ଈଶ୍ୱରଙ୍କ ଅପମୃତ୍ୟୁ!

News Story - Posted on 2018-03-15

ଅମିୟ ପାଣ୍ଡବ

 

ଏଇ କିଛିିଦିନ ତଳେ କେରଳରେ ଘଟି ଯାଇଥିବା ସେହି ପୀଡାଦାୟକ ଓ ଲଜ୍ଜାଜନକ ଘଟଣା ପ୍ରତିଟି ସମ୍ବେଦନଶୀଳ ମଣିଷକୁ ସ୍ତବ୍ଧ କରିଦେଇଥିବ ନିଶ୍ଚୟ । ଏହା ବୀଭତ୍ସ, ନିନ୍ଦନୀୟ ଏବଂ ନିଜକୁ ଧିକ୍କାର କଲାଭଳି । ଏହି ଘଟଣା ଆମମାନଙ୍କୁ ବାଧ୍ୟ କରୁଛି ପୁଣିଥରେ ଭାବିବାକୁ ଯେ ବାସ୍ତବରେ ଆମ ସମାଜ ଓ ସଭ୍ୟତାର ଗତି କୁଆଡ଼େ? ନିଜକୁ ସଭ୍ୟ ଓ ଉନ୍ନତ ବୋଲି ଡ଼ିଣ୍ଡିମ ପିଟୁଥିବା ଆମ ଭାରତୀୟ ସମାଜ ବ୍ୟବସ୍ଥାର ଏହି ନ୍ୟୁନ, ନଗ୍ନ, ରୁଗ୍ଣ, ଗଳିତ ଓ ସ୍ଖଳିତ ଚେହେରା ଆମ ମୁହଁରେ ଲଣ୍ଡାଏ ଛେପ ସଦୃଶ!

 

‘ଗଡ୍ସ ୱନ କଣ୍ଟ୍ରି’ ବା ଈଶ୍ୱରଙ୍କ ନିଜ ରାଜ୍ୟ ବୋଲି କୁହାଯାଉଥିବା କେରଳରେ ଘଟିଥିବା ଏହି ପୈଶାଚିକ ପ୍ରବୃତ୍ତିର ପଦଚିହ୍ନ ଅବଶ୍ୟ ଅନ୍ୟ ଅନେକ ରାଜ୍ୟରେ ମଧ୍ୟ ବିଦ୍ୟମାନ । ତେବେ ହ୍ୟୁମାନ ଇଣ୍ଡେକ୍ସ ଏବଂ ସୋସିଆଲ ଇଣ୍ଡିକେଟର ଆଦି ପରିମାପକରେ ସର୍ବଦା ଉତ୍ତୀର୍ଣ୍ଣ ଓ ଉନ୍ନତ ରହି ଆସୁଥିବା ସବୁଠୁ ଶିକ୍ଷିତ ରାଜ୍ୟ (!) କେରଳ ମଥାରେ ଏହା ଏକ କଳଙ୍କର ଟିପା! ରାଜନୈତିକ ଚେତନାରେ ସବୁଠୁ ସମୃଦ୍ଧ କେରଳରେ ଘଟିଥିବା ଏହି ବର୍ବରକାଣ୍ଡ ବାସ୍ତବରେ ଆମ ନୈତିକ ଅଧପତନ ଏବଂ ସାମାଜିକ ଚେତନାର ସାମଗ୍ରିକ ସ୍ଖଳନର ନଗ୍ନ ଚିତ୍ରକୁ ସ୍ପଷ୍ଟଭାବେ ତୋଳି ଧରିଛି । ଏହା କେବଳ ମଣିଷପଣିଆର ମଡ଼କ ବା ବିବେକର ଦୁର୍ଭିକ୍ଷକୁ ସୂଚାଉ ନାହିଁ ବରଂ ସାମ୍ପ୍ରତିକ ସାମାଜିକ ଅବକ୍ଷୟର ସାଘାଂତିକ ପ୍ରତିରୂପକୁ ପ୍ରକଟିତ କରିଦେଇଛି । ଏହା ଆମ ମାନସିକତାର ମାରାତ୍ମକ ଦିଗ ଏବଂ ବିବେକହୀନତାର ବିକଟାଳ ରୂପ ଓ ବିତ୍ôପାତକୁ ପ୍ରତୀତ କରିଛି । ଗୋଟେ ନିହାତି ଫମ୍ପା ଓ ଅନ୍ତଃସାରଶୂନ୍ୟ ସମାଜର ଏତାଦୃଶ ଅଧୋଗତି ଏହାର ଅପମୃତ୍ୟୁର ଅବଧାରିତ ଓ ଅବଶ୍ୟମ୍ଭାବୀ ପରିଣତି ବୋଲି କହିବା ଅନ୍ତତଃ ଅତ୍ୟୁକ୍ତି ହେବ ନାହିଁ!

