ସୁନା ସ୍ମଗଲିଂ ପାଇଁ ସବସିଡି!

News Story - Posted on 2018-03-29

ଚୋରା ସୁନା ଚାଲାଣକାରୀଙ୍କ ଚରାଭୁଇଁ ପାଲଟିଛି ଭୁବନେଶ୍ୱର । ଗତ ୫ ମାସ ଭିତରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଗୁଇନ୍ଦା ଓ ଭାରତୀୟ ସୀମାଶୁଳ୍କ ଭୁବନେଶ୍ୱର ଶାଖା ପକ୍ଷରୁ ଚଢ଼ଉ କରାଯାଇ ପ୍ରାୟ ୬ କେଜିର ସୁନା ଜବତ କରିସାରିଲେଣି । ଯାହାର ମୂଲ୍ୟ ୫ କୋଟିରୁ ଟଙ୍କାରୁ ଅଧିକ ହେବ । ଜଣାପଡ଼ୁଛି ଯେମିତି ଖାସ୍ ସୁନା ସ୍ମଗଲିଂ ପାଇଁ ହିଁ ସରକାର ସବସିଡି ଦେଇ ମାଲେସିଆ ଓ ବ୍ୟାଙ୍କକକୁ ବିମାନ ଚଳାଚଳ ସୁବିଧା କରିଛନ୍ତି!

 

ବୁଧବାର ସନ୍ଧ୍ୟାରେ ଏୟାର ଏସିଆ (ଏଫଡି-୩୧୫ ଓ ଏକେ-୩୧) ବିମାନ ଯୋଗେ ମହାରାଷ୍ଟ୍ର ଥାନେ ଅଞ୍ଚଳର ଦୁଇଜଣ ଯାତ୍ରୀ ବ୍ୟାଙ୍କକରୁ ଭୁବନେଶ୍ୱର ଆସିଥିଲେ । ବିମାନ ବନ୍ଦରରେ ସନ୍ଦେହରେ ସେମାନଙ୍କୁ ଯାଂଚ କରାଯାଇଥିଲା । ଯାଂଚ ବେଳେ ସେମାନଙ୍କ ଠାରୁ ୧୪୩ ଗ୍ରାମ ଓଜନର ୩ ଖଣ୍ଡ ସୁନା ଖାଡ଼ି ଜବତ ହୋଇଥିଲା । ସେହିପରି କିଛି ସୁନା ରିଙ୍ଗ ମଧ୍ୟ ଜବତ ହୋଇଥିଲା । ଯାହାର ମୂଲ୍ୟ ପାଖାପାଖି ୧୨ ଲକ୍ଷ ୧ ହାଜର ୩୨୩ ଟଙ୍କା ହେବ । ସୀମାଶୁଳ୍କ ଅଧିକାରୀ ଓ ରାଜସ୍ୱ ଗୁଇନ୍ଦା ବିଭାଗ ସଂପୃକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି । ଏମାନେ ଚୋରା ଚାଲଣକାରୀ ବୋଲି ସନ୍ଦେହ କରାଯାଉଛି । ସୀମାଶୁଳ୍କ ଅଧିକାରୀଙ୍କ ହେପାଜତରେ ଥିବା ଯାତ୍ରୀମାନେ ନୂଆଦିଲ୍ଲୀ, କୋଲକାତା ଓ କଟକର ବୋଲି ଜଣାପଡିଛି ।

 

ଏହି ଘଟଣାର ଦିନକ ପରେ ପୁଣି ଦୁଇଜଣ ଯାତ୍ରୀ ବ୍ୟାଙ୍କକରୁ କୁଆଲାଲମ୍ପୁର ଦେଇ ଚୋରା ସୁନା ଆଣି ଭୁବନେଶ୍ୱର ବିମାନ ବନ୍ଦରରେ ଧରାପଡ଼ିଛନ୍ତି । ସେମାନେ ଏୟାରଏସିଆ ବିମାନ-ଏକେ-୩୧ରେ ଗତକାଲି ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ । ବିମାନବନ୍ଦରରେ ଦୁଇ ଯାତ୍ରୀଙ୍କୁ କଷ୍ଟମ୍ସ ବିଭାଗ ଯାଂଚ କରିବାବେଳେ ସେମାନଙ୍କ ମଳଦ୍ୱାରରୁ ୧୫ଟି ଚୋରା ସୁନା ବିସ୍କୁଟ ମିଳିଥିଲା । ତାହା ସହ ୪ଟି ବ୍ଲାକ୍‍ ମେଟାଲ ଜବତ କରାଯାଇଥିଲା । ସୁନାର ଓଜନ ୧୧୪୩.୩୮ ଗ୍ରାମ ରହିଛି । ଯାହାର ମୂଲ୍ୟ ୩୪ ଲକ୍ଷ ୯୦ ହଜାର ୮୧୬ ଟଙ୍କା । ଦୁଇ ଯାତ୍ରୀଙ୍କୁ କଷ୍ଟମ୍ସ ବିଭାଗ ଅଟକ ରଖି ପଚରାଉଚରା ଚଳାଇଛି ।

 

