ଆଧାର ସଂଯୋଗ କଟକଣା ହଟିଲା

News Story - Posted on 2018-03-13

ବ୍ୟାଙ୍କ ଖାତା, ମୋବାଇଲ ଫୋନ ଓ ତକ୍ରାଳ ପାସପୋର୍ଟ ପରି ସେବା ସହିତ ଆଧାର ନମ୍ବର ସଂଯୋଗ କରିବା ଚରମ ସୀମାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଂଚାଇ ଦେଇଛନ୍ତି ସୁପ୍ରିମ କୋର୍ଟ । ଆଧାରର ସାମ୍ବିଧାନିକ ବୈଧତା ମାମଲାର ବିଚାର କରୁଥିବା ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ କୋର୍ଟ ଏହି ମାମଲାରେ ଚୂଡ଼ାନ୍ତ ରାୟ ପ୍ରଦାନ କରିବା ଯାଏଁ ସରକାର ଏସବୁ ସେବାରେ ଆଧାର ସଂଯୋଗ କରିବାକୁ କାହାକୁ ବାଧ୍ୟ କରିପାରିବେ ନାହିଁ । ତେବେ କେବଳ ସବସିଡ଼ି ପ୍ରଦାନ କ୍ଷେତ୍ରରେ ପୂର୍ବ ପରି ଆଧାର ବ୍ୟବହୃତ ହେବ ।

 

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ ଆଧାର ସଂଯୋଗ ସମୟସୀମାକୁ ବାରମ୍ବାର ବୃଦ୍ଧି କରାଯିବା ଯଥେଷ୍ଟ ହୋଇଗଲାଣି । ଆଧାରର ବୈଧତା ମାମଲା ବିଚାରାଧୀନ ଥିବାବେଳେ ଏହାକୁ ବିଭିନ୍ନ ସେବା ସହିତ ସଂଯୁକ୍ତ କରିବା ପାଇଁ ନାଗରିକମାନଙ୍କୁ ବାରମ୍ବାର ଚୂଡ଼ାନ୍ତ ସମୟ ଦେବା ଅର୍ଥ ସେମାନଙ୍କୁ ଅନିଶ୍ଚିତତା ଭିତରକୁ ଠେଲିଦେବା । ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଆଧାର ସଂପର୍କୀତ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ଅସମ୍ଭବ ତେଣୁ । ଏହି ସମୟସୀମାକୁ ଚୂଡ଼ାନ୍ତ ରାୟ ଯାଏଁ ଘୁଂଚାଇ ଦିଆଗଲା ।

 

ଖୋଦ ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ ଆଧାର ମାମଲା ବିଚାରାଧୀନ ଥିବାବେଳେ ନାଗରିକମାନଙ୍କୁ ସେମାନଙ୍କର କୌଣସି କ୍ଷତି ହେବା ଏବଂ ସେମାନଙ୍କର ସେବା ଓ ସୁବିଧା କାଟି ଦିଆଯିବା ଭଳି ଅନିଶ୍ଚିତତା ଭିତରକୁ ଠେଲି ଦିଆଯିବା ଠିକ ନୁହେଁ । ୨୦୧୬ ଆଧାର ଆଇନର ୭ ଧାରାରେ ଉଲ୍ଲିଖିତ ଥିବା ସେବା ଓ ସବସିଡି ପ୍ରଦାନ କ୍ଷେତ୍ରରେ ୨୦୧୮ ମାର୍ଚ୍ଚ ୩୧ ତାରିଖର ସମୟସୀମା ବଳବତ୍ତର ରହିବ । କିନ୍ତୁ ବ୍ୟାଙ୍କ ଓ ମୋବାଇଲ ଫୋନ କ୍ଷେତ୍ରରେ ଆଧାର ସଂଯୋଗ ଚରମସୀମା ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଚ୍ଛେଦ ହେଲା ।

 

