ଆପଣା ହସ୍ତେ ଜିହ୍ୱା ଚ୍ଛେଦି

News Story - Posted on 2018-03-27

ଡ଼ ସୁଲଗ୍ନା ମହାନ୍ତି

 

ପ୍ରାୟ ତିନିମାସ ତଳେ ଦିଲ୍ଲୀରୁ ମୁମ୍ବାଇ ଆସୁଥିବା ଏକ ଫ୍ଲାଇଟରେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ୧୭ ବର୍ଷ ବୟସ୍କା ଜାଇରା ୱାସୀମ ଅଭିଯୋଗ କଲେ ଯେ ଫ୍ଲାଇଟରେ ତାଙ୍କ ପଛ ସିଟରେ ବସିଥିବା ଜଣେ ପୁରୁଷ ଯାତ୍ରୀ ନିଜ ପାଦଦ୍ୱାରା ତାଙ୍କ ପିଠି ଓ ବେକକୁ ଛୁଇଁ ଯୌନ ଉତ୍ପୀଡ଼ନ ପାଇଁ ପ୍ରଚେଷ୍ଟା କରୁଥିଲେ । ଯଦିଓ ନାବାଳିକା ଜାଇରା ନିଜ ମାଆଙ୍କ ସହ ଫ୍ଲାଇଟରେ ଯାତ୍ରା କରୁଥିଲେ ସେ ସେଇ ମୁହୂର୍ତ୍ତରେ ନିଜ ମାଆଙ୍କ ପାଖରେ କି ବିମାନ କର୍ମଚାରୀଙ୍କ ପାଖରେ ଏଇ ବିଷୟକୁ ଅଭିଯୋଗ କରିନଥିଲେ । ବିମାନ ଅବତରଣ କରିବା ସମୟରେ ସେଇ ପୁରୁଷ ଯାତ୍ରୀଙ୍କ ଗୋଡ଼ ଜାଇରାଙ୍କ ଆର୍ମରେଷ୍ଟ ଉପରେ ଥିବାରୁ ସେ ସେଇ ଯାତ୍ରୀଙ୍କ ଉପରେ ପାଟି କରିଥିଲେ ଓ ଯାତ୍ରୀ ଜଣକ ତାଙ୍କୁ କ୍ଷମା ମାଗିଥିଲେ । ଆଶ୍ଚର୍ଯ୍ୟର କଥା ଜାଇରା ସେତେବେଳେ ସେଇ ଯାତ୍ରୀଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ଆଣିନଥିଲେ । କିନ୍ତୁ ୟାର ଦୁଇ ଘଣ୍ଟା ପରେ ସୋସିଆଲ ମିଡିଆ (ଇନଷ୍ଟାଗ୍ରାମ)ରେ ଜାଇରା କାନ୍ଦିକାନ୍ଦି ନିଜ ଯୌନ ଉତ୍ପୀଡ଼ନର କାହାଣୀ ବର୍ଣ୍ଣନା କରିଥିଲେ । କହିବା ବାହୁଲ୍ୟ ଜାଇରାଙ୍କ କାହାଣୀ ସବୁ ମହଲରେ ହଇଚଇ ମଚେଇଦେଲା । ସମସ୍ତେ ଘଟଣାଟିର କଡ଼ା ନିନ୍ଦା କଲେ । ସମସ୍ତେ ଅପରାଧୀକୁ ଦଣ୍ଡ ଦେବାପାଇଁ ଆବେଦନ କଲେ । ଗୋଟିଏ ଦିନ ଭିତରେ ସେଇ ଆରୋପୀଙ୍କୁ ନାବାଳିକାକୁ ଯୌନ ଉତ୍ପୀଡନ ଦେଇଥିବା ଅଭିଯୋଗରେ ଗିରଫ କରାଗଲା ।

 