ଗତ ୫ ମାସ ଭିତରେ ୬ ଥର ସୁନା ଚୋରା ଚାଲାଣକାରୀଙ୍କୁ ବିମାନବନ୍ଦରରୁ ଧରାହୋଇଛି । ସେମାନଙ୍କଠାରୁ ବିଭାଗ ୬ କେଜି ସୁନା ଜବତ କରିସାରିଛି । ଯାହାର ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ । ଗତ ନଭେମ୍ବର ୧୩ ତାରିଖରେ ମାଲେସିଆରୁ ତାମିଲନାଡୁକୁ ଚୋରା ଚାଲାଣ ହେଉଥିବା ୬୬୧.୫୩ ଗ୍ରାମର ୩୪ଟି ସୁନା ଖଣ୍ଡକୁ ଭୁବନେଶ୍ୱର ବିଭାନବନ୍ଦରରୁ ଜବତ କରାଯାଇଥିଲା । ତାମିଲନାଡୁର ମହମ୍ମଦ କବିର ନାମକ ଜଣେ ବ୍ୟକ୍ତି ସ୍କୃ ଡ୍ରାଇଭରରେ ଏହି ସୁନା ଆଣିଥିବାବେଳେ ଧରାପଡ଼ିଥିଲା । ଜବତ ସୁନାର ମୂଲ୍ୟ ରହିଥିଲା ୧୯ ଲକ୍ଷ ୪୬ ହଜାର ୪୯୫ ଟଙ୍କା । ଚେକିଂ ସମୟରେ କବିରଙ୍କ ମଳକୋଷରୁ ଏକ ସୁନା ଖଣ୍ଡ ଥିବା ଜଣାପଡ଼ିବା ପରେ ତାଙ୍କ ଠାରୁ ଚୋରା ସୁନା ଜବତ ହୋଇଥିଲା । ସେ ୩୩ ଟି ସ୍କୃ ଡ୍ରାଇଭରରେ ସୁନା ଆଣିଥିଲା ।

 

ମାର୍ଚ୍ଚ ୫ ତାରିଖରେ ବ୍ୟାଙ୍କକରୁ ଭାୟା କ୍ୱାଲାଲମ୍ପୁର ଦେଇ ଚୋରା ଚାଲାଣ ହେଉଥିବା ୬୦୭. ୧୬୦ ଗ୍ରାମର ୪ଟି ସୁନା ଖଣ୍ଡକୁ ଜବତ କରାଯାଇଥିଲା । ମହାରାଷ୍ଟ୍ରର ଥାନେ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ମଳଦ୍ୱାରରେ ବ୍ଲାକ୍‍ ଟେପ୍‍ ମାରି ଏହି ସୁନା ଖଣ୍ଡକୁ ରଖିଥିଲେ । ଏହାର ମୂଲ୍ୟ ୧୯ ଲକ୍ଷ ୧୨ ହଜାର ୫୫୩ ଟଙ୍କା । ଏହାପରେ ମାର୍ଚ୍ଚ ୧୦ ତାରିଖ ବ୍ୟାଙ୍କକରୁ ଭୁବନେଶ୍ୱର ଆସିଥିବା ଚାରିଜଣ ଯାତ୍ରୀଙ୍କ ଠାରୁ ସୁନା ଓ ବିଦେଶୀ ମୁଦ୍ରା ଜବତ ହୋଇଥିଲା । ଏହାର ବଜାର ମୂଲ୍ୟ ୨୨ ଲକ୍ଷ ୨୩ ହଜାର ୩୫ ଟଙ୍କା । ଚାରିଜଣ ଯାତ୍ରୀ ସୁନା ଚେନ୍‍, ଲିପ୍‍ ଷ୍ଟିକ୍‍ ଖୋଳ ଭିତରେ ସୁନା ଷ୍ଟିକ୍‍ , ବଡ଼ ବଡ଼ ସୁନା ମୁଦି (ଉପରେ ରୁପା ଛାଣ ଦେଇ) ମାଧ୍ୟମରେ ସୁନା ଚୋରା ଚାଲାଣ କରୁଥିଲେ ।

 

ଏଭଳି ବାରମ୍ବାର ବିଦେଶରୁ ଭୁବନେଶ୍ୱର କୋଟି କୋଟି ଟଙ୍କାର ଚୋରା ସୁନା ଚାଲାଣ ହେଉଥିବାବେଳେ ଏହି ସୁନା କାହା ପାଖକୁ ଆସୁଛି ଆକୁ କିଏ ଆଣୁଛି ତାହାକୁ ନେଇ ତଦନ୍ତ ଚଳାଇଛି କଷ୍ଟମ୍ସ ଓ ଗୁଇନ୍ଦା ବିଭାଗ । ବିଶେଷ ସୂତ୍ରରୁ ଜଣାପଡ଼ିଛି ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ସୁନା ବ୍ୟାବସାୟୀ ଏହି ଚୋରା ସୁନା ମଗାଉଛନ୍ତି । ଏଥିରେ ବିମାନ ବନ୍ଦରର କେତେକ କର୍ମଚାରୀ ସହଯୋଗ କରୁଥିବା ସନ୍ଦେହ କରାଯାଉଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top