ବିକାଶର ପ୍ରତିଶ୍ରୁତି ଫମ୍ପା କି?
News Story - Posted on 2018-03-28
ସୂର୍ଯ୍ୟମଣି ମିଶ୍ର
କେନ୍ଦ୍ର ଶାସନ କ୍ଷମତାରେ ଥିବା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଦେଶର ଜନଗଣଙ୍କ ପାଇଁ ବିକାଶ ଓ ପରିବର୍ତ୍ତନର ନାରା ତଥା ନିର୍ବାଚନୀ ଇସ୍ତାହାର ମାଧ୍ୟମରେ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା । ଏହା ମଧ୍ୟରେ ୪ ବର୍ଷ କାର୍ଯ୍ୟକାଳ ପୂରଣ ହୋଇଛି । କିନ୍ତୁ ସରକାରଙ୍କ କାର୍ଯ୍ୟଧାରା ସୂଚାଇ ଦେଇଛି ବିଫଳତାକୁ । ସ୍ୱାସ୍ଥ୍ୟ, ଶିକ୍ଷା ବଜେଟ୍ ହ୍ରାସ କରିବା ଜଣାଇ ଦେଇଛି ସରକାରଙ୍କର ଲୋକଙ୍କ ପ୍ରତି ଉତ୍ତରଦାୟିତ୍ୱ କେତେ?
୨୦୧୪ ନିର୍ବାଚନ ପୂର୍ବରୁ ବିଜେପିର ପ୍ରତିଶ୍ରୁତି ଥିଲା ବିକାଶ ଓ ପରିବର୍ତ୍ତନ । କିନ୍ତୁ ଏହି ବିକାଶ ଧାରା କେବଳ ପ୍ରଚାରରେ ସୀମିତ ରହିଛି ସିନା କିନ୍ତୁ ବାସ୍ତବରେ ରୂପାୟିତ ହୋଇପାରିନି । ଦେଶରେ ୧୦୦ ନୂଆ ସ୍ମାର୍ଟ ସହର ନିର୍ମାଣ, ଦେଶର ସବୁଠୁ ପଛରେ ପଡ଼ିଥିବା ୧୦୦ ଜିଲ୍ଲାର ବିକାଶ, ଜାତୀୟ ୱାଇଫାଇ ନେଟୱାର୍କ ନିର୍ମାଣ, ବୁଲେଟ୍ ଟ୍ରେନର ହୀରକ ଚତୁର୍ଭୂଜ ଯୋଜନା, କୃଷି ଉତ୍ପାଦନ ବୃଦ୍ଧି ଓ ବଜାର ବ୍ୟବସ୍ଥା ପୃଥକ ରେଳ ନେଟୱାକ୍ର୍, ପ୍ରତି ପରିବାରକୁ ପାଇପ୍ ପାଣି, କଳାବଜାରୀ ବନ୍ଦ, ବଳାକ୍ରାର ପୀଡ଼ିତା ଏବଂ ଏସିଡ୍ ଆକ୍ରମଣରେ ପୀଡ଼ିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ପାଣ୍ଠି, ବରିଷ୍ଠ ନାଗରିକଙ୍କୁ ଆର୍ଥିକ ସହାୟତା, କୃଷକଙ୍କ ଉତ୍ପ।।ଦନ ସାମଗ୍ରୀ ଉପରେ ଅତି କମରେ ୫୦ ପ୍ରତିଶତ ଲାଭ ଦେବାର ବ୍ୟବସ୍ଥା, ୫୦ ଟୁରିଷ୍ଟ ସର୍କିଟ୍ ନିର୍ମାଣ, ନ୍ୟାୟାଳୟ ସଂଖ୍ୟା ୨ ଗୁଣ ବୃଦ୍ଧି, ନ୍ୟାୟପାଳିକାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି, ଜଜଙ୍କ ସଂଖ୍ୟା ଦୁଇଗୁଣ କରିବା, ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ତିନି ଭାଗରେ ବଣ୍ଟନ ଯୋଜନା, ମହିଳା ଆଇଟିଆଇ ପ୍ରତିଷ୍ଠା, ମହିଳାଙ୍କ ଦ୍ୱାରା ପରିଚାଳିତ ବ୍ୟାଙ୍କ ପ୍ରତିଷ୍ଠା ସଂଖ୍ୟା ବୃଦ୍ଧି, ପ୍ରତି ରାଜ୍ୟରେ ଏମ୍ସ ଭଳି ସ୍ୱାସ୍ଥ୍ୟ ସଂସ୍ଥା ପ୍ରତିଷ୍ଠା, ବ୍ୟାଙ୍କର ମନ୍ଦ ଋଣ (ଏନପିଏ)କୁ ହ୍ରାସ କରିବା, ନଦୀକୁ ସ୍ୱଚ୍ଛ କରିବା, ସି ବିଚ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ବସାଇବା ଭଳି ପ୍ରତିଶ୍ରୁତି ଏଯାଏ ଆଗକୁ ବଢ଼ିପାରିଲା ନାହିଁ ।
ଦେଶର ସବୁଠୁ ବଡ଼ ସଂଗୋଷ୍ଠୀ କୃଷକଙ୍କ ବିକାଶ ପାଇଁ କୌଣସି ରୋଡ୍ ମ୍ୟାପ୍ ତିଆରି ହେଲାନାହିଁ । କେବଳ ପ୍ରଚାରରେ ବିକାଶ ଆଗକୁ ବଢ଼ିଛି ସିନା, ବାସ୍ତବରେ ବିକାଶର ଗତି ଆଗକୁ ବଢ଼ିପାରିନି । ସଂଗଠିତ କ୍ଷେତ୍ରରେ ମାତ୍ର ୨ କୋଟି ୮୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିପାରିଛି । ୪୫ କୋଟିରୁ ଅଧିକ ଲୋକ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ହେଁ, ସେମାନଙ୍କ ଭବିଷ୍ୟତ ନେଇ ସରକାର ନିରବ । ୪୫ କୋଟି ଅସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୩୧ କୋଟି ଶ୍ରମିକ କ୍ଷେତ ମଜୁରିଆ । ଏମାନଙ୍କ ପାଇଁ ନିଯୁକ୍ତିର ଗ୍ୟାରେଣ୍ଟି ନାହିଁ । ମନରେଗାରେ ୧୦୦ ଦିନ ପାଇଁ ନିଯୁକ୍ତି ଦେବାର ଆଇନଗତ ବ୍ୟବସ୍ଥା ଥିଲେ ହେଁ ୨୫ କୋଟି ୧୬ ଲକ୍ଷ ମନରେଗା ଶ୍ରମିକଙ୍କ ମଧ୍ୟରୁ ମାତ୍ର ୩୯,୯୧,୧୬୯ ଲୋକଙ୍କୁ ୧୦୦ ଦିନ କାମ ମିଳିଛି । ଅବଶିଷ୍ଟ ଲୋକଙ୍କୁ ମିଳିଛି ୪୦ ଦିନ କାମ । ପ୍ରଶ୍ନ ହେଉଛି ୪୦ ଦିନ କାମ କରି ୩୬୫ ଦିନ ନିଜ ପରିବାରକୁ ଏହି ଶ୍ରମିକ କିପରି ଚଳାଇବେ? ଦିନକୁ ମାତ୍ର ୧୬୮ ଟଙ୍କା ମିଳିଛି । ୨୦୧୬-୧୭ ବର୍ଷରେ ୭ ହଜାର ଭାରତୀୟ ଧନୀ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି । ୨୦୧୫-୧୬ରେ ଏହି