ଜିଲ୍ଲା ଶାସନର ମୁହଁ

News Story - Posted on 2018-03-18

ରୁଦ୍ର ପ୍ରସନ୍ନ ରଥ

 

କିଛିଦିନ ତଳେ ନୟାଗଡ଼ ଜିଲାପାଳ ନିଜ ସାଇକେଲରେ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବାର ଖବର ସାମନାକୁ ଆସିଥିଲା । ଆଉ ଏବେ ନୂଆପଡ଼ା ଜିଲାପାଳ ନିଜେ ପାଦରେ ଚାଲି ପାହାଡ଼ ଚଢ଼ି ଲୋକଙ୍କ ପାଖରେ ପହଁଚି ସେମାନଙ୍କ ସୁଖ ଦୁଃଖ ବୁଝିବାର ଖବର ବି ସାମନାକୁ ଆସିଛି । ଏ ଦୁଇଟା ବେଶ୍ ଭଲ ଖବର । ଜିଲାପାଳମାନେ କେବଳ ଜିଲାର ଶାସନ ମୁଖ୍ୟ ନୁହନ୍ତି ସେମାନେ ଶାସନର ମୁଖ ମଧ୍ୟ । ଆଉ ଆମ ପ୍ରାଶାସନିକ ବ୍ୟବସ୍ଥାରେ ଜିଲା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ । ଲୋକଙ୍କ ସମସ୍ୟାର ସମାଧାନ ସବୁ ଜିଲା ସ୍ତରରେ ହୋଇଯିବା ଆବଶ୍ୟକ ଆଉ ଯଦି ସମସ୍ୟା ସବୁର ସମାଧାନ ନ ହୋଇପାରିଲା ତେବେ ଜିଲାର ମୁଖିଆମାନେ ଲୋକଙ୍କ ପାଖରେ ପହଁଚିବା ଆବଶ୍ୟକ । ଯାହାକୁ ଏହି ଦୁଇ ଜଣ ଯୁବ ଜିଲାପାଳ କରି ଦେଖାଇଛନ୍ତି । ସେଥିପାଇଁ ସେମାନେ କୃତଜ୍ଞତାର ପାତ୍ର । ମୋଟ ଉପରେ ଜିଲାରେ ଯେତେ କାର୍ଯ୍ୟକ୍ରମ ହେବ ତାହାକୁ ସୂଚାରୁ ରୁପେ ସଂପାଦନା କରିବା ଜିଲାପାଳଙ୍କ ଦାୟିତ୍ୱ ଆଉ ଯେତେବେଳେ ଏହା ସୂଚାରୁ ରୁପେ ସଂପାଦନ ହୋଇପାରୁନାହିଁ ତାହାକୁ ନିଶ୍ଚିତ ରୂପେ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଜିଲାପାଳମାନେ ନିଜେ ପାଦରେ ଚାଲି କିମ୍ବା ସାଇକେଲରେ ଯାଇ ଲୋକଙ୍କ ପାଖରେ ପହଁଚାଇବାକୁ ଉଦ୍ୟମ କରିବା ସତରେ ପ୍ରଶଂସନୀୟ ।

 

