ଧର୍ମ ବନାମ ହେତୁବାଦୀ ବିଚାର

News Story - Posted on 2018-03-31

ସୂର୍ଯ୍ୟମଣି ମିଶ୍ର

 

ଧର୍ମ କ’ଣ? ଧାରଣାତ୍‍ ଧର୍ମ ଇତ୍ୟାହୁ ଧ୍ରୀୟତେ ଅନେକ ଲୋକଃ । ଯାହା ଆତ୍ମୋନ୍ନତି ଏବଂ ଉତ୍ତମ ସୁଖ ପାଇଁ ଧାରଣ କରାଯାଇଥାଏ, ଅଥବା ଯାହା ଦ୍ୱାରା ଲୋକଙ୍କୁ ଧାରଣ କରାଯାଏ ବା ବ୍ୟବସ୍ଥା ବା ମର୍ଯ୍ୟାଦା ସହ ରଖାଯାଏ, ତାହାକୁ ଧର୍ମ କୁହାଯାଏ । ଏହି ପ୍ରକାର ଆତ୍ମାର ଉନ୍ନତି କରୁଥିବା ମୋକ୍ଷ ବା ଉତ୍ତମ ବ୍ୟାବହାରିକ ସୁଖ ଦେଉଥିବା ସଦାଚରଣ, କର୍ତ୍ତବ୍ୟ ଅଥବା ଶ୍ରେଷ୍ଠ ବିଧାନ (ଆଇନ)- ନିୟମ, ଧର୍ମ ଅଟେ । ସ୍ଥୁଳ ଭାବରେ ଧର୍ମକୁ ଦୁଇଟି ଅର୍ଥରେ ବର୍ଗୀକୃତ କରାଯାଇପାରେ । ଧର୍ମର ମୁଖ୍ୟ ଅର୍ଥ (ଆଧ୍ୟାତ୍ମିକ) ଉଦ୍ଦେଶ୍ୟ, ସାଧକ, ଗୌଣ ଅର୍ଥ (ଲୌକିକ) ବ୍ୟବହାର ସାଧକ । ଆଧ୍ୟାତ୍ମିକ କ୍ଷେତ୍ରରେ ଆତ୍ମାର ଉପକାରକ, ନିଃଶ୍ରେୟ ସସିଦ୍ଧ- ଅର୍ଥାତ ମୋକ୍ଷ ପ୍ରାପ୍ତ କରୁଥିବା ଆଚରଣକୁ ଧର୍ମ କୁହାଯାଏ । ଏହା ଧର୍ମର ମୁଖ୍ୟ ଅର୍ଥ । ଏହି ଧର୍ମ ସର୍ବକାଳୀନ ଏବଂ ସାର୍ବଜନୀନ, ଯାହା ପରିତେଜ୍ୟ ନୁହେଁ । ସର୍ବଦା ଗ୍ରହଣୀୟ ଏବଂ ଉପାଦେୟ ।

 

ବ୍ୟବହାରିକ କ୍ଷେତ୍ରରେ ତ୍ରିବିଧ- ଆତ୍ମିକ, ମାନସିକ, ଶାରୀରିକ ଉନ୍ନତି କରୁଥିବା, ମାନବତ୍ୱ ଏବଂ ଦେବତ୍ୱ ଧାରାର ଉତ୍ତରଣ ଏବଂ ବିକାଶ କରୁଥିବା ଉତ୍ତମ ସୁଖ ସାଧକ । ଶ୍ରେଷ୍ଠ ବ୍ୟାବହାରିକ କର୍ତ୍ତବ୍ୟ, ମର୍ଯ୍ୟାଦା ଏବଂ ବିଧାନ (ଆଇନ)କୁ ଧର୍ମ କୁହାଯାଏ । ବ୍ୟବହାରିକ କ୍ଷେତ୍ରରେ କାରଣ-କର୍ମ ଅଟେ । ଯାହାଦ୍ୱାରା ଦେଶ କାଳ-ପରିସ୍ଥିତି ପରିବେଶର ପରିବର୍ତ୍ତନ ଆସିବାରେ ସମ୍ଭବ ହୋଇଥାଏ ।

 

