ଆଖି ଆଳରେ ଗିଳିବେ ୬୦୦ କୋଟି!

News Story - Posted on 2018-04-01

ବିମଳ ପ୍ରସାଦ

 

ଶାସନ ପରିଚାଳନାର ସବୁଠୁ ଜଟିଳ ଦିଗଟି ଆଇନକାନୁନ ନୁହେଁ, ତାହା ହେଉଛି ବଜେଟ। ବ୍ରିଟିଶ ଉପନିବେଶ ଶାସନ ପୂର୍ବରୁ ଦେଶ ଅଖଣ୍ଡ ନଥିଲା। ତେଣୁ କେନ୍ଦ୍ର ଓ ରାଜ୍ୟର ଭେଦ ନଥିଲା। ତେବେ ବ୍ରିଟିଶ ଶାସକମାନେ ବଜେଟ୍ ପ୍ରସ୍ତୁତିର ଯେଉଁ ଛାପ ଛାଡ଼ି ଦେଇଗଲେ, ତାହାର ଅନୁକରଣ ଏବେ ବି ଚାଲିଛି ଅନ୍ଧ ଭାବରେ। ତେବେ ଏହି ଅନ୍ଧାନୁକରଣର ଏବେ ଶିକାର ହୋଇଛି ଓଡ଼ିଶାରେ ଅନ୍ଧତ୍ବ ନିବାରଣ କାର୍ଯ୍ୟକ୍ରମ। ଏହି ଘଟଣା ହେଉଛି ଓଡ଼ିଶାର। ଓଡ଼ିଶାର ଲୋକମାନେ ସହଜରେ ଅତୀତକୁ ଭୁଲିଯାଇପାରନ୍ତି। ଓଡ଼ିଆ ଖବରକାଗଜଗୁଡ଼ିକ ଅଫ୍ଲାଇନ୍ ପ୍ରକାଶନ ହୋଇଥିବା ବେଳେ, ଯାହାକୁ ସେମାନେ ଇ-ପେପର ବା ଇଣ୍ଟରନେଟ୍ ସଂସ୍କରଣ କହୁଛନ୍ତି, ତାହା ଅନୁସନ୍ଧାନଯୋଗ୍ୟ ନୁହେଁ। ତେଣୁ ଓଡ଼ିଶାର ଖବରକୁ ମନେପକାଇବାର କୌଣସି ବାଟ ନାହିଁ। ଯାହା କିଛି ଇଂଲିଶ୍ ଖବରକାଗଜରେ ପ୍ରକାଶ ପାଇ, ଇଣ୍ଟରନେଟରେ ସଂରକ୍ଷିତ ହୋଇଥିବ, କେବଳ ସେତିକି ହିଁ ଭରସା।

 

୨୦୧୮ ଫେବୃଆରି ୨୩ ତାରିଖରେ ଓଡ଼ିଶା ସରକାରଙ୍କ ବିତ୍ତ ମନ୍ତ୍ରୀ ଶଶିଭୂଷଣ ବେହେରା ଯେଉଁ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ଉପସ୍ଥାପନ କଲେ, ତହିଁରେ ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ ବାବଦରେ ରହିଛି ୬୦୦ କୋଟି ଟଙ୍କାର ଏକ ବିଶାଳ ଯୋଜନା। ମାତ୍ର ତାହାକୁ ଗୋଟିଏ ଦୁଇଟି ସଂସ୍ଥା ବା ଘରୋଇ ସଂସ୍ଥା ହାତରେ ଟେକି ଦିଆଯାଇଛି। ଚୋର ପଳାଇଲା ପରେ ବୁଦ୍ଧି ଦିଶେ ଭଳି ହୁଏତ କିଛି ଗଣମାଧ୍ୟମ କେତେବେଳେ କେବଳ ଘଟଣାର ବ୍ୟବଚ୍ଛେଦ କରିପାରନ୍ତି। ମାତ୍ର ବେଳ ଥାଉଁ କିଛି ବି ରିପୋର୍ଟ ଛାପିବେନି। ଅନେକ ସମୟରେ ତାହା ଜିଲ୍ଲାସ୍ତରୀୟ ରିପୋର୍ଟ ଭାବରେ କୌଣସି ଜିଲ୍ଲା ସଂସ୍କରଣରେ ସୀମିତ ରହିଯିବ। ରାଜଧାନୀ ସ୍ତରକୁ ଆସିବ ନାହିଁ। ଓଡ଼ିଶାର ମୁଦ୍ରଣ ଗଣମାଧ୍ୟମଗୁଡ଼ିକରେ ରାଜ୍ୟ ସ୍ତରୀୟ ରିପୋର୍ଟ ସଂକଳିତ ହେବା ପରିଦୃଷ୍ଟ ହେଉ ନଥିବାରୁ ଏ ପ୍ରସଙ୍ଗ ବି ସେଇ ନହସରେ ମୁଦି ହୋଇଯିବା ଭଳି ଲାଗୁଛି। ହୁଏତ ଏହି 600 କୋଟି ଟଙ୍କାର ଆଖି ସ୍ବାସ୍ଥ୍ୟରକ୍ଷା ସଂକ୍ରାନ୍ତ ବ୍ୟୟବରାଦକୁ ଆଖିରେ ଆଙ୍ଗୁଠି ଗେଞ୍ଜି ମାରିନେବାର ହୀନପ୍ରୟାସକୁ କୌଣସି ସଚେତନ ବ୍ୟକ୍ତି ବା ସଚେତନ ସଂଗଠନ ଧରିପାରିବେ ନାହିଁ।

