ଭଣ୍ଡାର ଘର ଶୂନ!

News Story - Posted on 2018-04-05

ମାନ୍ୟବର ଉଚ୍ଚ ନ୍ୟାୟାଳୟ କି ଆଦେଶ ଦେଇଥିଲେ ତାହା ଆମକୁ ଜଣା ନାହିଁ । ଆମେ ହାଇକୋର୍ଟଙ୍କ ରାୟର ନକଲ ଦେଖିନାହୁଁ । ହାଇକୋର୍ଟ ରତ୍ନ ଭଣ୍ଡାର ଯାଞ୍ଚ ପାଇଁ କହିଥିଲେ ନା ଭଣ୍ଡାର ଘର ଯାଞ୍ଚ ପାଇଁ କହିଥିଲେ? ଯଦି ନିର୍ମାଣ ଜନିତ ବିପଦ କାରଣରୁ କେବଳ ଭଣ୍ଡାର ଘର ଯାଞ୍ଚ ପାଇଁ ଆଦେଶ ଦେଇଥିବେ ତେବେ କେବଳ ବାହାର ଭଣ୍ଡାର ଯାଞ୍ଚ କରାଗଲା କାହିଁକି? ଯାଞ୍ଚ କେବଳ ଆଖିରେ ହୁଏ ନା ଯନ୍ତ୍ରପାତି ଖଂଜି କରାଯାଏ? ନିର୍ମାଣ ଯଦି ଦୁର୍ବଳ ହୋଇଯାଇଛି, ଛାତ ଯଦି ଫାଟି ଯାଇଛି, କାନ୍ଥରେ ଯଦି କଣା ହୋଇଛି ତେବେ ସେସବୁ କ’ଣ କେବଳ ଖାଲି ଆଖିରେ ଦେଖି ବିଶେଷଜ୍ଞମାନେ ଜାଣିଗଲେ କେଉଁଠି କି ପ୍ରକାର ମରାମତି ହେବା ଦରକାର?

 

ଯଦି ହାଇକୋର୍ଟ ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ଆଦେଶ ଦେଇଥିବେ ତେବେ ରତ୍ନ ଆଦିର ଯାଞ୍ଚ ହେବା କଥା । ତାହା ବିଲକୁଲ ହେଲା ନାହିଁ ।

 

ଏବେ ଯାଞ୍ଚ ନାମକ ପ୍ରକ୍ରିୟା ସରିଗଲା ବୋଲି ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରିବା ପରେ ଭିନ୍ନ ଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ସନ୍ଦେହ ଓ ତଥ୍ୟମାନ ପ୍ରକାଶ ପାଇଛି । କେଉଁ କାଗଜ ଲେଖିଛି ଯେ ଭିତର ଭଣ୍ଡାରର ଚାବି ମିଳିଲା ନାହିଁ । ଚାବି କାହା ପାଖରେ ଅଛି ଜଣା ନାହିଁ । ପୁଣି କିଏ ଲେଖିଛି ଯେ ଯାଞ୍ଚ ପାଇଁ ଯାଇଥିବା ଦଳରେ ମତଭେଦ ସୃଷ୍ଟି ହେଲା । ଅନ୍ୟ କେହି କେହି ଲେଖିଛନ୍ତି ସେମାନେ ଭିତର ଭଣ୍ଡାର ଖୋଲିବାକୁ ଡରିଲେ ।

 