ଏବେ ଶୁଣିବା ଅନ୍ୟ ପକ୍ଷର କାହାଣୀ । ଆରୋପୀଙ୍କ ପତ୍ନୀଙ୍କ ଅନୁସାରେ ଆରୋପୀ ଦିଲ୍ଲୀରେ ନିଜ ମାମୁଁଙ୍କ ଶେଷକୃତ୍ୟ ସାରି ମୁମ୍ବାଇ ଫେରୁଥିଲେ । ସେ ଗତ ୨୪ ଘଣ୍ଟା ହେଲା ଶୋଇନଥିଲେ ଓ ବିମାନରେ ବସୁବସୁ ବିମାନ କର୍ମଚାରୀଙ୍କୁ କହିଥିଲେ ତାଙ୍କୁ କମ୍ବଳ ଦରକାର ଓ ବର୍ତ୍ତମାନ ସେ ଶୋଉଛନ୍ତି ବୋଲି । ଖାଇବା ପାଇଁ ମଧ୍ୟ ତାଙ୍କୁ ନ ଉଠେଇବା ପାଇଁ ସେ ଅନୁରୋଧ କରିଥିଲେ । ଏଭଳି ଅବସ୍ଥାରେ ସେ ଭୁଲରେ ନିଦରେ ଜାଇରାଙ୍କ ଆର୍ମରେଷ୍ଟରେ ଗୋଡ଼ ରଖିଥିଲେ । ଏଇଟା ଅଭଦ୍ରାମୀ ହେଇପାରେ କିନ୍ତୁ ଜାଣିଶୁଣି ସେ ଯୌନ ଉତ୍ପୀଡନ ପାଇଁ ସେ କଦାପି ଚେଷ୍ଟା କରିନାହାନ୍ତି । ପୁନଶ୍ଚ ଡିସେମ୍ବର ୧୨ ତାରିଖରେ ଆରୋପୀଙ୍କ ପାଖ ସିଟରେ ବସିଥିବା ଯାତ୍ରୀଙ୍କ ବୟାନ ଆସିଛି ଯେ ଆରୋପୀ ପୂରା ସମୟ ଫ୍ଲାଇଟରେ ଶୋଇଥିଲେ ଓ ଭୁଲରେ ତାଙ୍କ ଗୋଡ ଜାଇରାଙ୍କ ଦେହରେ ବାଜିଛି ।

 

ଏଇଠି ଜାଇରା ଭୁଲ ଓ ଆରୋପୀ ଠିକ୍ ବୋଲି କହିବା ଏଇ ଲେଖାର ଉଦ୍ଦେଶ୍ୟ ନୁହେଁ । କିନ୍ତୁ କଥା ହେଉଛି ସବୁ ଜିନିଷରେ ଗୋଟିଏ ପକ୍ଷର କାହାଣୀ ଶୁଣି ନିଜ ନିର୍ଣ୍ଣୟ ବା ମତାମତ ଦେବା ଆଉ ଏଇ ନିର୍ଣ୍ଣୟ ଆଉରି ଶୀଘ୍ର ଆସିଥାଏ ଯଦି ଆରୋପୀ ଜଣେ ପୁରୁଷ ହେଇଥାଏ । କିଛିଦିନ ତଳେ ଜଣେ ନାବାଳିକା ସଂଗୀତ ପ୍ରତିଯୋଗୀଙ୍କୁ ଚୁମ୍ବନ ଦେବା ଅଭିଯୋଗରେ ରିଅଲିଟି ଶୋ ଜଜ ତଥା ଗାୟକ ପାପନଙ୍କ ବିରୁଦ୍ଧରେ କେଶ ଦାୟର ହେଇଥିଲା । ପାପନ କହିଥିଲେ ସେ ପ୍ରତିଯୋଗୀମାନଙ୍କୁ ନିଜ ସନ୍ତାନ ଭଳି ଭଲ ପାଆନ୍ତି ଆଉ ସେଇ ହିସାବରେ ସେ ତାଙ୍କୁ ଚୁମ୍ବନ ଦେଇଥିଲେ । ତେବେ ତାଙ୍କର ଏଇ କୈଫିୟତକୁ କେହି ବିଶ୍ୱାସ କରିନଥିଲେ । ପାପନ ଦୋଷୀ ବା ଦୋଷୀ ନୁହେଁ ସେଇଟା କୋର୍ଟ କହିବ କିନ୍ତୁ କଥା ହେଲା ବହୁତ ରିଅଲିଟି ଶୋ’ରେ ଅଳ୍ପ-ବୟସ୍କା, ମଧ୍ୟ-ବୟସ୍କା ମହିଳା ଜଜମାନଙ୍କର ନାବାଳକ ପ୍ରତିଯୋଗୀଙ୍କୁ ଫୁଲ ଦେବା, ଚୁମ୍ବନ ଦେବା, ବାରମ୍ବାର କୁଣ୍ଢେଇବା, ପ୍ରପୋଜ କରିବା କେବଳ ମନୋରଞ୍ଜନରେ ଯାଏ ଆଉ ୟାକୁ କେହି ଖରାପ ଦୃଷ୍ଟିରେ ଦେଖନ୍ତି ନାହିଁ । ଦେଖିବା କଥା ବି ନୁହେଁ । ତେବେ ଯଦି ଏଇଟା ନିୟମ ତାହେଲେ ଏଇ ନିୟମ ଉଭୟ ପୁରୁଷ ଆଉ ନାରୀଙ୍କ ପକ୍ଷେ ସମାନ ଭାବେ ଲାଗୁ ହେବା ଦରକାର । ଜାଇରା ଆଉ ପାପନଙ୍କ ଘଟଣାରେ ସତ କଣ ଆଉ ମିଛ କଣ ସେଇଟା ସମୟ କହିବ । କିନ୍ତୁ କଥା ହେଲା ଯେତେବେଳେ ଏମିତି ଘଟଣା ସବୁ ସାମ୍ନାକୁ ଆସେ ସେତେବେଳେ ସେଇ ଝିଅମାନେ ଅବିଶ୍ୱାସର ଶିକାର ହୁଅନ୍ତି ଯେଉଁମାନେ ଯଥାର୍ଥରେ ଯୌନ ଉତ୍ପୀଡନର ଶିକାର ହେଇଥାନ୍ତି ।