 

ନିକଟ ଅତୀତକୁ ଧ୍ୟାନ ଦେଲେ, ୧୨ ଅକ୍ଟୋବର ୨୦୧୭ ବିଶ୍ବ ଦୃଷ୍ଟି ଦିବସ ଠାରୁ ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ ବିଷୟକୁ ଓଡ଼ିଶା ସରକାର ଲାଗୁ କଲେ। ଭାରତରେ ପ୍ରଥମ ରାଜ୍ୟ ରୂପେ ଏହି ପଦେକ୍ଷପ ନିଅାଗଲା ବୋଲି ସରକାର ଦାବି କଲେ। ଏଥିରେ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟସଚିବଙ୍କ ସମେତ ଚିକିତ୍ସକ, ଚିକିତ୍ସାକର୍ମୀ ଓ ନାଗରିକ ସାମିଲ ହୋଇଥିଲେ। ସେଦିନ ଏକ ପଦଯାତ୍ରା ଭୁବନେଶ୍ବର କ୍ୟାପିଟାଲ ହସପିଟାଲ ଠାରୁ ଜୟଦେବଭବନ ପର୍ଯ୍ୟନ୍ତ ଯାଇଥିଲା। ତାହାର ରୂପରେଖ ଏବେ ୨୦୧୮-୧୯ ରାଜ୍ୟ ବଜେଟରେ ପ୍ରକଟିତ ହୋଇଛି। ତେବେ ଯେଉଁମାନେ ଆନୁଷ୍ଠାନିକ ଚକ୍ଷୁ ସ୍ବାସ୍ଥ୍ୟରେ ବିଶ୍ବାସ କରନ୍ତି, ସେମାନେ କିଭଳି ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟର ବଡ଼ପଣ୍ଡା ପାଲଟି ଯାଇଛନ୍ତି, ତାହା ପ୍ରଶ୍ନବାଚୀ ହୋଇଯାଇଛି। ଆନୁଷ୍ଠାନିକ ଚକ୍ଷୁ ସ୍ବାସ୍ଥ୍ୟର ଅର୍ଥ ହେଲା, ଦୃଷ୍ଟିବାଧିତ ମଣିଷମାନେ ଡାକ୍ତରଖାନାକୁ ଆସିବେ ଏବଂ ସେଇଠି ଆଖି ସ୍ବାସ୍ଥ୍ୟରକ୍ଷାର ସୁବିଧା ପାଇବେ। କିନ୍ତୁ ରାଜ୍ୟର ମଫସଲ ଓ ଅପହଞ୍ଚ ଇଲାକାରେ ହଜାରହଜାର ଆଖିରୋଗୀ ବା ଦୃଷ୍ଟିବାଧିତ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ପକ୍ଷେ ସହରର କୌଣସି ଆଖି ଡାକ୍ତରଖାନାକୁ ଯିବା ଆଦୌ ସମ୍ଭବ ନୁହେଁ। ସେମାନଙ୍କ ମଧ୍ୟରୁ ଅନେକେ ଆଦୌ ଜାଣନ୍ତି ନାହିଁ ଯେ ସେମାନଙ୍କ ଆଖି ଭଲ ହୋଇଯିବ ଏବଂ ସେମାନେ ପୁଣି ସୁସ୍ଥ ମଣିଷଙ୍କ ଭଳି ଏ ଦୁନିଆକୁ ଜଳଜଳ ଦେଖି ପାରିବେ - ନିଜର ସ୍ବାଭାବିକ ଜୀବନ ଜୀଇଁ ପାରିବେ!

