ମହେନ୍ଦ୍ରତନୟା ସେତୁ ଲୋକାର୍ପିତ

News Story - Posted on 2018-04-04

ପାରଳାଖେମୁଣ୍ଡି ପ୍ରତିନିଧି

 

ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଜପତି ଜିଲ୍ଲା ଗସ୍ତ କରି ଫେରିଯାଇଛନ୍ତି । ସେ ପୂର୍ବାହ୍ନ ୧୧.୪୦ ମିନିଟରେ ଗଜପତି ଷ୍ଟାଡିୟମ ପରିସରରେ ନିର୍ମିତ ହେଲିପ୍ୟାଡରେ ଅବତରଣ କରିବା ସହ ମଧ୍ୟାହ୍ନ ୧୨.୧୯ ମିନିଟରେ ଫେରିିଯାଇଛନ୍ତି । ଏହି ସମୟ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପାରଳାଖେମୁଣ୍ଡିଠାରୁ ଆନ୍ଧ୍ରକୁ ସଂଯୋଗ କରୁଥିବା ମହେନ୍ଦ୍ରତନୟା ସେତୁର ଲୋକାର୍ପଣ ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ନିର୍ମାଣ ହେବାର ଅନେକ ଦିନ ବିତି ସାରିଥିବା ବେଳେ ଏହାର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଅପେକ୍ଷା କରାଯାଇଥିଲା । ତେଣୁ ବହୁଦିନ ଅପେକ୍ଷାର ଅନ୍ତ ଘଟିଛି ।

 

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରୁ ଓହ୍ଲାଇବା ପରେ ଗାର୍ଡ ଅଫ ଅନର ଗ୍ରହଣ କରିଥିଲେ । ଏହା ପରେ ସେଠାରେ ନିର୍ମିତ ବିଭିନ୍ନ ବିଭାଗୀୟ ଷ୍ଟଲ ପରିଦର୍ଶନ କରିବା ସହ ଜଙ୍ଗଲ ଜମି ଅଧିକାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭିନ୍ନକ୍ଷମଙ୍କୁ ସାଇକେଲ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଆଦି ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ । ଏହାପରେ ସେଠାରେ ପ୍ରାୟ ୬୯ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରଥିଲେ । ଏହା ପରେ ସେ ସିଧା ମହେନ୍ଦ୍ରତନୟା ନଦୀ କୁଳକୁ ଯାଇ ନବ ନିର୍ମିତ ସେତୁକୁ ଲୋକାର୍ପଣ କରିବା ସହ ସେହି ସେତୁ ଉପରେ କିଛି ସମୟ ଚାଲିଥିଲେ । ଏହା ପରେ ପୁଣି ଗଜପତି ଷ୍ଟାଡିୟମକୁ ଫେରି ହେଲିକପ୍ଟର ଯୋଗେ ହିଞ୍ଜିଳି ଅଭିମୁଖେ ଫେରିଯାଇଥିଲେ ।

 

ମୁଖ୍ୟମନ୍ତ୍ରୀ ପହଂଚିବା ପରେ ଜିଲ୍ଲାପାଳ ଅନୁପମ ଶାହା, ଏସପି ଅମୂଲ୍ୟ କୁମାର ଦାଶ, ପାରଳାଖେମୁଣ୍ଡି ବିଧାୟକ କେ.ସୁରିଆ ରାଓ, ପୂର୍ବତନ ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟିକା ବାସନ୍ତି ମଲିକ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ରାଜ୍ୟ ଯୋଜନାବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ସାଂସଦ ସିଦ୍ଧାନ୍ତ ମହାପାତ୍ର, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାଶ, ଜିଲ୍ଲା ଯୁବ ବିଜେଡି ସଭାପତି ପି. କୃଷ୍ଣା, ବରିଷ୍ଠ ନେତା ନୃସିଂହ ଚରଣ ପଟନାୟକ, ଲକ୍ଷ୍ମୀକାନ୍ତ ପରିଚ୍ଛା, ଜମିଦାର ପଟନାୟକ ପ୍ରମୁଖ ସମେତ ବହୁ ଦଳୀୟ ନେତା ଓ କର୍ମୀ ସ୍ୱାଗତ କରିଥିଲେ ।

 

ଆଜି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରି ଲୋକାର୍ପିତ କରିବା ନିଶ୍ଚିତ ଭାବେ ଏକ ଲୋକାଭିମୁଖୀ କାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟି ରଖି ଉଭୟ ଜିଲ୍ଲା ଏବଂ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବୋଲି ଜିଲ୍ଲାପାଳ ଅନୁପମ ଶାହା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୧୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୫ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର, ୫୦ ଜଣ ଏସଆଇ ଏବଂ ଏଏସଆଇ, ୯୦ ଜଣ ହୋମଗାର୍ଡ ଏବଂ ଟ୍ରାଫିକ ପୁଲିସ ମଧ୍ୟ ନିୟୋଜିତ ହୋଇଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top