 

ଜାଇରାଙ୍କ ଘଟଣା ପୁନଶ୍ଚ ୨୦୧୪ରେ ରୋହତକରେ ଘଟିଥିବା ଦୁଇ ଭଉଣୀଙ୍କ କାହାଣୀକୁ ମନେ ପକେଇଦିଏ ଯିଏ ମିଛରେ କିଛି ପୁଅଙ୍କୁ ବେଲ୍ଟରେ ପିଟୁଥିଲେ ବସରେ ଯୌନ ଉତ୍ପୀଡନର କାରଣ ଦେଇ । ସେତେବେଳେ ସମସ୍ତେ ସେଇ ଦୁଇ ଭଉଣୀଙ୍କୁ ବହୁତ ପ୍ରଶଂସା କରିଥିଲେ । କିନ୍ତୁ ପରେ ଜଣା ପଡିଥିଲା ଝିଅ ଦୁହେଁ ବସରେ ସିଟକୁ ନେଇ ସେଇ ପୁଅଙ୍କ ସହ ଝଗଡା କରିଥିଲେ ଓ ଭୁଲ ସେଇ ଭଉଣୀଙ୍କର ଥିଲା । ଏହିପରି ଘଟଣା କେବଳ ଯୌନ ଉତ୍ପୀଡନ କ୍ଷେତ୍ରରେ ନୁହେଁ ଯୌତୁକ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳେ । ଗତ ଜୁଲାଇ ମାସରେ ଉତ୍ତର ପ୍ରଦେଶର ଏକ ମାମଲାରେ ରାୟ ଦେଇ ମାନ୍ୟବର ସୁପ୍ରୀମ କୋର୍ଟ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୪୯୮ଇ (ଯୌତୁକ ବିରୋଧୀ କାନୁନ)କୁ କିଛି ପରିମାଣରେ ବଦଳେଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ଅଭିଯୋଗକାରିଣୀଙ୍କ ଶାଶୁଘର ଲୋକଙ୍କୁ ଅଭିଯୋଗର ସାଙ୍ଗେ ସାଙ୍ଗେ ଗିରଫ କରାଯାଇପାରିବ ନାହିଁ । ପ୍ରଥମେ ଆରୋପଟି ସିଦ୍ଧ ହେବା ଦରକାର । ଆଉ ଏଇଭଳି ନୂଆ ନିୟମ ହେବାର କାରଣ ପଛରେ ଅଛି ଏଇ ନିୟମର ଅତ୍ୟଧିକ ଦୁରୁପଯୋଗ ।

