ଚାଷୀଙ୍କ ପାଇଁ ଭତ୍ତା ହେଉ

News Story - Posted on 2018-03-18

ଗୋଲକ ବିହାରୀ ନାୟକ

 

ମାର୍ଚ୍ଚ ୨୦ ତାରିଖଠାରୁ ଓଡ଼ିଶା ବିଧାନ ସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ ଓଡ଼ିଶାର ଅର୍ଥମନ୍ତ୍ରୀ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଚଳିତବର୍ଷ ବଜେଟରେ ରାଜ୍ୟର ୬୦ ବର୍ଷରୁ ଉଦ୍ଧ୍ୱର୍ ଚାଷୀଙ୍କୁ ପେନସନ ଦେବାର ବ୍ୟବସ୍ଥା କରାଯାଉ ବୋଲି ରାଜ୍ୟର ଚାଷୀମାନେ ଆଶାବାଦୀ ହୋଇ ଅପେକ୍ଷା କରିରହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ସକରାତ୍ମକ ପଦକ୍ଷେପ ନେବେ ବୋଲି ସମସ୍ତଙ୍କର ଆଶା ରହିଛି ।

 

ଆମ ରାଜ୍ୟରେ ୨୦୧୧ ଜନଗଣନା ଅନୁସାରେ ମୋଟ ଜନସଂଖ୍ୟା ହେଲା ୪ କୋଟି ୨୦ଲକ୍ଷ । ଏବେ ଏହା ଆହୁରି ବଢ଼ି ଲୋକସଂଖ୍ୟା ୪ କୋଟି ୩୦ ଲକ୍ଷରୁ ଉଦ୍ଧ୍ୱର୍ ହେବ । ସେଥିମଧ୍ୟରୁ ୮୩ ଭାଗ ଲୋକ ଗ୍ରାମାଂଚଳରେ ବାସ କରନ୍ତି । ମାତ୍ର ୧୭ ଭାଗ ଲୋକ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ଭଳି ବଡ଼ ଓ ଛୋଟ ସହରାଂଚଳରେ ବାସ କରନ୍ତି । ଗ୍ରାମାଂଚଳରେ ବାସ କରୁଥିବା ଲୋକଙ୍କ ମଧ୍ୟରୁ ୯୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ସେମାନେ ହେଲେ କୃଷକ, କୃଷି ଶ୍ରମିକ, ଭାଗଚାଷୀ, କୃଷି ଆନୁସଙ୍ଗିକ ବୃତ୍ତି, ଗୋପାଳନ, ମତ୍ସ୍ୟଚାଷରେ ନିଯୁକ୍ତ ଲୋକ । ଆମ ରାଜ୍ୟର ୯.୩ ପ୍ରତିଶତ ଲୋକ ହେଉଛନ୍ତି ୬୦ ବର୍ଷରୁ ଅଧିକ ବୟସର ଲୋକ । ସେହି ହିସାବରେ ଚାଷ ଉପରେ ନିର୍ଭର କରୁଥିବା ୬୦ ବର୍ଷରୁ ଅଧିକ ଲୋକଙ୍କ ସଂଖ୍ୟା ୩୦ ଲକ୍ଷ । ଏହି ୩୦ ଲକ୍ଷ ହେଉଛନ୍ତି ୬୦ ବର୍ଷରୁ ଉଦ୍ଧ୍ୱର୍ ଚାଷୀ ଏବଂ ସେମାନଙ୍କ ମଧ୍ୟରେ ପୁରୁଷ ଓ ମହିଳା ଅଛନ୍ତି । ଏହି ଚାଷୀମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ ଯଦି ସବୁଠାରୁ ବେଶୀ ଦେଶରେ କେହି ଅବହେଳିତ, ଶୋଷିତ, ଲାଞ୍ଛିତ, ଅତ୍ୟନ୍ତ ଦୁଃଖ, କଷ୍ଟରେ ସମୟ ଅତିବାହିତ କରୁଛି, ସେ ହେଉଛି ଏହି ପରିଣତ ବୟସରେ ପହଂଚିଥିବା ଚାଷୀ ।

 

