ଚାଲିଛି କେମିତି ବେଆଇନ କଲେଜ?

News Story - Posted on 2018-04-03

ହେମାଙ୍ଗ ପ୍ରସାଦ ରାଉଳ

 

ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଭିତ୍ତିଭୂମି ବିହୀନ ବେସରକାରୀ ଆବାସିକ ମହାବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯିବ ଏବଂ ଚଳିତ ଶିକ୍ଷାବର୍ଷଠାରୁ ନାମଲେଖା ପାଇଁ ଅନୁମତି ମିଳିବ ନାହିଁ ବୋଲି ନିର୍ଦ୍ଦେଶ ହୋଇଥିଲା । କିନ୍ତୁ ମାତ୍ର କିଛି ହାତଗଣତି କଲେଜ୍ ଆବଶ୍ୟକ ଭିତ୍ତିଭୂମି କାଗଜପତ୍ର ଦାଖଲ କରିଥିବା ସ୍ଥଳେ ଅନ୍ୟ ମହାବିଦ୍ୟାଳୟଗୁଡ଼ିକ କାଗଜପତ୍ର ଦାଖଲ କରି ନଥିବା ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ସୂଚନାରୁ ଜଣାପଡ଼ିଛି ।

 

ସୂଚନା ମଗାଯିବା ପରେ ଏକ ଉଚ୍ଚ କ୍ଷମତା ସଂପନ୍ନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଭିତ୍ତିଭୂମି ବିହୀନ କଲେଜଗୁଡ଼ିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ, ଆଂଚଳିକ ନିର୍ଦ୍ଦେଶକ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରଭୃତି କର୍ତ୍ତୃପକ୍ଷଙ୍କୁ ଚିଠି ସଂଖ୍ୟା ଏଚଇ-ଏଫଇ-ଆଇଭି(ଏ)-ପୋଲ୍-୦୦୨୪/୨୦୧୫/୧୧୩୩୦ ଅନୁଯାୟୀ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ବାରମ୍ବାର ବିଭାଗୀୟ ନିର୍ଦ୍ଦେଶକୁ ଉଲଂଘନ କରି ଉକ୍ତ ଭିତ୍ତିଭୂମି ବିହୀନ କଲେଜଗୁଡ଼ିକ ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳୁଛି ।

 

ବିଶେଷସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚଳିତ ଶିକ୍ଷାବର୍ଷରେ ପୁଣିଥରେ ଉକ୍ତ ଭିତ୍ତିିଭୂମିହୀନ କଲେଜଗୁଡ଼ିକୁ ନାମକୁ ମାତ୍ର ସ୍ପଷ୍ଟୀକରଣ ମଗାଯାଇଥିବା ବେଳେ ନାମଲେଖା ପାଇଁ ମଧ୍ୟ ସୁଯୋଗ ଦିଆଯାଇଥିବା ଜଣାପଡ଼ିଛି । ଏଥି ମଧ୍ୟରେ ଚିଠି ସଂଖ୍ୟା ୪୦୫୧/୧୨.୧୦.୨୦୧୭ରେ ପୁଣିଥରେ ଶିକ୍ଷା ବିଭାଗ ଆଂଚଳିକ ନିର୍ଦ୍ଦେଶକ ବ୍ରହ୍ମପୁର ତରଫରୁ ଭିତ୍ତିଭୂମିହୀନ କଲେଜଗୁଡ଼ିକୁ ପୁଣିଥରେ ତାଗିଦ କରିବା ସହ ସେମାନଙ୍କର କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଇଇଛି । କିନ୍ତୁ ଆଜି ସୁଦ୍ଧା ବ୍ରହ୍ମପୁର ଲିଙ୍ଗରାଜ ଲ କଲେଜ, କୁକୁଡ଼ାଖଣ୍ଡିଠାରେ ଥିବା ଶିକ୍ଷା ଜୁନିୟର କଲେଜ, ବ୍ରହ୍ମପୁରରେ ଥିବା ସମ୍ରାଟ ଜୁନିୟର କଲେଜ, ବ୍ରହ୍ମପୁରର ଦିଶା କଲେଜ ଅଫ୍ ସାଇନ୍ସ ଆଣ୍ଡ କମର୍ସ, କୃଷ୍ଣା ଇଣ୍ଟରନ୍ୟାସନାଲ୍ କଲେଜ, ଛତ୍ରପୁରଠାରେ ଥିବା ପ୍ରତିଭା ରେସିଡ଼େଣ୍ଟିଆଲ ଜୁନିୟର କଲେଜ, ଜୟପୁରରେ ଥିବା ରଏଲ୍ ଜୁନିୟର କଲେଜ, ରାୟଗଡ଼ାର ଜେଆଇଟିଏମ୍ ସାଇନ୍ସ କଲେଜ ଏବଂ ସ୍ୱାମୀ ବିବେକାନନ୍ଦ ରେସିଡ଼େଣ୍ଟାଲ୍ କଲେଜ, ରାୟଗଡ଼ାର ପ୍ରମୁଖ କଲେଜଗୁଡ଼ିକ ସରକାରଙ୍କ ଦ୍ୱାରା ପ୍ରଦର୍ଶିତ ନିର୍ଦ୍ଦେଶାବଳିକୁ ପାଳନ କରୁନାହାନ୍ତି ।

