୯ ସିଆରପିଏଫ ଯବାନ ଶହୀଦ

News Story - Posted on 2018-03-13

ଛତିଶଗଡ଼ର ଉପଦ୍ରୁତ ବସ୍ତର ଅଂଚଳ ଅନ୍ତର୍ଗତ ସୁକମା ଜିଲ୍ଲାରେ ମାଓବାଦୀମାନେ ଘଟାଇଛନ୍ତି ଏକ ବଡ଼ ଧରଣ ବିସ୍ଫୋରଣ । ଏହି ବିସ୍ଫୋରଣରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ବା ସିଆରପିଏଫର ଏକ ମାଇନ ପ୍ରୋଟେକ୍ଟେଡ ଭେହିକଲ ବା ଏମପିଭି ସଂପୂର୍ଣ୍ଣ ଧ୍ୱଂସ ପାଇବା ସହିତ ସେଥିରେ ଥିôବା ୯ ଜଣ ଯବାନ ନିହତ ହୋଇଛନ୍ତି । ଏହି ବିସ୍ଫୋରଣରେ ଅନ୍ୟ ୧୦ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ନିହତ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଅନ୍ତର୍ଭୁକ୍ତ ।

 

ସୁକମାର କିସ୍ତାରାମ ଜଙ୍ଗଲାଞ୍ଚଳରେ ଏହି ବିସ୍ଫୋରଣ ଘଟିଛି । ସିଆରପିଏଫର ୨୧୨ ବାଟାଲିୟନର ଯବାନମାନେ ଏମପିଭିରେ କମ୍ବିଂ ଅପରେସନ ଚଳାଇଥିଲାବେଳେ ମାଓବାଦୀମାନେ ପୂର୍ବରୁ ଖଂଜିଥିବା ଶକ୍ତିଶାଳୀ ବିସ୍ଫୋରକରେ ବିସ୍ଫୋରଣ ଘଟିଥିଲା । ଏହା ପରେ ପରେ ମଧ୍ୟ ଅନେକ ଥର ଆଇଇଡି ବିସ୍ଫୋରଣ ଘଟିଥିଲା । ଏଥିରେ ବିସ୍ଫୋରଣ ନିରୋଧୀ ଏହି ଗାଡ଼ିଟି ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଥିବାବେଳେ ୯ ଜଣ ଯବାନ ଶହୀଦ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅନ୍ତର୍ଭୁକ୍ତ । ତାଙ୍କ ନାଁ ମନୋରଂଜନ ଲେଙ୍କା । ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳର ରେବଣା ନୂଆଗାଁରେ । କେଇ ଦିନ ତଳେ ମନୋରଂଜନଙ୍କ ପିତାଙ୍କ ଦେହାନ୍ତ ଘଟିଥିଲା । ସେ ଶୁଦ୍ଧିକ୍ରିୟା ପାଇଁ ଛୁଟିରେ ଆସିଥିଲେ । ଶୁଦ୍ଧି କ୍ରିୟା ଶେଷ ହେବା ପରେ ସେ ଗତ କାଲି ହିଁ କାର୍ଯ୍ୟରେ ଯୋଗ ଦେଇଥିଲେ ।

 

ସିଆରପିଏଫର ମୁଖପାତ୍ର ମୋଜେସ ଦୀନକରନ ଦେଇଥିବା ସୂଚନା ଅନୁସାରେ ମଙ୍ଗଳବାର ସକାଳ ପ୍ରାୟ ୮ ଘଣ୍ଟା ସମୟରେ ମାଓବାଦୀ ଓ ୨୦୮ କୋବ୍ରା ବାହିନୀ ମଧ୍ୟରେ ମୁକାବିଲା ହୋଇଥିଲା । କୋବ୍ରା ବାହିନୀର ଆକ୍ରମଣରେ ମାଓବାଦୀମାନେ ପରାସ୍ତ ହୋଇ ପଳାୟନ କରିଥିଲେ । କିନ୍ତୁ ପରେ ପୁଣି ୧୨.୩୦ ଘଣ୍ଟା ସମୟରେ ନକ୍ସଲମାନେ ଏକଜୁଟ ହୋଇ ସିଆରପିଏଫର ୨୧୨ ବାଟାଲିୟନର ଯବାନମାନଙ୍କୁ ଟାର୍ଗେଟ କରି ବିସ୍ଫୋରଣ ଘଟାଇଥିଲେ । ଏଥିରେ ୯ ଜଣ ଯବାନ ଶହୀଦ ହୋଇଯାଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି ।