 

ଗତ ଫେବୃୟାରୀ ମାସରେ ମଧୁ ନାମକ ୩୦ ବର୍ଷୀୟ ଆଦିବାସୀ ଯୁବକଙ୍କୁ ପଲ୍ଲକଡ଼ ଜିଲ୍ଲାର ଅଟ୍ଟାପୁଡ଼ିଠାରେ ସର୍ବସାଧାରଣ ସମ୍ମୁଖରେ ପିଟିପିଟି ମାରି ଦିଆଗଲା । ଶତ ପ୍ରତିଶତ ସ୍ୱାକ୍ଷରଙ୍କ ରାଜ୍ୟ କୁହାଯାଉଥିବା କେରଳରେ ଏଭଳି ଅସଭ୍ୟ ଓ ଅମାନବୀୟ କାଣ୍ଡ ଭିଆଯାଉଥିବା ବେଳେ ସମସ୍ତେ କେବଳ ନୀରବଦ୍ରଷ୍ଟା ନଥିଲେ ବରଂ ଏହି ହିଂସ୍ର ଭିଡ଼ରେ ଅଂଶୀଦାର ହେବାକୁ ଆଗ୍ରହୀ ଜଣାପଡୁଥିଲେ ଏବଂ ମାରିଦେବା ପୂର୍ବରୁ ତାଙ୍କ ସହ ସେଲଫି ନେଇ ଏହି ନାରକୀୟ ନାଟକର ମଜା ଲୁଟୁଥିଲେ । ଜଣେ ଦରିଦ୍ର, ନିରନ୍ନ ଆଦିବାସୀ ଯୁବକ କ୍ଷୁଧାର ତାଡ଼ନା ସହିନପାରି କିଛି ଖାଦ୍ୟ ପଦାର୍ଥ ଚୋରିକରି ନେଇଥିବାର ଅଭିଯୋଗରେ ତାଙ୍କୁ ଏହି ମୃତ୍ୟୁଦଣ୍ଡ ଦିଆଗଲା । ସୂଚନାଯୋଗ୍ୟ ଯେ ମାନସିକ ସ୍ଥିତି ଠିକ୍ ନଥିବା ଏହି ଅର୍ଦ୍ଧପାଗଳ ଯୁବକଙ୍କୁ ମାତ୍ର ୨୦୦ ଟଙ୍କାର ଖାଦ୍ୟ ପଦାର୍ଥ ଗୋଟେ ଦୋକାନରୁ ଚୋରି କରିଥିବା ଅଭିଯୋଗରେ ତାଙ୍କ ଲୁଙ୍ଗି ଖୋଲି ହାତ ଦୁଇଟିକୁ ବାନ୍ଧି ଦିଆଗଲା ଏବଂ ଆତ୍ମଘୋଷିତ ନ୍ୟାୟଦାତା ଓ ବିଚାରପତିମାନେ ପିଟି ପିଟି ଜେରା କରି ଚାଲିଲେ । ରାସ୍ତାରେ ଚଲାଇ ଚଲାଇ ଏହି ମୃତ୍ୟୁ ତାଣ୍ଡବର ଶୋଭାଯାତ୍ରା ଚାଲିଲା । ବିଧା, ଚାପୁଡ଼ା, ଗୋଇଠା ଓ ଲାଠି ମାଡ଼ରେ ଦୁର୍ବଳ ଓ ଶୀର୍ଣ୍ଣ ଶରୀରଧାରୀ ମଧୁଙ୍କର ମୃତ୍ୟୁ ହୋଇଗଲା । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ତାଙ୍କ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା ଏବଂ ଏକାଧିକ ଅନ୍ତରୀଣ କ୍ଷତ କାରଣରୁ ସେ ସେଠାରେ ଟଳି ପଡ଼ିଲେ । ଆଇନକାନୁନ ବ୍ୟବସ୍ଥା ପ୍ରତି ତିଳେମାତ୍ର ଭ୍ରୁକ୍ଷେପ ନ କରି ଏପରି କଙ୍ଗାରୁ କୋର୍ଟ ଚଳାଇଥିବା ମୃତ୍ୟୁର ସୌଦାଗରମାନେ ପ୍ରକୃତରେ ମୃତ୍ୟୁର ଉତ୍ସବ ମନାଉଥିବା ପରି ଜଣାପଡୁଥିଲେ ଏବଂ ନିଜ ବୀରତ୍ୱ ପ୍ରଦର୍ଶନ କରିବାର ଏହି ବିରଳ ସୁଯୋଗକୁ ଆଦୌ ହାତଛଡ଼ା କରିବାକୁ ସତେ ଯେପରି ଚାହୁଁନଥିଲେ । ସେଲଫିରେ ଫଟୋ ଉଠାଇବା ଏବଂ ସମୁଦାୟ ଘଟଣାର ଭିଡ଼ିଓ ରେକର୍ଡ଼ିଂ କରିବା ପ୍ରକୃତରେ କି ବାର୍ତ୍ତା ପ୍ରଦାନ କରୁଛି? ପ୍ରକୃତରେ ଏଥିରେ ପ୍ରତ୍ୟକ୍ଷଭାବେ ୧୬ ଜଣ ମୃତ୍ୟୁ ବେପାରୀ ସାମିଲ ଥିଲେ ମଧ୍ୟ ପରୋକ୍ଷରେ ସାମିଲ ହୋଇଥିଲା ସମୁଦାୟ ସମାଜ!