 

ତେବେ ଏହା ସମ୍ଭବ ହୋଇପାରିବ ଗୋଷ୍ଠୀ ଚକ୍ଷୁ ଯତ୍ନ ବା ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ। ଏଥିରେ ଡାକ୍ତରଖାନାକୁ ରୋଗୀମାନେ ଦୌଡ଼ିବେ ନାହିଁ। ବରଂ ଡାକ୍ତରଖାନାଟା ଯାଇ ପହଞ୍ଚୁଥିବ ଲୋକଙ୍କ ପାଖରେ, ଗାଆଁରେ। ସ୍ବାସ୍ଥ୍ୟ ଶିବିର ଜରିଆରେ ହେଉ ଅବା ମେଡିକାଲ ଭ୍ୟାନ୍ ଜରିଆରେ ହେଉ, ସବୁ ଲୋକଙ୍କ ପାଖରେ ପହଞ୍ଚିବ ଚକ୍ଷୁସ୍ବାସ୍ଥ୍ୟ ସେବା। ଅବଶ୍ୟ ଏମିତି ବି ଗାଆଁ ଅଛି, ଯେଉଁଠି ସାରା ବର୍ଷ ମେଡିକାଲ ଭ୍ୟାନ୍ ପହଞ୍ଚିବା ଭଳି ସୁବିଧା ନାହିଁ। ଦୃଷ୍ଟି ଶକ୍ତି ସମସ୍ୟା ପାଇଁ ନିଜର ଅଧା ବୟସ ନହେଉଣୁ ଭାଗ୍ୟକୁ ନିନ୍ଦୁଥିବା ଅବା ଭାଗ୍ୟକୁ ଆଦରି ପଡ଼ି ରହୁଥିବା ମଣିଷମାନଙ୍କ ପାଇଁ ତଥାପି ଯେ ଜୀବନ ବଞ୍ଚିବାର ସ୍ବାଦ ବାକି ରହିଛି, ତାହା କେବଳ ସେଇ ଚିକିତ୍ସାକାରୀ ଦଳ ଦ୍ବାରା ସମ୍ଭବ ହୋଇପାରିବ, ଯେଉଁମାନେ ବିଶ୍ବାସ କରନ୍ତି ଏବଂ କାମ କରନ୍ତି ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ ଉପରେ। ଏମାନଙ୍କ ମଧ୍ୟରେ ଅଛନ୍ତି ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ ସଂଗଠନ ବା ଏନ୍.ଜି.ଓ.। କିନ୍ତୁ ଏନ୍.ଜି.ଓ.ମାନଙ୍କୁ ପୂରାପୂରି ଅଣଦେଖା କରାଯାଇଛି ଏହି କାର୍ଯ୍ୟକ୍ରମ ପ୍ରଣୟନରେ ଓ ତହିଁର କାର୍ଯ୍ୟକାରିତାର ରୂପରେଖ ନିର୍ଧାରଣରେ।

 