ଆଜି ଆମ ରାଜ୍ୟ ସମେତ ସମଗ୍ର ଦେଶରେ କୃଷକମାନେ କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ଦାବି କରୁଛନ୍ତି । ସେମାନଙ୍କର କହିବା କଥା ହେଲା କୃଷି ଉତ୍ପାଦନ ପାଇଁ ବିହନ, ସାର, ରୋଗପୋକ ନାଶକ ଔଷଧ, ମୂଲ ମଜୁରୀ ଆଦିର ମୂଲ୍ୟ ବୃଦ୍ଧି ଯେଉଁ ହାରରେ ହେଉଛି, ସେହି ଅନୁପାତରେ କୃଷିଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେଉନାହିଁ । ଯାହାଫଳରେ ଚାଷୀମାନେ ସେମାନଙ୍କୁ ଉତ୍ପାଦିତ ସାମଗ୍ରୀର ଲାଭଜନକ ମୂଲ୍ୟ ପାଉନାହାଁନ୍ତି । ସେମାନେ ଭୟଙ୍କର କ୍ଷତିର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ସେମାନେ ବ୍ୟାଙ୍କ ଏବଂ ବିଭିନ୍ନ ସମବାୟ ସଂସ୍ଥାଠାରୁ ନେଉଥିବା ଋଣ ପରିଶୋଧ କରିପାରୁ ନାହାଁନ୍ତି ଓ ବ୍ୟାଙ୍କ ସେମାନଙ୍କର ଘର ଓ ଜମି କୋରଖ କରିବାର ଧମକ ଦେଉଛନ୍ତି । ମାନସିକ ଚାପରେ ରହି ଚାଷୀ ଶେଷରେ ଆତ୍ମହତ୍ୟା କରୁଛି । ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ ଦେଶରେ ୩ ଲକ୍ଷ ୨୦ ହଜାର ଚାଷୀ ଆତ୍ମହତ୍ୟା କଲେଣି । ଓଡ଼ିଶାରେ ଆତ୍ମହତ୍ୟା କରୁଥିବା ଚାଷୀଙ୍କ ପାରିବାରିକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ରାଜ୍ୟରେ ଆତ୍ମହତ୍ୟା କରିଥିବା ୭୩ ପ୍ରତିଶତ ଚାଷୀ ପରିବାର ବିପିଏଲ୍ ତାଲିକାଭୁକ୍ତ । ଅବଶିଷ୍ଟ ୨୭ ପ୍ରତିଶତ ଅଣ ବିପିଏଲ୍ ଶ୍ରେଣୀର ।

 

ଆଜି ଚାଷୀର ଏହି ଦୁରବସ୍ଥା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦାୟୀ । ସ୍ୱାଧୀନତା ପରଠାରୁ ଦେଶରେ ଏବଂ ରାଜ୍ୟରେ ଯେଉଁ ଦଳ ସରକାର ଗଢ଼ିଛନ୍ତି, ସେମାନେ ସମାଜର ଅନ୍ୟ ଶ୍ରେଣୀର ଲୋକମାନଙ୍କ ପାଇଁ ଯେପରି ସୁବିଧା ସୁଯୋଗ କରିଛନ୍ତି, ସେହି ଅନୁପାତରେ ଚାଷୀଙ୍କର କରିନଥିବାରୁ ଚାଷୀ ଆଜି ଗରିବ ହୋଇ ରହିଛି ।

 

