ତୁ ପରା ବୋଲାଉ ଉକ୍ରଳ ସନ୍ତାନ!

News Story - Posted on 2018-03-31

ସତ୍ୟବାଦୀ ବଳିଆରସିଂହ

 

ଭାଷା ସାହିତ୍ୟ, ସଂସ୍କୃତି ଗୋଟିଏ ଜାତି ବୈଭବର ପରିଚୟ ଦିଏ । ଆମ ଓଡ଼ିଶାର ଭାଷା ଓଡ଼ିଆ । ଏହା ଏକ ପ୍ରାଚୀନ ଭାଷା । ଆର୍ଯ୍ୟ ଭାଷାମାନଙ୍କ ମଧ୍ୟରେ ସଂସ୍କୃତ ପରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ଏହା ଓଡ଼ିଆମାନଙ୍କ ପାଇଁ ଗୌରବର ବିଷୟ । ଆମ ଭାଷା ବଙ୍ଗଳା, ହିନ୍ଦୀ, ତେଲଗୁୁ ଭାଷାଠାରୁ ପ୍ରାଚୀନ ଓ ସମୃଦ୍ଧ ବୋଲି ଯେତେ ଡିଣ୍ଡିମ ପିଟିଲେ ବି ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଯେ ବାଧାପ୍ରାପ୍ତ ହେଉଛି ଏହା ନିଃସନ୍ଦେହରେ କୁହାଯାଇପାରେ । ଉପାନ୍ତ ଅଂଚଳରେ ପଡ଼ୋଶୀ ରାଜ୍ୟର ଭାଷା କାୟା ବିସ୍ତାର କରିଥିବା ବେଳେ ସହର ଅଂଚଳରେ ଶିକ୍ଷିତ ଲୋକଙ୍କ ଭାଷା ଇଂରାଜୀ କିମ୍ବା ହିନ୍ଦୀ ପ୍ରଭାବ ବିସ୍ତାର କରୁଛି । ଇଂରାଜୀ ମାଧ୍ୟମ ବିଦ୍ୟାଳୟମାନଙ୍କରେ ଓଡ଼ିଆର ଗୁରୁତ୍ୱ ନାହିଁ । ଆସନ୍ତା ୧୦୦ ବର୍ଷ ମଧ୍ୟରେ ଓଡ଼ିଆ ଭାଷା ଲୋପ ପାଇବ ବୋଲି ୟୁନେସ୍କୋ ଯେଉଁ ତଥ୍ୟ ଦେଇଛି ତାହା ଆଶଙ୍କା ସୃଷ୍ଟି କରୁଛି ।

 

ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ହୋଇଥିବା ୧୯୫୪ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଅଂଟା ଭିଡ଼ି ଥିଲେ । ଓଡ଼ିଆ ଟାଇପ୍ ମେସିନ୍ ଆଣିବା, ଓଡ଼ିଆରେ କାଗଜପତ୍ର ହେବା ଆଦି ସରକାରୀ ଦପ୍ତରରେ ଶତକଡ଼ା ୬୦ ଭାଗ ଆଗେଇଥିବା ବେଳେ ଅହଂକାରୀ ଅଧିକାରୀଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ନଥିବାରୁ ଏହା ସଫଳ ହେଲା ନାହିଁ । ଯଦି ଭାଷା ଉଲ୍ଲଘଂନକାରୀଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ଲାଗୁ ହୋଇଥାନ୍ତା ତେବେ ଓଡ଼ିଶାରେ ଓଡ଼ିଆ ସରକାରୀ ଭାଷା ହୋଇସାରିଥାନ୍ତା । ଓଡ଼ିଆ ଭାଷାକୁ ନେଇ ଓଡ଼ିଶା ରାଜ୍ୟ ସୃଷ୍ଟି ହେଲା । ଏପରିକି ସ୍ୱାଧୀନତା ପରେ ୧୯୫୪ ମସିହାରେ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡ଼ିଆ ସରକାରୀ ଭାଷା ରୂପେ ଆଇନ ପ୍ରଣୟନ କରାଗଲା । ନବୀନ ସରକାର ସଂପ୍ରତି ଏହାକୁ କାର୍ଯ୍ୟକାରୀ କରିବା ଘୋଷଣା ଏବଂ ଭାଷା ଆଇନ ଉଲ୍ଲଂଘନକାରୀଂକୁ ଦଣ୍ଡବିଧାନ ଘୋଷଣା କରି ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା, ଏହା କେତେଦୂର କାର୍ଯ୍ୟକାରୀ ହେଉଛି ।

