ନୂଆ ଓଡିଶା ବିନା ନୂଆ ଭାରତ ସମ୍ଭବ ନୁହେଁ

News Story - Posted on 2018-04-02

ନୂଆ ଓଡିଶା ବିନା ନୂଆ ଭାରତ ସମ୍ଭବ ନୁହେଁ ବୋଲି ସାମାଜିକ ସଙ୍ଗଠନ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଂଚ (କାପୋକ) ଦ୍ୱାରା ଆୟୋଜିତ ଭବ୍ୟ ଉତ୍କଳ ଦିବସ ସମାରୋହରେ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

ଓଡିଶାକୁ ଗର୍ବିତ କରିଥିବା ଅନେକ ପ୍ରତିଭା ମଧ୍ୟରେ ଚଳିତ ବର୍ଷ ଜାନୁଆରୀ ୨୬ ଦେଶର ଇଣ୍ଡିଆ ଗେଟ ପ୍ୟାରେଡରେ ଯୋଗ ଦେଇଥିବା ସୀମା ଭବାନୀ ଦଳର ଛଅ ଓଡିଆ ଝିଅଙ୍କ ଭୂୟସୀ ପ୍ରଶଂସା କରିଥିଲେ ସେ।

 

ସାଧାରଣ ଓଡିଆ ଘରର ଝିଅ ହୋଇ ରାଜଧାନୀର ରାଜ ରାସ୍ତାରେ ଓଡିଆ ଶୌର୍ଯ୍ୟର ଏହି ଝିଅମାନେ ପ୍ରଦର୍ଶନ କରିଛନ୍ତି ବୋଲି କହି ସେମାନଙ୍କୁ  ଅଭିନନ୍ଦନ ଜଣାଇଥିଲେ।

 

ଏହି ଅବସରରେ ସେ କହିଥିଲେ ଯେ ୨୦୨୨ ଭାରତର ସ୍ୱାଧୀନତାର ୭୫ ବର୍ଷ ଓ ୨୦୩୬ ସ୍ୱତନ୍ତ୍ର  ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ବିକାଶର ଅନେକ ମାପଦଣ୍ଡରେ ଓଡିଶାକୁ ଆଗେଇ ନେବାକୁ ଏକ ସୁଯୋଗ ସୃଷ୍ଟି କରିବ।

 

ସେ କହିଥିଲେ ଯେ ଓଡିଆ ଜାତି ମହା ଜାତୀୟତାବାଦରେ ବିଶ୍ୱାସ ରଖୁଥିବା ଓ ଇତିହାସରେ ଅନନ୍ୟ ଛାପ ଛାଡିଥିବା ଏକ ଜାତି। ଏକବିଂଶ ଶତାବ୍ଦୀରେ ଓଡିଆମାନେ ନିଜ ପାଇଁ କୀର୍ତିମାନ ସ୍ଥାପନ କରିବା ସହ ଓଡିଶାକୁ  ପୃଥିବୀରେ ଏକ ଅଗ୍ରଣୀ ଭୂଖଣ୍ଡ ଭାବରେ ଗଢିବାରେ ସଫଳ ହେବେ ବୋଲି ସେ ଦୃଢତା ପ୍ରକାଶ କରିଥିଲେ।

 

ଏହି ଅବସରରେ ନୂଆଦିଲ୍ଲୀ ଓଡିଆ ସମାଜ ଦ୍ୱାରା ପ୍ରସ୍ତୁତ ପୁସ୍ତକ ଧମନୀରେ ଶୌର୍ଯ୍ୟକୁ ଉନ୍ମୋଚନ କରିଥିଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ଶ୍ରୀ ହରିଚନ୍ଦନଙ୍କ ସହ ମଂଚ  ଉପରେ ସମାଜସେବୀ ଜଗଦାନନ୍ଦ, ଓଡିଆ ଭାଷା  ଆନ୍ଦୋଳନର ନେତା ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top