ଭଙ୍ଗା ଘରେ ଚକା ଜହ୍ମ

News Story - Posted on 2018-03-27

ମହାନଗର ବ୍ରହ୍ମପୁର ନିଦାଘ ସ୍ପର୍ଶରେ ଯେମିତି ଆତଙ୍କିତ ସହରବାସୀ ଜଳକ୍ଳୀଷ୍ଟ ଜୀବନ ଭିତରେ ରାହା ଖୋଜୁଛି ଅନୁରୂପ ଆତଙ୍କିତ ଅବସ୍ଥାରେ । ଘୋଡାହାଡ଼, ଋଷିକୁଲ୍ୟା ଓ ବାହୁଦା ନଦୀ ଅନତି ଦୂରରେ ଥିଲେ ମଧ୍ୟ ଯେଉଁ ଜଳ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ସେ ଗୁଡ଼ିକର ଅବ୍ୟବସ୍ଥା ଚିର ସହଚର ପରି ଲାଗି ରହିଥାଏ । ସୁତରାଂ ସହର ଭିତରେ କିଛି ମାତ୍ର ଜଳାଶୟ କେଉଁ ଆବହମାନ କାଳରୁ ରହିଥିଲେ ସୁଦ୍ଧା ଏହା ସଂପୂର୍ଣ୍ଣ ଭରସାଯୋଗ୍ୟ ନୁହେଁ ।

 

ବ୍ରହ୍ମପୁରରେ ବନ୍ଧଗୁଡ଼ିକର ସଂଖ୍ୟା ହାତଗଣତିରେ ସୀମିତ ଥିଲେ ସୁଦ୍ଧା ଜନସଂଖ୍ୟାକୁ ଦେଖିଲେ ବିଗତ ଅର୍ଦ୍ଧଶତାବ୍ଦୀ ଭିତରେ ଏଇ ବନ୍ଧଗୁଡ଼ିକ ବେଶ୍ ଉପଯୋଗୀ ହୋଇ ଆସୁଥିଲା । ସହର ବଢ଼ିବା ସହ ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିବା ପରେ ବନ୍ଧଗୁଡ଼ିକର ଜଳାଶୟ ଦିଗରୁ ଯେମିତି ଯତ୍ନବାନ ହେବା କଥା ତାହା କିନ୍ତୁ ହୋଇପାରିଲା ନାହିଁ । ଜଳାଶୟଟିଏ ପୁଣ୍ୟ ଅର୍ଜନର ମାଧ୍ୟମ, ଜଳବାନ ମହତ ଦାନ କହି ଅତୀତ କୂଅଟିଏ ଅବା ବନ୍ଧଟିଏ ଖୋଳିଦେଇ ସମାନ ପାଇ ସମର୍ପିତ ହେଉଥିଲା ଧନଶାଳୀ ବୈଭବଶାଳୀ ବ୍ୟକ୍ତିଙ୍କ ବିଚାରରେ । ଦେବାଳୟ ଯେଉଁଠି ବନ୍ଧ କିମ୍ବା କୂପଟିଏ ରହିଥିବା ଦୃଶ୍ୟ ନିଶ୍ଚୟ ଦେବତା, ଜଳ ଓ ମଣିଷର ସମନ୍ୱିତ ପ୍ରତିରୂପ ପରିପ୍ରକାଶ । ବିଡ଼ମ୍ବନା ଚାକଚକ୍ୟର ଦୁନିଆରେ ମଣିଷ ଆଜି ବନ୍ଧଗୁଡ଼ିକର ଅସଲ ଉଦ୍ଦେଶ୍ୟକୁ ଚାଲିଯାଇ ଏକ କ୍ଷୁଦ୍ର ପରିସରରେ ସଂକୀର୍ଣ୍ଣ ଜଳାଶୟକୁ ଆମୋଦ ପ୍ରମୋଦ ଜଳକ୍ରୀଡ଼ାର ଉତ୍ସଭାବରେ ଗ୍ରହଣ କରି ନେଉ ନେଉ ଆଜି ସହରରେ ବନ୍ଧ ଶୋଭା ବଢ଼ାଇବା ପରିବର୍ତ୍ତେ ପାଣିକୁଣ୍ଡରେ ପରିଣତ କରାଯାଇଛି ।

 

ବ୍ରହ୍ମପୁରରେ ଥିବା ବନ୍ଧ ଜଳାଶୟର କ୍ଷେତ୍ରଗୁଡ଼ିକ ସରକାରୀ ସ୍ତରରେ ମନୋରଂଜନର ବ୍ୟବସ୍ଥାର ସୂଚକ ଭାବି ଯେଉଁ ସନ୍ଦେଶ ଦେଇ ସୌନ୍ଦର୍ଯ୍ୟକରଣ ହେବାର ଦୃଶ୍ୟମାନ ହୁଏ ନିହାତି ନିନ୍ଦନୀୟ । ସହରରେ ହାତ ଗଣତି ବନ୍ଧଗୁଡ଼ିକ ଅଳିଆ ଆବର୍ଜନାମୟ ପରିବେଶରେ ପାଣି ବିଷାକ୍ତ । ଏଠାରେ ମୁକ୍ତ ମଳତ୍ୟାଗର ନଜିର ରହିଛି । କିନ୍ତୁ ସହରର ସୌନ୍ଦର୍ଯ୍ୟକରଣ ମାନସିକତା ଭିତରେ ବନ୍ଧକୁ ଜୀବନ୍ୟାସ କରିବା ପରିବର୍ତ୍ତେ ହୁଦାଗୁଡ଼ିକ ଚାରିପଟେ ସୁନ୍ଦର ଆବରଣଟିଏ କରି ହଜାର ହଜାର ଟଙ୍କା ଖର୍ଚ୍ଚ କରାଯାଇ ମାଟି ପକାଇ ସେଠାରେ କୃତ୍ରିମ ମାନସିକତାରେ ପ୍ରାକୃତିକ ପାର୍କ କରି ଉଦ୍ୟାନ ବୃକ୍ଷ ବାଟିକା ସୃଷ୍ଟି କରାଯିବା ଭଙ୍ଗାଘରେ ଚକା ଜହ୍ନ ପରି କଥା । ଜଳାଶୟ ଚାରିପଟେ କଂକ୍ରିଟ ସିମେଣ୍ଟ ଆଚ୍ଛାଦିତ । ମାଟିର ସତ୍ତା ହଜିଗଲାଣି । ବ୍ରହ୍ମପୁର ପୌରନିଗମ ବନ୍ଧ ଏବଂ ପାର୍କ ଉଦ୍ୟାନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଖର୍ଚ୍ଚ କେବଳ ଅର୍ଥକୁ ବାଟବଣା କରି ବନ୍ଧ ସୌନ୍ଦର୍ଯ୍ୟକରଣ ନାମରେ ସର୍ବସାଧାରଣଙ୍କୁ ପ୍ରତାରଣା କରିବା ଛଡ଼ା କିଛି ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top