ଧର୍ମ ଆଧାରରେ ପରମେଶ୍ୱର କ’ଣ, କିପରି? ପରମପିତା ପରମେଶ୍ୱର ନିରାକାର ଅଟନ୍ତି । ନା ତାଙ୍କର କେବେ ଜନ୍ମ ହୋଇଛି ନା ତାଙ୍କର ମୃତ୍ୟୁ । ସେ ଶରୀର ଧାରଣ କରନ୍ତି ନାହିଁ । ତାଙ୍କର ସଂଯୋଗ-ଉତ୍ପତ୍ତି ନାହିଁ । ବିଯୋଗ- ବିୟୋଗ ଏବଂ ବିନାଶ ମଧ୍ୟ ତାଙ୍କର ନାହିଁ । ସେ ସର୍ବଶକ୍ତିମାନ, ନ୍ୟାୟକାରୀ, ଦୟାଳୁ ଅଟନ୍ତି । ସେ ଅନାଦି, ସେ ଅନୁଗମ, ସର୍ବେଶ୍ୱର, ସର୍ବବ୍ୟାପକ ଅଟନ୍ତି । ସେ ଅଜର, ଅମର, ଅଭୟ, ନିତ୍ୟ, ପବିତ୍ର ଏବଂ ସୃଷ୍ଟିକର୍ତ୍ତା ।

 

ଧର୍ମ ରକ୍ଷା ନିମନ୍ତେ ସେ ଅବତାର ଗ୍ରହଣ କରନ୍ତି । ମହାଭାରତରେ ଧର୍ମ ଏବଂ ଧର୍ମ ରକ୍ଷା ନିମନ୍ତେ କୁହାଯାଇଛି, ଅହିଂସା ପରମୋଧର୍ମ, ଧର୍ମ ହିଂସା ତଦୈବଚ । ଅର୍ଥାତ୍‍ ଅହିଂସା ମନୁଷ୍ୟର ପରମଧର୍ମ କିନ୍ତୁ ଧର୍ମରକ୍ଷା ପାଇଁ ହିଂସା କରିବା ତା’ଠାରୁ ଶ୍ରେଷ୍ଠ ।

 

ଧର୍ମରକ୍ଷା ପାଇଁ ତ କୁରୁକ୍ଷେତ୍ରରେ ସୁଦର୍ଶନ ଚକ୍ର, ତ୍ରିଶୂଳ, ପାଶୁପତାସ୍ତ୍ର, ବ୍ରହ୍ମାସ୍ତ୍ର, ବ୍ରହ୍ମଶିରା ଏବଂ ନାରାୟଣାସ୍ତ୍ର ଭଳି ଶକ୍ତିଶାଳୀ ଘାତକାସ୍ତ୍ର କୌରବ ଏବଂ ପାଣ୍ଡବ ବାହିନୀଙ୍କ ପକ୍ଷରୁ ବ୍ୟବହୃତ ହୋଇଥିଲା । ଏହି ଅସ୍ତ୍ରଗୁଡ଼ିକର ନିର୍ମାତା ମହାଭାରତର ବର୍ଣ୍ଣନା ଅନୁଯାୟୀ ଭଗବାନ ବିଷ୍ଣୁ, ଭଗବାନ ଶିବ, ଭଗବାନ ବ୍ରହ୍ମାଙ୍କ ଦ୍ୱାରା ନିର୍ମିତ ଓ ବ୍ୟବହୃତ ତପସ୍ୟା ବଳରେ କୌରବ ଏବଂ ପାଣ୍ଡବ ବାହିନୀର ଯୋଦ୍ଧା ବରପ୍ରାପ୍ତ ଅନୁଯାୟୀ ହାସଲ କରିଥିଲେ । ଧର୍ମ ଯୁଦ୍ଧ ଭାବେ ପରିଚିତ କୁରୁକ୍ଷେତ୍ର ଯୁଦ୍ଧରେ ବ୍ୟବହାର କରିଥିଲେ ।

 