 

ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା । ଇତିହାସ କହେ, କପିଳେନ୍ଦ୍ର ଦେବ ଉକ୍ରଳ ସାମ୍ରାଜ୍ୟର ସମ୍ରାଟ ଥିଲେ । ସେ ଖ୍ରୀ୧୪୩୫ରୁ ୧୪୬୫ ପର୍ଯ୍ୟନ୍ତ ଅର୍ଥାତ ଶକାବ୍ଦ ୧୩୫୭ରୁ ୧୩୮୭ ପର୍ଯ୍ୟନ୍ତ ତିରିଶ ବର୍ଷ ରାଜତ୍ୱ କରିଥିଲେ । କପିଳେନ୍ଦ୍ରଙ୍କ ଅଭିଷେକଠାରୁ ‘କପିଳାବ୍ଦ’ ନାମକ ଏକ ନୂତନ ଅବ୍ଦ ପ୍ରଚଳିତ ହୋଇଥିଲା ଯାହା ଅଦ୍ୟାବଧି ଓଡ଼ିଆ ପାଞ୍ଜିମାନଙ୍କରେ ଲକ୍ଷ୍ୟ କରାଯାଏ । ମହାପରାକ୍ରମୀ କପିଳେନ୍ଦ୍ର ଦେବ ବ୍ୟକ୍ତୠତ ଭାବେ ସାହିତ୍ୟ ଓ କଳାର ଜଣେ ପୃଷ୍ଠପୋଷକ ଥିଲେ । ସେ ସଂସ୍କୃତ ଭାଷା ଓ ସାହିତ୍ୟରୁ ଉକ୍ରଳକୁ ମୁକ୍ତ କରିବା ପାଇଁ ଓଡ଼ିଆ ଭାଷାକୁ ରାଜଭାଷାର ମାନ୍ୟତା ଦେଇଥିଲେ । ତାଙ୍କ ସମୟରେ ସାରଳା ଦାସ (ପୂର୍ବନାମ ସିଦେ୍ଧଶ୍ୱର ପରିଡ଼ା) ଓଡ଼ିଆ ମହାଭାରତ ଲେଖିଥିଲେ । ପ୍ରାଦେଶିକ ଭାଷାରେ ମହାଭାରତ ଲେଖାଯିବାରେ ଭାରତର ଏହା ପ୍ରଥମ । ଏହା ପୂର୍ବରୁ ସଂସ୍କୃତ ମହାଭାରତ ଥିଲା । କପିଳେନ୍ଦ୍ର ଦେବଙ୍କ ସାରସ୍ୱତ ପ୍ରତିଭା ଥିଲା ସର୍ବଜନବିଦିତ । ‘ପରଶୁରାମ ବିଜୟ’ ନାମକ ନାଟ୍ୟକୃତି ମାଧ୍ୟମରେ ସେ ନିଜର ସାହିତ୍ୟ ରସିକତା ଓ ପାଣ୍ଡିତ୍ୟର ପରିଚୟ ପ୍ରଦାନ କରିଛନ୍ତି ।

 