ଧନୀଙ୍କ ବିଦେଶ ପଳାୟନ ସଂଖ୍ୟା ଥିଲା ୬ ହଜାର । ଗତ ୫ ବର୍ଷରେ ଦେଶ ଛାଡ଼ି ବିଦେଶ ଯାଇଥିବା ଭାରତୀୟଙ୍କ ମଧ୍ୟରୁ ୬୦ ପ୍ରତିଶତ ଆଉ ଭାରତକୁ ଫେରିନାହାନ୍ତି । ଦେଶରେ ୨୬ କୋଟି ୧୧ ଲକ୍ଷ କୃଷକ ଶ୍ରମିକ ପରିବାର ଅତି ଦୟନୀୟ ଭାବେ ଜୀବନ ବିତାଉଛନ୍ତି ।
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୧ ଫେବୃୟାରୀ ୨୦୧୮ ମଧ୍ୟରେ ୨୯,୭୩,୩୩୫ ଜଣଙ୍କୁ ଯୋଡ଼ାଯାଇଛି । କିନ୍ତୁ ଏହି ଯୋଜନାରେ ରୋଜଗାର ପାଇଛନ୍ତି ମାତ୍ର ୫,୩୯,୯୪୩ ଜଣ । ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଉପରେ ଆଖି ପକାଇଲେ ସରକାର ସରକାରୀ ସ୍ୱାସ୍ଥ୍ୟ ସେବାକୁ କିପରି ଘରୋଇ ହାତରେ ଟେକିଦେଉଛନ୍ତି, ତାହାର ସୂଚନା ମିଳେ । ଦେଶରେ ଏବେ ଘରୋଇ ହସ୍ପିଟାଲ୍ ସଂଖ୍ୟା ୮୦,୬୭୧ରେ ପହଂଚିଲାଣି । ସରକାର ପ୍ରତି ମାସ ପ୍ରତି ବ୍ୟକ୍ତିଙ୍କ ପାଇଁ ମାତ୍ର ୯୨ ଟଙ୍କା ୩୩ ପଇସା ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ କରୁଛନ୍ତି । ଦେଶରେ ସ୍ୱାସ୍ଥ୍ୟ ବଜେଟ୍ ପରିମାଣ ୫୨ ହଜାର କୋଟି ଟଙ୍କା ଥିବାବେଳେ ଘରୋଇ ହେଲ୍ଥ କେୟାର୍ ବଜେଟ୍ ପରିମାଣ ହାରାହାରି ୭ ଲକ୍ଷ କୋଟି ଟଙ୍କା । ୨୦୦୪ର ସାଇନିଂ ଇଣ୍ଡିଆରୁ ଆଜି ଦିନରେ ‘ଅଚ୍ଛେ ଦିନ୍’ର ନାରା କେବଳ ପ୍ରଚାରରେ ସୀମିତ ରହିଛି । ସବୁଠି ଶୋଷଣର ଜାଲ ବିଛାଯାଇଛି ଯେପରି! ସାଧାରଣ ନାଗରିକ ତା’ର ପିଲା ପାଇଁ ସରକାରୀ ବିଦ୍ୟାଳୟରେ ଉତ୍ତମ ଭିତ୍ତିଭୂମି ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନର ଚିତ୍ର ଦେଖିପାରୁନାହିଁ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସ୍ୱାସ୍ଥ୍ୟ ଭଳି ମୌଳିକ ଅଧିକାର ପାଇବାରୁ ବଂଚିତ ହେଉଛି । ସ୍ୱଚ୍ଛ ପିଇବା ପାଣି ହେଉ ବା ଖାଦ୍ୟର ଗ୍ୟାରେଣ୍ଟି ତା’ ପାଇଁ ସୁନିଶ୍ଚିତ ହୋଇପାରିଲା ନାହିଁ ।