 

ଏହି ଘଟଣାରୁ ଯେଉଁ ପ୍ରଶ୍ନ ଉଙ୍କି ମାରୁଛି ତାହା ହେଲା-ମାନସିକ ଭାବେ ବିକୃତ କିଏ ଥିଲେ? ମୃତ୍ୟୁବରଣ କରିଥିବା ମଧୁ ନା ଏହି କାଣ୍ଡ ଭିଆଇଥିବା ମଣିଷ ଖୋଳପା ପିନ୍ଧା ଜାନୁଆରମାନେ? କିଏ ଅସଭ୍ୟ ଓ ଅଶିକ୍ଷିତ ଥିଲେ, ମଧୁ ନା ଏହି ତଥାକଥିତ ସଭ୍ୟ ମଣିଷମାନେ? ମଣିଷକୁ ମାରି ତାର ଭିଡ଼ିଓ ଉତ୍ତୋଳନ କରିଥିବା ମଣିଷ ପାଇଁ ଜହ୍ଲାଦଠୁ ଅଧିକ କଠୋର ଶବ୍ଦ ବ୍ୟବହାର କରାଯାଇପାରେ! କୁହାଯାଏ ‘ବୁଭୁକ୍ଷିତଃ କିଂ ନ କରୋତି ପାପମ୍’; ମାତ୍ର ଏଠାରେ କ୍ଷୁଧାର୍ତ୍ତ ଲୋକର ପାପ ଅପେକ୍ଷା ଖାଇଲା ପିଇଲା ବାଲାଙ୍କ ପାପ ବଳେଇଗଲା! ବିଚିତ୍ର ଚିତ୍ର ଓ ବିକାରଗ୍ରସ୍ତ ବିଡ଼ମ୍ବନା!

 

ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ଏଥିସହ ସମ୍ପୃକ୍ତ ସାମାଜିକ ଓ ଅର୍ଥନୈତିକ ପ୍ରଶ୍ନସମୂହ । ସୂଚନାଯୋଗ୍ୟ ଯେ, ଏହି ଅଟ୍ଟାପୁଡ଼ି ଅଂଚଳରେ ୧୯୫୦ ମସିହା ବେଳକୁ ମଧୁ ଆସିଥିବା ଆଦିବାସୀ ସମ୍ପ୍ରଦାୟ ସମୁଦାୟ ଜନସଂଖ୍ୟାର ୯୦% ଥିଲା । ମାତ୍ର ଏବେ ଏହା ଖସିଆସି ପହଂଚିଛି ମାତ୍ର ୩୪%ରେ । ଏହାର ଅର୍ଥ ଏମାନେ ବିସ୍ଥାପିତ ବା ବିତାଡ଼ିତ ବା ବିଲୁପ୍ତପ୍ର୍ରାୟ! ଏହି ଦୁର୍ଦ୍ଦଶା ପାଇଁ ଦାୟୀ କିଏ? ପ୍ରାପ୍ତ ତଥ୍ୟ ଅନୁଯାୟୀ ଏଠାକାର ପ୍ରାୟ ୧୦,୦୦୦ ଏକର ଜମି ବଳପୂର୍ବକ ଆଦିବାସୀମାନଙ୍କ ପାଖରୁ ଛଡ଼ାଇ ନିଆଯାଇଛି ଅର୍ଥାତ ସେମାନଙ୍କ ଜୀବନ ଜୀବିକାକୁ ହତ୍ୟା କରାଯାଇ ଦୁର୍ବିସହ ଜୀବନ ବିତାଇବାକୁ ବାଧ୍ୟ କରାଯାଇଛି । ନିରୀହ ଆଦିବାସୀମାନଙ୍କଠାରୁ ସେମାନଙ୍କ ଜମି ଚୋରୀ କରି ନେଇଥିବା ତଥାକଥିତ ସଭ୍ୟ-ସମ୍ପନ୍ନ ଲୋକ ଏବେ ଚାଉଳ ଚୋରୀ କରିନେଲା କହି ଅଭାବୀ ମଣିଷକୁ ହତ୍ୟା କରି ଦେଉଛନ୍ତି । ଏହା ବିଡ଼ମ୍ବନା ଓ ବିଭୀଷିକା ନୁହେଁ ତ ଆଉ କ’ଣ? ଏଭଳି ଘଟଣାକୁ ଯେତେ କଠୋର ଭାଷାରେ ନିନ୍ଦା କଲେ ମଧ୍ୟ ତାହା ନିଅଣ୍ଟ ପଡ଼ିଯିବ । ଏହା ଏକ ଅକ୍ଷମଣୀୟ ଅପରାଧ!

 

ତେବେ ଏହା କେରଳରେ ଘଟିଥିବା ପ୍ରଥମ ଘଟଣା ନୁହେଁ । ୨୦୧୬ ମସିହା ମେ ମାସରେ ଏମିତି ଏକ ଘୃଣ୍ୟ ଘଟଣା ଘଟିଥିଲା ଈଶ୍ୱରଙ୍କ ନିଜ ରାଜ୍ୟ କେରଳରେ । କୈଳାସ ଜ୍ୟୋତି ବେହେରା ନାମକ ଆସାମରୁ ଦାଦନ ଖଟିବାକୁ ଆସିଥିବା ଜଣେ ୩୧ ବର୍ଷୀୟ ଯୁବକକୁ କୋଟ୍ଟାୟମ ଜିଲ୍ଲାରେ କିଛି ସ୍ଥାନୀୟ ଲୋକ କେବଳ ଚୋର ବୋଲି ସନ୍ଦେହ କରି ପିଟି ପିଟି ହତ୍ୟା କଲେ । ସବୁଠୁ ଲଜ୍ଜାଜନକ ବିଷୟ ହେଲା ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ପରେ ଜଣେ ହେଲେ କେହି ଟିକେ ଦୁଃଖ କିମ୍ବା ଅନୁଶୋଚନା ପ୍ରକାଶ କଲେ ନାହିଁ । ଏହା ଆମ ନୈତିକ ଅଧୋପତନର ଅଶୁଭ ଲକ୍ଷଣ ନୁହେଁ କି?