ଏହା ପୂର୍ବରୁ ହାଇକୋର୍ଟ ଯାଞ୍ଚ ଆଦେଶ ଦେବା ପରଠାରୁ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ଏନେଇ ବିଭିନ୍ନ ପ୍ରକାର ସମ୍ବାଦ ପରିବେଷଣ କରାଯାଇଥିଲା । ରତ୍ନ ଭଣ୍ଡାରରେ କି କି ଜିନିଷ ଅଛି, କେତେ ରତ୍ନ, କେତେ ସୁନା ଓ ହୀରା ଇତ୍ୟାଦି ଅଛି ତାହାର ତାଲିକା ମଧ୍ୟ କେହି କେହି ପ୍ରକାଶ କରିଛନ୍ତି । ଆଉ ଏକଥା ବି ସମସ୍ତେ ଲେଖିଛନ୍ତି ଯେ କେହି ଏସବୁ ଜିନିଷ ଦେଖି ନାହାନ୍ତି! ୧୯୮୪ ମସିହାରେ ଶେଷ ଥର ପାଇଁ ରତ୍ନ ଭଣ୍ଡାର ଭିତର ଭଣ୍ଡାର ଖୋଲିଥିଲା । ସେଠାରେ ଥିôବା ରତ୍ନାଦିର ତାଲିକା ହୋଇଥିଲା । ତା’ ପରଠାରୁ ତାହା ଖୋଲି ନାହିଁ । ସେଇ ତାଲିକା ଏବେ କେଉଁଠି? ସେହି ତାଲିକା ଅନୁସାରେ ଜିନିଷ ସବୁ ଭିତର ଭଣ୍ଡାରରେ ଅଛି ତ’? ଏବେ ଯେତେବେଳେ ନିର୍ମାଣର ଦୁର୍ବଳତା ଯାଞ୍ଚ ନେଇ ହାଇକୋର୍ଟ ଆଦେଶ ଦେଲେ ସେତେବେଳେ ଘରେ ରହିଥିବା ସେସବୁ ଜିନିଷପତ୍ର ଠିକ ଅଛି କି ନାହିଁ ଦେଖିବା କ’ଣ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳକ, ପ୍ରଶାସନ ଓ ସେବାୟତମାନଙ୍କର ପରମ କର୍ତ୍ତବ୍ୟ ନୁହେଁ କି? ସେମାନଙ୍କ ଘରେ ରହିଥିବା ସ୍ୱର୍ଣ୍ଣାଳଙ୍କର ଆଦିକୁ ସେମାନେ କ’ଣ ଏମିତି ବର୍ଷବର୍ଷ ଧରି ଅଳନ୍ଧୁ ଓ ସାପ ପରିପୂର୍ଣ୍ଣ ଘରେ ପକେଇ ଦେଇଥାନ୍ତି? ଯଦି ସେମାନେ ନିଜ ଅଳଙ୍କାରକୁ ନିୟମିତ ବ୍ୟବଧାନରେ ଘଷିମାଜି ସଫା କରୁଛନ୍ତି ଓ ତାହାର ମୂଲତଉଲ କରୁଛନ୍ତି ତେବେ ଶ୍ରୀଜଗନ୍ନାଥଙ୍କ ଅଳଙ୍କାର ଆଦିକୁ ଏପରି ଅଳିଆ ଘରେ ପକେଇ ଦେଇଛନ୍ତି କାହିଁକି?

 

ହାଇକୋର୍ଟ ରାୟ ପ୍ରକାଶ ପାଇଲା ପରେ ପୁରୀର ନିର୍ଦ୍ଦିଷ୍ଟ କେତେକ ଗୋଷ୍ଠୀ ରତ୍ନ ଭଣ୍ଡାର ଖୋଲିବା ଓ ରତ୍ନାଳଙ୍କାର ଯାଞ୍ଚ ହେବା ଆଦି କଥାକୁ କାହିଁକି ତୀବ୍ର ବିରୋଧ କଲେ? ପରମ୍ପରା ଓ ରହସ୍ୟ ବଜାୟ ରଖିବା ଦାବି ପଛରେ କି ରହସ୍ୟ ରହିଛି? ଯେଉଁଠି ସାପ ଥିବେ ସେଠି କ’ଣ ମୂଷା ନଥିବେ? ଯଦି ମୂଷା ଥିବେ ତେବେ ସେଠି କ’ଣ ଗାତ ନଥିବ? ଯଦି ଗାତ ଥିବ ତେବେ କ’ଣ ଗଳା ବାଟ ନଥିବ? ଏସବୁ କେବଳ ପ୍ରଶ୍ନ ହୋଇ ନରହୁ । ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଆରାଧ୍ୟ । ତାଙ୍କ ସଂପତ୍ତିର ସୁରକ୍ଷା ଦାୟିତ୍ୱ ହେଉଛି ସମଗ୍ର ଓଡ଼ିଆ ଜାତିର । କେଇ ଜଣ ସେବାୟତ ବା ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇଥିବା ଲୋକଙ୍କ ଚାପ ଆଗରେ ଓଡ଼ିଆ ଜାତି ମୁଣ୍ଡ ନୂଆଇଁବା ଉଚିତ ନୁହେଁ ।

