭାରତୀୟ ଷ୍ଟେଟ ବ୍ୟାଙ୍କ କୋଣାର୍କ ଶାଖାରୁ ୭୫ ଲକ୍ଷ ଟଙ୍କା ଉଠାଇ ନେଇ ୨୫ କିଲୋମିଟର ଦୂର ନିମାପଡ଼ା ସ୍ଥିତ ଏକ ଘରୋଇ ବ୍ୟାଙ୍କ ଏକ୍ସିସ୍ ବ୍ୟାଙ୍କରେ ଜମା କରିଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ଅଂଚଳର ପ୍ରଭାବଶଳୀ ବ୍ୟକ୍ତିଙ୍କ ବାହୁଛାୟା ତଳେ ରହି କେତେକ ଅଧ୍ୟାପକ ମହାବିଦ୍ୟାଳୟରେ ଅରାଜକତା ସୃଷ୍ଟି କରୁଛନ୍ତି । ବିଭିନ୍ନ ଆଳରେ ମହାବିଦ୍ୟାଳୟର ଗଛିତ ଅର୍ଥକୁ ଅତ୍ମସାତ କରିବା ପାଇଁ ଗୁପ୍ତ ମନ୍ତ୍ରଣା କରି ମହାବିଦ୍ୟାଳୟର କେତେକ କର୍ମଚାରୀଙ୍କ ନାମରେ ଅର୍ଥ ଉଠାଇ ନିଆଯାଉଥିବା ଅଭିଯୋଗ ହେଉଛି ।

 

ଦୂରରୁ ଆସୁଥିବା ଅଧ୍ୟାପକ ଓ ଅଧ୍ୟାପିକାମାନେ ଅନେକ ସମୟରେ ମହାବିଦ୍ୟାଳୟକୁ ନ ଆସିବା ଓ ବିଳମ୍ବରେ ପହଂଚୁଥିବାରୁ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ମହାବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଛାତ୍ର ନେତାମାନେ କହିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top