ବିହାର-ଓଡ଼ିଶା ବିଧାନସଭାରେ ୧୯୨୧ ମସିହା ନଭେମ୍ବର ୨୫ ତାରିଖରେ ଓଡ଼ିଶାରୁ ବିଧାୟକ ଭାବେ ପ୍ରତିନିଧିତ୍ୱ କରୁଥିବା ବାଗ୍ମୀ ବିଶ୍ୱନାଥ କର ଓଡ଼ିଆରେ ଭାଷଣ ଦେଇ ସ୍ୱତନ୍ତ୍ର ଓଡ଼ିଶା ଗଠନ ପ୍ରସ୍ତାବ ଦେଇଥିଲେ । ସେହିପରି ୧୯୬୭ ମସିହାରେ ପୁରୀରୁ ସଂଯୁକ୍ତ ସୋସିଆଲିଷ୍ଟ ଦଳର ପ୍ରାର୍ଥୀଭାବେ ନିର୍ବାଚିତ ହୋଇ ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟ ଲୋକସଭାରେ ଓଡ଼ିଆରେ ଭାଷଣ ଦେଇ ଭାଷା ସ୍ୱାଭିମାନର ପରାକାଷ୍ଠା ଦେଖାଇଥିଲେ । ଏବେ ସେ ସ୍ୱାଭିମାନର ପରାକାଷ୍ଠା ଆମମାନଙ୍କ ପାଖରେ ଅଛି କି? କଳିଙ୍ଗ ସମ୍ରାଟ ଖାରବେଳ ବା ଉକ୍ରଳ ସମ୍ରାଟ କପିଳେନ୍ଦ୍ର ଦେବ ଆମ ଓଡ଼ିଆ ମାଟିର ଯେଉଁ ଟେକ ରଖିଥିଲେ ତାହା ଆମେ କିଂଚିତ ଭାବେ ମନେ ପକାଉଛେ କି?

 

ଇଂରେଜ ଶାସନରେ ଆମର ଏପରି ପତନ ଘଟିଲା ଯେ ବଙ୍ଗାଳୀମାନେ ଓଡ଼ିଆଭାଷାକୁ ଲୋପ କରିଦେବାକୁ ବସିଥିଲେ । ବାଲେଶ୍ୱରର ଶିକ୍ଷକ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ କହିଥିଲେ - ‘ଓଡ଼ିଆ ଏକଟା ସ୍ୱତନ୍ତ୍ର ଭାଷା ନୟ’ । କିନ୍ତୁ ସେହି ବଙ୍ଗଳା ବା ଗୌଡ଼ଦେଶକୁ ଜୟକରି ଉକ୍ରଳର ନରପତିମାନେ ବହୁକାଳରୁ ଗୌଡ଼େଶ୍ୱର ଉପାଧିଧାରଣ କରି ଆସୁଥିଲେ । ଓଡ଼ିଆରେ ରାମାୟଣ, ମହାଭାରତ, ଭାଗବତ ବଙ୍ଗଳାର ବହୁ ପୂର୍ବରୁ ରଚିତ ହୋଇଥିଲା । ବଙ୍ଗ ପ୍ରଦେଶକୁ ଗୌଡ଼ ରାଜ୍ୟ କୁହାଯାଉଥିଲା । ପଂଚଗୌଡ଼ ମଧ୍ୟରୁ ରାଢ଼, ବାରେନ୍ଦ୍ର ନାମକ ଦୁଇଟି ଗୌଡ଼ ରାଜ୍ୟକୁ ଉକ୍ରଳୀୟମାନେ ଜୟ କରିଥିଲେ । ଏ ପ୍ରସଙ୍ଗରେ ଗୋଟିଏ ସଂସ୍କୃତ ଶ୍ଲୋକକୁ ଉଦ୍ଧାର କରାଯାଇପାରେ-ରାଢ଼ ବରେନ୍ଦ୍ର ଯବନୀ ନୟନାଞ୍ଜନାଶୁ/ ପୁରେଣ ଦୂର ବିନିବେଶିତ କାଳିମଶ୍ରୀଃ/ ତଦ ବିପ୍ରଳୟ କରୁଣାଭୁତ ନିସ୍ତରଙ୍ଗା/ ଗଙ୍ଗାପି ନୂନମମୁନା ଯମୂନା ଧୂନାଭୂତ ।