ମାତ୍ର ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ କ’ଣ ପାଇଁ ଜିଲାପାଳମାନଙ୍କୁ ସାଇକେଲରେ ଯିବାକୁ ପଡ଼ୁଛି କିମ୍ବା ପାଦରେ ଚାଲିବାକୁ ପଡ଼ୁଛି । ଜିଲାପାଳମାନେ ଏମିତି ଯାଉଥିବା ଖବରରେ ଆମେ ଖୁସି ହେବା ଉଚିତ ନା ନାହିଁ । ଆମ ଶାସନ ବ୍ୟବସ୍ଥାର ସ୍ୱରୁପ ଏମିତି ଯେ କୌଣସି କାର୍ଯ୍ୟକ୍ରମର ରୂପରେଖ, ସ୍ୱରୂପ ଏବଂ ବଜେଟର ଆକାର ସାଧାରଣତଃ ରାଜଧାନୀ ଭୁବନେଶ୍ୱରରେ ନିର୍ଣ୍ଣିତ ହୁଏ । ମାତ୍ର ଏହାକୁ କିପରି ଠିକ୍ ଭାବେ କାର୍ଯ୍ୟକାରୀ କରାଯାଇପାରିବ ତାହାର ଦାୟିତ୍ୱ ଜିଲାପାଳଙ୍କ କାନ୍ଧରେ ନ୍ୟସ୍ତ ଥାଏ । ମାର୍ଗଦର୍ଶିକା ସହ ଏଥିପାଇଁ ଆବଶ୍ୟକ ଅର୍ଥ ବରାଦ ଦେଇ ଚିଠି ସବୁ ଜିଲାକୁ ପଠାଇ ଦିଆଯାଏ । ଜିଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନାରେ ଜିଲାପାଳଙ୍କ ପ୍ରାୟ କିଛି କହିବାର ନଥାଏ । ଜିଲାପାଳମାନେ ଜିଲାର ପ୍ରାୟ ୭୦ରୁ ଉଦ୍ଧ୍ୱର୍ କମିଟିର ସଭାପତି । ଏହି ସବୁ କମିଟି କିମ୍ବା ବୈଠକରେ ଯୋଗ ଦେବା ସହ ରାଜଧାନୀରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ନେଇ ତାଙ୍କର ମାସଟା ଯାକ ସରିଯାଏ । ପୁଣି ଆମ ପ୍ରଶାସନ କାଗଜ ସର୍ବସ୍ୱ ହୋଇଥିବାରୁ କେବଳ ବିଭିନ୍ନ ନଥିପତ୍ରକୁ ଦେଖିବା ଏବଂ ଏସବୁରେ ଦସ୍ତଖତ କରିବା ଭିତରେ ତାଙ୍କର ସମୟ ସରିଯାଏ । ଆଉ ଅଧିକାଂଶ ଯୋଜନା ସମୟ ନିର୍ଦ୍ଦିଷ୍ଟ ହୋଇଥିବାରୁ ତାକୁ ଯେନେତେନ ପ୍ରକାରରେ ସାରି ବିନିଯୋଗ ପ୍ରମାଣ ପତ୍ର ଦେଇ କାମ ସାରିବା ବେଳକୁ ନିଜର ବଦଳି ପାଇଁ ଆଦେଶ ଆସିଯାଇଥାଏ । ପ୍ରକୃତରେ କ୍ଷେତ୍ରରେ ଯୋଜନା କେମିତି ଚାଲିଛି ତାହା ଦେଖିବାକୁ କିମ୍ବା ଜାଣିବାକୁ ଆଗ୍ରହ କିମ୍ବା ସୁଯୋଗ ନଥାଏ । ତଳ ସ୍ତରର କର୍ମଚାରୀଙ୍କ କଥା ଏବଂ ରିପୋର୍ଟକୁ ଭରସା କରି ଜିଲାରେ ପ୍ରଶାସନ ଆଗେଇ ଚାଲିଥାଏ । କଦବା କ୍ୱଚିତ୍ ଯଦି ଜିଲାପାଳ କେଉଁ ଅଂଚଳକୁ ଯାଆନ୍ତି ତେବେ ତାଙ୍କ ଯିବାର ଖବର ସେ ପହଁଚିବା ଆଗରୁ ପ୍ରଶାସନର ତଳ ସ୍ତରର ଅଧିକାରୀଙ୍କ ପାଖରେ ପହଁଚି ଯାଇଥାଏ । ଜିଲାପାଳ ପହଁଚିଲା ବେଳକୁ ରେକର୍ଡପତ୍ର ସବୁ ବଦଳି ଯାଇଥାଏ । ଅବଶ୍ୟ ଏ ଭିତରେ ବି ବ୍ୟତିକ୍ରମ ଅଛନ୍ତି । ନୟାଗଡ଼ ଏବଂ ନୂଆପଡ଼ା ପରି ଜିଲାର ଜିଲାପାଳମାନେ ଏସବୁ କାମର ଚାପରୁ ବାହାରି ଆସି ତଥାପି ଲୋକଙ୍କ କଥା ବୁଝିବାକୁ ସମୟ ପାଆନ୍ତି ।

 

