କେସିସିରୁ କୋୟାଙ୍କ ନାଁରେ ୧୩ କୋଟି ହଡ଼ପ

News Story - Posted on 2018-03-12

କୋରାପୁଟ ସେଣ୍ଟ୍ରାଲ‌୍‍ କୋଅପରେଟିଭ ବ୍ୟାଙ୍କରୁ ସାଧାରଣ ଲୋକଙ୍କ ନାମରେ ଅନେକ ରାଜନେତା ଏବଂ ତାଙ୍କର ପରିବାର ସଦସ୍ୟ ଲୁଟିନେଇଛନ୍ତି କୋଟିକୋଟି ଟଙ୍କା। ଏହାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି ପ୍ରାକ୍ତନ ପୋଲିସ ଅଧିକାରୀ ତଥା ସମାଜସେବୀ ଶରତ ଚନ୍ଦ୍ର ବୁରୁଦା। ଏହି ଦୁର୍ନୀତିରେ ଶାସକ ଦଳର ବହୁ ନେତା ଜଡ଼ିତ ବୋଲି ସେ ଅଭିଯୋଗ କରିଛନ୍ତି।

 

କୋରାପୁଟ ସେଣ୍ଟ୍ରାଲ‌୍‍ କୋଅପରଟିଭ‌୍‍ ବ୍ୟାଙ୍କ ଅଧୀନରେ ଥିବା ବାଲିମେଳା ଲ୍ୟାମ୍ପ ଏମଡ଼ି ତଥା ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦଏହି ଦୁର୍ନୀତିରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ବୁରୁଦା ଅଭିଯୋଗ ଆଣିଛନ୍ତି। ସର୍ବମୋଟ ୧୨ କୋଟି ଛଅ ଲକ୍ଷ ଟଙ୍କାର ଦୁର୍ନୀତି ପଛରେ ନବୀନ ସରକାରଙ୍କ ସ୍ପଷ୍ଟ ସଂପୃକ୍ତି ରହିଛି। ଅବିଭକ୍ତ କୋରାପୁଟ କୋଅପରେଟିଭି ବ୍ୟାଙ୍କର କର୍ମଚାରୀ ସହ ମୁଷ୍ଟିମେୟ ରାଜନୈତିକ ନେତାଙ୍କ ଲୁଟର ଶିକାର ହୋଇଛନ୍ତି ନିରୀହ ଆଦିବାସୀ। ଅନେକଙ୍କ ନାମ ନଥାଇ କୌଣସି ପରିଚୟ ନଥାଇ କିଏ ଓ କେଉଁ ପରିସ୍ଥିତି ଏମିତି ଦୁର୍ନୀତି କରିଛି ତାହା ବାହାର କରିବାକୁ ଭିଜିଲାନ୍ସ ତଦନ୍ତ ନିହାତି ଜରୁରୀ।

 

ଜିଲ୍ଲାର ବିଭିନ୍ନ ଲ୍ୟାମ୍ପ‌୍‍ରେ ଏହିପରି ଦୁର୍ନୀତି ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ନୀରବ ରହିବାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୁରୁଦା ପ୍ରଦାନ କରିଥିବା ତଥ୍ୟ ଅନୁସାରେ କାଲିମେଳା ଲ୍ୟାମ୍ପରୁ ୨୦୧୨-୧୩, ୨୦୧୩-୧୪, ୨୦୧୪-୧୫ ଓ ୨୦୧୫-୧୬ ବର୍ଷରେ ମୋଟ ୮୫୯ ଜଣ ଚାଷୀଙ୍କ ନାମରେ ୫,୨୫,୨୮,୪୦୦ ଟଙ୍କାର ଋଣ ପ୍ରଦାନ କରାଯାଇଛି। ଏସବୁ ଋଣ ଖାତାରେ ନେଇଥିବା ଚାଷୀମାନଙ୍କର ଦସ୍ତଖତ ନାହିଁ। ତେଣୁ ଏହି ଅର୍ଥକୁ ଏମଡି ଓ ତାଙ୍କର ସହଯୋଗୀ କର୍ମଚାରୀମାନେ ମିଳିମିଶି ହଡ଼ପ କରିଥିବା ଅଭିଯୋଗ ହୋଇଛି। ୨୦୧୪ ମସିହାରେ ଏମ‌୍‍ଭି-୭୨ ଗ୍ରାମରେ ଆଇସିଡିପି ଗୋଦାମ ଗୃହ ନିର୍ମାଣ ବାବଦରେ କାଲିମେଳା ଲ୍ୟାମ୍ପର ୧୧,୪୯,୫୦୬ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୫ ମସିହାରେ ୧୨୦୦ ଜଣ ଚାଷୀଙ୍କ ନାମରେ ଶସ୍ୟବୀମା ବାବଦରେ ଆସିଥିବା ଅର୍ଥ ୧,୧୯,୪୩୬ ଟଙ୍କା ବ୍ରଦାନ କରାଯାଇଛି। ହୁଡୁହୁଡୁ ସହାୟତା ବା ସ୍ୱତନ୍ତ୍ର ପ୍ରାକୃତିକ ଦୁର୍ବିପାକ ପାଇଁ  ଆସିଥିବା ଖାଦ୍ୟ ଓ ଯୋଗାଣ ବିଭାଗରୁ ୬ଟି ଚେକ‌୍‍ ମାଧ୍ୟମରେ ସହାୟତା ରାଶି ୫,୨୬,୭୨,୬୧୧ ଟଙ୍କା ଦିଆଯାଇଛି। ସେହିଭଳି ସ୍ଥାନୀୟ ଯୋଗ୍ୟ ବ୍ୟକ୍ତିଙ୍କୁ ଉପେକ୍ଷା କରି ଏମ‌ଡିଙ୍କ ସଂପର୍କୀୟଙ୍କୁ ୭୦ ହଜାର ଟଙ୍କା ଲେଖାଏଁ ୧୨ ମାସକୁ ଚାକିରୀ ଦେବା ନାମରେ ୮,୪୦,୦୦୦ ଟଙ୍କା ଦିଆଯାଇଛି। ଏମ‌୍‍ଭି-୭୯ ଶାଖା ଜରିଆରେ ଗତ ତା-୧୨.୦୫.୨୦୧୭ ରିଖ ଓ ତା- ୧୬.୦୫.୨୦୧୭ ରିଖରେ ଚାଷୀଙ୍କ ନମୁନା ସ୍ୱାକ୍ଷର ନଥାଇ ଜାଲିଆତି କରି ୧୫,୬୦,୦୦୦ ଟଙ୍କା ଉଠାଯାଇଛି। ଏପରି ସର୍ବମୋଟ ୧୨,୦୬,୯୯,୯୫୩ ଟଙ୍କା  ଜାଲିଆତି କରି ଉଠାଇ ନିଆଯାଇଛି।

