ନୂଆ ଓ ସମୃଦ୍ଧ ଓଡ଼ିଶା ସମ୍ଭବ

News Story - Posted on 2018-04-01

ସାମାଜିକ ସଙ୍ଗଠନ ପ୍ରାଚୀ ଟ୍ରଷ୍ଟ ତରଫରୁ ପବିତ୍ର ଉକ୍ରଳ ଦିବସର ବ୍ରାହ୍ମ ମୁହୂର୍ତ୍ତରେ ଚନ୍ଦ୍ରଭାଗା ବେଳାଭୂମିରେ ନୂଆ ଓଡ଼ିଶା ନିର୍ମାଣ ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେବଳ ଅତୀତର ଗୌରବଶାଳୀ ଇତିହାସକୁ ନେଇ ଗର୍ବ ନୁହେଁ ଓଡ଼ିଶାର ଆଗାମୀ ପିଢ଼ି ଆମ ରାଜ୍ୟକୁ ବିଶ୍ୱର ଏକ ସମୃଦ୍ଧ ଓ ଉନ୍ନତ ଭୂଖଣ୍ଡ ଭାବେ ଗଢ଼ି ତୋଳିବା ପାଇଁ ଆଗେଇ ଆସିବାକୁ ଏହି ଅବସରରେ ଆହ୍ୱାନ ଦେଇଛନ୍ତି ଶ୍ରୀ ପ୍ରଧାନ ।

 

ସାରା ଓଡ଼ିଶାରୁ ସୂର୍ଯ୍ୟୋଦୟ ପୂର୍ବରୁ ଏକତ୍ରିତ ହଜାର ହଜାର ଯୁବ ପିଢ଼ିଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଜନ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ସମଗ୍ର ବିଶ୍ୱରେ ୩୫ ତମ ସ୍ଥାନରେ ଆସୁଛି । ତେବେ ବିକାଶର ମାପଦଣ୍ଡରେ ଓଡ଼ିଶା କାହିଁକି ପଛରେ ରହିବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରରେ କେତେ ଜଣଙ୍କର ନିର୍ଣ୍ଣୟ ଉପରେ ରାଜ୍ୟର ଭାଗ୍ୟ ଓ ଭବିଷ୍ୟତକୁ ଛାଡ଼ିବା ବଦଳରେ ଓଡ଼ିଶାର ଭବିଷ୍ୟତ ଗଢ଼ିବା ପାଇଁ ଓଡ଼ିଆ ଯୁବକମାନେ ଆଗେଇ ଆସିବା ସହ ସମାଜକୁ ଏହି ଜନ ଆନ୍ଦୋଳନରେ ସାମିଲ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଆ ସମାଜ ଶତାବ୍ଦୀ ଶତାବ୍ଦୀ ଧରି ସରକାରଙ୍କ ଉପରେ ନିର୍ଭରଶୀଳ ନ ହୋଇ ସମାଜ ପାଇଁ ସମ୍ବେଦନଶୀଳ ହୋଇ କାମ କରି ଆସିଛି । ଉକ୍ରଳର ରାଜା ନ ଥିଲେ ମଧ୍ୟ କଳିଙ୍ଗ ଯୁଦ୍ଧରେ ଦୟା ନଦୀର ରକ୍ତରଂଜିତ ପାଣି ଓଡ଼ିଆ ସମାଜର ବୀରତ୍ୱ ଓ ସମର୍ପଣର ପ୍ରତୀକ ହୋଇ ରହିଛି ।

 