 

ଶ୍ରୀମନ୍ଦିର ପ୍ରଶାସନ ହେଉ ତ ରାଜ୍ୟ ସରକାର, ସେବାୟତ ଗୋଷ୍ଠୀ ହୁଅନ୍ତୁ ତ ଭକ୍ତ ସମାଜ, ସମସ୍ତେ ଶ୍ରୀଜଗନ୍ନାଥଙ୍କ ପାଖରେ ଉତ୍ତରଦାୟୀ । ସେମାନେ ଯଦି ଶ୍ରୀଜଗନ୍ନାଥଙ୍କୁ ନିଜର ବୋଲି ଭାବୁଥାନ୍ତି, ତାଙ୍କୁ ନିଜର ଗତିମୁକ୍ତି ଦାତା ଭାବେ ଗ୍ରହଣ କରୁଥାନ୍ତି, ସେହି ଦୃଢ଼ ବିଶ୍ୱାସକୁ ଦୁର୍ବଳ କରି ସାପ ଡରରେ ବା ଅନ୍ୟ କେଉଁ ରହସ୍ୟ ଡରରେ ତାଙ୍କ ସଂପତ୍ତିକୁ ଆବର୍ଜନା ଭିତରରେ ଛାଡ଼ି ଦିଆଯିବା କେଉଁ ଭକ୍ତିର କଥା?

 

ଶ୍ରୀମନ୍ଦିରରେ ଯେତେ ରତ୍ନାଦି ଅଳଙ୍କାର ଓ ବିଗ୍ରହାଦି ରହିଛି ତାହା ସବୁ ଗଜପତି ମହାରାଜାଙ୍କ ପୂର୍ବଜ ଓ ଭକ୍ତମାନେ ଦାନ କରିଛନ୍ତି । ତାହା କେଉଁ ସେବାୟତଙ୍କର ସଂପତ୍ତି ନୁହେଁ । ଏହା ସର୍ବସାଧାରଣଙ୍କ ଦେବସ୍ୱ ସଂପତ୍ତି । ଏ ସଂପତ୍ତିର ସୁରକ୍ଷା ଓ ଆକଳନ କରାନଯିବା ଦାୟିତ୍ୱହନୀତା ଏବଂ ଶାସନ କଳର ଲୋକମାନେ ଲୋକଙ୍କ ରାଜସ୍ୱ ହଡ଼ପ କରିବା ପରି କଥା । ଭିତର ଭଣ୍ଡାର ଖୋଲା ନଯିବା ଓ ଶ୍ରୀମନ୍ଦିରର ସମୁଦାୟ ରତ୍ନାଦିର ମାପ ଓ ମୂଲ୍ୟାୟନ କରା ନଯିବା ସ୍ୱାଭାବିକ ଭାବେ ଜନମାନସରେ ଏକ ସନ୍ଦେହ ସୃଷ୍ଟି କରେ । ଏହି ସଂପତ୍ତି ସବୁ ଅଛି ତ? ନା ତାହାକୁ କିଏ କେମିତି ଚୋରି କରିନେଇଛି? ଏଭଳି ସନ୍ଦେହ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପ୍ରତି ରହିଥିବା ବିଶ୍ୱାସକୁ ଦୁର୍ବଳ କରିଦେବ । ସେଥିରେ କାହାର କି ଲାଭ ହେବ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top