୨୦୧୭ ଡିସେମ୍ବର ୧୫ ତାରିଖରେ କୋର୍ଟ ମାର୍ଚ୍ଚ ୨୦୧୮ ମାର୍ଚ୍ଚ ୩୧ ତାରିଖକୁ ଏଥିପାଇଁ ଚୂଡ଼ାନ୍ତ ସମୟସୀମା ଭାବେ ଧାର୍ଯ୍ୟ କରିଥିଲେ । ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନ ଓ ବିପିନ ନାୟାର ଏହି ସମୟ କଟକଣା ହଟିବା ନିର୍ଦ୍ଦେଶ ଭିତରେ ଆଧାର ଆଇନର ୭ ଧାରା ଭିତରେ ଥିବା ସେବା ଓ ସୁବିଧା ସହିତ ଅନ୍ୟ ସବୁ କ୍ଷେତ୍ର ପ୍ରତି ଲାଗୁ କରିବାକୁ ଯୁକ୍ତି କରିଥିଲେ । କିନ୍ତୁ କୋର୍ଟ କେବଳ ୭ ଧାରା ବାହାରେ ଥିବା ସେବା ଓ ସୁବିଧା କ୍ଷେତ୍ରରେ ଏହି କଟକଣା ହଟାଇ ଦେଇଛନ୍ତି । ଆଧାର ଆଇନର ୭ ଧାରାରେ ଉଲ୍ଲେଖ ଅଛି ଯେ ଭାରତର କନସୋଲିଡେଟେଡ ପାଣ୍ଠିରୁ ଖର୍ଚ୍ଚ ହୋଇ ଯେଉଁ ସେବା, ସୁବିଧା ଓ ସବସିଡି ପ୍ରଦାନ କରାଯାଉଛି ସେ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର ହିତାଧିକାରୀମାନଙ୍କ ଆଧାର ନମ୍ବର ଦାବି କରିପାରିବେ । ସେଥିପାଇଁ ହିତାଧିକାରୀଙ୍କୁ ଆଧାର କାର୍ଡ଼ କିମ୍ବା ଆଧାର ଏନରୋଲମେଣ୍ଟ ନମ୍ବର ଦେବାକୁ ପଡ଼ିବ ।

 

ଆଧାର ମାମଲାରେ ଯୁକ୍ତି ଉପସ୍ଥାପନ କରୁଥିବା ବରିଷ୍ଠ ଆଇନଜୀବୀମାନଙ୍କ ମତରେ ଆଦାର ଆଇନର ୭ ଧାରାରେ ବୈଧାନିକ ସୁରକ୍ଷା ପାଇଥିôବା ସେବା, ସୁବିଧା ଓ ସବସିଡିକୁ କୋର୍ଟ ସମୟ କଟକଣା ଭିତରେ ରଖିଛନ୍ତି । କିନ୍ତୁ ପ୍ୟାନ, ମୋବାଇଲ ନମ୍ବର ଓ ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗ ନିର୍ଦ୍ଦେଶ ଏହି ଆଇନ ବାହାରେ ସରକାରଙ୍କ କାର୍ଯ୍ୟନିର୍ବାହୀ ନିଷ୍ପତ୍ତି କିମ୍ବା ଅନ୍ୟ ଆଇନ ଅନୁସାରେ ଜାରି ହୋଇଥିବାରୁ କୋର୍ଟ ସେସବୁ କ୍ଷେତ୍ରରେ ସମୟ କଟକଣା ଉଠାଇ ଦେଇଛନ୍ତି ।

 