ମହାଭାରତ ବର୍ଣ୍ଣନା ଅନୁଯାୟୀ ଧର୍ମରକ୍ଷା ପାଇଁ ଶକ୍ତିଶାଳୀ ଘାତକ ଅସ୍ତ୍ର ବ୍ୟବହୃତ ହେଉଥିଲା । ଏହି କୁରୁକ୍ଷେତ୍ର ଯୁଦ୍ଧକୁ କ୍ଷମତା ଦଖଲ ପାଇଁ ଯୁଦ୍ଧ ଭାବେ କୁହାନଯାଇ ଧର୍ମ ଯୁଦ୍ଧର ମାନ୍ୟତା ଦିଆଯାଇଥିଲା ।

 

ଧର୍ମ ହିଁ ବ୍ୟକ୍ତିକୁ ଅନ୍ୟ ବ୍ୟକ୍ତି ସହ ଯୋଡେ, ସମାଜକୁ ସଶକ୍ତିକରଣ କରିଥାଏ । ଧର୍ମ ସହ ସଂସ୍କୃତି ଏବଂ ପରଂପରାକୁ ଯୋଡି ରାଷ୍ଟ୍ରବାଦର ଉତ୍‍ଥାନ ଉପରେ ଏବେ ଅଧିକ ଭାବେ ଚର୍ଚ୍ଚା ହେଉଛି । କିନ୍ତୁ ରାଷ୍ଟ୍ରର ଅସ୍ମିତା, ଧାର୍ମିକ ସଂସ୍କୃତି ଓ ପରଂପରା ବିରୋଧରେ ଭାରତର ମାର୍କ୍ସଙ୍କ ଅନୁଗାମୀମାନେ ମତ ଦେଇ ମହୁଫେଣାରେ ହାତ ଦେଇ ମହୁସେନା ଆକ୍ରମଣର ଶିକାର ହେବା ପରିସ୍ଥିତିର ସାମ୍ନା କରୁଛନ୍ତି ।

 

ବିଶୁଦ୍ଧ ଭାରତୀୟ ଚିନ୍ତନ ଧାରାରେ ନାସ୍ତିକ-ଧର୍ମପ୍ରତି ବିଶ୍ୱାସ ରଖିଥିବା ଲୋକଙ୍କ ବିଶ୍ୱାସର ପରିବର୍ତ୍ତନ ଚାହାନ୍ତି । ଜାତୀୟ ଅନୁଭବର ଆଧାରରେ ସୃଷ୍ଟି ବିଶ୍ୱାସର ପରିବର୍ତ୍ତନ କଠିନ କାମ । ପୁନଶ୍ଚ ଧର୍ମ ବିଶ୍ୱାସ ଉପରେ ପ୍ରତିକୂଳ ମତଦେବା, ଏପରି ବିଶ୍ୱାସ-ମତ ପରିବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ମାର୍କ୍ସବାଦୀ ପ୍ରଥମରୁ ହିଁ ଶତ୍ରୁ ଭାବେ ବିବେଚିତ । ବୈଜ୍ଞାନିକଙ୍କର ଉଦାହରଣ ଦେଉଥିବା ଲୋକ ଭୁଲିଯାଇଥାନ୍ତି ଯେ, ଜଣେ ବ୍ୟକ୍ତି ବଞ୍ôଚବା ପାଇଁ ସାହାରା ଆବଶ୍ୟକ କରିଥାନ୍ତି । ବିନା ଆଶ୍ରାରେ ତ ଫୁଲ ଫୁଟେନି କି ଫଳ ଫଳେନି । ଧାର୍ମିକ ବିଶ୍ୱାସ ତ ବ୍ୟକ୍ତିପାଇଁ ସାହାରା ବା ଆଶ୍ରା । ମାର୍କ୍ସୀୟ ବିଚାର ଉପରେ ବଖାଣି ଧର୍ମରେ ଈଶ୍ୱରଙ୍କ ଅସ୍ତିତ୍ୱ ନେଇ ପ୍ରଶ୍ନ କରୁଥିବା ବ୍ୟକ୍ତିମାନେ ଭୁଲିଯାଆନ୍ତି ଯେ, ସମସ୍ତେ କ’ଣ ସନ୍ଥ କବୀରଙ୍କ ଭଳି ଭଳି ବିଚାର ସଂପନ୍ନ ହୋଇପାରିବେ? ନା ଭଗତସିଂହ, ପେରିଆରଙ୍କ ଭଳି ଧର୍ମ ବିଶ୍ୱାସଠାରୁ ଊଦ୍ଧ୍ୱର୍ରେ ରହିପାରିବେ?