ଆମ ରାଜ୍ୟରେ ସ୍ୱାଧୀନତା ପରଠାରୁ କୃଷି, ଜଳସେଚନ ଉପରେ ଯେତିକି ଧ୍ୟାନ ଦେବା କଥା, ତାହା ଦିଆଯାଇ ନାହିଁ । ୭୦ ବର୍ଷ ସ୍ୱାଧୀନତା ପରେ ଆଜି ଓଡ଼ିଶାରେ ସରକାରୀ ହିସାବରେ ୪୭% ଜମିକୁ ଜଳସେଚନର ସୁବିଧା କରାଯାଇ ପାରିଛି । ଆମ ରାଜ୍ୟରେ ମାଟିତଳେ ଶତକଡ଼ା ୧୧ ଭାଗ ଜଳ ରହିଛି । ପଞ୍ଜାବରେ ମାଟି ତଳେ ୩ ପ୍ରତିଶତ ଜଳ ଥାଇ ସେଠାରେ ୯୫ ଭାଗ ଚାଷଜମିକୁ ଏବଂ ହରିୟାଣାରେ ୯୦ ଭାଗ ଜମିକୁ ଜଳସେଚନର ସୁବିଧା କରାଯାଇପାରିଛି । ଯେଉଁ ପଞ୍ଜାବ, ହରିୟାଣା ମରୁଭୂମି ଥିଲା, ବର୍ଷା ଅଭାବରୁ ଜମିରେ କିଛି ଫସଲ ହୋଇପାରୁ ନଥିଲା, ସେଠାକାର ଅଧିବାସୀମାନେ ନିଜର ଭିଟାମାଟି, ରାଜ୍ୟ ଛାଡ଼ି ପେଟପାଟଣା ପାଇଁ ଭାରତବର୍ଷର ଅନ୍ୟ ରାଜ୍ୟ ତଥା ବିଦେଶକୁ ପଳାଇ ଯାଉଥିଲେ, ଗ୍ରାମଗୁଡ଼ିକ ଏକପ୍ରକାର ଜନଶୂନ୍ୟ ହୋଇଯାଇଥିଲା, ସେହି ପଞ୍ଜାବ, ହରିୟାଣା ଆଜି ଶସ୍ୟ ଶ୍ୟାମଳା । ସେଠାରେ ପ୍ରଚୁର ପରିମାଣର ଗହମ, ଧାନ, ବାଜରା, ପନିପରିବା ଉତ୍ପାଦନ ହୋଇପାରୁଛି । ସେଠାକାର ଚାଷୀମାନେ ଅୟସରେ ସମୟ କାଟୁଛନ୍ତି । ଏହା ସମ୍ଭବ ହେଲା ସେଠାକାର ସରକାର ସ୍ୱାଧୀନତା ପରେ କେବଳ ଜଳସେଚନକୁ ଅଗ୍ରାଧିକାର ଦେବାରୁ । ଓଡ଼ିଶାରେ ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ କାହିଁକି ଜଳସେଚନର ସୁବିଧା ହୋଇପାରିଲା ନାହିଁ? ଏଥିପାଇଁ ଆମ ସରକାରୀ କଳ ପୂର୍ଣ୍ଣମାତ୍ରାରେ ଦାୟୀ । କେବଳ ସେଥିପାଇଁ ଆଜି ଆମ ଓଡ଼ିଶାର ଚାଷୀ ଦରିଦ୍ର ହୋଇ ରହିଛନ୍ତି ।

 

ଓଡ଼ିଶାରେ ଚାଷକୁ ମୁଖ୍ୟପେଷା ଭାବରେ ବାଛି ନେଇଥିବା ପରିବାରଗୁଡ଼ିକ ମଧ୍ୟରେ ୩୨.୧% ହେଉଛନ୍ତି ଗରିବ । ଆମ ରାଜ୍ୟରେ କୃଷି ଓ କୃଷକର ବିଭିନ୍ନ ଦିଗରୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଆମର କୃଷି ଓ କୃଷକ ଅତ୍ୟନ୍ତ ଅନୁନ୍ନତ ଓ ପଛୁଆ ଅବସ୍ଥାରେ ପଡ଼ିରହିଛି । ଏହାର କାରଣ ଗୁଡ଼ିକ ହେଲା (୧) ମୁଣ୍ଡପିଛା ଜମିର ପରିମାଣ କମ୍, (୨) ପାରମ୍ପାରିକ ଶୈଳୀରେ କୃଷି କାର୍ଯ୍ୟ କରିବା, (୩) କୃଷି କ୍ଷେତ୍ରରେ ଯଥେଷ୍ଟ ପୁଞ୍ଜି ବିନିଯୋଗର ଅଭାବ, (୪) ଆବଶ୍ୟକ ଜଳସେଚନର ଅଭାବ, (୫) କୃଷି ଉତ୍ପାଦନ ମୌସୁମୀ ବର୍ଷା ଉପରେ ଅତ୍ୟଧିକ ନିର୍ଭରଶୀଳ ଏବଂ (୬) ବନ୍ୟା, ବାତ୍ୟା, ମରୁଡ଼ି ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଚାଷକ୍ଷତି । ଏହା ବ୍ୟତୀତ ଚାଷୀମାନେ ଯେଉଁ ଧାନ, ଅନ୍ୟ ଫସଲ ଉତ୍ପାଦନ କରି ବଜାରରେ ବିକ୍ରୟ କରିଥାନ୍ତି, ତା’ର ପ୍ରକୃତ ମୂଲ୍ୟ ପାଆନ୍ତି ନାହିଁ । ସେହିପରି କୃଷି ଶ୍ରମିକମାନେ କାମଧନ୍ଦା ନ ପାଇ ପେଟ ପୋଷିବା ପାଇଁ ନିଜର ଭିଟାମାଟି ଛାଡ଼ି ସୁଦୂର ବମ୍ବେ, ସୁରଟ, ଅହମ୍ମଦାବାଦ, କାଶ୍ମୀର, ଦିଲ୍ଲୀ ପ୍ରଭୃତି ରାଜ୍ୟକୁ ପଳାଉଛନ୍ତି । ସେଠାରେ ସେମାନଙ୍କୁ ଅକଥନୀୟ ଦୁଃଖ, ଦୁର୍ଦ୍ଦଶା, ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡ଼ୁଛି । ସେଠାରେ ସେମାନେ ଦାଦନ ଖଟୁଛନ୍ତି ।