 

ଏହି ଆକ୍ରମଣକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ତୀବ୍ର ନିନ୍ଦା କରିବା ସହିତ ଶହୀଦଙ୍କ ନିମନ୍ତେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆହତମାନଙ୍କୁ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୧ ଦିନ ତଳେ ନିରାପତ୍ତା ବାହିନୀ ଛତିଶଗଡ଼ରେ ଏନକାଉଣ୍ଟର କରି ୧୦ ଜଣ ମାଓବାଦୀଙ୍କୁ ହତ୍ୟା କରିଥିଲେ । ଆଜିର ଆକ୍ରମଣ ସେହି ଘଟଣାର ପ୍ରତିଶୋଧ ବୋଲି ବିଚାର କରାଯାଉଛି । ଛଅ ମାସ ତଳେ ନକ୍ସଲମାନେ ଆକ୍ରମଣ କରି ସିଆରପିଏଫର ୨୫ ଜଣ ଯବାନଙ୍କୁ ହତ୍ୟା କରିଥିଲେ । ଗତ ବର୍ଷ ମାର୍ଚ୍ଚ ୧୨ ତାରିଖରେ ମଧ୍ୟ ସୁକମାରେ ନକ୍ସଲଙ୍କ ଆକ୍ରମଣରେ ୧୨ ସିଆରପିଏଫ ଯବାନ ଶହୀଦ ହୋଇଥିଲେ ।

 

ଗତ ଦୁଇ ବର୍ଷ ମଧ୍ୟରେ ଛତିଶଗଡ଼ରେ ମାଓବାଦୀ ବିରୋଧୀ ଅଭିଯାନ ଜୋରଦାର ହୋଇଛି । ଏହି ସମୟ ମଧ୍ୟରେ ନିରାପତ୍ତା ବାହିନୀ ଅନ୍ୟୁନ ୩୦୦ ନକ୍ସଲଙ୍କୁ ନିପାତ କରିଥିବା ନେଇ ରାଜ୍ୟ ଗୃହ ମନ୍ତ୍ରୀ ରାମସେବକ ପାଇକରା ରାଜ୍ୟ ବିଧାନସଭାରେ ଉତ୍ତର ରଖିଛନ୍ତି । ଗତ ବର୍ଷ ନକ୍ସଲ ଆକ୍ରମଣରେ ୩୭ ଯବାନଙ୍କ ହରାଇଥିବା ସିଆରପିଏଫ ମାଓବାଦୀଙ୍କ ବିରୋଧରେ ସର୍ଜିକାଲ ଆକ୍ରମଣ କରିବାକୁ ଅବୁଝମାଢ଼ ଅଂଚଳରେ ତିନିଟି ଶିବିର ସ୍ଥାପନ କରିଛି । ପ୍ରତି ଶିବିରରେ ଅନ୍ୟୁନ ୧୦୦ ଯବାନଙ୍କୁ ମୁତୟନ କରାଯାଇଛି ।

 

ଅବୁଝମାଢ଼ର ଛତିଶଗଡ଼ୀ ଅର୍ଥ ହେଉଛି ଅବୁଝା ପର୍ବତ । ଅର୍ଥାତ ଏହି ଅଂଚଳ ବିଷୟରେ ବାହାର ଲୋକମାନେ ବିଶେଷ କିଛି ଜାଣନ୍ତି ନାହିଁ । ଏହି ପାର୍ବତ୍ୟାଂଚଳରେ ଥିବା ଜଙ୍ଗଲ ଭିତରେ ରହି ନକ୍ସଲମାନେ ସରକାର ବିରୋଧୀ ଅଭିଯାନ ଚଳାଇଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top