 

ସମାନ ଶୈଳୀରେ ଘଟିଥିବା ଆଉ ଏକ ଘୃଣ୍ୟ ଘଟଣା ହୁଏତ ଆମ ଭିତରୁ ଅନେକ ଭୁଲି ସାରିଥିବେ । ମାତ୍ର ଭାରତୀୟ ସମାଜ ବ୍ୟବସ୍ଥା ଓ ସଭ୍ୟତାର ଇତିହାସରେ ସେଇ କଳଙ୍କମୟ ଘଟଣାଟି ଘଟିଥିଲା ୪ ନଭେମ୍ବର, ୨୦୦୭ରେ, ଆସାମର ରାଜଧାନୀ ଗୌହାଟୀର ରାଜରାସ୍ତାରେ । ସ୍ପଷ୍ଟ ଦିବାଲୋକରେ, ସର୍ବସାଧାରଣଙ୍କ ସମ୍ମୁଖରେ! ରାଜଧାନୀଠାରୁ ଶହ ଶହ କିଲୋମିଟର ଦୂରରେ ଦୁର୍ଗମ ଅରଣ୍ୟ ଅଂଚଳରେ ବାସ କରୁଥିବା ଲକ୍ଷ୍ମୀ ଓରାଙ୍ଗ ନାମ୍ନୀ ଜନୈକା ୧୭ ବର୍ଷିଆ ଆଦିବାସୀ ଯୁବତୀ ଆଦିବାସୀମାନଙ୍କ ଅଧିକାର ନେଇ ରାଜଧାନୀରେ ହେବାକୁ ଥିବା ଆନ୍ଦୋଳନରେ ଭାଗ ନେବାକୁ ନିଜ ଭାଇ ଭଉଣୀ ଓ ପରିବାରବର୍ଗଙ୍କ ସହ ଆସିଥିଲେ ଗୌହାଟୀ । ଆସାମର ଚା ବଗିଚାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରିବାରେ ହେଉଥିବା ବିଳମ୍ବର ପ୍ରତିବାଦରେ ଏପରି ଏକ ଆନ୍ଦୋଳନର ଡ଼ାକରା ଦେଇଥିଲା ଅଲ୍ ଆସାମ ଆଦିବାସୀ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ।

 

ଆସାମର ସୋନିତପୁର ଜିଲ୍ଲାର ଜାପୋୱାରୀ ଓରାଙ୍ଗ ବସ୍ତିରେ ରହୁଥିବା ଲକ୍ଷ୍ମୀ ଜୀବନର ପ୍ରଥମଥର ପାଇଁ ଏତେ ଦୂରକୁ ଯାତ୍ରା କରିଥିଲେ । ସହରଟା କ’ଣ କେବେ ଦେଖି ନଥିବା କିମ୍ବା ଜାଣିନଥିବା ଲକ୍ଷ୍ମୀ କେବଳ କାହାଣୀରୁ ଶୁଣିଥିଲେ ସହର ସମ୍ପର୍କରେ ଅନେକ କଥା । ଆଖିରେ ଅନେକ ସ୍ୱପ୍ନ ଓ ମନରେ ରୋମାଞ୍ଚ ନେଇ ସେ ସପରିବାର ଆସିଥିଲେ ଗୌହାଟି । ସହର କହିଲେ ସେ ବୁଝୁଥିଲେ ଯେଉଁଠି ମୁଖ୍ୟମନ୍ତ୍ରୀ ବା ରାଇଜ ମୁଖିଆ ରହନ୍ତି । ପୋଲିସ୍ ମୁଖିଆ ଓ ସେନାର ମୁଖିଆ ବି ରହନ୍ତି । ମାତ୍ର କୌଣସି ଦୋଷ ନଥାଇ ସୁଦ୍ଧା ଏକ ଛୋଟିଆ ବାଇକ୍ ଦୁର୍ଘଟଣା ପରେ ଉତ୍ପନ୍ନ ସ୍ଥିତିରେ ବଳି ପଡ଼ିଥିଲେ ବିଚରା ଲକ୍ଷ୍ମୀ । ଅକସ୍ମାତ ଆକ୍ରମଣାତ୍ମକ ଓ ଉଗ୍ର ହୋଇଉଠିଲେ ସହରୀ ଲୋକେ । ଅସଭ୍ୟ ଓ ଅପରିଛନିଆ ଲୋକଙ୍କୁ ପୋକମାଛି ପରି ଗୋଡ଼ାଇବାକୁ ଆରମ୍ଭ କଲେ । ହିଂସ୍ର ଭିଡ଼କୁ ଦେଖି ଭୀତତ୍ରସ୍ତ ଲକ୍ଷ୍ମୀ ପ୍ରାଣ ବିକଳରେ ଏପଟ ସେପଟ ଦୌଡ଼ିବାକୁ ଲାଗିଲେ । ସହରୀ ରାସ୍ତାଘାଟ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଲକ୍ଷ୍ମୀ ପଡ଼ିଗଲେ ଏହି ହିଂସ୍ର ଭିଡ଼ ହାତରେ । ଲାଠି ଓ କାଠଫାଳିଆରେ ଲକ୍ଷ୍ମୀଙ୍କ ଉପରେ ବର୍ଷିଲା ପାହାର । ତାଙ୍କୁ ସର୍ବ ସମ୍ମୁଖରେ ସମ୍ପୂର୍ଣ୍ଣ ବିବସ୍ତ୍ର କରିଦିଆଗଲା । ବିବସନା ଓ ବିବ୍ରତ ଲକ୍ଷ୍ମୀ ବିକଳରେ ହାତଯୋଡ଼ି ପ୍ରାଣଭିକ୍ଷା କଲେ ଓ କାନ୍ଦି ଚାଲିଲେ । ତଥାପି ବନ୍ଦ ହେଲାନି ମାଡ଼ବର୍ଷା । ଦେଖଣାହାରୀଙ୍କ ମଜ୍ଜା କହିଲେ ନ ସରେ!