 

ସମ୍ବିଧାନ ପ୍ରଣେତା ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଭଳି ମହାଜ୍ଞାନୀ ହିନ୍ଦୁଧର୍ମର ବର୍ଣ୍ଣ ବ୍ୟବସ୍ଥା ବିରୁଦ୍ଧରେ ମୁହଁ ଖୋଲିଥିଲେ ହେଁ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇ ଧର୍ମର ଅସ୍ତିତ୍ୱ-ଉପସ୍ଥିତି ସହ ନିଜକୁ ସଂପୃକ୍ତ କରିଥିଲେ । ଅନେକରୁ ଅନେକଙ୍କ ପାଇଁ ବିଶ୍ୱାସର ପରିବର୍ତ୍ତନ ବିପଦପୂର୍ଣ୍ଣ । ବ୍ୟକ୍ତିର ଧାର୍ମିକ ବିଶ୍ୱାସକୁ ବିରୋଧ କରିବା ପରିବର୍ତ୍ତେ ବ୍ୟକ୍ତିର ଜୀବନ ଶୈଳୀ, ଜୀବନ ନିର୍ବାହର ସ୍ଥିତିକୁ ଅନୁଧ୍ୟାନ କରିବା ଉଚିତ । ବ୍ୟକ୍ତି ଜଣଙ୍କ କେଉଁ ଭାବ କେଉଁ ଅଭାବ ଦେଇ ଗତି କରୁଛି, ଆମେ ତ ସମସ୍ତେ ଦେଖୁଛନ୍ତି । ଶିଶୁର ଟିକାକରଣ ହେଉଛି କିନ୍ତୁ ଶିଶୁ ହାତରେ ଡେଉଁରିଆ, ତାବିଜ ବନ୍ଧାଯାଉଛି, ଝଡ଼ାଫୁଙ୍କା କରାଯିବା ସହ ଚେଙ୍କ ଦିଆଯାଉଛି । ବିଜ୍ଞାନର ଅଭୁତପୂର୍ବ ସଫଳତା, ନୂଆ ନୂଆ ଉପକରଣ ଆବିଷ୍କାର ସତ୍ତେ୍ୱ ବିଶ୍ୱାସ ଯାହାକୁ ଅନ୍ଧବିଶ୍ୱାସ ଭାବେ ମାର୍କ୍ସବାଦୀ ମତ ଦିଅନ୍ତି ତାହା ଦୂର ହୋଇପାରୁନାହିଁ । ବରଂ ଧାର୍ମିକ ବିଶ୍ୱାସ ଆଧାରରେ ମାନବୀୟ ଚେତନାକୁ ହତ୍ୟା କରାଯାଉଛି, ସଂତ୍ରାସ ଅଧିକ ଦେଖିବାକୁ ନାଁରେ ପୁଣି ଧର୍ମର ଦ୍ୱାହି ଦେଇ । ଯାନ୍ତ୍ରିକକରଣ ଲାଭ ନା ନୁହେଁ, ସେ ନେଇ ବିତର୍କ ଯେତେ ଗଠନ ମୂଳକ ହେଉନାହିଁ, ଧର୍ମ ବିଶ୍ୱାସ ଆଧାରରେ ହିଂସାତ୍ମକ ସଂଘର୍ଷ ଅଧିକ ମୁଣ୍ଡ ଟେକୁଛି । ଗଣତନ୍ତ୍ରକୁ ସ୍ୱୀକାର କରିବା ମାନବ ବ୍ୟବହାରକୁ ଅଣଦେଖା କରିବା ଦ୍ୱାରା ଯେ ଧାର୍ମିକ ଅନ୍ଧବିଶ୍ୱାସର ବଳୟରେ ଥିବା ଲୋକଙ୍କୁ ମୁକ୍ତ କରାଯାଇ ପାରିବ, ଏପରି ଭାବନା-ସମ୍ଭାବନା ତ ଅମୂଳକ ଏବଂ ଅବୈଜ୍ଞାନିକ । ଏଭଳି ଉଦ୍ୟମ କାରଣ ମହୁଫେଣାର ସୈନ୍ୟଙ୍କ ଆକ୍ରମଣର ଶିକାର ହୋଇ ଶ୍ମଶାନକୁ ଯିବା ପୂର୍ବରୁ ଡାକ୍ତରଙ୍କ ପାଖକୁ ଯିବାର ଆଶଙ୍କା ଅଧିକ ।

