କେମିତି ମାରିଲ ୩ ଲକ୍ଷ ମୂଷା?

News Story - Posted on 2018-03-22

ମହାରାଷ୍ଟ୍ର ମନ୍ତ୍ରାଳୟରେ ସପ୍ତାହକ ଭିତରେ ୩ ଲକ୍ଷ ଉପରେ ମୂଷାଙ୍କୁ କେମିତି ମରାଗଲା? ଏ ନେଇ ତଦନ୍ତ ଦାବି କରିଛନ୍ତି ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଏକନାଥ ଖାଡସେ । ଏନେଇ ରାଜ୍ୟ ବିଧାନସଭାରେ ସେ ସରକାରଙ୍କଠାରୁ ଉତ୍ତର ଦାବି କରିଛନ୍ତି ।

 

ମହାରାଷ୍ଟ୍ର ବିଧାନସଭାରେ ଚାଲିଥିବା ରାଜ୍ୟ ବଜେଟ ବିତର୍କରେ ଭାଗ ନେଇ ଖାଡସେ କହିଛନ୍ତି ଯେ ବୃହନମୁମ୍ବାଇ ପୌର ନିଗମକୁ ସହରରେ ୬ ଲକ୍ଷ ମୂଷା ମାରିବା ପାଇଁ ୨ ବର୍ଷ ଲାଗିଥିଲା । ସର୍ବେକ୍ଷଣ ଅନୁସାରେ ରାଜ୍ୟ ମନ୍ତ୍ରାଳୟ ବା ସଚିବାଳୟରେ ୩ ଲକ୍ଷ ୧୯ ହଜାର ୪୦୦ ମୂଷା ଥିଲେ । ଏହି ମୂଷାମାନଙ୍କୁ ମାରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ଏକ କମ୍ପାନୀକୁ ଠିକା ଦେଇଥିଲେ । ମୂଷାମାନଙ୍କୁ ୬ ମାସ ଭିତରେ ମାରିବା ପାଇଁ ସମୟ ଦିଆଯାଇଥିଲା । କିନ୍ତୁ କମ୍ପାନୀ ୭ ଦିନ ଭିତରେ କାମ ସାରିଦେଲା ବୋଲି ଦାବି କରିଛି ।

 

ଖାଡସେ ହିସାବ ଦେଇ କହିଛନ୍ତି ଯେ ଏହାର ଅର୍ଥ କମ୍ପାନୀ ଦିନକୁ ୪୫,୬୨୮.୫୭ଟି ମୂଷାଙ୍କୁ ମାରିଛି । ଏହି .୫୭ ମୂଷା ବୋଧହୁଏ ନବଜାତ ବୋଲି ସେ କହିଲାବେଳେ ବିଧାନସଭାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା । ସେ କହିଥିଲେ ଯେ କମ୍ପାନୀ ପ୍ରତି ମିନିଟକୁ ୩୧.୬୮ଟି ମୂଷାଙ୍କୁ ମାରିଥିବ । ମରିଥିବା ମୂଷାଙ୍କ ମୋଟ ଓଜନ ୯,୧୨୫.୭୧ କିଲୋଗ୍ରାମ ହିସାବ ହୁଏ । ଦିନକୁ ଯେତେ ମୂଷାଙ୍କୁ ମରାଯାଇଥିବ ସେମାନଙ୍କୁ ବୋହିନେବା ପାଇଁ ପ୍ରତି ଦିନ ଗୋଟିଏ ଟ୍ରକ ଦରକାର ହୋଇଥିବ । ତେବେ ସେହି ମଲା ମୂଷାମାନଙ୍କୁ କେଉଁଠି ଫୋଫଡ଼ା ଗଲା?

 

ସେ କହିଛନ୍ତି ଯେ ମୂଷା ମାରିବା ପାଇଁ କମ୍ପାନୀକୁ ଠିକା ନଦେଇ ମନ୍ତ୍ରାଳୟରେ ୧୦ଟା ବିଲେଇ ଛାଡ଼ି ଦେଇଥିଲେ ବିନା ଖର୍ଚ୍ଚରେ କାମ ହୋଇଯାଇଥାନ୍ତା । ଯେଉଁ କମ୍ପାନୀ ମୂଷାମରା କାମ ନେଇଥିଲା ସେହି ସଂସ୍ଥା ମୂଷାମରା ବିଷୟ ପ୍ରୟୋଗ କରିଥିଲା ବୋଧହୁଏ । କମ୍ପାନୀର ଏହି ବିଷୟ ମନ୍ତ୍ରାଳୟରେ ବଳକା ରହିଥିଲା । କେଇ ଦିନ ତଳେ ଧର୍ମା ପାଟିଲ ନାମକ ଜଣେ ଆନ୍ଦୋଳନରତ କୃଷକ ମନ୍ତ୍ରାଳୟରେ ଥିବା ଏହି ବିଷ ପିଇ ଆତ୍ମହତ୍ୟା କରିଥିଲେ । ମନ୍ତ୍ରାଳୟରେ ମୂଷାମରା ବିଷ ଷ୍ଟକ୍ ରଖିବାକୁ କିଏ ଅନୁମତି ଦେଲା ବୋଲି ଖାଡସେ ପ୍ରଶ୍ନ କରିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top