ଅନ୍ଧତ୍ବ ଦୂରୀକରଣ କାର୍ଯ୍ୟକ୍ରମକୁ ଭିତ୍ତି କରି ରାଜ୍ୟ ସରକାର ଯେତେବେଳେ ସଭାସମିତି କରନ୍ତି, ସେତେବେଳେ ଓଡ଼ିଶାର ସେଇ କ୍ଷେତ୍ରର ବିଭିନ୍ନ ଏନ୍.ଜି.ଓ.କୁ ପାଣ୍ଠି ଯୋଗାଇ ଦେଉଥିବା ପାଣ୍ଠିଦାତା ସଂସ୍ଥାମାନଙ୍କର କଣ୍ଟ୍ରି ଡିରେକ୍ଟର ଅବା ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିବାର ନଜିର ରହିଛି। ଅଥଚ ଏବେ ଏକ ବିଶାଳ କାର୍ଯ୍ୟକ୍ରମ ପ୍ରଚଳନ କଲା ବେଳେ ସେହି ଏନ୍.ଜି.ଓ.ମାନଙ୍କୁ ଗୋଟାପଣେ ଅଣଦେଖା କରିବା ଏକ ବିସ୍ମୟକର କଥା ନୁହେଁ କି? ରାଜନେତାମାନେ ଚାହାନ୍ତି କି, ସେମାନେ କେବଳ ଭାଷଣରେ ଉଦବୋଧନ ଦେବେ ସ୍ବେଚ୍ଛାସେବୀ ସଂସ୍ଥା ତଥା ଏନ୍.ଜି.ଓ.ମାନଙ୍କୁ, ଆଉ ସେହି ସଂସ୍ଥାମାନେ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ ମାଗଣାରେ ଅବା ଅଳ୍ପ ଟଙ୍କାରେ କରିଦେଉଛନ୍ତି, ତାହାର ଶ୍ରେୟ ଯାଉଥାଉ ସେଇ ରାଜନେତାମାନଙ୍କ ନାମରେ! ବଜେଟ୍ ପ୍ରସ୍ତୁତିରେ ନିର୍ବାଚିତ ନେତା/ ବିଧାୟକ/ ରାଜନେତାମାନଙ୍କର ଆଦୌ କୌଣସି ଭୂମିକା ରହି ନଥିବାରୁ ପ୍ରଶାସକମାନେ ଯାହା ଲେଖାଲେଖି କରିକି ଦେଇଥାଆନ୍ତି, ତାହା ହିଁ ଅନୁମୋଦିତ ହୁଏ ବିଧାନସଭାରେ।

 

ଯଦି ଚକ୍ଷୁ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରଶାସକମାନଙ୍କ ସଂପୃକ୍ତି ଓ ଭୂମିକା ଉପରେ ନଜର ଦେବା, ତେବେ ଏଥିରେ ମଧ୍ୟ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଥିବା ଜଣାପଡ଼େ। 2005 ମସିହାରେ ଆଇଏଏସ ଅଫିସର ଗିରିଶ ଏସଏନ ଢେଙ୍କାନାଳର ଜିଲ୍ଲାପାଳ ଥିବା ବେଳେ ସ୍ଥାନୀୟ ଏନ୍.ଜି.ଓ. ସହାୟତାରେ ମିଶନ ନେତ୍ରୋତ୍ସବ ଆୟୋଜନ କରି ଅନେକ ଅପହଞ୍ଚ ଗାଆଁରେ, ବଣୁଆ ଗାଆଁରେ ଚକ୍ଷୁ ସ୍ବାସ୍ଥ୍ୟସେବାକୁ ପହଞ୍ଚାଇଥିଲେ। ସେଥିରେ ତନ୍ତୁବାୟ ଶ୍ରମିକ, ବୁଣାକାର, ବିଡ଼ି ଶ୍ରମିକ, ବନ୍ୟଜାତ ଦ୍ରବ୍ୟ ସଂଗ୍ରହକାରୀ, ବନବାସୀମାନଙ୍କ ଜୀବିକାକୁ ସୁରକ୍ଷା ଦେବା ପାଇଁ ସେହି ଶ୍ରେଣୀୟ ଜନତାଙ୍କ ଅନ୍ଧତ୍ବ ଦୂରୀକରଣ ପାଇଁ ନେତୃତ୍ବ ଦେଇଛନ୍ତି। ସେଥିପାଇଁ ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ମଧ୍ୟ ହୋଇଛନ୍ତି। ସେ ଏବେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ସମୂହର ନିର୍ଦେଶକ ଭାବରେ ଭୁବନେଶ୍ବରରେ କାର୍ଯ୍ୟରତ।

 