 

ଏହା ସ୍ପଷ୍ଟ ଯେ ଲୋକ- ପରଲୋକ ସଂପର୍କିତ ସଂସ୍କାର ଧାରାର ଭାବନା ଆଜିଯାଏ ଶେଷ ହୋଇନାହିଁ । କାରଣ ଧର୍ମ ବିଶ୍ୱାସୀଙ୍କର ମତ ହେଲା-ଧର୍ମ ପୁସ୍ତକରେ ଯାହା ଲେଖାଯାଇଛି ତାହା ଅନ୍ତିମ ସତ୍ୟ । ଏହି ମତକୁ ପରିବର୍ତ୍ତନ କରିବା ସହଜ ନୁହେଁ କି ନିକଟ ଭବିଷ୍ୟତରେ ସମ୍ଭବ କରିବାର ସମ୍ଭାବନା ନାହିଁ ।

 

କାରଣ ନଦୀରେ କେତେ ପାଣି ବୋହିଗଲାଣି; କିନ୍ତୁ ନଦୀର ପ୍ରବାହ ଧାରା ଅବ୍ୟାହତ ରହିଛି । ଧର୍ମ ଆଧାରରେ ଭେଦଭାବ ଯେ କେବଳ ଭାରତରେ ଅଛି, ଧର୍ମ ରକ୍ଷା ପାଇଁ କେବଳ ଭାରତ ହିଂସାକାଣ୍ଡ ଘଟଣା ଘଟୁଛି ତାହାନୁହେଁ ସମଗ୍ର ବିଶ୍ୱରେ ଥିବା ଅନ୍ୟ ରାଷ୍ଟ୍ରରେ ମଧ୍ୟ ଏତାଦୃଶ ଅମାନବୀୟ ଚିତ୍ର ଦେଖିବାକୁ ମିଳୁଛି । ଧର୍ମକୁ ଜୀବନର ଆଦି ଏବଂ ଅନ୍ତ ଭାବେ ଗ୍ରହଣ କରୁଥିବା ବ୍ୟକ୍ତିଙ୍କର ମାନବୀୟ ଚେତନାକୁ ଜାଗ୍ରତ କରିବା ପାଇଁ କ୍ଷମତାନ୍ଧ ଶାସକ ଶ୍ରେଣୀର ଶ୍ରେଣୀ-ଚେତନାକୁ ପ୍ରଥମେ ଲୋକାଭିମୁଖୀ କରିବା ଗୁରୁତ୍ୱପୂର୍ଣ୍ଣ । ବିଜ୍ଞାନ ତ ଭୌତିକ ବିଚାର, ଧର୍ମ ଗ୍ରନ୍ଥରେ ବର୍ଣ୍ଣିତ ତଥ୍ୟ ବା ବିଚାର ହେଉଛି ଆଧିଭୌତିକ । ଏବେ ତ ଧାରଣା ଜନ୍ମ ନେଲାଣି ବିଜ୍ଞାନ ପୃଥିବୀକୁ ଧ୍ୱଂସ କରିଦେବ । ଶାନ୍ତି ନୁହେଁ ଧ୍ୱଂସାସ୍ତ୍ରକୁ ଆବିଷ୍କୃତ କରିଛି ବିଜ୍ଞାନ । ଏହି ଧାରଣାକୁ କ’ଣ ଦୂର କରାଯାଇ ପାରିବ? ଧର୍ମ ତ ଧାରଣା ସୃଷ୍ଟି କରିଛି, ଧର୍ମ କାରଣରୁ ସମଗ୍ର ମୃତ ପୁଣି ଜୀବିତ ହେବେ, ପୁଣି ଥରେ ଜନ୍ମ ନେବେ, ପୁନର୍ଜନ୍ମର ବିଶ୍ୱାସ ତ ଧର୍ମର କଥା । ପ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଜୀବିତ, ତାଙ୍କର ପୁନରୁଥାନ ହେବ, ଈଶ୍ୱର-ଆଲ୍ଲା-ଯୀଶୁ ସଦା ଜୀବିତ-କ୍ରିୟାଶୀଳ । ଏହି ଧାର୍ମିକ ବିଶ୍ୱାସ ବିରୋଧରେ କହି ନିଜର ନାସ୍ତିକ ମତକୁ ବ୍ୟାପକ କରିବା, ସାକାର କରିବା ସହଜ ଓ ସମ୍ଭବ ନୁହେଁ । କାରଣ ପୋପଙ୍କଠାରୁ ମୁଲ୍ଲା-ମୌଲବୀ, ଫାଦର-ପାଷ୍ଟର, ବାବା-ମାତା, ସାଧୁ-ସନ୍ଥ, ପଣ୍ଡା-ପଢ଼ିଆରୀ ବିଶ୍ୱବ୍ୟାପି ଅବସ୍ଥାନ କରୁଛନ୍ତି । ଭାରତର ରାଷ୍ଟ୍ରବାଦ ସହ ଧର୍ମ-ସଂସ୍କୃତିକୁ ଯୋଡି ସାଂସ୍କୃତିକ ରାଷ୍ଟ୍ରବାଦ ପ୍ରତିଷ୍ଠା ଉପରେ ଏବେ ରାଜନୀତି କରାଯାଉଛି । ଏହା ସତ୍ୟ କିନ୍ତୁ ବିଶ୍ୱରେ ଏପରି କୌଣସି ରାଷ୍ଟ୍ର ନାହିଁ ଯେଉଁଠି ରାଷ୍ଟ୍ରବାଦକୁ ସେଠାକାର ସତ୍ତାଧାରୀ ରାଜନୈତିକ ଦଳ ଊଦ୍ଧ୍ୱର୍କୁ ଟେକିଧରି ନାହାଁନ୍ତି ।