ମାମଲାର ଶୁଣାଣି ସମୟରେ ଖଣ୍ଡପୀଠର ସଦସ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ ୨୦୧୭ ଅଗଷ୍ଟ ୨୪ ତାରିଖରେ ସୁପ୍ରିମ କୋର୍ଟଙ୍କର ଏକ ୯ ଜଣିଆ ଖଣ୍ଡପୀଠ ବ୍ୟକ୍ତିଗତ ଗୋପନୀୟତାକୁ ଏକ ମୌଳିକ ଅଧିକାର ଭାବେ ସାବ୍ୟସ୍ତ କରିସାରିଛନ୍ତି । ଏବେ ଏହି ୫ ଜଣିଆ ଖଣ୍ଡପୀଠ ଆଧାରର ବୈଧତା ନେଇ ଶୀଘ୍ର ରାୟ ପ୍ରକାଶ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ସେ ଯାଏଁ ଆଧାର ସଂଯୋଗ ନେଇ କୌଣସି ଅନିଶ୍ଚିତତା ରହିବା ଉଚିତ ନୁହେଁ ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଧାର ଆଇନ ନାଗରିକମାନଙ୍କର ବ୍ୟକ୍ତିଗତ ଗୋପନୀୟତା ଅଧିକାର ଉଲ୍ଲଙ୍ଘନ କରୁଥିବାରୁ ଏହି ଆଇନକୁ ଅସାମ୍ବିଧାନିକ ଘୋଷଣା କରିବା ଦାବିରେ ସୁପ୍ରିମ କୋର୍ଟରେ ଏକାଧିକ ପିଟିସନ ଦାଖଲ ହୋଇଥିଲା । କୋର୍ଟ ସବୁ ପିଟିସିନକୁ ଗୋଟିଏ ଭାବେ ଗ୍ରହଣ କରି ବିଭିନ୍ନ ପକ୍ଷର ଶୁଣାଣି କରୁଛନ୍ତି । ପୂର୍ବରୁ କୋର୍ଟ କହିଥିଲେ ଯେ ବିନା କୌଣସି ବୈଧାନିକ ବ୍ୟବସ୍ଥାରେ ସରକାର ଯଦି ଲୋକମାନଙ୍କର ବାୟୋମେଟ୍ରିକ ସୂଚନା ସଂଗ୍ରହ କରୁଛନ୍ତି ତେବେ ପରେ ଏକ ଆଇନ ପ୍ରଣୟନ କରି ସରକାର ତାହାକୁ ବୈଧ କରିପାରିବେ । ସେହି ଅନୁସାରେ ୨୦୧୬ ମସିହାରେ ସରକାର ଆଧାର ଆଇନ ପ୍ରଣୟନ କରିଥିଲେ । କିନ୍ତୁ ଏବେ ପ୍ରଶ୍ନ ଉଠିଛି ଯେ ସରକାର ୨୦୦୯ ମସିହାରୁ ଏଯାଏଁ ସଂଗ୍ରହ କରିଥିବା ବାୟୋମେଟ୍ରିକ ସୂଚନାର ଅପବ୍ୟବହାର ହୋଇଛି ନା ନାହିଁ । ଆଧାର ବ୍ୟବସ୍ଥାରେ ଲୋକମାନଙ୍କର ବାୟୋମେଟ୍ରିକ ସୂଚନା ଲିକ୍ ହେବାର ଅନେକ ସମ୍ଭାବନା ଥିବା ଯୁକ୍ତି ହେଲା ପରେ ସୁପ୍ରିମ କୋର୍ଟ କହିଥିଲେ ଯେ ସରକାର ଲିକ୍ ରୋକିବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିପାରନ୍ତି ।

 

ଆଧାର ଆଇନର ବୈଧତା ନେଇ ବିଚାର କରୁଥିବା ଖଣ୍ଡପୀଠର ଅଧ୍ୟକ୍ଷ ନିଜେ ପ୍ରଧାନ ବିଚାରପତି ଦୀପକ ମିଶ୍ର ହୋଇଥିଲାବେଳେ ଏହାର ଅନ୍ୟ ସଦସ୍ୟମାନେ ହେଲେ ବିଚାରପତି ଏକେ ସିକ୍ରି, ଏଏମ ଖାନୱିଲକର, ଡିୱା ଚନ୍ଦ୍ରଚୂଡ଼ ଓ ଅଶୋକ ଭୂଷଣ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top