 

ବିଶାଳ ଉକ୍ରଳର ଅତୀତ ଗୌରବଶାଳୀ ଥିଲେ ହେଁ ଖ୍ରୀ୧୫୬୮ରେ ପରାଧୀନ ହେବାପରେ ଆଫଗାନ, ମୋଗଲ, ମରହଟ୍ଟା ଓ ଇଂରେଜ ସ୍ୱାଧୀନତାରେ ଓଡ଼ିଶା ଭାଷାଭାଷୀ ଅଂଚଳ ଖଣ୍ଡ ବିଖଣ୍ଡିତ ହୋଇ ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ର ରାଜ୍ୟରେ ରହିଗଲା । ଓଡ଼ିଶା ଭାଷାକୁ ଲୋପ କରିବା ପାଇଁ ବହୁ ଚକ୍ରାନ୍ତ ହୋଇଛି । ବଙ୍ଗଳା ଭାଷାକୁ ବାଲେଶ୍ୱର ଜିଲାର ଶିକ୍ଷା ବ୍ୟବସ୍ଥା ଉପରେ ଲଦି ଦେବାକୁ ବସିଲେ ଫକୀର ମୋହନ ସେନାପତିଙ୍କ ପ୍ରଚେଷ୍ଟାରେ ଭାଷା ଉପରେ ଅନୁଧ୍ୟାନ କରି ଇଂରେଜ ପ୍ରଶାସକ ସାର ଜନ ବିମ୍ସ ସରକାରଙ୍କୁ ରିପୋର୍ଟ ଦେଲେ - Looked at from the purity linguistic side, there is no doubt that oriya has ememplary proof of its indivisuality. At the period when oriya was already a settled and fixed language Bengali did not exist at all.

 

ଡ. ମାୟାଧର ମାନସିଂହ ତାଙ୍କ ‘ଓଡ଼ିଆ ସାହିତ୍ୟର ଇତିହାସ’ରେ ଲେଖିଛନ୍ତି - ଅନ୍ୟ କୌଣସି ଭାରତୀୟ ଭାଷାକୁ କେବଳ ନିଜର ସ୍ଥିତି ପାଇଁ ଏପରି କଠିନ ସଂଗ୍ରାମ କରିବାକୁ ପଡ଼ିନାହିଁ । ଯେପରି ଘଟିଛି ବିଚାରି ଓଡ଼ିଆ ଭାଷାର ଭାଗ୍ୟରେ ।

 

ତେଣୁ ଭାଷାକୁ ବଂଚାଇ ରଖିବାକୁ ହେଲେ, ଭାଷା ପ୍ରତି ହୀନମନ୍ୟତା ଭାବ ଛାଡ଼ିବାକୁ ପଡ଼ିବ । ଭାଷାକୁ ଭଲ ପାଇବାକୁ ପଡ଼ିବ । ଆମ ଓଡ଼ିଆମାନଙ୍କର ସ୍ୱାଭିମାନ ଓ ଅସ୍ମିତା ନ ରହିଲେ ସବୁ ନିଷ୍ଫଳ । ଏ ପ୍ରସଙ୍ଗରେ ମନେପଡ଼େ ମଧୁବାବୁଙ୍କର ‘ଉକ୍ରଳ ସନ୍ତାନ’ର ସେହି ଉକ୍ତି- ତୁ ପରା ବୋଲାଉ ଉକ୍ରଳ ସନ୍ତାନ/ ତେବେ କିମ୍ପା ତୁହି ଭୀରୁ/ ତୋହର ଜନନୀ ରୋଦନ କରିଲେ/ କହିବାକୁ କିମ୍ପା ଡରୁ ।

 

ବିଶ୍ୱାତ୍ମା, ଏମ୍-୨୩
ବିଡିଏ କଲୋନୀ, ଖୋର୍ଦ୍ଧା
ମୋ- ୯୨୩୭୦୮୯୫୦୯


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top