 

ଉତ୍ତମ-ମନ୍ଦ, ସତ୍ୟ-ଅସତ୍ୟ, ସବଜେକ୍ଟ-ଅବଜେକ୍ଟକୁ ନେଇ ସାଂସ୍କୃତିକ ରାଷ୍ଟ୍ରବାଦ । ଏହା ପଛରେ ସୁଚିନ୍ତିତ ଧାରଣା ବା ସିଷ୍ଟମ୍‍ ବୁଝାଯାଏ ନାହିଁ । ଏହି ବାଦକୁ ଆଧାରହୀନ ବିଭାଜକ ବିଚାରଧାରା ବୋଲି ବୁଝିବାକୁ ହେବ । ଏହି ବାଦ ପଛରେ ସାମାଜିକ ଯଥାର୍ଥ ଏବଂ ଅନ୍ତର୍ବିରୋଧକୁ ଦେଖାଇବାର କ୍ଷମତା ନଥାଏ । କିନ୍ତୁ ଯଥାର୍ଥତାକୁ ବିଭ୍ରମ କରି ପରିବର୍ତ୍ତନ କରିବାର କ୍ଷମତା ନିଶ୍ଚିତ ଥାଏ । ଅରାଜକତା ଏହାର ମୂଳ ଆତ୍ମା । କାରଣ ଏହା ପ୍ରକୃତ ରାଷ୍ଟ୍ରବାଦର କଥା ନୁହେଁ । ଦାରିଦ୍ର୍ୟ, ଅବହେଳା, ଭେଦଭାବକୁ ସମ୍ବଳ କରି ଏହି ବାଦ ଆଗକୁ ବଢ଼ିଥାଏ । ଧର୍ମ ଆଧାରିତ ଅନ୍ଧବିଶ୍ୱାସ ଜାତିଆଣ-ବର୍ଣ୍ଣଭେଦ, ରଂଗଭେଦ - ସାଂସ୍କୃତିକ ରାଷ୍ଟ୍ରବାଦର (ବହୁଳ ପ୍ରଚାରିତ)ର ମୂଳ ପୁଞ୍ଜି ବୋଲି ଗ୍ରହଣ କରିବାକୁ ହେବ । ଆର୍ଥିକ ଅସମାନତା - ସାମାଜିକ ଭେଦଭାବକୁ ପୁଞ୍ଜିକରି କ୍ଷମତା ଦଖଲ ଦୌଡ଼ରେ ଥିବା ରାଜନୈତିକ ଦଳ ଏହି ବାଦ ସପକ୍ଷରେ ଛିଡ଼ା ହୋଇଥାନ୍ତି । ଧର୍ମରକ୍ଷା ସହ ସାଂସ୍କୃତିକ ରାଷ୍ଟ୍ରବାଦକୁ ଯୋଡି ପ୍ରଚାର ବ୍ୟବସ୍ଥାର ଧାର୍ମିକ ବିଚାରକୁ ଊଦ୍ଧ୍ୱର୍କୁ ତୋଳି ଧରି ବୈଜ୍ଞାନିକ ବିଚାରର ଧ୍ୱଂସ ସଂପର୍କିତ ସମ୍ଭାବ୍ୟ ଚିତ୍ରକୁ ଦେଖାଇଥାନ୍ତି । ସାଂସ୍କୃତିକ ରାଷ୍ଟ୍ରବାଦରେ କୌଣସି ବିଷୟ ବା ବସ୍ତୁ ସ୍ଥିର ରହିପାରେ ନାହିଁ । ଭିନ୍ନତା ଏବଂ ବିବିଧତା ସହ ଏହାର ବୈଚାରିକ ଅନ୍ତର୍ବିରୋଧ ଥାଏ ।