 

କୃଷି କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ଯାବତୀୟ ଉଦ୍ୟମ କରୁଥିବା ସତ୍ତେ୍ୱ କୃଷି ଓ କୃଷକ ରାଜ୍ୟରେ ଏକ ବିବାଦୀୟ ପ୍ରସଙ୍ଗ ହୋଇରହିଛି । ସ୍ୱତନ୍ତ୍ର କୃଷି ବଜେଟ୍, କୃଷି କ୍ୟାବିନେଟ ସତ୍ତେ୍ୱ କୃଷକଙ୍କ ଆର୍ଥିକସ୍ଥିତିର ଆଖିଦୃଶିଆ ପରିବର୍ତ୍ତନ ହେଉନାହିଁ ।

 

ସମ୍ପ୍ରତି ନବନିର୍ମାଣ କୃଷକ ସଂଗଠନ, ଓଡ଼ିଶା କୃଷକ ମହାସଂଘ ଏବଂ ଅନ୍ୟ କେତେକ ଚାଷୀ ସଂଗଠନ କୃଷକମାନଙ୍କୁ ପେନସନ, ପ୍ରାଇସ୍ ଏବଂ ପ୍ରେଷ୍ଟିଜ୍ ଦାବୀ ଜୋରଦାର କରିଛନ୍ତି । ରାଜ୍ୟ ସରକାର ଚାଷୀମାନଙ୍କୁ ପେନସନ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି । ରାଜ୍ୟ ସରକାର ଚାହିଁଲେ ଚାଷୀମାନଙ୍କୁ ପେନସନ ଦେଇପାରିବେ । ଏମଏସପି କେନ୍ଦ୍ର ସରକାର ସ୍ଥିର କରିବେ ।

 