ସରକାର ଯେଉଁ ପରିବର୍ତ୍ତନ ଓ ବିକାଶର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ, ତାହାକୁ ବାସ୍ତବରେ ରୂପାୟନ କରିବାରେ ବିଫଳ ହୋଇଛନ୍ତି ବୋଲି କହିଲେ ଭୁଲ୍ ହେବ ନାହିଁ । ଆଉ ମାତ୍ର ଗୋଟିଏ ବର୍ଷ ପରେ ସାଧାରଣ ନିର୍ବାଚନକୁ ସାମ୍ନା କରିବେ ବିଜେପି ନେତୃତ୍ୱାଧୀନ ସରକାର । ସାଧାରଣ ନାଗରିକଙ୍କୁ ବିକାଶର କି ସ୍ୱାଦ ଚଖାଇଛନ୍ତି, ତାହାର ଉତ୍ତର ଦେବାକୁ ପଡ଼ିବ ଶାସକ ଦଳକୁ । କାରଣ ଆଜି ବି ଦେଶର ସାଧାରଣ ନାଗରିକ ଭୟ, ଭୋକ, ଭ୍ରଷ୍ଟାଚାର ବଳୟରେ ରହି ସାମ୍ବିଧାନିକ ମୌଳିକ ଅଧିକାର ପାଇବା ପାଇଁ ଦାବି ଜଣାଉଛନ୍ତି । ସମ୍ମାନର ସହ ବଂଚିବାର ସର୍ବନିମ୍ନ ସୁବିଧାରୁ ବଞ୍ôଚତ ୭୦ ଭାଗରୁ ଅଧିକ ଲୋକଙ୍କ ପ୍ରଶ୍ନ ହେଉଛି, କାହିଁକି ମିଳୁନି ଆମକୁ ଆମର ମାନବିକ ଅଧିକାର? କାହିଁକି ଚାଲିଛି ଅବିଚାରିତ ଶୋଷଣ ଓ ଅତ୍ୟାଚାର? ସରକାର ଏ ସଂପର୍କରେ ନିଜ ପ୍ରତିଶ୍ରୁତି ପାଳନର ବିଫଳତା ସଂପର୍କରେ ସମୀକ୍ଷା କରିବା ଉଚିତ ।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ସଂପର୍କରେ ଆଲୋଚନା କରିବା ଉଚିତ ହେବ । ଉକ୍ରର୍ଷ କଳାର ଦେଶ ବୋଲି ତ ଦିନେ ଆମ ଓଡ଼ିଶା ଉକ୍ରଳ ବୋଲି ବିଶ୍ୱବିଦିତ ହୋଇଥିଲା । ଏ ମାଟିର ଭୂମିପୁତ୍ରମାନେ ସାତ ଦରିଆ ପାରି ହୋଇ ନୌବାଣିଜ୍ୟ ମାଧ୍ୟମରେ ଓଡ଼ିଶାକୁ ସମୃଦ୍ଧ କରିଥିଲେ । ଓଡ଼ିଆ ରାଜା ଇନ୍ଦ୍ରଦ୍ୟୁମ୍ନ ଦିନେ ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ- ‘ମୋ ବଂଶରେ କେହି ନରହନ୍ତୁ । କାରଣ ମୋ ସନ୍ତାନ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ମାଲିକାନା ବୋଲି ଦାବି କରିବେ । ବାରବର୍ଷର ‘ଧର୍ମପଦ’ ୧୨ ଶହ କାରିଗରଙ୍କ ଜୀବନରକ୍ଷା ପାଇଁ ଆତ୍ମବଳି ଦେବା, ବାଳକ ବାଜି ରାଉତର ଦେଶଭକ୍ତି ଏବଂ ଆତ୍ମବଳିଦାନ, ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ-ଜଗତଉଦ୍ଧାର ହେଉ’ ଭଳି ତ୍ୟାଗ, ତପସ୍ୟା-ବଳିଦାନର ଉଦ୍ଧାର ସ୍ୱର ତୋଳିଥିବା କବି ଭୀମ ଭୋଇଙ୍କଠାରୁ ଉକ୍ରଳମଣି ଗୋପବନ୍ଧୁ, କୁଳବୃଦ୍ଧ ମଧୁସୂଦନ, ସାମ୍ରାଜ୍ୟବାଦୀ ଇଂରେଜ ବିରୋଧରେ ସଶସ୍ତ୍ର ସଂଘର୍ଷ କରି ଓଡ଼ିଆ ବୀରତ୍ୱ-ସାହସିକତା ଏବଂ ସ୍ୱାଭିମାନକୁ ପ୍ରମାଣିତ କରିଥିବା ବକ୍ସିଜଗବନ୍ଧୁ, ଚକରା ବିଷୋଇ, ଜୟୀ ରାଜଗୁରୁ, ଧରଣୀଧର ଭୂୟାଁଙ୍କ ଭଳି ଶତ ବିପ୍ଳବୀ-ଶତ ସହିଦର ମାଟି ହେଉଛି ମୋ ଓଡ଼ିଶା, ଆମ ଓଡ଼ିଶା ।
ସେଦିନ ସମୃଦ୍ଧ-ଶସ୍ୟଶ୍ୟାମଳା ଓଡ଼ିଶା ଆଜି ଟାଙ୍ଗରା ଭୂଇଁରେ ପରିଣତ । ୨୦ ଲକ୍ଷ ଓଡ଼ିଆ ପେଟ ପାଇଁ ଦାଦନମୁହାଁ । ଶତ ସହସ୍ର ଓଡ଼ିଆ ଆଜି ଅଣଓଡ଼ିଶା କମ୍ପାନୀ ମାଲିକ ପାଖରେ ଦାସ-କ୍ରୀତଦାସ ଭଳି ଜୀବନ ବିତାଉଛନ୍ତି । ଭୟ ଓ ଭୋକରେ ଦିନ ବିତାଉଛି ସାଧାରଣ ଓଡ଼ିଆ । ସ୍ୱାର୍ଥ ଏବଂ ଶୋଷଣସର୍ବସ କମ୍ପାନୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସାଧାରଣ ଓଡ଼ିଆଙ୍କୁ ତା’ ଭିଟାମାଟିରୁ ବେଘର କରାଯାଉଛି । ତା’ ଚାଷଜମିରେ କମ୍ପାନୀ ପାଉଁଶର ପୋଖରୀ । ନିଜ ଅଧିକାର ପାଇଁ ପ୍ରତିବାଦ କଲେ ସଶସ୍ତ୍ର ମାଓବାଦୀର ମୋହର ଲଗାଇ ତାଙ୍କୁ ବନ୍ଦୀ କରାଉଛି । ଯାହାଙ୍କୁ ସେ ରାଜନେତା ଭାବି କ୍ଷମତା ଦେଇ ଉଚ୍ଚ ଆସନରେ ବସାଇଲା, ସେ ଆଜି ଦିନରେ ତାହାର ନୁହେଁ କମ୍ପାନୀର । ଏଭଳି ଭାବନା ତା ମନରେ ଦୃଢ଼ ହେବାରେ ଲାଗିଛି । ସାଧାରଣ ଓଡ଼ିଆ ଆଜି ଅତୀତର ଗାଥାକୁ ମନେପକାଇ ନିଜକୁ ନିଜେ ରାଜନେତା, ପ୍ରଶାସକ ଏବଂ ସାମ୍ବାଦିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କିପରି ଦେବାଳିଆ ହୋଇଯାଉଛନ୍ତି, ସେନେଇ ଚିନ୍ତାର ବିଷୟ ହୋଇଛି ଏହି ସାଧାରଣ ନାଗରିକଙ୍କର । ବନାଂଚଳବାସୀଙ୍କର ଦୁଃଖଦ ସ୍ୱର । ଯେଉଁ କମ୍ପାନୀ ଲୁଟୁଛି-ଠକୁଛି, ଓଡ଼ିଆକୁ ଶୋଷୁଛି ତାଙ୍କୁ ରାଜନେତା ଆଳୟରେ ସୁସ୍ୱାଗତ କରାଯାଉଛି, ଏହାର କାରଣ କ’ଣ? ଏହି ଅଭିଯୋଗର ସତ୍ୟତା ଉପରେ ସରକାର ଅନୁଧ୍ୟାନ କରୁନାହାନ୍ତି କି ନିରାକରଣ କରୁନାହାନ୍ତି ।