ଜିଲାପାଳ ଗାଁ ବୁଲିବା ପାଇଁ କାମ ଚାପ ଯୋଗୁଁ ସମୟ ପାଉ ନଥିଲା ବେଳେ ସେହି ଜିଲା ଅଫିସରେ କାମ କରୁଥିବା ଅନେକ ଅଫିସରଙ୍କ ପାଖରେ ସେମିତି ବିଶେଷ କାମ ନାହିଁ କହିଲେ ଭୁଲ ହେବ ନାହିଁ । ଯେହେତୁ ଶାସନ ଏବଂ କ୍ଷମତାକୁ ଜିଲାର ଜିଲାପାଳଙ୍କ ପାଖରେ କେନ୍ଦ୍ରୀଭୂତ କରିଦିଆଯାଇଛି ସେମାନେ ସମସ୍ତ କାମ ପାଇଁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ରୂପେ ଜିଲାପାଳଙ୍କ ଉପରେ ର୍ନିଭରଶୀଳ । ଏଣୁ ଛୋଟ ଛୋଟ କଥା ପାଇଁ ସେମାନଙ୍କୁ ଜିଲାପାଳଙ୍କ ପାଖକୁ ଦୌଡ଼ିବାକୁ ପଡ଼ିଥାଏ । ଆଉ ଜିଲାପାଳ ଅଫିସରଙ୍କ କଥା ବୁଝିବାରେ ଏତେ ବ୍ୟସ୍ତ ହୋଇଯାଆନ୍ତି ଯେ ସେମାନଙ୍କର ଲୋକଙ୍କ କଥା ବୁଝିବାକୁ ପ୍ରାୟ ସମୟ ନଥାଏ । ଜିଲାରେ କାମ କରୁଥିବା ଅନେକ ଅଫିସରଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟର ତାଲିକା ଏବେବି ଅନେକ ବର୍ଷ ତଳର । ବିଡିଓ ତହସିଲଦାର ଏପରିକି ପଂଚାୟତରାଜ ପ୍ରତିନିଧିମାନଙ୍କର କ୍ଷମତା ଢେର ଦିନ ହେଲା ପରିବର୍ତ୍ତନ ହୋଇନାହିଁ । ଏଣୁ ଲୋକଙ୍କର ଅନେକ ଆବଶ୍ୟକତା ଏବେ ବି ପଂଚାୟତିରାଜ ବ୍ୟବସ୍ଥା କିମ୍ବା ବ୍ଳକ୍ ମାଧ୍ୟମରେ ପୂରା ହେବାର ସକ୍ଷମ ନୁହଁ । ଯେହେତୁ ପଂଚାୟତିରାଜ ବ୍ୟବସ୍ଥା ଅନୁଯାୟୀ ଏବେ ବି ଅନେକ ଦାୟିତ୍ୱ ପଂଚାୟତକୁ ହସ୍ତାନ୍ତର ହୋଇ ନାହିଁ ତେଣୁ ପଂଚାୟତ ପାଖରେ ଲୋକଙ୍କ ଦୁଃଖକୁ ବୁଝିକରି ତାକୁ ଦୂର କରିବାର ଦକ୍ଷତା କିମ୍ବା କ୍ଷମତା ନାହିଁ । ତେଣୁ ଏପରି କ୍ଷେତ୍ରରେ ଶାସନର ମୁଖମାନଙ୍କୁ ନିଜେ ଯାଇ ଲୋକଙ୍କର ଭଲମନ୍ଦ ଦେଖିବାକୁ ପଡ଼ୁଛି ।

 

ଜିଲାପାଳ ନିଜେ ପାଦରେ ଚାଲିଯିବାରେ କିମ୍ବା ସାଇକେଲ ଚଢ଼ି ଲୋକଙ୍କୁ ନିୟମିତ ଭେଟିବାରେ କାହାର କିଛି ଆପତ୍ତି ନାହିଁ ମାତ୍ର ଜିଲାପାଳମାନେ କ’ଣ ଏହି ଧାରା ନିୟମିତ ବଜାୟ ରଖିପାରିବେ? ବୋଧହୁଏ ଏହା ନିୟମିତ ହେବା ସଂଭବ ନୁହେଁ । ନିୟମିତ ହେବା ଆବଶ୍ୟକ ବି ନାହିଁ । ପ୍ରଚଳିତ ବିଧିବ୍ୟବସ୍ଥା କୁ ଯଦି ପରିବର୍ତ୍ତନ କରାଯାଇପାରିଲା ତେବେ ହୁଏତ ଏ ସମସ୍ୟାର ସମାଧାନ କିଛି ମାତ୍ରାରେ ହୋଇ ପାରିବ । ଶାସନର ବିକେନ୍ଦ୍ରୀକରଣ, ଶାସନରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଫାଇଲ ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ ଜିଲାର ତଳ ସ୍ତରରେ କାମ କରୁଥିବା ଅଫିସରମାନଙ୍କୁ ଅଧିକ କ୍ଷମତା ଏବଂ ଦକ୍ଷତା ପ୍ରଦାନ କରାଗଲେ ଜିଲାପାଳଙ୍କ ଉପରେ କାର୍ଯ୍ୟଚାପ ହ୍ରାସ ପାଇବ । ଏହା ହେବା ଦ୍ୱାରା ଶାସନର ମୁଖ ବୋଲାଉଥିବା ଜିଲାପାଳମାନେ ଲୋକଙ୍କୁ ଭେଟିବା ପାଇଁ ପ୍ରକୃତରେ ଅଧିକ ସମୟ ପାଇ ପାରିବେ ଏବଂ ଜିଲାରେ ହିଁ ଲୋକଙ୍କ ସମସ୍ୟା ଅନେକାଂଶରେ ସମାଧାନ ହୋଇ ପାରିବ । ସେମିତି ନ ହେଲେ ଜିଲାପାଳମାନଙ୍କର ଦିନେଅଧେ ଦୁର୍ଗମ ଅଂଚଳକୁ ଗସ୍ତ ଆମ ସମସ୍ତଙ୍କ ପାଇଁ ଆର୍କଷଣୀୟ ଖବର ଏବଂ ନିଜ ପିଠି ଥାପୁଡ଼ାଇ ସାବାସୀ ନେବା ପରି କାମ ହେବ ।

 

ଧବଳଗିରି, ଯାଜପୁର ରୋଡ଼
ମୋ- ୭୯୭୮୬୭୧୭୭୬


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top