 

ଏହି ଅର୍ଥ ହରିଲୁଟ ଓ ମହାଦୁର୍ନୀତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନସ୍ତ ଭିଜିଳାନ୍ସ ବିଭଗ ତଦନ୍ତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଶାସକ ଦଳର ନେତାଙ୍କ ସଂପୃକ୍ତି ଯୋଗୁଁ ଭିଜିଲାନ୍ସ ବିଭାଗ କାହାକୁ ଗିରଫ କରି ନଥିବା ଅଭିଯୋଗ ହୋଇଛି। ସେହିପରି ଅର୍ଥନୈତିକ ଅପରାଧ ଶାଖାକୁ ଏ ନେଇ ବାରମ୍ୱାର ଅବଗତ କରାଯାଇଥିଲେ ସୁଦ୍ଧା ସେମାନେ ଏହାର ତଦନ୍ତ କରି ନାହାନ୍ତି। ଏହି ଦୁର୍ନୀତିରେ ବିନୋଦ କୁମାର ଷଡ଼ଙ୍ଗୀ, ତାରିଣୀ ବିଷୋୟୀ, କମଳାକାନ୍ତ ମହାପାତ୍ର ଓ ଶ୍ୟାମ ସୁନ୍ଦର ପଟ୍ଟନାୟକ ପ୍ରମୁଖ କର୍ମଚାରୀ ଜଡ଼ିତ ଥିବାରୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କଲେ ଅନେକ ରହସ୍ୟ ପଦାରେ ପ୍ରକାଶ ପାଇବ।

 

ଏହିପରି ଭାବେ ବାଲିମେଳା, ପଡ଼ିଆ, ଶିଖପାଲି, ଏମ‌୍‍ ୭୯ କେସିସି ବ୍ୟାଙ୍କର ଶାଖା ଅଧୀନରେ ଗରିବ କୋୟା ଆଦିବାସୀଙ୍କ ନାମରେ ଜାଲିଆତି ଓ ମିଥ୍ୟା ଟିପ ଚିହ୍ନ ଦେଇ ବିପୁଳ ଟଙ୍କା ହନପ କରାଯାଇଛି। ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ ଏକଦା ବାଲିମେଳା ଲ୍ୟାମ୍ପର ଏମଡି ଥିଲେ ମଧ୍ୟ ପରେ ସରକାର ତାଙ୍କୁ କୋରାପୁଟ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କର ସଭାପତି ଭାବେ ଅବସ୍ଥାପିତ କରିଥିଲେ। ସମ୍ଭବତ ଦକ୍ଷତାର ସହିତ ଦୁର୍ନୀତି କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ! ଏଠାରେ ଓଡ଼ିଶା ରାଜ୍ୟ ସରକାରଙ୍କ ପାଇଁ ଦୁଇଟି ପ୍ରଶ୍ନ। ଏତେ ଦିନ ଯାଏଁ ବ୍ୟାଙ୍କରେ ଚାଲୁଥିବା ଅବ୍ୟବସ୍ଥା ବିଷୟରେ ଜାଣିଶୁଣି ମଧ୍ୟ ଉପରସ୍ଥ ଅଧିକାରୀମାନେ ଚୁପ‌୍‍ ରହିବାର କାରଣ କ’ଣ? ସରକାରଙ୍କ ପ୍ରାକ୍ତନ ମନ୍ତ୍ରୀ ଓ ତାଙ୍କର ଆତ୍ମୀୟ ସ୍ୱଜନ ଏଭଳି କାଣ୍ଡ ଭିଆଇଥିଲେ ସୁଦ୍ଧା ବିରୋଧୀ ଦଳର ଏଠାକାର ଜନ ପ୍ରତିନିଧିମାନେ ମଧ୍ୟ ନୀରବ ରହିବାର କାରଣ କ’ଣ?

 

ଏ ସମସ୍ତ ବିଷୟ ସୂଚାଇ ଦେଉଛି ଯେ ଶାସକ ଓ ବିରୋଧୀ ଦଳ ନେତାଙ୍କ ସହିତ ମିଶି ଅଧିକାରୀ ଏକ ଅସାଧୁ ମେଣ୍ଟ ଗଠନ କରି ଏହି ଦୁର୍ନୀତି କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top