 

ଏଠାରେ ସୂଚନାଥାଉକି କୌଣସି କଲେଜ ସ୍ଥାପନ କରିବା ପାଇଁ ରହିଥିବା ସରକାରୀ ନିୟମ ମଧ୍ୟରେ ନିଜସ୍ୱ ଜାଗା, ଜାଗାର ପଟ୍ଟା କାଗଜପତ୍ର ଏବଂ କଲେଜ ବିଲିଡ଼ିଂର ଫଟୋ, ଅଧ୍ୟାପକ ଅଧ୍ୟାପିକା ଏବଂ ଷ୍ଟାଫମାନଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, କଲେଜର ଆର୍ଥିକ ସ୍ଥିତି, ସରକାରୀ ଅନୁମତି ପତ୍ର, କଲେଜର ସମସ୍ତ ପ୍ରକାର ଅନୁସଙ୍ଗିକ ବ୍ୟବସ୍ଥାର ପ୍ରମାଣପତ୍ର ରହିବା ନିହାତି ଜରୁରି । ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ ବ୍ରହ୍ମପୁରଙ୍କ ଅଧୀନରେ ଥିବା ୧୧୯ଟି କଲେଜ ରହିଥିବା ବେଳେ କୌଣସି ଭିତ୍ତିଭୂମି ନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ତାହା ଦୁଇ ଦିନିଆ ଭାଗବତ ପରି ଉଭେଇ ଯାଉଛି । ସରକାରୀ ନିୟମ ଓ ନିର୍ଦ୍ଦେଶକୁ ଖୁଲମଖୁଲା ଉଲ୍ଲଂଘନ କରି ଏହି କଲେଜଗୁଡ଼ିକ ଭଲ ବ୍ୟବସାୟ ଚଳେଇଛନ୍ତି ।

 