 

ଏକ ସର୍ଭେ ଅନୁସାରେ ୧୯୯୮ ମସିହାରୁ ଆଜିଯାଏଁ ଯୌତୁକ ପାଇଁ ଗିରଫ ହେଇଥିବା ୨୩,୦୪,୨୦୦ (୨୩ ଲକ୍ଷ) ଆରୋପୀଙ୍କ ମଧ୍ୟରୁ କେବଳ ୨,୬୦,୨୮୦ (୨.୬ ଲକ୍ଷ) ଜଣ ଦୋଷୀ ସାବ୍ୟସ୍ତ ହେଇଛନ୍ତି । ଆରୋପୀଙ୍କ ମଧ୍ୟରେ କେବଳ ୯୫ ବର୍ଷୀୟ ବୃଦ୍ଧବୃଦ୍ଧା ନୁହେଁ ୨ ବର୍ଷର ଛୁଆ ବି ଅଛନ୍ତି । କହିବା ବାହୁଲ୍ୟ ଅନେକ ସମୟରେ ଏଭଳି କେଶ୍ ମିଥ୍ୟା ସାବ୍ୟସ୍ତ ହେଇଛି । ସ୍ତ୍ରୀମାନେ ବିଭିନ୍ନ କାରଣ ହେତୁ ଯେମିତିକି ସ୍ୱାମୀଠୁ ପଇସା ପାଇବା ପାଇଁ, ନିଜ ପୂର୍ବପ୍ରେମୀ ପାଖକୁ ଫେରିବାପାଇଁ, ନୂଆ ପରିବାରରେ ଖାପ ଖୁଆଇ ନ ଚଳିପାରିବା ହେତୁ ଯୌତୁକ ବିରୋଧୀ ଆଇନର ଦୁରୁପଯୋଗ କରିଛନ୍ତି । ସେହିପରି ଧର୍ଷଣ କେଶରେ ଦିଲ୍ଲୀ ମହିଳା କମିଶନ ଅନୁସାରେ ଏପ୍ରିଲ ୨୦୧୩ରୁ ଜୁଲାଇ ୨୦୧୪ ମଧ୍ୟରେ ଦାଖଲ ହେଇଥିବା ୫୩% ଧର୍ଷଣ ଅଭିଯୋଗ ମିଥ୍ୟା । ଏଥି ମଧ୍ୟରୁ ପ୍ରେମ ସମ୍ପର୍କ ବିଫଳହେବା ଫଳରେ ଝିଅଟିଏ ପୁଅ ବିରୁଦ୍ଧରେ ଧର୍ଷଣ ଅଭିଯୋଗର ନଜିର ଅଛି । କିନ୍ତୁ ଏଇଭଳି ଘଟଣା ଦ୍ୱାରା ଭବିଷ୍ୟତରେ କେବଳ ପ୍ରକୃତ ଧର୍ଷିତାଟିଏ ତଥା ଯୌତୁକ ଅଗ୍ନିରେ ଜଳୁଥିବା ବଧୂଟିଏ ହିଁ ଅସୁବିଧାର ଶିକାର ହେବ । ଆରୋପ ସିଦ୍ଧ ନ ହବାଯାଏଁ ପ୍ରକୃତ ଅପରାଧୀ ଖୋଲାରେ ବୁଲିବେ ଓ ଦୋଷରୁ ବଂଚିିବା ପାଇଁ ଉପାୟ ଖୋଜିନେବେ ।

 