ଶ୍ରୀ ପ୍ରଧାନ ଯୁବକମାନଙ୍କୁ ଆହ୍ୱାନ ଜଣାଇ କହିଛନ୍ତି ଯେ ନୂଆ ଓଡ଼ିଶାକୁ ସ୍ୱଚ୍ଛ କରିବାକୁ ହେଲେ ଗାଁ ଓ ସହରର ପରିମଳ ସ୍ୱଚ୍ଛ ରହିଲେ ଲୋକମାନେ ସୁସ୍ଥ ହେବେ, ପରିଶ୍ରମ କରିବେ ଓ ରୋଜଗାର କରିବେ । ରାଜ୍ୟରେ ଗର୍ଭାବସ୍ଥାରୁ ହଜାରେ ଦିନ ପର୍ଯ୍ୟନ୍ତ ଶିଶୁର ବୟସସୀମା ମଧ୍ୟରେ ମା’ ଓ ଶିଶୁର ପୁଷ୍ଟିହୀନତା ଶିକାର ହେବାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ରାଜ୍ୟର ୨୦ଟି ଜିଲ୍ଲାରେ ଅପପୁଷ୍ଟିର ସ୍ଥିତି ଅତ୍ୟନ୍ତ ଉଦବେଗଜନକ । ଏଇଥି ପାଇଁ ଶିଶୁମାନଙ୍କର ବୟସ ଅନୁସାରେ ଶାରୀରିକ ଓ ମାନସିକ ବିକାଶ ହୋଇ ପାରୁ ନାହିଁ । ଗର୍ଭବତୀ ମା’ମାନଙ୍କୁ ସାଇ ପଡ଼ିଶା ବନ୍ଧୁବାନ୍ଧବ ସାଦ ନାମରେ ପୁଷ୍ଟିକର ଖାଦ୍ୟ ଯୋଗାଇବାର ସାମାଜିକ ବ୍ୟବସ୍ଥାକୁ ଆଜି ବି ଗୁରୁତ୍ୱ ଦେଇ ଯୁବ ସମାଜ ଆଗେଇ ନେବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି । ଯଦି ରୁଗ୍ଣ ମା କମ ଓଜନର ଶିଶୁକୁ ଜନ୍ମ ଦେବେ ୨୦୩୬ ମସିହାରେ ଉକ୍ରଳ ପ୍ରଦେଶ ଗଠନର ଶହେ ବର୍ଷ ବେଳେ ଓଡ଼ିଆ ଜାତି କେମିତି ଶ୍ରେଷ୍ଠ ହେବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

 

ସେ କହିଛନ୍ତି ଯେ ୧୪ ବର୍ଷ ବୟସ ଭିତରେ ରାଜ୍ୟର ୧ କୋଟି ୨୦ ଲକ୍ଷ ଶିଶୁ ଅଛନ୍ତି । ଆଜି ପିଢିର ପିଲା ଖେଳ ପଡ଼ିଆକୁ ନ ଯାଇ ମୋବାଇଲ ଫୋନରେ ମନୋରଂଜନର ରାସ୍ତା ବାଛୁଛନ୍ତି । ଏହି ପିଲାମାନଙ୍କୁ ଦିନରେ ଅନ୍ୟୁନ ଦୁଇ ଘଂଟା ଖେଳ ପଡ଼ିଆକୁ ନେଇ ଶାରୀରିକ ପରିଶ୍ରମର ଖେଳ ଖେଳାଇବାକୁ ଯୁବ ଶକ୍ତି ସଂକଳ୍ପ ନେଉ । ସେ କହିଛନ୍ତି ଯେ ୧୫ରୁ ୧୯ ବର୍ଷ ଭିତରେ ୪୨ ଲକ୍ଷ ଓଡ଼ିଆ ପିଲା ଅଛନ୍ତି । ଏମାନେ କ’ଣ ପଢ଼ୁଛନ୍ତି, ଭବିଷ୍ୟତ ପାଇଁ ସେମାନଙ୍କର ଦୃଷ୍ଟିଭଙ୍ଗୀ କ’ଣ, ଏମାନଙ୍କର ମତିଗତି, ଆଚାରବ୍ୟବହାର ଠିକ ରାସ୍ତାରେ ଯାଉଛି ନା ନାହିଁ, ଏ ସମ୍ପର୍କରେ ସେମାନଙ୍କ ସହ ବଡ଼ ଭାଇ ଭଳି କଥା ହୋଇ ସେମାନଙ୍କର ମାନସିକ ସ୍ଥିତି ଓ ଉତ୍ସାହକୁ ଆଗକୁ ବଢ଼ାଇବା ପାଇଁ ସମୟ ଦେବାକୁ ସେ ଯୁବପିଢିକୁ ଆହ୍ୱାନ କରିଛନ୍ତି ।

 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଆ ଭାଷା ଆଗାମୀ ପିଢି ମଧ୍ୟରେ ସଂଚରିତ ନ ହେଲେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ସେନାନୀମାନଙ୍କର ସ୍ୱପ୍ନ ପରାଜିତ ହେବ । ଆଜି ଦିନରେ ଇଂରାଜୀ ମିଡିୟମ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କର ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି କିପରି ସମ୍ବେଦନଶୀଳତା ରହିବ ସେଥିପାଇଁ ଯୁବଶକ୍ତି ଆଗକୁ ଆସିବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି ।

 

ଏହି ଉତ୍ସବରେ ବିଶୁ ମହାରଣା ଓ ଧର୍ମପଦଙ୍କର ଦାୟାଦ ଉପେନ୍ଦ୍ର ମହାରଣା ଶପଥ ପାଠ କରାଇ ଥିବା ବେଳେ ବକ୍ସି ଜଗବନ୍ଧୁଙ୍କ ଦାୟାଦ ଉପାସନା ମହାପାତ୍ର ମଂଚ ଉପରେ ଉପସ୍ଥିତ ଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top