 

ବିବସ୍ତ୍ର ନାରୀର ବିବଶତାର ଲାଇଭ୍ ଶୋ ବା ସିଧା ପ୍ରସାରଣରେ ସେମାନେ ରୋମାଂଚିତ ହୋଇଉଠିଲେ । ଦିନ ଦ୍ୱିିପ୍ରହରରେ, ସ୍ପଷ୍ଟ ଦିବାଲୋକରେ, ଜନଗହଳିପୂର୍ଣ୍ଣ ରାଜଧାନୀ ରାଜରାସ୍ତାରେ, ଶହ ଶହ ବନ୍ଧୁକ ଓ ଲାଠିଧାରୀ ପୋଲିସ୍ ଏବଂ କ୍ୟାମେରାଧାରୀ ସାମ୍ବାଦିକମାନଙ୍କ ଉପସ୍ଥିତିରେ ସବୁକିଛି ଘଟୁଥିଲା ନିର୍ବିକାରଭାବେ । ବାଳିକାଟି ସାହାଯ୍ୟ ପାଇଁ ପ୍ରାର୍ଥନା କରୁଥିବା ବେଳେ ଦାନ୍ତ ନିକୁଟି ହସୁଥିଲେ ସହରିଆମାନେ ।

 

ସୂଚନାଯୋଗ୍ୟ ଯେ, ରାଜଧାନୀକୁ ଆସିଥିବା ଆଦିବାସୀମାନଙ୍କ ହାତରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା । ସେମାନେ ଠେଙ୍ଗା, ଲାଠି କିମ୍ବା ପାରମ୍ପରିକ ଅସ୍ତ୍ର ଧରିଥିଲେ ଏ ବୀର ପଙ୍ଗୁବମାନଙ୍କର ଅସଲ ଔକାତ ଅବଶ୍ୟ ଜଣାପଡ଼ିଥାନ୍ତା ମାତ୍ର ନିରସ୍ତ୍ର ମହିଳା ଉପରେ କୁଦି ପଡ଼ିଥିବା ଏହି ପାଗଳ କୁକୁରମାନେ ନିଜର ବିବେକ ଓ ବିଚାରବୋଧ କେବେଠୁ ହରାଇ ସାରିଥିଲେ । ଘଟଣା ପରେ ରାଜନୀତି ଜୋର ଧରିବାରୁ ପୋଲିସ ତାଙ୍କୁ ଡ଼ାକିଲା ଅଭିଯୁକ୍ତକୁ ଚିହ୍ନଟ କରିବାକୁ । ଗୋଟେ ଅଜଣା ମୂଲକରେ ଆକସ୍ମିକ ଆକ୍ରମଣର ସମ୍ମୁଖୀନ ହୋଇଥିବା ଓ ପ୍ରାଣ ବଂଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଜଣେ ଆକ୍ରାନ୍ତ ମହିଳାଙ୍କୁ ପୋଲିସ ଡ଼ାକୁଥିଲା ଆସାମୀମାନଙ୍କୁ ଚିହ୍ନଟ କରିବାକୁ ଯେତେବେଳେ କି ସମସ୍ତ ଦୃଶ୍ୟ ଟିଭି ସ୍କ୍ରିନରେ ବାରମ୍ବାର, ଲଗାତର ଭାସି ଉଠୁଥିଲା ଓ କ୍ୟାମେରା ଗୁଡ଼ିକରେ କୈଦ ହୋଇସାରିଥିଲା । ରାଜ୍ୟ ସରକାର କ୍ଷତିପୂରଣ ବାବଦକୁ ଯେଉଁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ତାକୁ ଲକ୍ଷ୍ମୀ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଏବଂ ହଜି ଯାଇଥିବା ସମ୍ମାନ କେହି ଫେରାଇ ଦେଇପାରିବ କି ବୋଲି ପ୍ରଶ୍ନ କରିଥିଲେ ।

