ଶ୍ରେଷ୍ଠଙ୍କ ଅଶ୍ରେଷ୍ଠ ହାସଲ

News Story - Posted on 2018-04-03

ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ, ବେଙ୍ଗାଲୁରୁ ହେଉଛି ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ । ଆଇଇଟି ମାଡ୍ରାସ ହେଉଛି ଦ୍ୱିତୀୟ ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ । ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଦେକର ଓ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂହ ଦିଲ୍ଲୀର ବିଜ୍ଞାନ ଭବନରେ ପ୍ରକାଶ କରିଥିବା ନ୍ୟାସନାଲ ଇନଷ୍ଟିଚ୍ୟୁନାଲ ର୍ୟାଙ୍କିଂ ଫ୍ରେମୱାର୍କ ବା ଏନଆଇଆରଏଫ ରିପୋର୍ଟରେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ର୍ୟାଙ୍କ ଉଲ୍ଲେଖ ରହିଛି । ଏହି ତାଲିକାର ପ୍ରଥମ ୧୦୦ ସ୍ଥାନରେ ଓଡ଼ିଶାର କୌଣସି ଗୋଟିଏ ସରକାରୀ ଶିକ୍ଷାନୁଷ୍ଠାନର ନାମ ନାହିଁ ।

 

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳ ତରଫରୁ ପ୍ରତି ବର୍ଷ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ର୍ୟାଙ୍କ ପ୍ରକାଶ ପାଇଥାଏ । ପୂର୍ବରୁ ୬ଟି ବର୍ଗରେ ର୍ୟାଙ୍କ ପ୍ରକାଶ ପାଉଥିଲା । ଏଥର ସେଥିରେ ଆଉ ତିନିଟି ବର୍ଗ ଯୋଡ଼ା ଯାଇଛି । ଆଗରୁ ଓଭରାଲ ବା ସମୁଦାୟ, ବିଶ୍ୱବିଦ୍ୟାଳୟ, ଇଂଜିନିଅରିଂ, କଲେଜ, ଫାର୍ମାସୀ ଓ ମ୍ୟାନେଜମେଣ୍ଟ ବର୍ଗରେ ର୍ୟାଙ୍କ ପ୍ରକାଶ ପାଉଥିଲା । ଚଳିତ ବର୍ଷ ଏଥିରେ ମେଡିକାଲ, ସ୍ଥାପତ୍ୟ ଓ ଆଇନ ବର୍ଗ ଯୋଡ଼ି ଦିଆଯାଇଛି ।

 

ପ୍ରକାଶ ପାଇଥିବା ଏନଆଇଆରଏଫ ରିପୋର୍ଟ ଅନୁସାରେ ସମୁଦାୟ ବର୍ଗରେ ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଏକ ନମ୍ବର ସ୍ଥାନରେ ରହିଛି । ସେହିପରି ଆଇଆଇଟି ମାଡ୍ରାସ ଇଂଜିନିଅରିଂ ବର୍ଗରେ ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ମାନ୍ୟତା ଅର୍ଜନ କରିଛି । ମ୍ୟାନେଜମେଣ୍ଟ ବର୍ଗରେ ଆଇଆଇଏମ ଅହମଦାବାଦ ତାଲିକାର ପ୍ରଥମ ସ୍ଥାନରେ ଥିବାବେଳେ ମେଡିକାଲ ବର୍ଗରେ ଦିଲ୍ଲୀର ଏମ୍ସ ଏହି ସ୍ଥାନ ଅଧିକାର କରିଛି । ବିଶ୍ୱବିଦ୍ୟାଳୟ ବର୍ଗରେ ବେଙ୍ଗାଲୁରୁର ଆଇଆଇଏସସି ବା ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଏକ ନମ୍ବର ସ୍ଥାନରେ ଥିବାବେଳେ ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛି ।

 

ରାଜ୍ୟ ସରକାରଙ୍କ ପରିଚାଳନାଧୀନ କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଏହି ତାଲିକାର ପ୍ରଥମ ୧୦୦ ସ୍ଥାନରେ ରହିବାକୁ ଯୋଗ୍ୟ ବିବେଚିତ ହୋଇନାହାନ୍ତି । ପ୍ରଥମ ୧୦୦ ସ୍ଥାନ ମଧ୍ୟରେ ଘରୋଇ ପରିଚାଳନାଧୀନ ଶିକ୍ଷା ଓ ଅନୁସନ୍ଧାନ ବା ସୋଆ ତାଲିକାର ୩୮ ନମ୍ବର ସ୍ଥାନରେ ଥିବାବେଳେ କେନ୍ଦ୍ର ସରକାରଙ୍କ ପରିଚାଳାନାଧୀନ ରାଉରକେଲା ଏନଆଇଟି ୪୨, ଆଇଆଇଟି ଭୁବନେଶ୍ୱର ୫୧ ଏବଂ ଘରୋଇ ପରିଚାଳନାଧୀନ କିଟ୍ ୬୫ ନମ୍ବର ସ୍ଥାନରେ ରହିଛନ୍ତି । ରାଜ୍ୟ ସରକାରଙ୍କ ପରିଚାଳନାଧୀନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ୧୩୭ ଓ ଉକ୍ରଳ ବିଶ୍ୱବିଦ୍ୟାଳୟ ୧୪୭ ନମ୍ବର ସ୍ଥାନରେ ରହିଛନ୍ତି ।

 

କେବଳ ବିଶ୍ୱବିଦ୍ୟାଳୟ ବର୍ଗରେ ସୋଆ ୨୪, କିଟ୍ ୪୨ ଓ ଓୟୁଏଟି ୯୧ ନମ୍ବର ସ୍ଥାନରେ ରହିଛନ୍ତି । କେବଳ ମ୍ୟାନେଜମେଣ୍ଟ ବର୍ଗରେ କିଟ୍ ୩୦ ଓ ଏକ୍ସଆଇଏମବି ୩୬ ନମ୍ବର ସ୍ଥାନରେ ରହିଛନ୍ତି । କେବଳ ମେଡିକାଲ ବର୍ଗରେ ସୋଆ ୧୯ ଓ କିମ୍ସ ୨୦ ନମ୍ବର ସ୍ଥାନରେ ରହିଛନ୍ତି । କେବଳ ଇଂଜିନିଅରିଂ ବର୍ଗରେ ଏନଆଇଟି ରାଉରକେଲା ଓ ଆଇଆଇଟି ଭୁବନେଶ୍ୱର ପ୍ରଥମ ୨୦ ସ୍ଥାନ ମଧ୍ୟରେ ରହିଛନ୍ତି ।

 

ଗତ ବର୍ଷ ୩୦୦୦ ଶିକ୍ଷାନୁଷ୍ଠାନ ଏହି ର୍ୟାଙ୍କରେ ରହିବା ପାଇଁ ଆବେଦନ କରିଥିବାବେଳେ ଚଳିତ ବର୍ଷ ୪୦୦୦ ଶିକ୍ଷାନୁଷ୍ଠାନ ର୍ୟାଙ୍କ ପାଇଁ ଆବେଦନ କରିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top