ଜଳକର ବାକି ୩ ହଜାର କୋଟି

News Story - Posted on 2018-03-27

ବଡ଼ ବଡ଼ ଶିଳ୍ପସଂସ୍ଥା, ଖଣି ଖାଦାନ ଆଦି ଉପରେ ରାଜ୍ୟ ସରକାରଙ୍କର ପ୍ରାୟ ୩ହଜାର ୭୫ କୋଟି ଟଙ୍କା ବାକି ପଡ଼ିଛି । ଏହା ପୈଠ କରିବା ପରିବର୍ତ୍ତେ ଅନେକ ସଂସ୍ଥା ଅଦାଲତରୁ ରହିତାଦେଶ ଆଣିବା ଫଳରେ ରାଜ୍ୟ ରାଜକୋଷକୁ ଅଢ଼େଇ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ଅର୍ଥ ଆସିପାରୁନାହିଁ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ହିସାବରୁ ଏହା ଜଣାପଡ଼ିଛି ।

 

ଯେଉଁ ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କୁ ଜଳକର ନ ଦେବା ଲାଗି ଆଇନ୍ ଅଦାଲତରେ ମାମଲା ରୁଜୁ କରିଛନ୍ତି ସେଗୁଡ଼ିକ ମଧ୍ୟରେ ରହିଛି ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ୍, ନାଲ୍କୋ, ବଲାରପୁର ଇଣ୍ଡଷ୍ଟ୍ରୀଜ୍, ଆରତି ଷ୍ଟିଲ୍, ପାରାଦୀପ ଫସ୍ଫେଟ୍ସ, ଦକ୍ଷିଣ-ପୂର୍ବ ରେଳପଥ, ଟାଟା, ଓରିଏଣ୍ଟ କାଗଜ କଳ, ବେଦାନ୍ତ ଆଲୁମିନା, ଓଡ଼ିଶା ପାୱାର କନ୍ସୋର୍ଟିୟମ୍, ଜିନ୍ଦଲ, ରିଲାଏନ୍ସ, ମଙ୍ଗଳମ୍ ଟିମ୍ବର୍ସ, ଆସ୍କା ସମବାୟ ଚିନିକଳ, ସେବା କାଗଜକଳ ଇତ୍ୟାଦି ୨୮ଟି ସଂସ୍ଥା । ଏମାନେ ରୁଜୁ କରିଥିବା ମାମଲାଗୁଡ଼ିକ ଯୋଗୁ ୨୫୦୩୫୩ ଲକ୍ଷ ୩୬ ହଜାର ଟଙ୍କା ଆଦାୟ ହୋଇପାରୁନାହିଁ ।

 

ରାଜ୍ୟର ଆଉ ୨୬୧ଟି ସଂସ୍ଥା ଉପରେ ୫୭୧ କୋଟି ୧୦ ଲକ୍ଷ ଟଙ୍କାର ବାକିଆ ଗଡ଼ୁଛି । ଏଗୁଡ଼ିକର ଡିଭିଜନୱାରୀ ହିସାବ ମନ୍ତ୍ରୀ ପ୍ରଦାନ କରିଛନ୍ତି । ଏହି ସଂସ୍ଥାଗୁଡ଼ିକ ମଧ୍ୟରେ ଇଡକୋ, ନୀଳାଚଳ ଇସ୍ପାତ ନିଗମ, ଇମ୍ଫା, ଫାକର୍, ବାଲେଶ୍ୱର ଆଲଏଜ୍, ଓଡ଼ିଶା ଖଣି ନିଗମ, ଇଡକଲ୍, ପାରାଦୀପ ବନ୍ଦର, ମାହେଶ୍ୱରୀ ଇସ୍ପାତ, ଆଧୁନିକ ମେଟାଲିକ୍ସ, ଏମସିଏଲ୍, ବରଗଡ଼ ସମବାୟ ଚିନିକଳ, ଏସାର ଷ୍ଟିଲ୍, ବିର୍ଲା ଟାୟାର୍ସ, ପୂର୍ବତଟ ରେଳପଥ ସମେତ ବହୁ କଳ କାରଖାନା, ଖଣି, ପୌର ସଂସ୍ଥା ଓ ଜଳଯୋଗାଣକାରୀ ସଂସ୍ଥାଙ୍କ ନାମ ରହିଛି । ରାଜ୍ୟରେ ପ୍ରବାହିତ ନଦୀ ଜଳ ବ୍ୟବହାର କରି ଏମାନେ ମୋଟା ଅଙ୍କର ଟିକସ ଦେଉନାହାନ୍ତି ।

 

ମନ୍ତ୍ରୀ କହିଛନ୍ତି ଯେ ନ୍ୟାୟାଳୟରେ ବିବିଧ ମାମଲା ରୁଜୁ କରି ବକେୟା ଅର୍ଥ ଆଦାୟ ପାଇଁ ପଦକ୍ଷେପ ନିଆଯାଉଛି । ଯେଉଁ ରାଷ୍ଟ୍ରାୟାତ୍ତ ଉଦ୍ୟୋଗମାନଙ୍କ ଉପରେ ଜଳକର ବାକି ରହିଛି ସେଗୁଡ଼ିକୁ ଆଦାୟ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଗୋଟିଏ ପଟେ ରାଜ୍ୟ ସରକାର ଶିଳ୍ପ ବିକାଶ ପାଇଁ ବିଭିନ୍ନ ସଂସ୍ଥାଙ୍କୁ ବ୍ୟାପକ ସୁଯୋଗ ଦେଉଥିବା ବେଳେ ଏହାର ଉପଯୋଗ କରି ସେମାନେ ରାଜ୍ୟକୁ ରାଜସ୍ୱ ଫାଙ୍କିବା ଦୁର୍ଭାଗ୍ୟଜନକ ବୋଲି ଦଳମତ ନିର୍ବିଶେଷରେ ବହୁ ବରିଷ୍ଠ ବିଧାୟକ ମତ ଦେଇଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top