 

ଏଇଠି ମଧ୍ୟ ସେହି ସମାନ ପ୍ରଶ୍ନ । ଏହି ଘଟଣାରେ କିଏ ପ୍ରକୃତରେ ଥିଲା ଜଙ୍ଗଲୀ ଓ ଅସଭ୍ୟ? ମଣିଷ ଖୋଳପା ପିନ୍ଧା ଏହି ତଥାକଥିତ ସଭ୍ୟ, ଶିକ୍ଷିତ, ସହରୀ ଜନ୍ତୁମାନେ କ୍ରୁରତାରେ ବଳେଇ ଯାଇଥିଲେ ଜଙ୍ଗଲର ହିଂସ୍ର ପଶୁମାନଙ୍କଠାରୁ । ଆଦିବାସୀମାନଙ୍କୁ ମଣିଷ ଭଳି ନଦେଖିବା କେଉଁ ସଭ୍ୟତାର ସଂଜ୍ଞା? ଜଙ୍ଗଲୀ ପଶୁମାନଙ୍କୁ ଅତି ନିକଟରୁ ଦେଖି ସୁଦ୍ଧା କେବେ ଭୟ କରିନଥିବା ଲକ୍ଷ୍ମୀ ସେଦିନ ସହରୀ ମଣିଷମାନଙ୍କ ପଶୁତ୍ୱକୁ ଦେଖି ଡରିଯାଇଥିଲେ! ଏହି ଘଟଣା ପରେ ତାଙ୍କ ମାନସିକ ସନ୍ତୁଳନ ବିଗିଡ଼ିଯିବା ଯେମିତି ସ୍ୱାଭାବିକ ଥିଲା ସେହି ଧକ୍କାରୁ ମୁକୁଳିବାଟା ମଧ୍ୟ ଏତେ ସହଜ ନଥିଲା । ସହର ଓ ସହରୀ ମଣିଷମାନେ ଯେ ଜଙ୍ଗଲ ଓ ଜଙ୍ଗଲୀ ଜନ୍ତୁ ଠାରୁ ଅଧିକ ହିଂସ୍ର, କ୍ରୁର ଓ ଅବିଶ୍ୱାସୀ ତାହା ଲକ୍ଷ୍ମୀଙ୍କ ମାନସପଟରେ ଜମାଟ ବାନ୍ଧିଥିବା ନିଶ୍ଚୟ!

 

ଏସବୁ ବିକୃତି ଓ ବିଲକ୍ଷଣ ସୁସ୍ଥ ମଣିଷର ବିବେକକୁ ବାରମ୍ବାର ଦଂଶନ କରେ ଓ କରି ଚାଲିଥିବ । ସମୁଦାୟ ସମାଜକୁ ଷଢ଼ାଇ ଦେଉଥିବା ଏଭଳି ଏକ ସଂକ୍ରମଣ ବିରୋଧରେ ଐକ୍ୟବଦ୍ଧ ହେବା ଓ ଦୃଢ ସ୍ୱର ଉତ୍ତୋଳନ କରିବା ହିଁ ଆଜିର ଏ ସଙ୍କଟମୟ ସମୟର ଆହ୍ୱାନ ଓ ଆବଶ୍ୟକତା!

 

କଳସପୁର, ଆଳି, କେନ୍ଦ୍ରାପଡ଼ା


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top