ଓଡ଼ିଶାରେ ଚାହିଦାର ୧/୩ କପଡ଼ା

News Story - Posted on 2018-03-27

ଓଡ଼ିଶାର ଚାହିଦା ମେଣ୍ଟାଇବା ପାଇଁ ବାର୍ଷିକ ପ୍ରାୟ ୧୨ ହଜାର କୋଟି ଟଙ୍କାର କପଡ଼ା ଦରକାର ହେଉଥିବା ବେଳେ ରାଜ୍ୟରେ ଉତ୍ପାଦିତ ହେଉଛି ମାତ୍ର ୪୧୦ କୋଟି ଟଙ୍କାର କପଡ଼ା । ଅନ୍ୟପକ୍ଷରେ ଓଡ଼ିଶାରେ ଥିବା ସମସ୍ତ ସୂତାକଳ ଓ ବୟନଶିଳ୍ପ ୟୁନିଟଗୁଡ଼ିକ ବର୍ଷ ବର୍ଷ ଧରି ବନ୍ଦ ହୋଇପଡ଼ିଛି । ବିଧାୟକ ଦିଲିପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।

 

ମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରାଳୟ ଅଧୀନରେ ଥିବା ଟେକ୍ସଟାଇଲ୍ କମିଟିର ସର୍ବଶେଷ ଆକଳନ ଅନୁଯାୟୀ ଓଡ଼ିଶା ପାଇଁ ବାର୍ଷିକ ହାରାହାରି ୧୦୮,୬୪ କୋଟି ବର୍ଗ ମିଟର ପରିମାଣର କପଡ଼ା ଆବଶ୍ୟକ ଯାହାର ହାରାହାରି ମୂଲ୍ୟ ୧୧,୯୯୫ କୋଟି ଟଙ୍କା । ଏଥିରୁ ଏବେ ଓଡ଼ିଶାରେ ହାରାହାରି ୩.୩୬ କୋଟି ବର୍ଗମିଟର୍ କପଡ଼ା ପ୍ରସ୍ତୁତ କରାଯାଉଛି ଯାହାର ହାରାହାରି ମୂଲ୍ୟ ୪୧୦ କୋଟି ୪୭ ଲକ୍ଷ ଟଙ୍କା । ରାଜ୍ୟ ଭିତରେ ଲୁଗା କଳରେ ବାର୍ଷିକ ହାରାହାରି ୩୨.୪ କୋଟି ଟଙ୍କା ମୂଲ୍ୟର ପ୍ରାୟ ୧.୦୮ କୋଟି ବର୍ଗମିଟର ବସ୍ତ୍ର ଉତ୍ପାଦିତ ହେଉଥିବା ବେଳେ ହସ୍ତତନ୍ତରେ ତିଆରି ହେଉଛି ୨.୨୮ କୋଟି ବର୍ଗ ମିଟର ବସ୍ତ୍ର ଯାହାର ମୂଲ୍ୟ ହାରାହାରି ୩୭୮.୦୭ କୋଟି ଟଙ୍କା ।

 

ମନ୍ତ୍ରୀ ପୁଣି ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଉତ୍ପାଦିତ ହେଉଥିବା କପଡ଼ାରୁ ଦେଶର ଅନ୍ୟ ରାଜ୍ୟରେ ବିଗତ ବର୍ଷ ୭.୦୨ କୋଟି ଟଙ୍କାର କପଡ଼ା ବିକ୍ରି ହୋଇଛି ଓ ବିଦେଶକୁ ମାତ୍ର ବର୍ଷରେ ୮୭ ଲକ୍ଷ ଟଙ୍କା ମୂଲ୍ୟର କପଡ଼ା ରପ୍ତାନି କରାଯାଇଛି । ବିଧାୟକ ଶ୍ରୀ ରାୟ ଏକ ବିବତ୍ତିରେ କହିଛନ୍ତି ଯେ ଏକଦା ହସ୍ତତନ୍ତ ପାଇଁ ଦେଶ ବିଦେଶରେ ସୁଖ୍ୟାତି ଅର୍ଜନ କରିଥିବା ଓଡ଼ିଶାର ଲୋକେ ନିଜ ·ହିଦା ମେଣ୍ଟାଇବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ଦୁର୍ଭାଗ୍ୟଜନକ । ଓଡ଼ିଶାରେ କପା ଉତ୍ପାଦନ ପାଇଁ ଭଲ ଭିତ୍ତିଭୂମି ଥିବା ବେଳେ ଏହା ସଂଗ୍ରହ କରି ସୂତା ଉତ୍ପାଦନ ସହିତ ବାର୍ଷିକ ୨୦୦ କୋଟି ବର୍ଗ ମିଟରରୁ ଅଧିକ କପଡ଼ା ଉତ୍ପାଦନ କରାଯାଇପାରିବ । ଏ ଦିଗରେ ଦୃଷ୍ଟି ଦେଲେ ବ୍ୟାପକ କର୍ମନିଯୁକ୍ତି ସହ ରାଜ୍ୟର ଆର୍ôଥକ ସ୍ଥିତିରେ ମଧ୍ୟ ଉନ୍ନତି ଆସିପାରିବ ।

 

ଶ୍ରୀ ରାୟଙ୍କ ଅନ୍ୟ ଦୁଇଟି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିବା ୭ଟି ସୂତାକଳ ଓ ୧୩ଟି ବୟନଶିଳ୍ପ ୟୁନିଟ୍ ମଧ୍ୟରୁ ଗୋଟିଏ ସୂତାକଳ ଓ ଗୋଟିଏ ବୟନଶିଳ୍ପ ୟୁନିଟ୍ ଛାଡ଼ିଦେଲେ ଅନ୍ୟ ସବୁ ସମବାୟ ଭିତ୍ତିକ ଥିଲା । କାର୍ଯ୍ୟକାରୀ ମୂଳଧନର ଅଭାବ, ବିଦ୍ୟୁତ୍ ଶୁଳ୍କ, ସର୍ବନିମ୍ନ ମଜୁରୀ ବୃଦ୍ଧି, କଞ୍ଚାମାଲ ତୁଳନାରେ ଉତ୍ପାଦିତ ସାମଗ୍ରୀର ଆନୁପାତିକ ମୂଲ୍ୟ ହ୍ରାସ ଯୋଗୁ ବୟନଶିଳ୍ପ ଓ ସୂତାକଳ ୟୁନିଟ୍ଗୁଡ଼ିକ ବନ୍ଦ ହୋଇଯାଇଛି । ଏହି ଶିଳ୍ପଗୁଡ଼ିକର ଆଧୁନିକୀକରଣ ସହ ପୁନଃକାର୍ଯ୍ୟକ୍ଷମ ପାଇଁ ପୁଞ୍ଜି ବିନିଯୋଗ କରିବାକୁ ସରକାରଙ୍କର କୌଣସି ପ୍ରସ୍ତାବ ନ ଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top