ଫଳତଃ ସାଧାରଣ ଓଡ଼ିଆ କ୍ଷୋଭର ସହ କହୁଛି- ସବୁ ରାଜନେତା ପ୍ରଶାସକ ଏବଂ ସାମ୍ବାଦିକ ମାଆ, ମାଟି, ମାତୃଭାଷାର ବିରୋଧୀ ନୁହଁନ୍ତି ତେବେ ଅଳ୍ପ କେତେକ ସ୍ୱାର୍ଥନେଷୀ- ଭୋଗବାଦୀଙ୍କ ପାଇଁ ବହୁ ଓଡ଼ିଆ ଆଜି ଅତ୍ୟାଚାରିତ ଏବଂ ଶୋଷିତ । ଖଟିଖିଆଙ୍କ ପେଟ ପାଟଣାକୁ ଅଳ୍ପ କେତେଜଣ ଲୁଟିଖିଆ ବିପନ୍ନ କରୁଛନ୍ତି । ଅଥଚ ଶାସନର ଶୀର୍ଷରେ ଥିବା ନେତା, ପ୍ରଶାସକ ଏ ସଂପର୍କରେ ଶୁଣି ନଶୁଣିବାର କଥା କହୁଛନ୍ତି । ଓଡ଼ିଆ ଜାତୀୟତା କଥା ଏହି ନେତାଙ୍କ ପାଇଁ ଯେପରି ଇତିହାସର ବିଷୟ ହୋଇଛି । ଏହା ସତ୍ୟ ଯେ ଆନନ୍ଦରୁ ବିଷାଦ ଏହା ସର୍ବଦା ପରିକ୍ଷୀତ, ଯେକେହି ମାତୃଭୂମି-ମାତୃଭାଷା ପ୍ରତି ଅନାଦର କରି ତା’ ମାଟିର ଭାଇଚାରାକୁ ଭାଙ୍ଗି ଆପଣା ସୁଖରେ ନିଜକୁ ମସଗୁଲ୍ କରିଛି, ତାକୁ ଏ ଓଡ଼ିଆଜାତି କ୍ଷମା ଦେଇନାହାଁନ୍ତି । ଆଜି ଯିଏ କ୍ଷମତାର ଚାବୁକ୍ ଧରି ଅନେକଙ୍କ ବ୍ୟକ୍ତି ସ୍ୱାଧୀନତା, ସ୍ୱାତନ୍ତ୍ର୍ୟକୁ ବଳି ପକାଉଛନ୍ତି, ଅଗଣିତ ଜନତାଙ୍କୁ ପରିବେଶର ପ୍ରଦୂଷଣ ବିଷବଳୟକୁ ଠେଲି ଦେଇ ଚାଲିଛନ୍ତି, ବିକାଶର ଗୁଡି ଉଡାଇ ଯୋଜନାର ବିସ୍ତାରିତ ସୁଖପ୍ରାପ୍ତିର ପ୍ରଲୋଭନ ବାଣ୍ଟି ଜନମତକୁ ଭାଙ୍ଗି ଚାଲିଛନ୍ତି, ସେହିମାନଙ୍କର ସୁଖ-କ୍ଷମତା ଦିନ ସବୁଦିନ ପାଇଁ ନୁହେଁ । ଗଣତନ୍ତ୍ରରେ ପରିବର୍ତ୍ତନ ସତ୍ୟ ଓ ସଦା ସ୍ୱୀକୃତ । ଏ ସଂପର୍କରେ କ୍ଷମତାଲୋଭୀ ରାଜନେତା ଓ ଭୋଗସର୍ବସ୍ୱ ପ୍ରଶାସକ ଚିନ୍ତା କରିବା ସହ ଦେଶ ଓ ରାଜ୍ୟର ବିକାଶ ପ୍ରକ୍ରିୟାର ସମବଣ୍ଟନକୁ ସୁନିଶ୍ଚିତ କରିବା ସହ ଜନସପକ୍ଷବାଦୀ ନୀତି ଓ କାର୍ଯ୍ୟକ୍ରମର ପ୍ରଣୟନ ଓ ରୂପାୟନ ଦିଗରେ ସମୀକ୍ଷା କରିବା ହେବ ଗୁରୁତ୍ୱପୂର୍ଣ୍ଣ ।
ସାମ୍ବାଦିକ, ଭୁବନେଶ୍ୱର
ମୋ- ୯୪୩୮୦୦୬୨୧୫