 

ସଂଖ୍ୟାଲଘୁ ତୁଷ୍ଟିକରଣ, ଦୁର୍ନୀତି, ନୈତିକ-ଅନୈତିକ, ସମାନତା-ଅସମାନତା, ଛଦ୍ମ ଧର୍ମନିରପେକ୍ଷତା, ହିନ୍ଦୁତ୍ୱ, ଇସଲାମିକ୍‍, ଖ୍ରୀଷ୍ଟିଆନଟି, ଆରକ୍ଷଣ, ଜାତି ଦ୍ୱେଷକୁ ନେଇ ସାଂସ୍କୃତିକ ରାଷ୍ଟ୍ରବାଦର ସ୍ୱରକୁ ଉଚ୍ଚ ସୋପାନରେ ପହଞ୍ଚାଇବା ପାଇଁ ଧାର୍ମିକ କଠୋର ପନ୍ଥୀ-ମୌଳବାଦୀମାନେ ସଦା ଉଦ୍ୟମରତ ।

 

ପ୍ରଗତିଶୀଳ ବିଚାରଧାରା ସଂପନ୍ନ, ମାର୍କ୍ସବାଦୀ ବିଚାରକ-ପ୍ରଚାରକମାନେ ଏ ସଂପର୍କରେ ସମୀକ୍ଷା କରିବା ସହ ଧର୍ମ ଏବଂ ସାଂସ୍କୃତିକ ରାଷ୍ଟ୍ରବାଦ (ଛଦ୍ମବେଶୀ) ମାନବତା ବିରୋଧୀ ବୋଲି ପ୍ରମାଣକୁ ଉପସ୍ଥାପନ କରିବାର ସମୟ ଆସିଛି । ଧର୍ମ ପଦ୍ଧତି -ସଂସାର-ରାଷ୍ଟ୍ରବାଦ ରାସ୍ତା ଯେ ହିଂସାତ୍ମକ ନୁହେଁ, ମଣିଷ ପଣିଆର ବାର୍ତ୍ତା ଦିଏ । ସମସ୍ତ ମଣିଷ ସମାନ-ସମସ୍ତଙ୍କର ସମାନ ଅଧିକାର ରହିଛି । ସମସ୍ତେ ସେହି ଈଶ୍ୱର-ଆଲ୍ଲା-ଯୀଶୁଙ୍କର ସନ୍ତାନ ଏହି ବାର୍ତ୍ତାକୁ ପ୍ରଚାରିତ କରିବା, ପ୍ରସାରିତ କରିବା ସହ ବୈଜ୍ଞାନିକ ବିଚାରର ସାର୍ଥକତା, ବାସ୍ତବତା ଯେ ଧ୍ୱଂସକାରୀ ନୁହେଁ, ଏହାକୁ ମଧ୍ୟ ଉପସ୍ଥାପନ କରିବାର ସମୟ ଆସିଛି । କାରଣ ଧର୍ମ ଏବଂ ସାଂସ୍କୃତିକ ରାଷ୍ଟ୍ରବାଦ ନାମରେ ମାନବୀୟ ଚେତନାର ମୃତ୍ୟୁ ଘଟିବାରେ ଲାଗିଛି । ଧର୍ମନାମରେ ସନ୍ତ୍ରାସର କାୟା, ମାୟା, ଛାୟା ଅଧିକ ବିସ୍ତାରିତ ହେବାରେ ଲାଗିଛି । ରାଷ୍ଟ୍ର ଏବଂ ଏହାର ସଂସ୍କୃତି ବା ସଭ୍ୟତାକୁ ଅନାଦାର, ଘୃଣା ବା ଜାତିବାଦର ପ୍ରଚାରରେ ନିଜକୁ ନିୟୋଜିତ କରିଥିବା ବ୍ୟକ୍ତିମାନେ ପାଶ୍ଚାତ୍ୟ ସଂଚାର ମାଧ୍ୟମକୁ ଏକ ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଚଳାଇ ରଖିଛନ୍ତି ।