ସେହିଭଳି ଭାରତୀୟ ବନସେବା ଅଧିକାରୀ ବିନୋଦ କୁମାର, ରାଜ୍ୟର ପ୍ରଧାନ ମୁଖ୍ୟ ବନସଂରକ୍ଷକ ଥିବା ବେଳେ ରାଜ୍ୟର ବନ ଉପରେ ନିର୍ଭରଶୀଳ ତଥା ବନଜାତ ଦ୍ରଦ୍ୟକୁ ଜୀବିକା କରିଥିବା ଲୋକମାନଙ୍କ ମଧ୍ୟରୁ ଦୃଷ୍ଟିଦୋଷ ଦୂରୀକରଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଯିଏ କି ପରବର୍ତୀ କାଳରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଫରେଷ୍ଟ୍ରି ଏକାଡେମୀର ନିର୍ଦେଶକ ହୋଇଥିଲେ। ତାଙ୍କରି ନେତୃତ୍ବରେ 2300 ତାଲିମପ୍ରାପ୍ତ କ୍ୟାଡର ସୃଷ୍ଟି ହୋଇଥିଲେ, ସବୁ ଜାଗାରେ ଚକ୍ଷୁ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ। ଏ ସବୁ ସମ୍ଭବ ହୋଇଥିଲା, ସେଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓ ବିପୁଳ ଅଭିଜ୍ଞତା ଅଜିର୍ଥିବା ଏନ୍.ଜି.ଓ.ମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ। ସଂଯୋଗତଃ ସେ ଅବସର ଗ୍ରହଣ ପରେ ନିଜ ରାଜ୍ୟକୁ ବାହୁି ନଯାଇ ଓଡ଼ିଶାର ବାସିନ୍ଦା ହୋଇଛନ୍ତି ଏବଂ ରହୁଛନ୍ତି ଭୁବନେଶ୍ବରରେ।

 

ତୃତୀୟ ନମୁନାଟି ହେଉଛି - ଓଡ଼ିଶା ରାଜଧାନୀର ଜିଲ୍ଲା ଖୋର୍ଧାରେ ଜିଲ୍ଲାପାଳ ନିରଂଜନ ସାହୁଙ୍କ ସମୟରେ ଚକ୍ଷୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି, ଯାହାର ବ୍ୟାଖ୍ୟା ଅନାବଶ୍ୟକ। ମଜାର କଥା ହେଲା ନିରଂଜନ ସାହୁ ଏବେ ତୃତୀୟ ମହଲାରେ ଏକ ସଚିବ ପାହ୍ୟାରେ କାର୍ଯ୍ୟରତ। ମାତ୍ର ଏମାନଙ୍କ ମଧ୍ୟରୁ କାହା ସହିତ ପରାମର୍ଶ କରା ନଯାଇ ଓଡ଼ିଶାର ଯେଉଁ ଆଖି ସ୍ବାସ୍ଥ୍ୟ ବଜେଟ୍ ହୋଇଛି, ତାହା ଧର୍ମକୁ ଆଖି ଠାର କି ଆଖିରେ ଆଙ୍ଗୁଠି ଗେଞ୍ଜି ତାହା ଆପଣ ବିଚାର କରିବେ।

 

ମଫସଲର ମାମୁଲି ମଣିଷମାନଙ୍କ ସହ ଦିନେ ବି ମିଶି ନଥିବା ବ୍ୟକ୍ତିଙ୍କୁ ଆଖି ସ୍ବାସ୍ଥ୍ୟ କ୍ଷେତ୍ରର ନୀତି ପ୍ରଣୟନ ପାଇଁ ଜଣେ ସହରୀ ଡାକ୍ତର ବାବୁଙ୍କୁ ଅଧ୍ୟକ୍ଷ କରି ସରକାର କ’ଣ ଏଇ ବଜେଟକୁ ଭୋଟରଙ୍କ ଆଖିରେ ଧୂଳି ପକାଇ ମୁନାଫା ଉଠାଇବାକୁ ଚାହୁଛନ୍ତି!

 

ଏମିତି ହୋଇପାରେ କିଛି ଗଣଦୌଡ଼, ମିନି ମାରାଥନ୍, ସାଇକେଲ ଶୋଭାଯାତ୍ରା, ଫେସବୁକ ପ୍ରଚାର ଜରିଆରେ ଆଖି ସ୍ବାସ୍ଥ୍ୟର ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟକ୍ରମ କରିପାରନ୍ତି। କେନ୍ଦ୍ରରେ ମୋଦୀ ସରକାର ମଧୁମେହ-ମୁକ୍ତ ଭାରତବର୍ଷର ପରିକଳ୍ପନା କରୁଥିବା ବେଳେ, ତାହାର ଏକ ନିଶ୍ଚିତ ପରିଣତି ଦୃଷ୍ଟିହୀନତାକୁ ମୁକାବିଲା ନାମରେ ରାଜ୍ୟ ସରକାର ଅପାତ୍ରରେ ଟେକି ଦେଉନାହାନ୍ତି ତ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top