ବର୍ତ୍ତମାନ ଓଡ଼ିଶା ରାଜ୍ୟରେ କେବଳ ବୃଦ୍ଧ ବୃଦ୍ଧା ଚାଷୀମାନଙ୍କୁ ଛାଡ଼ିଦେଲେ ଅନ୍ୟମାନେ ବିଭିନ୍ନ ବାଟରେ ସରକାରୀ ସହାଯ୍ୟ ପାଉଛନ୍ତି । ଅଳ୍ପ ପାଠପଢି ପିଅନ ଚାକିରୀ କରିଥିବା ଜଣେ ବ୍ୟକ୍ତି ମାସକୁ ୧୮ ହଜାର ଟଙ୍କା ପାଉଛି । ମାସକୁ ଶିକ୍ଷକମାନେ ୪୦ ହଜାର ଟଙ୍କା, ସରକାରୀ କର୍ମଚାରୀମାନେ ୭ମ ବେତନ କମିଶନ ସୁପାରିଶ କ୍ରମେ ମାସକୁ ୪୦ ହଜାରରୁ ଉଦ୍ଧ୍ୱର୍ ଦରମା ପାଉଛନ୍ତି । କିରାଣୀ ଚାକିରୀ କରିଥିବା ବ୍ୟକ୍ତି ୨୫ ହଜାରରୁ ୪୦ ହଜାର ଟଙ୍କା, ପ୍ରଥମ ଶ୍ରେଣୀ କର୍ମଚାରୀମାନେ ମାସକୁ ୨.୫ ଲକ୍ଷ ଟଙ୍କା ପାଉଛନ୍ତି । ଚାକିରୀରୁ ଅବସର ନେବା ପରେ ଦରମାର ୫୦ ଭାଗ ପେନସନ ମୃତ୍ୟୁ ପର୍ଯ୍ୟନ୍ତ ପାଉଛନ୍ତି । ଯେଉଁମାନେ ସାଂସଦ, ବିଧାୟକ ହେଉଛନ୍ତି ସେମାନେ ମାସକୁ ଲକ୍ଷାଧିକ ଟଙ୍କା ଦରମା, ଭତ୍ତା ପାଉଛନ୍ତି । ମାତ୍ର ଅଳ୍ପଦିନ ସାଂସଦ, ବିଧାୟକ ରହିବା ପରେ ମୃତ୍ୟୁପର୍ଯ୍ୟନ୍ତ ପେନସନ ପାଉଛନ୍ତି । କେବଳ ଚାଷୀ ଜୀବନସାରା କଠିନ, ହାଡ଼ଭଙ୍ଗା ପରିଶ୍ରମ କରି ଶୀତ, କାକର, ଖରା, ବର୍ଷା, ଝଡ଼ିକୁ ଖାତିର ନ କରି, ମୁଣ୍ଡ ଝାଳ ତୁଣ୍ଡରେ ମାରି, ରକ୍ତକୁ ପାଣି କରି ମାଟିରୁ ସୁନା ଫଳାଇ ଚାଉଳ, ଡ଼ାଲି, ଗହମ, ଆଳୁ, ବାଇଗଣ, ପ୍ରଭୃତି ପନିପରିବା, ଦୁଧ, ଅଣ୍ଡା, ମାଛ ପ୍ରଭୃତି ଉତ୍ପାଦନ କରି ଦେଶବାସୀଙ୍କୁ ଖାଇବାକୁ ଦେଲା, ଯାହାର ଖାଦ୍ୟ ଖାଇ ଯବାନମାନେ ଦେଶସୀମାରେ ଲଢ଼େଇ କରି ଦେଶରକ୍ଷା କରୁଛନ୍ତି, ସେ ବୁଢ଼ା ହୋଇଗଲେ ଖାଇବାକୁ, ପିନ୍ଧିବାକୁ ପାଉନାହିଁ, ଅର୍ଦ୍ଧାହାର, ଅନାହାରରେ ଷଢୁଛି, ରୋଗଗ୍ରସ୍ତ ହେଲେ ଚିକିତ୍ସା ପାଇଁ ପଇସାଟିଏ ପାଖରେ ନାହିଁ । ଏଭଳି ଅନ୍ୟାୟକୁ ଆମର ସଭ୍ୟସମାଜ ଆଉ ଅଧିକ ଦିନ ବରଦାସ୍ତ କରିବେ ନାହିଁ । ଏହାର ପ୍ରତିକାର ନକଲେ ଜନ ଅସନ୍ତୋଷ ତୀବ୍ରରୁ ତୀବ୍ରତର ହେବ । ସୁତରାଂ ନବୀନ ବାବୁଙ୍କ ସରକାର କାଳ ବିଳମ୍ବ ନକରି ଚାଷୀମାନଙ୍କୁ ଅନ୍ତତଃ ପେନସନ ଦେବାର ବ୍ୟବସ୍ଥା କରନ୍ତୁ । ନବ ନର୍ବାଣ କୃଷକ ସଂଗଠନ ମାସକୁ ୫୦୦୦ ଟଙ୍କା ହିସାବରେ ପେନସନ ଦେବାକୁ ଦାବୀ କରୁଅଛି । ଅନ୍ୟ କେତେକ ଚାଷୀ ସଂଗଠନ ବର୍ତ୍ତମାନ ପାଇଁ ମାସକୁ ୩୦୦୦ ଟଙ୍କା ପେନସନ ଦେବାକୁ ଦାବୀ କରିଛନ୍ତି । ମାସକୁ ୫, ୩, ୨, ୧ ହଜାର ଯାହା କିଛି ହେଉ ତୁରନ୍ତ ୭୦ ବର୍ଷରୁ ଉଦ୍ଧ୍ୱର୍ ଚାଷୀଙ୍କୁ ପେନସନ ଦେବା ନୀତି ଘୋଷଣା କରିବାକୁ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ବିନୀତ ନିବେଦନ । ଏହାଦ୍ୱାରା ଚାଷୀ ବଂଚିବା ସହତ ସମସ୍ତଙ୍କୁ ସୁଫଳ ମିଳିବ ।

 

ପୂର୍ବତନ ସଭାପତି, ବିଜୁ କୃଷକ ଜନତା ଦଳ, ଓଡ଼ିଶା
ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ବିହନ ନିଗମ/ଅଏଲ୍ ଓଡ଼ିଶା
ଫୋନ୍-୯୪୩୭୩୧୮୭୩୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top