 

ଏହା ହେଉଛି ଅନୈତିକ ଘୃଣିତ କାର୍ଯ୍ୟଧାରା । ଅଧିକ ଭାବେ ଘୃଣାର ପ୍ରଚାର । ଅପମାନଜନକ-ଇତିହାସ ତଥ୍ୟକୁ ଏପଟସେପଟ କରି ବା ଓଲଟପାଲଟ କରି ଚଳଚ୍ଚିତ୍ର-କାର୍ଟୁନ ନିର୍ମାଣ କରି ଘୃଣା ଭାବନା ପ୍ରଚାର କରୁଛନ୍ତି ।

 

ଅପରାଧକୁ ନ୍ୟାୟ ବୋଲି ଉପସ୍ଥାପନ କରାଯାଉଛି । ଗୋଟିଏ ମିଛ ଅନ୍ୟଟି ଅନ୍ୟାୟ ଭେଦ ଭାବର ପରିବେଶ ନିର୍ମାଣ ଧର୍ମର ବାର୍ତ୍ତା ନୁହେଁ । ସାଂସ୍କୃତିକ ରାଷ୍ଟ୍ରବାଦର ବାସ୍ତବ ତଥ୍ୟ ଏବଂ ସତ୍ୟ ନୁହେଁ । ମିଛ ଭେଦଭାବ ଏବଂ ଅନ୍ୟାୟର ବଳୟରେ ରହି ମଣିଷ ଧର୍ମର ସାହାରା ନେଉଛି । ସାଂସ୍କୃତିକ ପରଂପରାକୁ ଜାବୋଡି ଧରିଛି । ହେତୁବାଦୀଙ୍କ ତର୍କକୁ ଗ୍ରହଣ କରିପାରୁ ନାହାଁନ୍ତି । ଧର୍ମ ବିଶ୍ୱାସୀମାନେ ଧର୍ମ ବିରୋଧୀ ହେତୁବାଦୀମାନଙ୍କୁ ମହୁଫେଣାର ସୈନିକ ଭଳି ଦଂଶନ କରୁଛନ୍ତି । ମହୁଫେଣା ତ ଧର୍ମର ପ୍ରତୀକ । ଅତିନିୟନ୍ତ୍ରିତ ବା ଅମର୍ଯ୍ୟାଦାତିତ ମନମାନୀ ଧର୍ମ ଏବଂ ସଂସ୍କୃତିର ବିରୋଧୀ । ଧର୍ମ-ସଂସ୍କୃତିକୁ ଅପମାନ କରାଯିବାର ବାସ୍ତବତା ନାହିଁ । ଏହା ସମାଜକୁ ଭାଗ ଭାଗ କରିବ । ହେତୁବାଦୀ-ମାର୍କ୍ସବାଦୀମାନେ ଏ ସଂପର୍କରେ ସମୀକ୍ଷା ଆତ୍ମସମୀକ୍ଷା କରିବାର ସମୟ ଆସିଛି ।

 

ସାମ୍ବାଦିକ, ଭୁବନେଶ୍ୱର
ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top