ପୁନଶ୍ଚ କଥା ହଉଛି, କଣ ହୁଏ ଯେତେବେଳେ ଜଣକୁ ମିଛରେ ଦୋଷୀ ସାବ୍ୟସ୍ତ କରାଯାଏ? ଏଇଟା କଣ ଏକ ପ୍ରକାର ମାନସିକ ଉତ୍ପୀଡନ ନୁହେଁ? ଯେତେବେଳେ ଧର୍ଷଣ କ୍ଷେତ୍ରରେ ଧର୍ଷିତାଙ୍କ ପରିଚୟ ଗୋପନ ରଖାଯାଏ ସେତେବେଳେ ଅପରାଧ ସିଦ୍ଧ ନ ହବାଯାଏଁ ଆରୋପୀଙ୍କ ପରିଚୟକୁ ସାର୍ବଜନୀନ କରିବା କେତେ ଦୂର ଗ୍ରହଣୀୟ? ଜାଇରାଙ୍କ କ୍ଷେତ୍ରରେ ଆରୋପୀଙ୍କ ନାମ ପରିଚୟ ସବୁକିଛି ବର୍ତ୍ତମାନ ଉପଲବ୍ଧ । କିନ୍ତୁ କାଲିକୁ ଯଦି ଆରୋପୀଙ୍କ ବିରୁଦ୍ଧରେ ଆରୋପଟି ସିଦ୍ଧ ନ ହୁଏ ତେବେ ଏତିକି ଦିନଧରି ସମାଜରେ ମିଛରେ ଘୃଣାର ପାତ୍ର ହେଇଥିବାରୁ ଆରୋପୀର ମନରେ ଯେଉଁ ଆଘାତ ଲାଗିଥିବ ସେଇ ଆଘାତକୁ କଣ କୌଣସି ନ୍ୟାୟ ଲିଭେଇ ପାରିବ?

 

କେବଳ ଭାରତରେ ନୁହେଁ ସାରା ପୃଥିବୀରେ ନାରୀ ଯୁଗଯୁଗ ଧରି ଉତ୍ପୀଡିତା ଓ ଅବହେଳିତା । ନାରୀର ଉତ୍ଥାନ ପାଇଁ ଚେଷ୍ଟାକରି ଅନେକ ସମାଜସେବୀ ବର୍ଷବର୍ଷ ଧରି କଷ୍ଟ ଉଠେଇଛନ୍ତି । କିନ୍ତୁ କିଛି ନାରୀଙ୍କର ଏଭଳି ପୁରୁଷବିରୋଧୀ କାର୍ଯ୍ୟ ଓ ନାରୀଙ୍କ ରକ୍ଷା ନିମନ୍ତେ ହେଇଥିବା ନିୟମର ଦୁରୁପଯୋଗ କେବଳ ଅବହେଳିତ ନାରୀଙ୍କ ପାଇଁ ନୁହେଁ ପୁନଶ୍ଚ ତାଙ୍କ ପାଇଁ କାମ କରୁଥିବା ଅଗଣିତ ସମାଜସେବୀଙ୍କର ଅପମାନ ମଧ୍ୟ । ଏହା ନିଜ ହସ୍ତରେ ନିଜର ଜିହ୍ୱା ଚ୍ଛେଦନ କଲାଭଳି ଏକ ମୂର୍ଖାମୀ କହିଲେ ଅତ୍ୟୁକ୍ତି ହେବନାହିଁ । ପୁରୁଷଙ୍କ ପାଇଁ ନୁହେଁ ମୁଷ୍ଟିମେୟ ନାରୀଙ୍କ ମୂଢତା ଯୋଗୁଁ ମଧ୍ୟ ସମ୍ପୂର୍ଣ୍ଣ ନାରୀଜାତିର ସୁରକ୍ଷା ଓ ସ୍ୱାଧୀନତା ଆଜି ସତରେ ବିପଦରେ ଏବଂ ଏହା ସମ୍ପର୍କରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ହେଉଛି ଆଜିର ସମୟର ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ।

 

ସହକାରୀ ପ୍ରାଧ୍ୟାପିକା
ଅମ୍ରିତା ବିଶ୍ୱବିଦ୍ୟାଳୟ
କୋଇମ୍ବାଟୁର, ତାମିଲନାଡୁ


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top