କିଛି ମୁଷ୍ଟିମେୟ ଲୋକଙ୍କୁ ହାତବାରିସି କରି ଏହିଭଳି ଭିତ୍ତିଭୂମିହୀନ ବେସରକାରୀ କଲେଜ ଚାଲିଥିବା ଦେଖିବାକୁ ମିଳୁଛି । ଯାହାଫଳରେ ନିରୀହ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପୁଣିଥରେ ବେସରକାରୀ ଆବାସିକ ମହାବିଦ୍ୟାଳୟମାନଙ୍କ ଶିକାର ହେବାକୁ ଯାଉଛନ୍ତି । ଏଥିପାଇଁ କଲେଜଗୁଡ଼ିକର ଦଲାଲ୍ ସକ୍ରୀୟ ହୋଇଛନ୍ତି । ଅଭିଭାବକମାନଙ୍କୁ ପ୍ରବର୍ତ୍ତାଇବା ସହ ଛାତ୍ରଛାତ୍ରୀମାନଙ୍କ ପ୍ରମାଣପତ୍ର ଆଣି ନାମ ଲେଖାଇବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳୁଛି । ତେବେ ବାରମ୍ବାର ବିଭାଗୀୟ ନିର୍ଦ୍ଦେଶ ସତ୍ତେ୍ୱ ଉକ୍ତ ଭିତ୍ତିଭୂମି ବିହୀନ ମହାବିଦ୍ୟାଳୟମାନଙ୍କୁ ପୁଣିଥରେ ବର୍ଷେ ସୁଯୋଗ ପ୍ରଦାନ କରିବା ପଛରେ କାହାର ହାତ ରହିଛି ଏବଂ କାହା ଛତ୍ରଛାୟା ତଳେ ଏହି ମହାବିଦ୍ୟାଳୟଗୁଡ଼ିକ ରହିଛନ୍ତି ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

ଏଠାରେ ପ୍ରକାଶ ଥାଉକି, ଗତ ୨୦୧୪ ମସିହା ଡ଼ିସେମ୍ବର ମାସ ୨୩ ତାରିଖରେ ଉଚ୍ଚ ଶିକ୍ଷା ବିଭାଗ ଏ କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ରାଜ୍ୟର ସମସ୍ତ ରେସିଡ଼େନ୍ସିଆଲ୍ ଏବଂ ସେଲ୍ଫ୍ ଫାଇନାନ୍ସ କଲେଜ୍ ଗୁଡ଼ିକର ଭିତ୍ତିଭୂମି ଯାଂଚ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ । ଏଥି ନିମନ୍ତେ ୨୦୧୫ ମସିହା ଜାନୁୟାରୀ ମାସ ୫ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ ପାଇଁ ସମୟ ଦିଆଯାଇଥିଲା । ଭିତ୍ତିଭୂମି ମଧ୍ୟରେ କଲେଜଗୁଡ଼ିକର ବର୍ତ୍ତମାନର ସ୍ଥିତି, ପାଠ୍ୟକ୍ରମ, ପାଠାଗାର, କମନ୍ ରୁମ୍, ପାଇଖାନା ଏବଂ ନାମଲେଖା ଫିସ୍ ଆଦି ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ହୋଇଥିଲା । ସେହିଭଳି କଲେଜ୍ କୋଠା ନିଜସ୍ୱ ଜମିରେ ପ୍ରତିଷ୍ଠା ହୋଇଛି କି ନାହିଁ, କେତେ ଜଣ ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତ ହୋଇଛନ୍ତି, ସେମାନେ ସ୍ଥାୟୀ କର୍ମଚାରୀ କିମ୍ବା ଅସ୍ଥାୟୀ ଏବଂ କଲେଜକୁ କେବେଠାରୁ ସ୍ୱୀକୃତି ମିଳିଛି ପ୍ରଭୃତି ତଥ୍ୟ ପ୍ରଦାନ ପାଇଁ ଉଚ୍ଚଶିକ୍ଷା ବିଭାଗ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ପାଣିର ଗାର ସଦୃଶ ହୋଇଛି । କିନ୍ତୁ ଏହି ଶିକ୍ଷା ବ୍ୟବସାୟୀମାନଙ୍କ ଜାଲରେ ଯେପରି କୋମଳମତି ଛାତ୍ରଛତ୍ରୀ ନପଡ଼ନ୍ତି ସେଥିପ୍ରତି ଛାତ୍ରଛାତ୍ରୀ ଏବଂ ଅଭିଭାବକ ସତର୍କ ରହିବା ଜରୁରୀ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top